‘ନିର୍ଣ୍ଣାୟକ ସମୀକରଣ’ ପାଇଁ ନେଟ୍‌ ପ୍ରାକ୍ଟିସ୍‌ !

ବିଜେଡିକୁ ନୁହେଁ, ରାଜ୍ୟର ଅଧିକାଂଶ ସ୍ଥାନରେ ବିଜେପିକୁ ଚେକ୍‌ ଦେବାକୁ ଯୋଜନା କରିଛି କଂଗ୍ରେସ। ନିଜ ଗଡ଼ରେ ସୁରକ୍ଷିତ ରହିବ ଏବଂ ହାତଛଡ଼ା ହୋଇଥିବା ଭୋଟ୍‌ ବ୍ୟାଙ୍କକୁ ଭାଗ ଭାଗ କରିବା ପାଇଁ ଭିନ୍ନ ସ୍ଥାନରେ ଭିନ୍ନ ଗୋଟି ଖେଳିବ। ଏଥିପାଇଁ ରାଜ୍ୟର କିଛି ‘କଟ୍ଟର୍‌ କଂଗ୍ରେସ୍‌ ବିରୋଧୀ’ ମଧ୍ୟ ‘ହାତ’ ଦଳ ସହ ବୁଝାମଣା କରି ସାରିଛନ୍ତି। ଅନେକ କହୁଛନ୍ତି, ଏପରି ହେଲେ ବିଜେଡି ଫାଇଦାରେ ରହିବ। କିନ୍ତୁ କଂଗ୍ରେସ ରାଜ୍ୟରେ ଶକ୍ତି ସାଉଁଟିଲେ, ସବୁ […]

2

Amaresh Biswal
  • Published: Monday, 05 November 2018
  • , Updated: 05 November 2018, 08:46 PM IST

ବିଜେଡିକୁ ନୁହେଁ, ରାଜ୍ୟର ଅଧିକାଂଶ ସ୍ଥାନରେ ବିଜେପିକୁ ଚେକ୍‌ ଦେବାକୁ ଯୋଜନା କରିଛି କଂଗ୍ରେସ। ନିଜ ଗଡ଼ରେ ସୁରକ୍ଷିତ ରହିବ ଏବଂ ହାତଛଡ଼ା ହୋଇଥିବା ଭୋଟ୍‌ ବ୍ୟାଙ୍କକୁ ଭାଗ ଭାଗ କରିବା ପାଇଁ ଭିନ୍ନ ସ୍ଥାନରେ ଭିନ୍ନ ଗୋଟି ଖେଳିବ। ଏଥିପାଇଁ ରାଜ୍ୟର କିଛି ‘କଟ୍ଟର୍‌ କଂଗ୍ରେସ୍‌ ବିରୋଧୀ’ ମଧ୍ୟ ‘ହାତ’ ଦଳ ସହ ବୁଝାମଣା କରି ସାରିଛନ୍ତି। ଅନେକ କହୁଛନ୍ତି, ଏପରି ହେଲେ ବିଜେଡି ଫାଇଦାରେ ରହିବ। କିନ୍ତୁ କଂଗ୍ରେସ ରାଜ୍ୟରେ ଶକ୍ତି ସାଉଁଟିଲେ, ସବୁ ଆସନରେ ଯେ ବିଜେଡି ପଲା ଭାରି ରହିବ, ସେମିତି ନୁହେଁ। ବରଂ କଂଗ୍ରେସର ଭୋଟ୍‌କୁ ଗତ ତିନିଟି ନିର୍ବାଚନରେ ନିଜ ପକେଟ୍‌କୁ ନେଇଥିବା ଶାସକ ଦଳର ଭୋଟ୍‌ବ୍ୟାଙ୍କକୁ ଝାଡ଼ିବାର କ୍ଷମତା ରଖିଲେ, ବିଜେପି ଲାଭରେ ରହିବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ହେବ ନାହିଁ।

ଏସବୁ କଥା ଆଲୋଚନାକୁ ଆଣିବା ପୂର୍ବରୁ କିନ୍ତୁ ପ୍ରଥମେ ଗୋଟିଏ କଥା ସ୍ୱୀକାର କରିବାକୁ ପଡ଼ିବ ଯେ, କ୍ରମାଗତ ୪ଥର ବିଜେଡିର ବିଜୟ ପଛରେ, ଏକ ଯୋଜନାବଦ୍ଧ ରଣନୀତି ଓ ଏହି ରଣନୀତିକୁ ଭୋଟ୍‌ ରୂପ ଦେବା ପାଇଁ ଏକ ନିରବଚ୍ଛିନ୍ନ ନିଷ୍ଠା କାମ କରିଛି। ପଶ୍ଚିମର ପ୍ରସନ୍ନ ଓ ଅନଙ୍ଗଙ୍କ ସହ ଉପକୂଳର ବିଜୟ ଗୋଷ୍ଠୀ ଯେଉଁ ରଣନୀତିରେ ବିଜେଡିକୁ କ୍ଷମତାକୁ ଆଣିବାର ପ୍ଲାନ୍ କରିଥିଲେ, ୫ରୁ ୭ ବର୍ଷ ପରେ ପ୍ୟାରୀଙ୍କ ଦୀର୍ଘସୂତ୍ରୀ ପରିଶ୍ରମ ଏହାକୁ ଏକ ନିର୍ଣ୍ଣାୟକ ମୋଡ଼ ଦେଇଥିଲା, ଯାହା ଶଙ୍ଖପତି ନବୀନ୍‌ଙ୍କ ଯାତ୍ରାପଥକୁ ଗତ ଦୁଇ ଦଶନ୍ଧି ଧରି ବେଶ୍ ସହଜ କରିଛି।

୨୦୦୦ ମସିହା ନିର୍ବାଚନୀ ଦୃଶ୍ୟପଟ୍ଟ ବଦଳିଛି, ପ୍ରସଙ୍ଗ ବଦଳିଛି, କିନ୍ତୁ ଚେହେରା ବଦଳି ନାହାନ୍ତି। ହୋଇପାରେ, ଓଡ଼ିଶା ରାଜନୀତିର ଏହା ଏକ ଅବୋଧ୍ୟ ଦିଗ। କିନ୍ତୁ ଏହା ସତ ଯେ, ଗତ ୪ଥର ନବୀନ୍‌ ଯେଉଁ ପରି ଯୋଜନାବଦ୍ଧ ଅଥଚ ସହଜସୁଲଭ ଢଙ୍ଗରେ ‍କ୍ଷମତାକୁ ଆସୁଛନ୍ତି, ଏଥର ସ୍ଥିତି ସେତେ ଅନୁକୂଳ ନାହିଁ। ଯଦି ବିରୋଧୀଏ ପରସ୍ପରର ଗୋଡ଼ ଟଣା ଛାଡ଼ି ନିଜ ସ୍ଥିତି ଜାହିର୍‌ ପାଇଁ ନିଷ୍ଠାପର ଉଦ୍ୟମ କରିବେ, ତେବେ ବିଜୁପୁତ୍ର ଅବଶ୍ୟ ନିଜ ରାଜନୀତିକ ଭବିଷ୍ୟତକୁ ନେଇ ଭିନ୍ନ ଚିନ୍ତା କରିବେ।

