/odisha-reporter/media/post_attachments/uploadimage/library/16_9/16_9_0/chinmai_1677682020.jpeg)
chinmai
ମନରେ ଥିଲା ଉଚ୍ଚ ଅଭିଳାଷ, ଆଖିରେ ଥିଲା ଅସୁମାରୀ ସ୍ୱପ୍ନ। ସେନା କିମ୍ବା ପୁଲିସ ବିଭାଗରେ ବଡ଼ ଅଫିସରଟିଏ ହେବାର ଇଚ୍ଛା ଥିଲା। ହେଲେ ସେହି ସ୍ୱପ୍ନ ସବୁ ଡେଣା ମେଲିବା ଆଗରୁ ପାଣିରେ ମିଳାଇଗଲା। ଝିଅ ଅକାଳ ମୃତ୍ୟୁ ଦେଖି ମା’ର ଧୈର୍ଯ୍ୟ ରହୁନି। ବାପାଙ୍କ ଦମ୍ଭ ଭାଙ୍ଗିଯାଉଛି। ଭାଙ୍ଗିପଡ଼ିଛନ୍ତି ଆତ୍ମୀୟ ସ୍ୱଜନ। ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି(ଭିସୁଟର) ସମାବର୍ତ୍ତନ ଉତ୍ସବକୁ ଆସିଥିବା ଝିଅଟି ଯେ ଏମିତି ଅକାଳ ବିୟୋଗରେ ଚାଲିଯିବ, କେହି ସହଜରେ ଗ୍ରହଣ କରିପାରୁନାହାଁନ୍ତି। ମୃତ ଆଇଟି ଛାତ୍ରୀ ଜଣକ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରର ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ। ମାତ୍ର ୨୩ ବର୍ଷ ବୟସରେ ପାୱାର ଚାନେଲ ବ୍ରିଜ୍ ବା ପିସି ବ୍ରିଜରୁ ତଳକୁ ପଡ଼ି ତାଙ୍କର ମୃତ୍ୟୁ ହୋଇଛି। ସେପଟେ ଜଣାପଡ଼ିଛି ବନ୍ଧୁ ପ୍ରୀତିମାନ ସହ ଚିନ୍ମୟୀ ଗତକାଲି ଅପରାହ୍ନରେ ଶେଷ ଲଞ୍ଚ୍ କରିବା ପରେ ଅଘଟଣ ଘଟିଥିଲା। ପୁଲିସ ଉଭୟଙ୍କ ମୋବାଇଲକୁ ଜବତ କରି ଚିନ୍ମୟୀଙ୍କ ମୃତ୍ୟୁ ରହସ୍ୟ ଖୋଜୁଛି।
ବୁର୍ଲାସ୍ଥିତ ଭିସୁଟ୍ ରେଜିଷ୍ଟ୍ରାରଙ୍କ ଅଭିଯୋଗ ପରେ ପୁଲିସ ଏବଂ ଦମକଳବାହିନୀ ଗତ ରାତିରେ ଏବଂ ଆଜି ଚଳାଇଥିଲେ ସର୍ଚ୍ଚ ଅପରେସନ। ଶେଷରେ ଆଜି ସକାଳୁ ପାୱାର ଚାନେଲର ଜଳରାଶି ଭିତରୁ ମିଳିଥିଲା ଚିନ୍ମୟୀଙ୍କ ମୃତଦେହ। ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ଚିନ୍ମୟୀଙ୍କ ପରିବାର ଲୋକେ।
ଚିନ୍ମୟୀଙ୍କ ବାପା ଡାକ୍ତର ବନମାଳୀ ସାହୁ କହିଛନ୍ତି, ଝିଅ ମାନସୀକସ୍ତରରେ ଖୁବ୍ ଦୃଢ଼। ଜଣେ ଅଧେ ଲୋକ ଆକ୍ରମଣ କରିଥିଲେ ସେ ସାବାଡ଼ କରିଦେବା କ୍ଷମତା ରଖିଥିଲା। ହେଲେ ତାକୁ କେହି ଅତର୍କିତ ଆକ୍ରମଣ କରିଛି। ତା ବେକକୁ ଚିପି ଦେଇଥିବା ଚେନ୍ ଦାଗ ରହିଛି।
