/odisha-reporter/media/post_attachments/uploads/2021/04/sambalpur.jpg1_.jpg)
sambalpur.jpg1
ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ମଚାରୀ ଦୀନବନ୍ଧୁ ମିଶ୍ର ଆତ୍ମାହୂତି ଘଟଣାରେ ବିଶ୍ୱବିଦ୍ୟାଳୟର କୁଳପତି ସଞ୍ଜୀବ ମିତ୍ତଲଙ୍କ ନାଁରେ ମାମଲା ରୁଜୁ ହୋଇଛି। ଏହାଛଡ଼ା ବିଶ୍ୱବିଦ୍ୟାଳୟର ଆଉ ଦୁଇ କର୍ମଚାରୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରାଯାଇଛି। ଏହି ଦୁଇ କର୍ମଚାରୀ ହେଲେ ହଷ୍ଟେଲ୍ ୱାର୍ଡେନ୍ ପ୍ରଫେସର୍ ବିଶ୍ୱଜିତ୍ ଶତପଥୀ ଓ ବିଶ୍ୱବିଦ୍ୟାଳୟର ପିଇଓ ଅବିନାଶ କର।
ବିଶ୍ୱବିଦ୍ୟାଳୟର କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କର ମୃତ୍ୟୁକୁ ନେଇ ଆଜି ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା। ଦୀନବନ୍ଧୁଙ୍କ ପୁଅ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଯେଉଁ ଆଧାରରେ ବିଶ୍ୱବିଦ୍ୟାଳୟର କୁଳପତି ଓ ଅନ୍ୟ ଦୁଇ କର୍ମଚାରୀଙ୍କ ନାଁରେ ମାମଲା ରୁଜୁ କରାଯାଇଛି।
ଚାକିରୀ ସ୍ଥାୟୀ କରାନଯିବା ପ୍ରତିବାଦରେ ମଙ୍ଗଳବାର ଦୀନବନ୍ଧୁ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଏହା ପରେ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ଅଣାଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।
ଦିନବନ୍ଧୁଙ୍କ ମୃତ୍ୟୁ ପରେ ଏବେ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାରଙ୍କୁ ଲେଖିଥିବା ଚିଠି ପଦାକୁ ଆସିଛି। ଚିଠିରେ ସେ ଲେଖିଥିଲେ ବିନା ଦୋଷରେ କୁଳପତି ତାଙ୍କ ନାଁରେ ମିଥ୍ୟା ଅଭିଯୋଗ ଆଣି ଅଶାଳୀନ ଭାଷାରେ ଗାଳିଗୁଲଜ କରିଛନ୍ତି। ନିଜ ଆଚରଣ ପାଇଁ ବିଶ୍ୱବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ସାମ୍ନାରେ ଭୁଲ୍ ନମାନିଲେ ସେ ଆତ୍ମହତ୍ୟା କରିଦେବେ ବୋଲି ଚିଠିରେ ଉଲ୍ଲେଖ କରିଥିଲେ। ସେହିପରି ତାଙ୍କ ମୃତ୍ୟୁ ପାଇଁ ବିଶ୍ୱବିଦ୍ୟାଳୟ କୁଳପତି ସଞ୍ଜୀବ ମିତ୍ତଲ, ପିଇଓ ଏବଂ ୱାର୍ଡେନଙ୍କୁ ଦାୟୀ କରିଛନ୍ତି ଦୀନବନ୍ଧୁ। ଆତ୍ମଦାହ କରିବାର କିଛି ଘଣ୍ଟା ପୂର୍ବରୁ ଦୀନବନ୍ଧୁ ଏହି ଚିଠି ଲେଖିଥିବା ଜଣାପଡିଛି।
ଦୀନବନ୍ଧୁଙ୍କ ମୃତ୍ୟୁ ପରେ ବିଶ୍ୱବିଦ୍ୟାଳୟରେ କୁଳପତି ବିରୋଧୀ ସ୍ୱର ତେଜିଥିଲା। ଆଜି ସକାଳେ ଦୀନବନ୍ଧୁଙ୍କ ମୃତଦେହ ଧରି ପରିବାର ଓ ଅସ୍ଥାୟୀ କର୍ମଚାରୀ ୟୁନିଭର୍ସିଟିରେ ପହଁଞ୍ଚିଥିଲେ। ଭିସିଙ୍କ ବିରୋଧରେ ଏମାନେ ନାରା ଦେବା ସହ ପ୍ରଶାସନିକ ଭବନ ଆଗରେ ଧାରଣା ଦେଇଥିଲେ। ଦୀନବନ୍ଧୁଙ୍କ ମୃତ୍ୟୁ ପାଇଁ ଦାୟୀ ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଘଣ୍ଟା ଘଣ୍ଟା ଧରି ଚାଲିଥିଲା ଧାରଣା।
ସୂଚନାଯୋଗ୍ୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଦୀନବନ୍ଧୁ ୨୭ ବର୍ଷ ଧରି ଅସ୍ଥାୟୀ ଭାବେ କାମ କରିଥିଲେ। ଚାକିରୀ ସ୍ଥାୟୀ କରିବା ଲାଗି ଦୀନବନ୍ଧୁ ବାରମ୍ବାର ସିଣ୍ଡିକେଟରେ ଅପିଲ କରିବା ସହ ଅନଶନରେ ମଧ୍ୟ ବସିଥିଲେ। ଏପରିକି ସେ କୋର୍ଟଙ୍କ ଦ୍ୱାରସ୍ଥ ବି ହୋଇଥିଲେ। ତେବେ ତାଙ୍କୁ ନ୍ୟାୟ ମିଳିନଥିଲା। ଯାହା ଫଳରେ ସେ ନିରାଶ ହୋଇ ମଙ୍ଗଳବାର ଆତ୍ମଦାହ ଭଳି ଚରମ ପଦକ୍ଷେପ ନେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