ଏବେ ତ ଦଶହରା ଯାଇ ଦୀପାଳି ହେଲାଣି। ଆଉ ଓଡ଼ିଶାରେ ଏକ ‘ନୂଆ ଦଳ’ କଥା ସାଧାରଣରେ ପାଶୋର ହୋଇଗଲାଣି। ‘ଏବେ ନୁହେଁ ତ ଆଉ ନୁହେଁ’ ଭଳି ନିର୍ବାଚନ ପୂର୍ବରୁ ଯେ ରାଜ୍ୟରେ ଯେ ଆଉ ଏକ ଦଳ ଗଢ଼ା ହେବାର ନାହିଁ, ତାହା ପ୍ରାୟ ସ୍ପଷ୍ଟ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୈଦାନ୍‌ରେ ସ୍ଥିତି ଜାହିର୍‌ ପାଇଁ ୫ ବର୍ଷରେ ଥରେ ମିଳୁଥିବା ଏହି ଅପୂର୍ବ ସୁଯୋଗକୁ ହାତଛଡ଼ା କରିବା ପାଇଁ ରାଜ୍ୟ ରାଜନୀତିର କିଛି ପୋଖତ୍‌ ଓ ପେସାଦାର୍ ଖେଳାଳି ଆଦୌ ଚାହୁଁ ନାହାନ୍ତି। ତେଣୁ ଦଳ ଗଢ଼ିବା ବଦଳରେ ଏମାନେ ନିଜ ନିଜ ସ୍ଥାନରେ ରହି ନୂଆ ସମୀକରଣର ଅପେକ୍ଷା କରିଛନ୍ତି। ଆଉ ନିଜ ଗଣିତରେ ୮୦ପ୍ରତିଶତରୁ ଅଧିକ ନମ୍ବର ରଖିଲେ, ନିର୍ବାଚନ ପରବର୍ତ୍ତୀ ଓଡ଼ିଶା ରାଜନୀତିରେ ଏମାନେ ‘ଗେମ୍‌ ଚେଞ୍ଜର୍‌’ ହୋଇ ପାରନ୍ତି।

କଥା ହେଉଛି, ମୁଖ୍ୟତଃ ବାମପନ୍ଥୀ ଓ କଂଗ୍ରେସ କ୍ୟାମ୍ପରୁ ସିଂହଭାଗ ଆଣି ନିଜ ସ୍ଥିତି ସୁଦୃଢ଼ କରିଥିବା ବିଜେଡି ଭୋଟ୍‌ବ୍ୟାଙ୍କର ଏକ ପ୍ରମୁଖ ଅଂଶ ଏବେ ଆଣ୍ଟିଏଷ୍ଟାବ୍ଲିଶମେଣ୍ଟ୍‌ ସୁଅରେ ରହିଛି। କ୍ରମାଗତ ବିଜୟର ଦବ୍‌ଦବା ଦେଖାଉଥିବା ସଂଖ୍ୟାଧିକ ପ୍ରଭାବୀ ବିଜେଡି ନେତା ନିଜ ଗଡ଼ରେ ସତ୍ତା ହରାଇବାର ଆଶଙ୍କାରେ ଅଛନ୍ତି। ନିର୍ଦ୍ଦିଷ୍ଟ ଅଞ୍ଚଳର ହାତଗଣତି ନୁହନ୍ତି, ବରଂ ଦଳର ସମୁଦାୟ ବିଧାୟକ ସଂଖ୍ୟାର ପାଖାପାଖି ଏକ ତୃତୀୟାଂଶ ଶଙ୍ଖ ନେତାଙ୍କ ଏପରି ଅବସ୍ଥା। ତେଣୁ ଏମାନଙ୍କୁ ପ୍ୟାଭିଲିୟନ୍‌ର ରାସ୍ତା ଦେଖାଇ କ୍ଷମତା ସମୀକରଣର ଲଗାମ୍‌ ନିଜ ହାତରେ ରଖିବାକୁ ପଦ୍ମ ଦଳ ପାଇଁ ଏପରି ସୁଯୋଗ ନିକଟ ଭବିଷ୍ୟତରେ ଆଉ ଆସି ନ ପାରେ।

