Advertisment

ସମ୍ବଲପୁର ହିଂସା: ପରୀକ୍ଷାର୍ଥୀଙ୍କ ପାଇଁ କଟକଣା ଢିଲା ହେଲା, ଡିଜିପି କହିଲେ ଦୁଇଦିନରେ ସ୍ଥିତି ସ୍ୱଭାବିକ ହେବ

ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟଠୁ ଅଶାନ୍ତ ହୋଇପଡ଼ିଥିବା ସମ୍ବଲପୁରକୁ ଶାନ୍ତ କରିବା ପାଇଁ ଜିଲ୍ଲା ପୁଲିସ ଓ ପ୍ରଶାସନ ପକ୍ଷରୁ ଚାଲିଛି ଘନ ଘନ ଉଦ୍ୟମ।

ଅଦ୍ୟତନ ହୋଇଛି
DGP in Sambalpur

DGP in Sambalpur

Advertisment
ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟଠୁ ଅଶାନ୍ତ ହୋଇପଡ଼ିଥିବା ସମ୍ବଲପୁରକୁ ଶାନ୍ତ କରିବା ପାଇଁ ଜିଲ୍ଲା ପୁଲିସ ଓ ପ୍ରଶାସନ ପକ୍ଷରୁ ଚାଲିଛି ଘନ ଘନ ଉଦ୍ୟମ। ଆଉ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ, ସେଥିପାଇଁ ଗତ ମଧ୍ୟରାତ୍ରରୁ ସହରର ୬ଟି ଥାନା ଇଲାକାରେ କର୍ଫ୍ୟୁ ଜାରି କରାଯାଇଛି। କର୍ଫ୍ୟୁରୁ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି। ତେବେ କାହିଁକି ଘଟିଲା ଅଘଟଣ ? ଆଇନଶୃଙ୍ଖଳା ଏଡିଜି ଏବଂ ଗୁଇନ୍ଦା ଏଡିଜିଙ୍କୁ ସାଙ୍ଗରେ ନେଇ ସମ୍ବଲପୁରରେ ସ୍ଥିତିର ସମୀକ୍ଷା ଜାରି ରଖିଛନ୍ତି ପୁଲିସ ଡିଜି। ଦୁଇଦିନ ଭିତରେ ସ୍ଥିତି ସ୍ୱାଭାବିକ ହେବ ବୋଲି ପୁଲିସ ଡିଜି ଆଶା ପ୍ରକାଶ କରିଛନ୍ତି।
Advertisment
 
ସେପଟେ ସ୍ଥିତି ଅସମ୍ଭାଳ ପରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟରାତ୍ରରୁ ଲଗାଯାଇଛି କର୍ଫ୍ୟୁ। ରାତି ପାହିଲା କ୍ଷଣି ଡାକବାଜିରେ ସତର୍କ କରିଦିଆଯାଉଛି ସାରା ସହରବାସୀଙ୍କୁ। ଅଶାନ୍ତ ସମ୍ବଲପୁରକୁ ଶାନ୍ତ କରିବା ପାଇଁ ଜିଲ୍ଲା ପୁଲିସ ଓ ପ୍ରଶାସନ ପକ୍ଷରୁ ନିଆଯାଇଛି ଏଭଳି ଯୁଦ୍ଧକାଳୀନ ପଦକ୍ଷେପ। ସହରର ୬ଟି ଥାନା ଯଥା ଧନୁପାଲି, ଟାଉନଥାନା, ସଦର ଥାନା, କ୍ଷେତରାଜପୁର, ଅଇଁଠାପାଲି, ବରେଇପାଲି ଅଞ୍ଚଳରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଜାରି କରାଯାଇଛି କର୍ଫ୍ୟୁ। କୌଣସି ବ୍ୟକ୍ତିଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି।
 
ଅନ୍ୟପଟେ କାଲି ହେବାକୁ ଥିବା ବିଭିନ୍ନ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କ ନିମନ୍ତେ ସମ୍ବଲପୁରରେ କଟକଣା କୋହଳ କରାଯାଇଛି। ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ହେବାକୁ ଥିବା ପରୀକ୍ଷା ପାଇଁ ଏହି କଟକଣା କୋହଳ କରାଯାଇଛି। ଏନେଇ ଉପଜିଲ୍ଲାପାଳଙ୍କ ପକ୍ଷରୁ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ପୂର୍ବ ବିଜ୍ଞପ୍ତିର ଅନ୍ୟ ସମସ୍ତ ନିର୍ଦ୍ଦେଶ ବଳବତ୍ତର ରହିବ।
Advertisment
 