ଚିନ୍ମୟୀ ଭିସୁଟରୁ INFORMATION AND TECHNOLOGY ବ୍ରାଞ୍ଚରେ ପାସଆଉଟ୍ ହୋଇଥିଲେ। କାଲି ଥିଲା ଭିସୁଟର ସମାବର୍ତ୍ତନ ଉତ୍ସବ। ଯେଉଁ ଉତ୍ସବକୁ ଆସିଥିଲେ ଚିନ୍ମୟୀ। ସାର୍ଟିଫିକେଟ୍ ପାଇଥିଲେ। ଖୁସୀରେ ଫଟୋ ବି ଉଠାଇଥିଲେ। ଏହି ସମାବର୍ତ୍ତନ ଉତ୍ସବକୁ ଚିନ୍ମୟୀଙ୍କ ସହପାଠୀ ତଥା ବନ୍ଧୁ ପ୍ରୀତିମାନ ବି ଆସିଥିଲେ। ଉଭୟଙ୍କ ଦେଖାସାକ୍ଷାତ ହୋଇଥିଲା। ଅପରାହ୍ନରେ ଭିସୁଟ ପାଖ ସମ୍ବଲପୁରୀ ଢାବାରେ ଖିଆପିଆ ବି କରିଥିଲେ ଦୁହେଁ। ଅନ୍ଲାଇନ୍ ବିଲ୍ ପୈଠ କରିଥିଲେ ଚିନ୍ମୟୀ। ଏହାପରେ ରାତିରେ ଚିନ୍ମୟୀ ବସରେ ଭୁବନେଶ୍ୱର ଫେରିବାର ଥିଲା।
କିନ୍ତୁ ସେହି ରାତିରେ କ’ଣ ଘଟିଲା କେଜାଣି, ଏହି ପାୱାର ଚାନେଲର ଗଭୀର ଜଳରାଶି ଭିତରୁ ମିଳିଥିଲା ମୃତଦେହ। ଚିନ୍ମୟୀଙ୍କ ମା’ ଲବଙ୍ଗ ସାହୁଙ୍କ କହିବା କଥା, ରାତିରେ ଝିଅକୁ ଫୋନ କରିଥିଲେ। ସେହି ସମୟରେ ଫୋନରେ ଅଜବ ଶୁଭୁଥିଲା ଚିନ୍ମୟୀଙ୍କ ସ୍ୱର। ସେ ଠିକ୍ ଭାବେ କଥା କହିପାରୁ ନ ଥିଲା। ପାଖରେ କିଛି ଲୋକଙ୍କ ପାଟିତୁଣ୍ଡ ଶୁଣା ଯାଉଥିଲା। ଆଉ ଆଜି ମୃତଦେହ ମିଳିବା ସହ ବେକ ଓ ଶରୀରର କିଛି ସ୍ଥାନରେ ଦାଗ ଥିବାରୁ ଝିଅକୁ ତଣ୍ଟିଚିପି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ସେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି।
ସହପାଠୀ ପ୍ରୀତିମାନଙ୍କ ଭୁବନେଶ୍ୱର ସ୍ଥିତ ଘରପାଖରେ ରହୁଥିଲେ ଚିନ୍ମୟୀ। ଉଭୟ ସିଡିଏସ୍, ଓପିଏସ୍ସି ଭଳି ନାନା କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇବା ସହ କୋଚିଂ ନେଉଥିଲେ। ଗୃହ ବିଭାଗରେ ଯୁଗ୍ମ ସଚିବ ଥିବା ପ୍ରୀତିମାନଙ୍କ ବାପା ପ୍ରଣବ କୁମାର ଦେ କହିଛନ୍ତି, ଉଭୟେ ଭଲ ବନ୍ଧୁ ଥିଲେ। ପୁଲିସ ନିରପେକ୍ଷ ଭାବେ ତଦନ୍ତ କରୁ। ସେପଟେ ପୁଲିସ ପ୍ରୀତିମାନଙ୍କୁ ଧରିବା ସହ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ବୁର୍ଲା ଏସଡିପିଓ ସତ୍ୟବ୍ରତ ଦାଶ କହିଛନ୍ତି, ଏହି ମାମଲାରେ ମୋବାଇଲ୍ ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି। ପୂରା ଘଟଣାର ଟିକନିଖ ତଦନ୍ତ କରାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