ଜିଲ୍ଲାୱାରୀ ଗଣିତ ନ କଷି, ଶାସକ ଦଳ ବିରୋଧୀ ଅନ୍ତଃସ୍ରୋତ ତୀବ୍ର ଥିବା ଅନ୍ତତଃପକ୍ଷେ ରାଜ୍ୟର ୫୦ ବିଧାନସଭା କ୍ଷେତ୍ରରେ ନିଜ କ୍ୟାମ୍ପ୍‌କୁ ସୁଦୃଢ଼ କରିପାରିଲେ, ପଡ଼ୋଶୀ ଆସନ ଏବଂ ସଂସଦୀୟ କ୍ଷେତ୍ରର ଭୋଟ୍‌ ଗଣିତରେ ଏହାର ପ୍ରଭାବ ପଡ଼ିବା ଥୟ। ଏହା ସହିତ ଏବେ କଂଗ୍ରେସର ପରାମର୍ଶଦାତା ସାଜି ଓଡିଶାରେ ‘କର୍ଣ୍ଣାଟକର କୁମାରସ୍ୱାମୀ’ ଭୂମିକାରେ ରହିବାର ଯୋଜନା କରିଥିବା ବିଜେଡି-ବିରୋଧୀଙ୍କ ସହ ନିଜ ସମ୍ପର୍କର ପୁନର୍ବିଚାର ପାଇଁ ଓଡ଼ିଶା ବିଜେପି ଚାହିଁଲେ. ସ୍ଥିତି ଏକଦମ୍‌ ଓଲଟପାଲଟ ହୋଇଯାଇପାରେ। ଆବଶ୍ୟ ଏହି ବିଜେଡି ବିରୋଧୀ ଗୋଷ୍ଠୀ ନିର୍ବାଚନରେ ଆଖିଦୃଶିଆ ପ୍ରଭାବ ଜାହିର କରିପାରିଲେ, କଂଗ୍ରେସର ହାତ ଛାଡ଼ିବା ସହ ଶଙ୍ଖକୁ ଫଟାଇ ବିଜେପି ପାଖରେ କ୍ଷମତା ସମୀକରଣର ନୂଆ ଫର୍ମୁଲା ବାଢ଼ି ପାରନ୍ତି।

ଉପକୂଳ ଓଡ଼ିଶାରେ ବିଜେପିର ସ୍ଥିତି ଦୁର୍ବଳ ବୋଲି କହୁଥିବା ପଣ୍ଡିତମାନେ ନିଶ୍ଚୟ ଏହି କଥାରେ ରାଜି ହେବେ ଯେ ରାଜ୍ୟର ଏହି ଅଂଶରେ ଶାସକ ବିରୋଧୀ ଭୋଟ୍‌ ବି କିଛି କମ୍‌ ନୁହେଁ। ତେଣୁ କଂଗ୍ରେସର ଉପସ୍ଥିତି ସତ୍ତ୍ୱେ ବିରୋଧୀ ଭୋଟ୍‌ର ଧ୍ରୁବୀକରଣ ପାଇଁ ‘ପ୍ରାର୍ଥୀ ଚୟନ’ର (ଆବଶ୍ୟକ ହେଲେ ନିଜସ୍ୱ ଭୋଟ୍ ଥିବା ଅନ୍ୟ ଦଳର ନେତାଙ୍କୁ ପ୍ରାର୍ଥୀ କରିବା) ଚକ୍‌ମା ଦେଇପାରିଲେ ପଦ୍ମ ଦଳ ଫାଇଦାରେ ରହିବ।

କେନ୍ଦ୍ରାପଡ଼ା ଓ ଜଗତସିଂହପୁର ନ ହୋଇ ପାରେ, କିନ୍ତୁ କଟକ, ଯାଜପୁର ଓ ନୟାଗଡ଼ ଭଳି ଜିଲ୍ଲାର କିଛି ଆସନରେ ବିଜେପି ‘ଜିରୋରୁ ହିରୋ’ ହେବାର ସୁଯୋଗ ରହିଛି। ଉତ୍ତର ଓଡ଼ିଶାରେ କଂଗ୍ରେସ ସାଥୀ ଖୋଜୁଛି, ଶାସକ ଦଳ ନିଜ ସ୍ଥିତିକୁ ନେଇ ସନ୍ଦିହାନ। ତେଣୁ ଅବିଭକ୍ତ କଟକ ଓ ପୁରୀ ତୁଳନାରେ ନିଜ ଶକ୍ତି ପ୍ରଦର୍ଶନ ପାଇଁ ଏହିଠାରେ ହିଁ ରାଜ୍ୟ ବିଜେପିକୁ ସୁଯୋଗ ଅଧିକ ରହିଛି। କିନ୍ତୁ ମୟୂରଭଞ୍ଜରେ ବିଜେପିକୁ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ହେବ। ଗଞ୍ଜାମ ପୂର୍ବ ଭଳି ବିଜେଜି ପାଇଁ ଅଭେଦ୍ୟ ଦୁର୍ଗ ସାଜିପାରେ। କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରିରେ ହାତ ଓ ଶଙ୍ଖ ମୁହାଁମୁହିଁ ହେବେ। ସୁନ୍ଦରଗଡ଼,କଳାହାଣ୍ଡି ଓ ନୂଆପଡ଼ାରେ ବିଜେପି କ୍ଷତିଗ୍ରସ୍ତ ହେବାର କିଛିଟା ଆଶଙ୍କା ରହିଥିବାବେଳେ ସମ୍ବଲପୁର ଓ ବଲାଙ୍ଗିର ପାଇଁ ପଦ୍ମ ଦଳ ପାଇଁ ନିର୍ଣ୍ଣାୟକ ହୋଇପାରେ। ତେବେ ବିଜେପି ପାଇଁ ପଶ୍ଚିମ ଭଳି ଅଧିକ ସମ୍ଭାବନା ରଖିଛି ‘ମଧ୍ୟ ଓଡ଼ିଶା’। ଏହି ‘ମଧ୍ୟ ଓଡ଼ିଶା’ରେ ଶାସକ ଦଳ ବିରୋଧୀ ଅନ୍ତଃସ୍ୱର କଂଗ୍ରେସ ମୁଣିକୁ ନ ଯାଇ ପଦ୍ମ ଗାଡ଼ିଆରେ ପଡ଼ିବାର ସମ୍ଭାବନା ଅଧିକ।

ତେବେ ବିରୋଧୀଙ୍କୁ ସବୁଥର ଭଳି ମାତ୍‌ ଦେବାକୁ ବିଜେଡି ବି ଚୁପ୍‌ ବସିନାହିଁ। ଅନ୍ୟ ଦଳରେ ଥିବା କିଛି ଟାଣୁଆ ସଂଗଠକ ଏବେ ବି ବିଜେଡିରୁ ଟିକେଟ୍‌ ପାଇଁ ଗୋଡ଼ ଟେକି ବସିଛନ୍ତି। କଟକ, ପୁରୀ ଓ କେନ୍ଦ୍ରାପଡ଼ା ଭଳି ଉପକୂଳର କିଛି କଂଗ୍ରେସିଆ ଏବେ ଖାସ୍ ଫାଇନାଲ୍ ହ୍ୱିସିଲ୍‌କୁ ଅପେକ୍ଷା କରି ଶାସକ ଦଳ ସହ ରୀତିମତ ଯୋଗସୂତ୍ରରେ ମଧ୍ୟ ଅଛନ୍ତି। ମୋଟାମୋଟି ୨୦୧୯ର ନିର୍ଣ୍ଣାୟକ ସମୀକରଣ ପାଇଁ ଏବେ ସବୁ ଦଳ ନେଟ୍‌ ପ୍ରାକ୍ଟିସ୍‌କୁ ତ୍ୱରାନ୍ୱିତ କରିଛନ୍ତି।

Related story