Advertisment

ଅସଲି ବୋତଲରେ ନକଲି ମଦ; ସାଢ଼େ ୪ ଲକ୍ଷ ଟଙ୍କାର ସାମଗ୍ରୀ ଜବତ

ନକଲି ମଦ ତିଆରି କରୁଥିବା ସୂରଜ କେମେଷ୍ଟ୍ରି ଅନର୍ସ ରଖି ବିଏସ୍‌ସି ପାସ୍‌ କରିଛନ୍ତି। ନିଜ ଘରେ ଯୁକ୍ତ ୨ ବିଜ୍ଞାନ ପିଲାଙ୍କୁ ଟ୍ୟୁସନ କରୁଥିବା ସୂରଜ ନକଲି ମଦ ତିଆରି କରିବାରେ ବି ସିଦ୍ଧହସ୍ତ।

author-image
Niharika Rout
ଅଦ୍ୟତନ ହୋଇଛି
Liquor

Liquor

ବୋତଲ ଅସଲି। ବ୍ରାଣ୍ଡିଂ ବି ପୂରାପୂରି ସମାନ। ହେଲେ ତା’ ଭିତରେ ଥିବା ମଦ ନକଲି। ନୂଆ ନୂଆ ମଦ ପିଉଥିବା ଲୋକ ଏହା ଜାଣିବା ଅସମ୍ଭବ। ଗତକାଲି ସମ୍ବଲପୁର ଅବକାରୀ ବିଭାଗ ରାଣୀବନ୍ଧ ଅଞ୍ଚଳରେ ଚଢ଼ାଉ କରି ଜଣେ ବ୍ୟକ୍ତିଙ୍କ ଘରୁ ନକଲି ମଦ ପ୍ରସ୍ତୁତିରେ ବ୍ୟବହୃତ ପୁଳା ପୁଳା ସାମଗ୍ରୀ ଜବତ କରିଛି। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ସାଢ଼େ ୪ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି। ଏହା ସହିତ ଅଭିଯୁକ୍ତଙ୍କୁ ଗିରଫ କରିଛି।

Advertisment

ଗିରଫ ଅଭିଯୁକ୍ତଙ୍କ ନାଁ ସୂରଜ ବେହେରା। ତାଙ୍କର ଜଣେ ସହଯୋଗୀ ଯଶବୀର ସିଂ କୋହଲି ଫେରାର ହୋଇଯାଇଛନ୍ତି। ସୂରଜଙ୍କ ଘର ରାଣୀବନ୍ଧରେ ହୋଇଥିବା ବେଳେ ସେଠାରେ ପ୍ରାୟ ୬ ମାସ ହେବ ନକଲି ମଦ ତିଆରି ଚାଲିଥିଲା। 

ସୂରଜ ଜଣେ ଶିକ୍ଷିତ ବ୍ୟକ୍ତି। ସେ କେମେଷ୍ଟ୍ରି ଅନର୍ସ ନେଇ ବିଏସ୍‌ସି ପାସ୍‌ କରିଛନ୍ତି। ଯୁକ୍ତ ୨ ବିଜ୍ଞାନ ପିଲାଙ୍କୁ ଟ୍ୟୁସନ କରୁଥିଲେ। କିନ୍ତୁ ତା’ସହିତ ନକଲି ମଦ ତିଆରି କରୁଥିଲେ। 

Advertisment

ନକଲି ମଦ ବିକି ବେଶ୍‌ ଟଙ୍କା ରୋଜଗାର କରିବାକୁ ସୂରଜ ଓ ଯଶବୀର ଯୋଜନା କରିଥିଲେ। ଯଶବୀର ସିଂ କୋହଲି ଓରଫ ଗୋଲ୍ଡି କୋଲକତାରୁ ନକଲି ମଦ ପ୍ରସ୍ତୁତି ନିମନ୍ତେ ଆବଶ୍ୟକ ସାମଗ୍ରୀ ଆଣି ସୂରଜଙ୍କୁ ଦେଉଥିଲେ। ସୂରଜ ନକଲି ମଦ ତିଆରି କରି ଅସଲି ବୋତଲରେ ଭର୍ତ୍ତି କରି ତାକୁ ସିଲ୍‌ କରୁଥିଲେ। ପରେ ଉଭୟେ ଏହାକୁ ବରଗଡ଼ ଓ ସମ୍ବଲପୁର ଜିଲ୍ଲାର କିଛି ଗ୍ରାମାଞ୍ଚଳରେ ବିକ୍ରି କରି ମାଲେମାଲ ହେଉଥିଲେ।

ଅବକାରୀ ବିଭାଗ ଡେପୁଟି କମିଶନର ରାଜେନ୍ଦ୍ର ଭତ୍ରା କହିଛନ୍ତି, ରାଣୀବନ୍ଧରେ ନକଲି ମଦ କାରବାର ହେଉଥିବା ନେଇ ୨ ଦିନ ତଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲି। ଏହାପରେ ୨ଟି ଟିମ୍‌ ଗଠନ କରାଯାଇ ଗତକାଲି ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ନକଲି ମଦ ପ୍ରସ୍ତୁତି ପାଇଁ ଆବଶ୍ୟକ ସାମଗ୍ରୀ ଜବତ କରିବା ସହିତ ସୂରଜଙ୍କୁ ଗିରଫ କରାଯାଇଥିଲା। 

କୌଣସି ଲାଇସେନ୍ସପ୍ରାପ୍ତ ମଦ ଦୋକାନରୁ ନକଲି ମଦ ବାହାରିଲେ ଉକ୍ତ ଦୋକାନର ଲାଇସେନ୍ସ ସିଲ୍‌ ହେବ ବୋଲି ଚେତାଇ ଦେଇଛନ୍ତି ଅବକାରୀ ବିଭାଗ ଡେପୁଟି କମିଶନର । ସେ କହିଛନ୍ତି, ଲାଇସେନ୍ସପ୍ରାପ୍ତ ମଦ ଦୋକାନରେ ନିୟମିତ ଭାବେ ଚଢ଼ାଉ କରାଯାଉଥିବାରୁ ସେମାନେ ଏହାକୁ କିଣିବେନି। ତେଣୁ ସୂରଜ ଓ ଗୋଲ୍ଡି ଏହାକୁ ଅଳ୍ପ ଦାମରେ ବରଗଡ଼ ଓ ସମ୍ବଲପୁରର କିଛି ଗ୍ରାମାଞ୍ଚଳକୁ ଏହା ପଠାଉଥିବା ତଦନ୍ତରୁ ଜଣାପଡ଼ିଛି। 

ଅନ୍ୟପକ୍ଷରେ ନକଲି ମଦ କାରବାରରେ ସାମିଲ ନ ଥିବା ସଫେଇ ଦେଇଛନ୍ତି ସୂରଜ। ସେ ସବୁ ଦୋଷ ଯଶବୀରଙ୍କ ଉପରେ ଲଦିଛନ୍ତି। ସୂରଜ କହିଛନ୍ତି, ଯଶବୀରଙ୍କୁ ଘର ଭଡ଼ାରେ ଦେଇଥିଲି। ସେ ଏହି ବେପାର କରୁଥିଲା।

Raid Liquor Factory Arrest