/odisha-reporter/media/post_attachments/uploads/2021/10/rudra-pratap-maharathy.jpg)
rudra-pratap-maharathy
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନରେ ବାଜିମାତ୍ କରିଛି ବିଜେଡି। ପିପିଲିରେ ବିଜେଡି ପ୍ରାର୍ଥୀ ତଥା ସ୍ୱଗର୍ତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୨୦,୯୧୬ ଭୋଟରେ ପରାସ୍ତ କରିଛନ୍ତି। ଏହି ପରାଜୟ ସହ ଆଶ୍ରିତଙ୍କର ବିଜୟ ଆଶା ଧୂଳିସାତ୍ ହୋଇଛି। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେତନ ମହାପାତ୍ର ଅମାନତ ହରାଇଛନ୍ତି। ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁନୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି। ତେବେ ଫାଇନାଲ୍ ତଥା ଆନୁଷ୍ଠାନିକ ଘୋଷଣା ରିଟର୍ଣ୍ଣି ଅଫିସର୍ ପ୍ରଦୀପ ସାହୁ କରିବେ।
ବିଜେଡି ପ୍ରାଥୀ ରୁଦ୍ର ମହାରଥୀ ପାଇଛନ୍ତି ୯୬ ହଜାର ୯୭୨ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୭୬,୦୫୬ ଭୋଟ୍ ଏବଂ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେତନ ମହାପାତ୍ରଙ୍କୁ ୪୨୬୧ ଭୋଟ୍ ମିଳିଛି। ଏହି ବିଜୟ ସହ ରୁଦ୍ର ତାଙ୍କ ପିତାଙ୍କ ଗଡ଼ ବଜାୟ ରଖିଛନ୍ତି। ଚଳିତ ବର୍ଷ ପିପିଲିର ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କର ଦେହାନ୍ତ ହୋଇଥିଲା। ଯାହା ପରେ ପିପିଲିରେ ଉପନିର୍ବାଚନ ପାଇଁ ବାରମ୍ବାର ତାରିଖ ବଦଳିଥିଲା। ଏପ୍ରିଲରେ ହେବାକୁଥିବା ଉପନିର୍ବାଚନର ଠିକ୍ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ ହୋଇଥିଲା। ଏହା ପରେ ମେ’ ମାସ ପାଇଁ ନିର୍ବାଚନ ତାରିଖ ଧାର୍ଯ୍ୟ ହୋଇଥିଲା। କିନ୍ତୁ କରୋନା ପାଇଁ ପୁଣି ନିର୍ବାଚନକୁ ଘୁଞ୍ଚାଯାଇଥିଲା। ହେଲେ ଶେଷରେ ସେପ୍ଟେମ୍ବର ୩୦ ତାରିଖ ପାଇଁ ଉପନିର୍ବାଚନ ସ୍ଥିର କରାଯାଇଥିଲା।
ଆଜି ସକାଳୁ ପିପିଲି ଉପନିର୍ବାଚନ ପାଇଁ ଗଣନା ଆରମ୍ଭ ହୋଇଥିଲା। ଆରମ୍ଭରୁ ଶେଷ ଯାଏ ବିଜେଡି ପ୍ରାର୍ଥୀ ରୁଦ୍ର ଅଗ୍ରଣୀ କାଏମ ରଖିଥିଲେ। ୫ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୨୦,୧୨୫ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୧୪,୩୩୮ ଓ କଂଗ୍ରେସକୁ ୧୫୪୫ ଖଣ୍ଡ ଭୋଟ୍ ମିଳିଥିଲା। ସେହିପରି ରାଉଣ୍ଡ ୧୨ ଶେଷ ସୁଦ୍ଧା ବିଜେଡିକୁ ୪୭,୦୯୪ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୩୩,୬୭୫ ଓ କଂଗ୍ରେସକୁ ୨୭୦୫ ଖଣ୍ଡ ଭୋଟ୍ ମିଳିଥିଲା।
ରାଉଣ୍ଡ ୧୫ ସୁଦ୍ଧା ବିଜେଡିକୁ ୫୯,୧୮୫, ବିଜେପିକୁ ୪୨,୨୪୫ ଓ କଂଗ୍ରେସକୁ ୩୦୦୩ ଖଣ୍ଡ ଭୋଟ୍ ମିଳିଥିବା ବେଳେ ରାଉଣ୍ଡ ୧୬ ସୁଦ୍ଧା ବିଜେଡିକୁ ୬୩,୪୩୭, ବିଜେପିକୁ ୪୬,୦୦୨ ଓ କଂଗ୍ରେସକୁ ୩୧୧୩ ଖଣ୍ଡ ଭୋଟ୍ ମିଳିଥିଲା। ଏହିପରି ଭାବେ ୨୦ ରାଉଣ୍ଡ ସୁଦ୍ଧା ବିଜେଡିକୁ ୭୮,୩୭୮, ବିଜେପିକୁ ୫୮,୦୭୮ ଓ କଂଗ୍ରେସକୁ ୩୬୬୩ ଖଣ୍ଡ ଭୋଟ୍ ମିଳିଥିଲା। ୨୪ ରାଉଣ୍ଡ ସୁଦ୍ଧା ବିଜେଡିକୁ ୯୨,୮୧୦, ବିଜେପିକୁ ୭୨,୩୨୧ ଓ କଂଗ୍ରେସକୁ ୪୧୫୫ ଖଣ୍ଡ ଭୋଟ୍ ମିଳିଥିଲା। ୨୫ ରାଉଣ୍ଡ ସୁଦ୍ଧା ବିଜେଡିକୁ ୯୬,୧୯୬, ବିଜେପିକୁ ୭୫,୫୮୯ ଓ କଂଗ୍ରେସକୁ ୪୨୨୮ ଖଣ୍ଡ ଭୋଟ୍ ମିଳିଛି।
ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥର ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ଥିବା ବେଳେ ସେମାନଙ୍କ ମଧ୍ୟରୁ ୭୮.୨୫ % ସେମାନଙ୍କ ମତ ସାବ୍ୟସ୍ତ କରିଥିଲେ। ୧୯୯୫ ମସିହା ପରେ ପିପିଲି ନିର୍ବାଚନ ମଣ୍ଡଳୀରେ ଏହା ସର୍ବାଧିକ ମତଦାନ। ୧୯୯୫ ମସିହାରେ ଏଠାରେ ୮୨.୩% ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। ଏଥର ଉପନିର୍ବାଚନ ପାଇଁ ୩୪୮ଟି ବୁଥ୍ କରାଯାଇଥିଲା। ସେଥିରୁ ୨୦୧ଟି ସମ୍ବେଦନଶୀଳ ବୁଥ୍ରେ କୌଣସି ପ୍ରକାର ଗଡ଼ବଡ଼କୁ ଏଡ଼ାଇବାକୁ ଅତିରିକ୍ତ ଦୃଢ଼ ବ୍ୟବସ୍ଥା ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
