Advertisment

୧୫ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର: ହାଇସ୍କୁଲରେ ୬୦୨୫ ନୂଆ ଶିକ୍ଷକ, ୨୩୭ଟି ଆଦର୍ଶ ସ୍କୁଲ ହଷ୍ଟେଲକୁ ମଞ୍ଜୁରୀ

ରାଜ୍ୟର ହାଇସ୍କୁଲଗୁଡ଼ିକରେ ଆଉ ୬୦୨୫ଟି ନୂଆ ଶିକ୍ଷକ ପଦବୀ ପୂରଣ ପାଇଁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି ।

author-image
Ordigital Desk
ଅଦ୍ୟତନ ହୋଇଛି
loka seva bhawan

loka seva bhawan

ରାଜ୍ୟର ହାଇସ୍କୁଲଗୁଡ଼ିକରେ ଆଉ ୬୦୨୫ଟି ନୂଆ ଶିକ୍ଷକ ପଦବୀ ପୂରଣ ପାଇଁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି । ଏବେ ହାଇସ୍କୁଲଗୁଡ଼ିକରେ ମୋଟ ୪୦୧୬୬ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବାବେଳେ ଏହାର ୧୫ ପ୍ରତିଶତ ଅର୍ଥାତ ୬୦୨୫ଟି ବିଭିନ୍ନ ବିଷୟର ଶିକ୍ଷକ ପଦବୀ ସୃଷ୍ଟି ହେବ । ଶିକ୍ଷକମାନେ ଛୁଟି, ପ୍ରଶିକ୍ଷଣ ଓ ସ୍ୱାସ୍ଥ୍ୟଗତ କାରଣରୁ ଛୁଟିରେ ରହୁଥିବାରୁ ତାକୁ ଦୃଷ୍ଟିରେ ରଖି ସରକାର ଏହି ୬୦୨୫ଟି ଏଲଟିଆର ଶିକ୍ଷକ ପଦବୀ ସୃଷ୍ଟି ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାସହିତ ମୋଟ ୧୫ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି ।

Advertisment

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ୍ ଓ ରାଜ୍ୟ ମନ୍ତ୍ରିପରିଷଦର ବୈଠକ ଭିନ୍ନ ଭିନ୍ନ ଭାବେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ସଚିବ ସୁରେଶ ମହାପାତ୍ର କହିଛନ୍ତି ଯେ, ରାଜ୍ୟର ହାଇସ୍କୁଲଗୁଡ଼ିକରେ ବିଭିନ୍ନ ବିଷୟରେ ୬୦୨୫ଟି ଏଲଟିଆର (ଲିଭ,ଟ୍ରେନିଂ ରିଜର୍ଭ ) ପଦବୀ ସୃଷ୍ଟି କରାଯିବ । ରାଜ୍ୟ କ୍ୟାବିନେଟ୍ ଆଜି ଏହାକୁ ମଞ୍ଜୁର କରିଛନ୍ତି । ସେହିପରି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୨୩୭ଟି ବାଳକ ହଷ୍ଟେଲ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ହଜାରେ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ଏବେ ଆଦର୍ଶ ସ୍କୁଲଗୁଡ଼ିକରେ ଛାତ୍ରୀମାନଙ୍କ ରହିବା ପାଇଁ ହଷ୍ଟେଲ ସୁବିଧା ଥିବାବେଳେ ଛାତ୍ରମାନଙ୍କ ନିମନ୍ତେ ୧୦୦ବେଡ୍ ବିଶିଷ୍ଟ ୨୩୭ଟି ହଷ୍ଟେଲ ନିର୍ମାଣ ନିମନ୍ତେ ରାଜ୍ୟ କ୍ୟାବିନେଟ୍ ଅନୁମତି ଦେଇଛନ୍ତି ।

ସେହିପରି ଜେଲରେ ରହୁଥିବା ଅନ୍ତେବାସୀଙ୍କ କୌଣସି କାରଣରୁ ମୃତ୍ୟୁ ହେଲେ ସେମାନଙ୍କର ନିକଟ ସମ୍ପର୍କୀୟଙ୍କୁ ରାଜ୍ୟ ସରକାର ଆର୍ଥିକ କ୍ଷତିପୂରଣ ପ୍ରଦାନ କରିବେ । ହାଇକୋର୍ଟ ଓ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଜେଲ ଅନ୍ତେବାସୀଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ଏକ ରୁଲ୍ ପ୍ରଣୟନ କରିଛନ୍ତି ଯାହାକୁ ରାଜ୍ୟ କ୍ୟାବିନେଟ୍ ଆଜି ଅନୁମୋଦନ କରିଛନ୍ତି ।

Advertisment

ଭୁବନେଶ୍ୱର ସହରର ପାନୀୟ ଜଳ ସମସ୍ୟାର ସମାଧାନ ନିମନ୍ତେ କଟକର ମୁଣ୍ଡଳୀଠାରେ ୧୩୦ ଏମଏଲଡି ଜଳ ବିଶୋଧନାଗାର ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି । ଏହି ଜଳ ବିଶୋଧାନଗାର ନିର୍ମାଣ ଓ ୫ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପାଇଁ ୨୮୬.୭୩କୋଟି ଟଙ୍କା(ଜିଏସଟିକୁ ଛାଡ଼ି)ର ପ୍ରକଳ୍ପ ଟେଣ୍ଡରକୁ ମଞ୍ଜୁରୀ ଦେଇଛନ୍ତି । ୱାଟକୋ ଏହି ଜଳ ବିଶୋଧାନଗାରର ପରିଚାଳନା କରିବ । ଏହି ଟେଣ୍ଡରକୁ ମେସର୍ସ ଏଲସି ଇନଫ୍ରା ପ୍ରୋଜେକ୍ଟ ନେଇଛି । ଆଜି ରାଜ୍ୟ କ୍ୟାବିନେଟରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

ସେହିପରି ୨୦୨୨ ଜୁଲାଇ ୪ତାରିଖରେ ରାଜ୍ୟ ବିଧାନସଭାରେ ପାରିତ ହୋଇଥିବା ଡ୍ରିମସ ବିଶ୍ୱବିଦ୍ୟାଳୟ ଆଇନ ଉପରେ ରାଜ୍ୟପାଳ କେତେକ ଆପତ୍ତି ଉଠାଇଥିଲେ । ଯାହାକୁ ସଂଶୋଧନ କରାଯିବା ପରେ ଆଜି ପୁଣିଥରେ ରାଜ୍ୟ କ୍ୟାବିନେଟରେ ଏହି ଡ୍ରିମସ ବିଶ୍ୱବିଦ୍ୟାଳୟ ସଂଶୋଧନ ଚିଠା ଆଇନକୁ ଅନୁମୋଦନ ମିଳିଛି । ଆସନ୍ତା ବିଧାନସଭାରେ ଏହି ବିଲ୍ ଆସିବ ।

ଉଡାଣ ସ୍କିମରେ ଅଧିକ ବିମାନ ଚଳାଚଳ କମ୍ପାନୀକୁ ପ୍ରୋତ୍ସାହିତ କରି ରାଜ୍ୟରେ ବିମାନ ଚଳାଚଳକୁ ପ୍ରୋତ୍ସାହିତ କରିବା ନିମନ୍ତେ ରାଜ୍ୟ ସରକାର ଏଟିଏଫ(ଆଭିଏସନ୍ ଟର୍ବାଇନ ଫୁଏଲ) ଉପରେ ଭ୍ୟାଟକୁ ୧ ପ୍ରତିଶତକୁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଏଣିକି ଆସନ୍ତା ୨୦୨୭ ଅଗଷ୍ଟ ୨୧ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବିମାନ ବନ୍ଦର ପାଇଁ ପ୍ରଯୁଜ୍ୟ ରହିବ । ପୂର୍ବରୁ ଏହା କେବଳ ଝାରସୁଗୁଡ଼ା, ରାଉରକେଲା, ଜୟପୁର ଓ ଉତକେଲା ବିମାନବନ୍ଦର ପାଇଁ ପ୍ରଯୁଜ୍ୟ ଥିବାବେଳେ ଏବେ ଏଥିରେ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନବନ୍ଦରକୁ ସାମିଲ କରାଯାଇଛି । ଏହାଦ୍ୱାରା ଉଡ଼ାଣ ସ୍କିମରେ ଅଧିକ ସଂଖ୍ୟକ ବିମାନ ଭୁବନେଶ୍ୱର ବିମାନ ବନ୍ଦରରୁ ରାଜ୍ୟର ଅନ୍ୟ ଭାଗକୁ ଯାତାୟତ କରିବାକୁ ପ୍ରୋତ୍ସାହିତ ହେବେ।

ସେହିପରି ୨୦୨୦ ଜାନୁୟାରୀ ୧୦ ତାରିଖରେ ବା ତା’ପରେ ଯେଉଁ ସରକାରୀ କର୍ମଚାରୀ ବା ପେନସନଭୋଗୀଙ୍କ ମୃତ୍ୟୁ ହୋଇଥିବ ଏବଂ ତାଙ୍କର ଯଦି ଅନ୍ୟ କୌଣସି ବଡ଼ ଅବିବାହିତା ଓ ଦିବ୍ୟାଙ୍ଗ କନ୍ୟା ନଥିବେ ଏବଂ କିନ୍ନର ସନ୍ତାନ ଥିବେ ତା’ହେଲେ ସେ ପରିବାର ପେନସନ ପାଇବାକୁ ହକଦାର ହେବେ । ଏଥିପାଇଁ ଓଡ଼ିଶା ସିଭିଲ ସର୍ଭିସ(ପେନସନ) ରୁଲସ-୧୯୯୨ରେ ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି ।  ଏହି ରୁଲସରେ ସଂଶୋଧନ କରାଯାଇ ସନ୍ତାନର ସଂଜ୍ଞାରେ କିନ୍ନରଙ୍କୁ ସାମିଲ କରାଯାଇଛି । ପରିବାର ପେନସନ ପାଇବା ନିମନ୍ତେ ୨୫ବର୍ଷ ବୟସରୁ ଊର୍ଦ୍ଧ୍ୱ ଅବବିବାହିତା/ବିଧବା/ ସ୍ୱାମୀ ପରିତ୍ୟକ୍ତା କନ୍ୟାଙ୍କ କ୍ଷେତ୍ରରେ ମାସିକ ଆୟ ୪୪୦୦ଟଙ୍କାରୁ ୧୦ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।

Odisha Cabinate Meeting Odisha Budget