Advertisment

ସମ୍ବଲପୁର ଆକାଶରେ ଘନଘନ ଉଡ଼ୁଛି ୫ ଡ୍ରୋନ୍

ସମ୍ବଲପୁର ହିଂସା ଓ ଏହା ପରବର୍ତ୍ତି ଗତ ୩ ଦିନ ଧରି ସହରରେ ଅଶାନ୍ତି ସୃଷ୍ଟି ଘଟଣାରେ ୩୨ ଜଣଙ୍କୁ ଗିରଫ କଲା ସମ୍ବଲପୁର ପୁଲିସ।

ଅଦ୍ୟତନ ହୋଇଛି
Sambalpur under tight security

Sambalpur under tight security

Advertisment

ସମ୍ବଲପୁର ସହର ଉପରେ ଘନଘନ ଉଡ଼ୁଛି ୫ ଡ୍ରୋନ୍। ସହରର ପ୍ରତି ଗଳିକନ୍ଦି ଉପରେ ରଖୁଛି ନଜର। ସେପଟେ ସମ୍ବଲପୁର ହିଂସା ଓ ଏହା ପରବର୍ତ୍ତି ଗତ ୩ ଦିନ ଧରି ସହରରେ ଅଶାନ୍ତି ସୃଷ୍ଟି ଘଟଣାରେ ୩୨ ଜଣଙ୍କୁ ଗିରଫ କରିଛି ସମ୍ବଲପୁର ପୁଲିସ। ଆଉ ଯେଉଁମାନେ ଏହି ହିଂସାକାଣ୍ଡରେ ଜଡ଼ିତ ଅଛନ୍ତି ସମସ୍ତଙ୍କୁ ଆଜି ପୁଲିସ ଧରିବ ବୋଲି ସମ୍ବଲପୁର ଏସ୍‌ପି ବି ଗଙ୍ଗାଧର ସୂଚନା ଦେଇଛନ୍ତି।

Advertisment

ଏସ୍‌ପି କହିଛନ୍ତି, ହିଂସାକାଣ୍ଡରେ ଜଡ଼ିତ ଆଉ ପ୍ରାୟ ୨୫ ଜଣଙ୍କୁ ଧରିବାକୁ ପୁଲିସ ଆଜି ଚଢ଼ଉ ଜାରି ରଖିଛି। ପୂର୍ବରୁ ଏହି ହିଂସାକାଣ୍ଡରେ ସମ୍ପୃକ୍ତି ସନ୍ଦେହରେ ୪୦ ଜଣଙ୍କୁ ଅଟକ ରଖାଯାଇଥିଲା। ସେମାନଙ୍କ ଭିତରୁ ୩୦ ଜଣଙ୍କୁ ଗିରଫ କରାଯାଇଥିଲା। ହସ୍ତଗତ ଭିଡ଼ିଓ ଓ ଫଟୋରୁ ଆଉ ୨୫ ଜଣଙ୍କୁ ହିଂସାକାଣ୍ଡ ଜଡ଼ିତ ଥିବା ଚିହ୍ନଟ କରାଯାଇଛି। ସେମାନଙ୍କୁ ଧରିବାକୁ ପଦକ୍ଷେପ ନିଆଯାଇଛି।

ସେହିପରି ଗତକାଲି ବୁଢାରଜା ଅଞ୍ଚଳରେ ଦୋକାନ ପୋଡ଼ି ଘଟଣାରେ ୨ ଜଣଙ୍କୁ ଓ ମାୟା ବଗିଚା ଅଞ୍ଚଳରେ ଛୁରାମାଡ଼ ଘଟଣାରେ ୩ ଜଣ ଗିରଫ କରାଯାଇଛି।

Advertisment

ଏବେ ସମ୍ବଲପୁରରେ ସୁରକ୍ଷା କଡ଼ାକଡ଼ି କରିବା ପାଇଁ ୪୩ ପ୍ଲାଟୁନ୍ ପୁଲିସ ଫୋର୍ସ, ୨୬ ଡିଏସ୍‌ପି, ୩୦ ଇନ୍ସପେକ୍ଟର, ୭୦ ଜଣ ଏସ୍‌ଆଇ/ଏଏସ୍‌ଆଇ ମୁତୟନ ହୋଇଛନ୍ତି। ଏହାଛଡ଼ା ୨୦ ପାଟ୍ରୋଲିଂ ଦଳ ସହରରେ ବୁଲୁଛନ୍ତି। ସାଦା ପୋଷାକରେ ଗୁଇନ୍ଦା ପୁଲିସ ନଜର ରଖିଛି। ସହରର ସବୁ ଗଳିରେ ମୋଟର ସାଇକେଲ ପାଟ୍ରୋଲିଂ କରୁଛି। ୫ଟା ଡ୍ରୋନ୍‌ କ୍ୟାମେରା ସହର ଉପରେ ନଜର ରଖୁଛି। ସହରର ସବୁ ଗଳିରେ ସିସିଟିଭି ଲାଗିଛି। ସହରରେ କିଛି ବି ହଲଚଲ ହେଲେ ସବୁ ତୁରନ୍ତ ଜଣାପଡ଼ିବ ଓ ଏହାକୁ ନିୟନ୍ତ୍ରଣ କରାଯିବ।

ସହରରେ ଶାନ୍ତି ପ୍ରତିଷ୍ଠା ପାଇଁ ହିଂସାକାଣ୍ଡରେ ଜଡ଼ିତ ଉଭୟ ଗୋଷ୍ଠୀଙ୍କୁ ଗତକାଲି ଡକାଇ ଆଲୋଚନା କରାଯାଇଛି। ସେମାନେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେଣୁ ହନୁମାନ ଶୋଭାଯାତ୍ରା ନିଶ୍ଚୟ ଶାନ୍ତି ଶୃଙ୍ଖଳାରେ ହେବ ବୋଲି ଏସ୍‌ପି କହିଛନ୍ତି।

ଏନେଇ ଜିଲ୍ଲାପାଳ ଅନନ୍ୟା ଦାସ କହିଛନ୍ତି, ହନୁମାନ ଜୟନ୍ତୀ ଶୋଭାଯାତ୍ରାକୁ ସୁରଖୁରୁରେ କରିବାକୁ ଦୁଇଟି ଗୋଷ୍ଠୀ ସହ ଆଜି ଆଲୋଚନା ପରେ ସ୍ଥିର ହୋଇଛି। ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କିଛି ବି ଘଟଣା ଘଟିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ। ଗତକାଲି ଫ୍ଲାଗମାର୍ଚ୍ଚ ହୋଇଥିଲା। ଏଥିସହ ହିଂସାକାଣ୍ଡରେ ସମ୍ପୃକ୍ତ ଲୋକଙ୍କୁ ଗିରଫ ଦାରି ଚାଲିଛି। ତେଣୁ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ କିଛି ଅସୁବିଧା ହେବନି ବୋଲି ଆଶା କରାଯାଉଛି।

ସୂଚନା ଥାଉକି, ସମ୍ବଲପୁରରେ ଆଜି ଅପରାହ୍ନରେ ପ୍ରାୟ ୫ଟା ବେଳେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ହେଉଛି। ଏହି ଶୋଭାଯାତ୍ରା ସମ୍ବୁଲପୁର ସହର ଜିଲ୍ଲା ସ୍କୁଲ ଛକ ନିକଟରେ ଥିବା ହନୁମାନ ମନ୍ଦିର ଠାରୁ ବାହାରି ସହର ପରିକ୍ରମା କରିବ। ପୂର୍ବ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ସମ୍ବଲପୁରରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି। ୩୬ ଘଣ୍ଟା ପାଇଁ ଦୋକାନ ବଜାର ବନ୍ଦ କରାଯାଇଛି। ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ସମ୍ବଲପୁରରେ ଉପସ୍ଥିତ ରହି ସ୍ଥିତି ନିରୀକ୍ଷଣ କରୁଛନ୍ତି।

Group Clash Sambalpur Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe