Advertisment

ପୁଲିସ୍‌ର ଫ୍ଲାଗମାର୍ଚ୍ଚ, ପୂରା ସହରରେ ୪୨ ପ୍ଲାଟୁନ ଫୋର୍ସ ମୁତୟନ

ସମ୍ବଲପୁରରେ ହନୁମାନ ଜୟନ୍ତୀ ବେଳେ ଗତବର୍ଷ ଠିକ ସେହି ମୋତିଝରଣ ରାସ୍ତାରେ ମୁହାଁମୁହିଁ ହୋଇଥିଲେ ୨ ଗୋଷ୍ଠୀ। ତେବେ କାହିଁକି ବାରମ୍ବାର ଏଭଳି ଘଟୁଛି ?

Sambalpur

Sambalpur

Advertisment

ହନୁମାନ ଜୟନ୍ତୀର ଅବ୍ୟବହିତ ପୂର୍ବରୁ ଶୋଭାଯାତ୍ରା ବେଳେ ସମ୍ୱଲପୁରରେ ଘଟିଥିବା ହିଂସା ପରେ ଶୂନଶାନ୍‌ ଓ ଖାଁ ଖାଁ ରହିଛି ପୂରା ସହର। ଏକପ୍ରକାର ଜନଶୂନ୍ୟ ହୋଇପଡ଼ିଛି ଜିଲ୍ଲା ସ୍କୁଲ ଛକ। ହିଂସାକାଣ୍ଡ ସ୍ଥଳ ମୋତିଝରଣଠୁ ଗେଙ୍ଗୁଟିପାଲି ଯାଏଁ ପ୍ରଭାବିତ ହୋଇଛି ମଣିଷ ଚଳାଚଳ। କୌଣସି ଆଇନଶୃଙ୍ଖଳା ସ୍ଥିତି ଯେପରି ନଉପୁଜେ, ସେଥିପାଇଁ ଫ୍ଲାଗମାର୍ଚ୍ଚ କରି ଚେତାବନୀ ଶୁଣାଉଛି ପୁଲିସ। ଆଜି ଦୁଇ ଦୁଇ ଥର ଏଭଳି ଫ୍ଲାଗମାର୍ଚ୍ଚ ହୋଇଛି। ଫ୍ଲାଗମାର୍ଚ୍ଚରେ ସାମିଲ ହୋଇଛନ୍ତି ଜିଲ୍ଲାପାଳ ଅନନ୍ୟା ଦାସ, ଏସ୍‌ପି ବି.ଗଙ୍ଗାଧର ଓ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାୟ। ତା’ସହ ମୋତିଝରଣ ଅଞ୍ଚଳକୁ କଡ଼ା ସର୍ଭେଲାନସରେ ରଖିଛି ପୁଲିସ।

Advertisment

ବୁଧବାର ଘଟିଥିବା ହିଂସା ପରଠାରୁ ବିଭିନ୍ନ ଛକ ଜାଗାରେ ୧୪୪ ଧାରା ବଳବତ୍ତର ରହିଛି। ସେହିପରି ସୋଶାଲ୍‌ ମିଡିଆରେ ଉସୁକାଇବା ଭଳି ମେସେଜ ରୋକିବାକୁ ଆଜି ପୂର୍ବାହ୍ନ ୧୦ଟାରୁ ୪୮ ଘଣ୍ଟା ପାଇଁ ସମ୍ବଲପୁର ଜିଲ୍ଲାରେ ବନ୍ଦ କରି ଦିଆଯାଇଛି ଇଣ୍ଟରନେଟ ସେବା। ଏଭଳି ସ୍ଥିତିରେ ଆସନ୍ତାକାଲି ହେବାକୁ ଥିବା ହନୁମାନ ଜୟନ୍ତୀ ସହ ଶୋଭାଯାତ୍ରା ପାଇଁ ଆଜି ଅପରାହ୍ନରୁ ୩୬ ଘଣ୍ଟା ଯାଏଁ ଦୋକାନ ବଜାରକୁ ବନ୍ଦ ରଖି ଏଥିରେ ସାମିଲ ହେବାକୁ ଆହ୍ୱାନ ଦେଇଛି ହନୁମାନ ଜୟନ୍ତୀ ସମନ୍ୱୟ ସମିତି।

