Advertisment

ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଓ ମହିଳା ଥାନାଧିକାରୀ ଧସ୍ତାଧସ୍ତି

ଆଜି ଘଟିଥିବା ଏହି ଘଟଣା ପୁଣି ପୁଲିସ ବ୍ୟବସ୍ଥା ଓ ନିର୍ବାଚିତ ଜନ ପ୍ରତିନିଧିଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅଦ୍ୟତନ ହୋଇଛି
BJP MLA, IIC Dhanupali fight

BJP MLA, IIC Dhanupali fight

Advertisment

ସମ୍ବଲପୁରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଓ ଧନୁପାଲି ଥାନାଧିକାରୀ ଅନିତା ପ୍ରଧାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ପରେ ପରେ ଏହାକୁ ନେଇ ପୁଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଛି। ଆଜି ଘଟିଥିବା ଏହି ଘଟଣା ପୁଣି ପୁଲିସ ବ୍ୟବସ୍ଥା ଓ ନିର୍ବାଚିତ ଜନପ୍ରତିନିଧିଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜ୍ୟରେ ବିପର୍ଯ୍ୟସ୍ତ ଆଇଶୃଙ୍ଖଳା ପରିସ୍ଥିତିକୁ ବିରୋଧ କରି ଆଜି ବିଜେପି ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ବେଳେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି। ଧନୁପାଲି ଥାନାଧିକାରୀଙ୍କୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଧକ୍କା ଓ ମାଡ଼ ମାରିଥିବା ଅଭିଯୋଗ ଆସିଥିବା ବେଳେ ଅନ୍ୟପଟେ ଧନୁପାଲି ଥାନାଧିକାରୀ ଜୟନାରାୟଣଙ୍କୁ ଧକ୍କା ମାରିଥିବା ପ୍ରତିଅଭିଯୋଗ ହୋଇଛି।

Advertisment

ଜୟନାରାୟଣ ଏହି ଘଟଣା ନେଇ କହିଛନ୍ତି ଯେ, ସେ ପ୍ରତିବାଦ ସଭାରେ ମତ ରଖି ସାରିବା ବେଳେ ଏକ ଚେୟାରରେ ବସିଥିଲେ। ଏହି ସମୟରେ ମହିଳା କର୍ମୀମାନଙ୍କୁ ପୁଲିସ ଧକ୍କା ମାରୁଥିବା ଖବର ପାଇଥିଲେ। ତେଣୁ ଚେୟାରରୁ ଉଠି ଘଟଣା ବୁଝିବାକୁ ପୁଲିସ ସାମ୍ନାକୁ ଯିବା ବେଳେ ଏହି ଥାନା ଅଧିକାରୀ ମୋର ଗୋଡ଼କୁ ଚକଟି ଦେଇ ବ୍ୟାରିକେଟିଂ ପାଇଁ ବନ୍ଧା ହୋଇଥିବା ରଶି ପାର ହୋଇଥିଲେ ଓ ପରେ ମୋତେ ଧକ୍କା ମାରିଥିଲେ। ଧକ୍କା ଖାଇବା ପରେ ରାଗରେ ତୁ’ କିଏ ବୋଲି ପଚାରିଥିଲି। ସେ ଧନୁପାଲି ଆଇଆଇସି ବୋଲି କହିଥିଲେ। ଏହି ଘଟଣା ସମୟରେ ଭିଡିଓ ସମସ୍ତଙ୍କ ପାଖରେ ରହିଛି। ପୁଲିସ ଜଣେ ଜନପ୍ରତିନିଧିଙ୍କ ଉପରକୁ ହାତ ଉଠାଇବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ମାଡ଼ ମାରିବା ପଛରେ କିଏ ରହିଛି, ତାହା ସମସ୍ତଙ୍କ ଜାଣିବା ଦରକାର।

ଅନ୍ୟପକ୍ଷରେ ଆଇଆଇସି କହିଛନ୍ତି, ‘ଯୁକ୍ତିତର୍କ ବେଳେ ଜୟନାରାୟଣ ମୋ ଗାଲକୁ ଥାପଡ଼ ମାରିଥିଲେ। ମୁଁ ନିଜର ରକ୍ଷା କରିବା ବେଳେ ତାଙ୍କୁ ବିଜେପି ସମର୍ଥକମାନେ ନେଇଗଲେ। ମୁଁ ତାଙ୍କ ଉପରକୁ ହାତ ଉଠାଇନି।’

Advertisment

ସମ୍ବଲପୁର ଏସ୍‌ପି ବି ଗଙ୍ଗାଧର କହିଛନ୍ତି, ଘଟଣା ସଂପର୍କରେ ସବିଶେଷ ତଥ୍ୟ ମଗାଯାଇଛି। ତା’ପରେ ତଦନ୍ତ କରାଯିବ। ତଦନ୍ତ ପରେ ଯିଏ ବି ଆଇନର ଉଲ୍ଲଂଘନ କରିଥିବେ, ତାଙ୍କ ଉପରେ ଆଇନ ଅନୁରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।  

ଏହି ଘଟଣାରେ ଧନୁପାଲି ଆଇଆଇସି ଅନିତା ପ୍ରଧାନ ଟାଉନ୍ ଥାନାରେ ଏତଲା ଦେବା ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନାଁରେ ମାମଲା ରୁଜୁ ହୋଇଛି। ତାଙ୍କ ନାଁରେ ଦଫା ୩୫୩, ୩୩୨, ୩୫୪, ୨୯୪ ଓ ୫୦୦ ଧାରାରେ ମାମଲା ରୁଜୁ କରାଯାଇଛି।  ଅନ୍ୟପକ୍ଷରେ ସମ୍ବଲପୁର ମହିଳା ବିଜେପି ପକ୍ଷରୁ ଆଇଆଇସି ଅନିତା ପ୍ରଧାନଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।  ସେ ଦୁର୍ବ୍ୟବହାର କରିଥିବା ନେଇ ଏତଲା ଦିଆଯାଇଛି। 

ସୂଚନା ମୁତାବକ, ରାଜ୍ୟରେ ବିପର୍ଯ୍ୟସ୍ତ ଆଇଶୃଙ୍ଖଳା ପରିସ୍ଥିତିକୁ ବିରୋଧ କରି ଆଜି ବିଜେପି ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଜୟନାରାୟଣଙ୍କ ନେତୃତ୍ୱରେ ବିଜେପି ନେତା ଓ କର୍ମୀମାନେ ଆଶାପାଲି ସ୍କୁଲଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲେ। ସହର ପରିକ୍ରମା କରି ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିବା ପରେ ବିଜେପି ନେତା ଓ କର୍ମୀମାନେ ବିକ୍ଷୋଭ କରିଥିଲେ। ଏହି ସମୟରେ ବିଜେପି ନେତାମାନେ ସେମାନଙ୍କ ପ୍ରତିବାଦ ଭାଷଣ ରଖିଥିଲେ। ବିକ୍ଷୋଭ ଶେଷ ପରେ କର୍ମୀମାନେ ପ୍ରସ୍ଥାନ କରୁଥିବା ବେଳେ ଏହି ଧସ୍ତାଧସ୍ତି ଘଟଣା ଘଟିଥିଲା।

Odisha Police Sambalpur Police Bjp Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe