Advertisment

ଇଣ୍ଟରନେଟ୍‌ ସେବା ବନ୍ଦ; ସରକାରୀ ଓ ବେସରକାରୀ କାମ ଠପ୍‌

ଏପ୍ରିଲ ୧୨ ତାରିଖରୁ ହନୁମାନ ଜୟନ୍ତୀ ପୂର୍ବରୁ ବାହାରିଥିବା ଶୋଭାଯାତ୍ରାରେ ହିଂସା ପରେ ୧୩ରୁ ସମଗ୍ର ସମ୍ବଲପୁର ଜିଲ୍ଲାରେ ବନ୍ଦ ରହିଛି ଇଣ୍ଟରନେଟ୍ ସେବା।

author-image
Manoranjan Sial
Sambalpur

Sambalpur

ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହିଂସା ପରଠାରୁ ଆଜି ଯାଏ ସାରା ସମ୍ୱଲପୁର ଜିଲ୍ଲାରେ ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଛି। ଇଣ୍ଟରନେଟ୍ ସେବା ବନ୍ଦ ଯୋଗୁ ଡିଜିଟାଲ ଯୁଗରେ ଜନସାଧାରଣଙ୍କ ଜୀବନଯାତ୍ରା ଏକଦମ୍ ଠପ୍ ହୋଇଯାଇଛି। ଏପ୍ରିଲ ୧୨ ତାରିଖରୁ ହନୁମାନ ଜୟନ୍ତୀ ପୂର୍ବରୁ ବାହାରିଥିବା ଶୋଭାଯାତ୍ରାରେ ହିଂସା ପରେ ୧୩ରୁ ସମଗ୍ର ସମ୍ବଲପୁର ଜିଲ୍ଲାରେ ବନ୍ଦ ରହିଛି ଇଣ୍ଟରନେଟ୍ ସେବା। ଫଳରେ ଜିଲ୍ଲାବ୍ୟାପୀ ଅଟକି ରହିଛି ଏ ସେବା ଉପରେ ନିର୍ଭର କରୁଥିବା ସବୁ କାମ।

Advertisment

ଇଣ୍ଟରନେଟ୍ ସେବା ବନ୍ଦ ଯୋଗୁ ହୀରାକୁଦ ଡ୍ୟାମ୍ ନିକଟ ବୁର୍ଲାର ଝାଙ୍କରାଣୀ ମନ୍ଦିର ନିକଟରେ ଲାଗି ପ୍ରବଳ ଭିଡ। ଏଠି ଉଦୁଉଦିଆ ଖରା ବେଳେ ମଧ୍ୟ ଲୋକଙ୍କ ଭିଡ଼। କାରଣ ଏ ସ୍ଥାନକୁ ସଂଯୋଗ କରୁଛି ବରଗଡ଼ ଜିଲ୍ଲାର ଇଣ୍ଟରେନେଟ୍ ନେଟୱର୍କ। ତେଣୁ ଛାତ୍ରଛାତ୍ରୀ, ସରକାରୀ ଓ ବେସରକାରୀ ଅଫିସର କର୍ମଚାରୀ, ବ୍ୟବସାୟୀ ଏବଂ ଇଣ୍ଟରେଟ୍ ସେବା ଉପରେ ନିର୍ଭର କରୁଥିବା ବିଭିନ୍ନ ବର୍ଗର ଲୋକଙ୍କ ଭିଡ଼।

ସେହିପରି ବୌଦ୍ଧ ଜିଲ୍ଲା ସୀମାନ୍ତ ଅଞ୍ଚଳରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। କର୍ଫ୍ୟୁ କୋହଳ ହେବା ମାତ୍ରେ ଏ ସ୍ଥାନକୁ ଛୁଟି ଆସୁଛନ୍ତି ବହୁସଂଖ୍ୟାରେ ଛାତ୍ରଛାତ୍ରୀ। ଏବେ ପରୀକ୍ଷା ଋତୁ ଚାଲିଥିବାରୁ ଇଣ୍ଟରନେଟ ସୁବିଧା ନେବାକୁ ଛାତ୍ରଛାତ୍ରୀ ବ୍ୟାକୁଳ। ସମାନ ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ପୌର ପରିଷଦ କାର୍ଯ୍ୟାଳୟରେ। ଇଣ୍ଟରନେଟ ବିନା ସମ୍ବଲପୁର ମ୍ୟୁନିସିପାଲିଟି କାର୍ଯ୍ୟାଳୟରେ ସପ୍ତାହେ ହେବ କାର୍ଯ୍ୟ ଠପ୍ ହେତୁ, ସରକାରୀ କାମ କରିବାକୁ SMCର ୬ ଜଣ କର୍ମଚାରୀ ଏବେ ସେଠାରେ ଡେରା ପକାଇଛନ୍ତି।

Advertisment

ହିଂସା ପରେ ପ୍ରଥମେ ଦୁଇ ଦିନ ପାଇଁ ଲାଗୁ ହୋଇଥିବା କଟକଣା। ଏବେ ଅଷ୍ଟମ ଦିନରେ ପହଞ୍ଚିଛି। ଫଳରେ ଇଣ୍ଟରନେଟ୍ ସେବା ଉପରେ ନିର୍ଭର କରୁଥିବା ସରକାରୀ ଓ ବେସରକାରୀ ଅଫିସ କାମ, ବ୍ୟାଙ୍କିଙ୍ଗ୍ ସେବା, ଟିକେଟ ବୁକିଂ, ୟୁପିଆଇ ପେମେଣ୍ଟ ଭଳି ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ କାମ ହୋଇପାରୁନି। ତେଣୁ ଜିଲ୍ଲାବାସୀ ଦୁର୍ଦ୍ଦଶା ଦେଇ ଗତି କରୁଥିବା ବେଳେ ଅତି ଜରୁରୀ କାମ ପାଇଁ ସୀମାନ୍ତ ଅଞ୍ଚଳ ତଥା ପଡ଼ୋଶୀ ଜିଲ୍ଲାକୁ ଯାଉଛନ୍ତି ଲୋକେ। ଏପଟେ ଆଜି ଆଉ ୨ ଦିନ ପାଇଁ ଏ କଟକଣା ବଢ଼ିଥିବାରୁ ଲୋକଙ୍କ ଅସୁବିଧା ଆହୁରି ବଢ଼ିଛି। ସେପଟେ କିନ୍ତୁ ସାରା ଜିଲ୍ଲାରେ ଆଜିଠୁ ସକାଳ ୧୦ଟାରୁ ସଂଧ୍ୟା ୫ଟା ଯାଏଁ ବ୍ରଣ୍ଡବ୍ୟାଣ୍ଡ ଓ ଲିଜ ଲାଇନ ଚାଲୁ ହୋଇଥିବାରୁ ବଡ଼ ବଡ଼ ବ୍ୟବସାୟିକ ସଂସ୍ଥା ଓ ସରକାରୀ ପ୍ରତିଷ୍ଠାନରେ ସେବା କିଛି ମାତ୍ରାରେ ସ୍ୱାଭାବିକ ହେବା ଅନୁମାନ କରାଯାଉଛି।

Sambalpur