ବୁଧବାର ସମୟ ସଂଧ୍ୟା ପ୍ରାୟ ୬ଟା। ହନୁମାନ ଜୟନ୍ତୀ ସମନ୍ୱୟ ସମିତି ପକ୍ଷରୁ ସହରରେ ବାହାରିଥିଲା ଶୋଭାଯାତ୍ରା। ତେବେ ମୋତିଝରଣ ରାସ୍ତାରେ ଶୋଭାଯାତ୍ରା ପହଞ୍ଚିବା କ୍ଷଣି ଆରମ୍ଭ ହୋଇଥିଲା ଟେକାପଥର ମାଡ଼। ହଠାତ୍‌ ତେଜିଥିଲା ଉତ୍ତେଜନା। ଛିନଛତ୍ର ହୋଇପଡ଼ିରହିଥିଲା ଶୋଭାଯାତ୍ରାରେ ବ୍ୟବହୃତ ବାଇକ। ଆକ୍ରମଣରୁ ବର୍ତ୍ତପାରିନଥିଲେ ଅତିରିକ୍ତ ଏସ୍‌ପି, ଧନୁପାଲି ଆଇଆଇସି ଅନିତା ପ୍ରଧାନଙ୍କ ସମେତ ପ୍ରାୟ ୧୦ ଜଣ ପୁଲିସ କର୍ମଚାରୀ। ଏପରିକି ହନୁମାନ ଜୟନ୍ତୀ ସମନ୍ୱୟ ସମିତିର କାର୍ଯ୍ୟକାରୀ ସଭାପତି ଦାମୋଦର କରଙ୍କ ସହ ୧୦ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାରେ ପୁଲିସ ୪୩ ଜଣଙ୍କୁ ଅଟକ ରଖିଛି। ପେଟ୍ରୋଲ ବୋମା ଜବତ କରାଯିବା ସହ ୪୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା କହିଛନ୍ତି ଏସ୍‌ପି । ଜିଲ୍ଲାପାଳ ଅନନ୍ୟା ଦାସ କହିଛନ୍ତି, ଆସନ୍ତାକାଲି ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ହେବ। ବିଭିନ୍ନ କମିଟି ସହିତ ଏନେଇ ଆଲୋଚନା ହୋଇଛି।

Advertisment

ସମ୍ବଲପୁରରେ ହନୁମାନ ଜୟନ୍ତୀ ବେଳେ ଗତବର୍ଷ ଠିକ ସେହି ମୋତିଝରଣ ରାସ୍ତାରେ ମୁହାଁମୁହିଁ ହୋଇଥିଲେ ୨ ଗୋଷ୍ଠୀ। ତେବେ କାହିଁକି ବାରମ୍ବାର ଏଭଳି ଘଟୁଛି ? ମୋତିଝରଣ ଭଳି ସ୍ପର୍ଶକାତର ଇଲାକାରେ ହନୁମାନ ଜୟନ୍ତୀ ବେଳେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଉନି କାହିଁକି ? ଯଦି ଫୋର୍ସ ଥିଲା, ତେବେ ଫେଲ୍‌ ମାରିଲା କି ଗୋଇନ୍ଦା ବିଭାଗ ? ଏଭଳି ପ୍ରଶ୍ନ ଉଠୁଥିବା ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଯାହା ଘଟିଛି ତାହା ଅଭାବନୀୟ। ରାଜ୍ୟରେ ଯେ ଆଇନଶୃଙ୍ଖଳା ଠିକ୍‌ ନାହିଁ, ଏହା ସ୍ପଷ୍ଟ କରୁଛି। ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଟ୍ୱିଟ୍‌ରରେ ଲେଖିଛନ୍ତି, ଓଡ଼ିଶାରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ଭୁଶୁଡ଼ିପଡ଼ିଛି। ସ୍ଥିତି ଏମିତି ହୋଇଛି ଯେ, ପୁଲିସ ମଧ୍ୟ ନିଜକୁ ସୁରକ୍ଷା ଦେବାକୁ ଅସମର୍ଥ।

Sambalpur Sambalpur Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe