ସମ୍ବଲପୁର(ସଞ୍ଜୟ ଜେନା): ବିଶ୍ୱାସ ଘାତକ। ଯାହାର ଲୁଣ ଖାଉଥିଲେ, ତାହାର ବିଶ୍ୱାସରେ ବିଷ ଦେଲେ। ଯେଉଁ ହୋଟେଲରେ ଚାକିରି କରୁଥିଲେ, ଶେଷରେ ସେହି ହୋଟେଲର ମାଲିକଙ୍କ ଚାମ୍ବରରେ କଳାକନା ବୁଲାଇ ଦେଲେ। ହୋଟେଲ ମାଲିକ ଅଫିସ୍ ଚାମ୍ବରରୁ ଗଲା ପରେ ତାଙ୍କ ଆଲମିରା ଭାଙ୍ଗି ୩୯ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। କିନ୍ତୁ ହଜମ କରି ପାରିଲେନି ସବୁ ଚୋରି ଟଙ୍କା। ପୁଲିସରେ ଅଭିଯୋଗ ପରେ ହୋଇଥିଲା ତଦନ୍ତ। ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ବୟାନକୁ ଆଧାର କରି ଖୋଳତାଡ କରିବା ବେଳେ ଶେଷରେ ମାଟି ତଳେ ଲୁଚାଇ ରଖିଥିବା ଚୋରି ଟଙ୍କାକୁ ପୁଲିସ ପାଇଛି। ଅଭିଯୁକ୍ତମାନଙ୍କ ଉପସ୍ଥିତିରେ ମାଟି ଖୋଳାଯାଇଥିଲା। ମାଟି ତଳୁ ବାହାରି ଥିଲା ଗୋଟିଏ ପ୍ଲାଣ୍ଟିକ୍ ବସ୍ତା। ଯେଉଁଥିରେ ଥିଲା ବିଡାବିଡା ହୋଇ ୫୦୦ ଟଙ୍କିଆ ନୋଟ। ସମ୍ବଲପୁରରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ପୁଲିସ ଚୋର କର୍ମଚାରୀମାନଙ୍କ ପାଖରୁ ୩୨ ଲକ୍ଷ ୧୦ ହଜାର ଟଙ୍କା ଉଦ୍ଧାର କରିଛି। ଅବଶିଷ୍ଟ ଟଙ୍କା କୁଆଡେ ଗଲା ସେ ନେଇ ଖୋଳତାଡ କରୁଛି।
ଦେବଗଡ ଜିଲ୍ଲା ଅନ୍ତର୍ଗତ ବନକାଲୋ ଅଞ୍ଚଳର ମାଟି ତଳୁ ଏହି ଟଙ୍କା ବ୍ୟାଗ ବାହାର କରାଯାଉଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ହୋଟେଲର ପୂର୍ବତନ କର୍ମଚାରୀ ଦିଲେଶ୍ୱର ବେହେରା। ତାଙ୍କ ଘର ଦେବଗଡ ଜିଲ୍ଲା ରିଆମାଲ ଥାନା ଅନ୍ତର୍ଗତ ବନକାଲୋ ଅଂଚଳରେ। ଅନ୍ୟ ୩ ଜଣ ହୋଟେଲର କର୍ମଚାରୀ ତଥା ସହକାରୀ ରୋଷେୟା ମାନସ ପ୍ରଧାନ, ଓ୍ୱେଟର ଯୋଗେଶ୍ୱର ବେହେରା ଓ ରିସେପସନିଷ୍ଟ ଗୋବିନ୍ଦ ମଲ୍ଲିକ।
ଗତ ୧୫ ତାରିଖ ବିଳମ୍ବିତ ରାତିରେ ସମ୍ବଲପୁର ଭି.ଏସ.ଏସ. ମାର୍ଗରେ ଥିବା ହୋଟେଲ ଶିଲା ଟାଓ୍ୱାରର ମାଲିକଙ୍କ ଚ୍ୟାମ୍ବରର ଆଲମିରା ଭାଙ୍ଗି ଏହି ଟଙ୍କା ଟୋରି ହୋଇଥିଲା। ଏ ନେଇ ଧନୁପାଲି ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଅନୁସନ୍ଧାନ ସମୟରେ ହୋଟେଲ ଭିତରେ ଓ ବାହାରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଯେଉଁଥିରୁ ଚୋରମାନଙ୍କ ଗତିବିଧି ଓ ପରିଚୟ ଜଣାପଡିଥିଲା। ସେମାନଙ୍କ ଫୋନ କଲ ରେକର୍ଡ ଯାଂଚରୁ ମଧ୍ୟ ପୁଲିସ ଅନେକ ତଥ୍ୟ ପାଇଥିଲା।
ମୁଖ୍ୟ ଅଭିଯୁକ୍ତ ଟଙ୍କା ଧରି ନିଜ ଗାଁକୁ ଫେରାର ହୋଇଯାଇଥିଲା। ଅନ୍ୟ ୩ ଅଭିଯୁକ୍ତ ନିଜକୁ ସନ୍ଦେହ ମୁକ୍ତ କରିବା ପାଇଁ ଫେରାର ନହୋଇ ପୂର୍ବ ଭଳି ହୋଟେଲରେ ରହି କାମ କରୁଥିଲେ। କିନ୍ତୁ ତଦନ୍ତ ସମୟରେ ସେମାନଙ୍କ ସମ୍ପୃକ୍ତି ସ୍ପଷ୍ଟ ହୋଇଥିଲା। ପୁଲିସ ପରେ ମୁଖ୍ୟ ଅଭିଯୁକ୍ତ ପାଖରେ ପହଂଚି ଟଙ୍କା ଉଦ୍ଧାର କରିଛି।
ସମ୍ବଲପୁର ଏସ.ପି . ବି. ଗଙ୍ଗାଧର କହିଛନ୍ତି, ଅଭିଯୁକ୍ତମାନେ ରାତିରେ ହୋଟେଲ ମାଲିକଙ୍କ ଚାମ୍ବର ପଛପଟୁ ପ୍ରବେଶ କରିଥିଲେ। ସମସ୍ତ ଟଙ୍କା ଠାବ କରିବାକୁ ତଦନ୍ତ ଜାରି ରହିଛି।
ହୋଟେଲ ମାଲିକ ଯଶବୀର ସିଂ ହୁରା କହିଛନ୍ତି, ବିଶ୍ୱାସ ଘାତକ କର୍ମଚାରୀମାନଙ୍କ ଠିକଣା ଏବେ ହୋଟେଲରୁ ସିଧା ଜେଲ ହୋଇଛି। ନିଚ କାମ କରି ତାଙ୍କ ଚାକିରି ଗଲା, ଟଙ୍କା ଗଲା, ସମ୍ମାନ ବି ଗଲା।