ତେବେ ଏନେଇ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ କହିଛନ୍ତି, ଆସନ୍ତାକାଲି ବିଭିନ୍ନ ପରୀକ୍ଷା ଥିବାରୁ ଏହାକୁ ଲକ୍ଷ୍ୟରେ ରଖି ସକାଳ ସାଢ଼େ ୭ଟାରୁ ପୂର୍ବାହ୍ନ ୧୦.୩୦ ପର୍ଯ୍ୟନ୍ତ ଏବଂ ପୁନଶ୍ଚ ଅପରାହ୍ନ ୪ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କଫ୍ୟୁ କଟକଣାକୁ ଢିଲା କରାଯିବ। ପିଲାମାନେ ଆଡମିଟ୍ କାର୍ଡ ନେଇ ପରୀକ୍ଷାକୁ ଯାଆନ୍ତୁ। କିଛି ଅସୁବିଧା ହେବନି, କେହି ଅଟକାଇବେନି। ଅସୁବିଧା ହେଲେ ଟୋଲ ଫ୍ରି ନମ୍ବର ୦୬୬୩୨୪୦୩୬୪୪କୁ ଯୋଗାଯୋଗ କରି ସହାୟତା ନେଇପାରିବେ। ଏହି ସମୟରେ ସାଧାରଣ ଯୋଗାଯୋଗ ବ୍ୟବସ୍ଥା ନିମନ୍ତେ ସମ୍ବଲପୁର କ୍ଷେତରାଜପୁର, ସମ୍ବଲପୁର ଷ୍ଟେଶନ ଓ ଅଇଁଠାପାଲି ଠାରେ କିଛି ବସ୍ ରହିବ। ଏହି ବସ୍‌ଗୁଡ଼ିକ ପରୀକ୍ଷା ହେଉଥିବା ସବୁ ପରୀକ୍ଷା କେନ୍ଦ୍ର ଦେଇ ଯିବ। ପିଲାମାନେ ଚାହିଁଲେ ଏହି ବସ୍ ଯୋଗେ ମଧ୍ୟ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେ। ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ର ସ୍ଥଳରେ ମଧ୍ୟ ଖାଦ୍ୟ ଖାଇବାର ବ୍ୟବସ୍ଥା କରାଯାଇଛି। ସେମାନେ ପଇସା ଦେଇ ଏଠାରେ ଖାଦ୍ୟ ଖାଇପାରିବେ। ଆହାର କେନ୍ଦ୍ର ଏହି ଖାଦ୍ୟ ପରଷିବ। ଆରଟିଓ ଏହି କଟକଣା ଢିଲା ସମୟରେ ଯାତାୟତ ବ୍ୟବସ୍ଥାର ସୁବିଧାକୁ ନିରୀକ୍ଷଣ କରିବେ।
 
ପୂର୍ବ ନିର୍ଦ୍ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ସକାଳ ୮ଟାରୁ ପୂର୍ବାହ୍ନ ୧୦ଟା ଏବଂ ଅପରାହ୍ନ ସାଢ଼େ ୩ଟାରୁ ସାଢ଼େ ୫ଟା ପାଇଁ ଲୋକଙ୍କୁ ଅନୁମତି ଦିଆଯାଇଥିଲା। ତେବେ ପରୀକ୍ଷାକୁ ଦୃଷ୍ଟିରେ ରଖି ସମୟରେ ପରିବର୍ତ୍ତନ କରାଯାଇଥିବା ଜିଲ୍ଲାପାଳଙ୍କ ପ୍ରତିକ୍ରିୟାରୁ ଜଣାପଡ଼ିଛି।
 
ସେହିପରି ସ୍ଥିତି ଜଟିଳ ଥିବାରୁ ସମ୍ବଲପୁର ସହରର ଅଇଁଠାପାଲି ସମେତ ସମସ୍ତ ପ୍ରବେଶ ପଥକୁ ସିଲ୍ କରିଛି ପୁଲିସ। କୌଣସି ମେଡିକାଲ ଏମର୍ଜେନ୍ସି ଯଦି ପଡ଼େ, ତେବେ ହେଲ୍ପଲାଇନ୍ ନମ୍ବର ୭୬୫୫୮୦୦୭୬୦ରେ କଲ୍ କରିବାକୁ ବିଜ୍ଞପ୍ତିରେ ଦର୍ଶାଯାଇଛି।
 
 
ସୂଚନା ଥାଉକି, ବୁଧବାର ସଂଧ୍ୟା ଏବଂ ଶୁକ୍ରବାର ସଂଧ୍ୟା। ହନୁମାନ ଜୟନ୍ତୀ ଅବସରରେ ସମନ୍ୱୟ ସମିତିର ବାଇକ ରାଲିବେଳେ ହୋଇଥିଲା ଟେକାପଥର ମାଡ଼। ଆଉ ଶୁକ୍ରବାର ସାମୁହିକ ଶୋଭାଯାତ୍ରା ସମୟରେ ଦୋକାନ ବଜାରର କିଛି ସ୍ଥାନରେ ଲାଗିଥିଲା ନିଆଁ। ତାହାରି ଭିତରେ ମରଣାନ୍ତକ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ମେଡ଼ିକାଲରେ ହୋଇଥିଲା। ତେବେ ସଂପୃକ୍ତ ବ୍ୟକ୍ତିଙ୍କୁ ଆକ୍ରମଣର କାରଣ ଏବେ ବି ଅସ୍ପଷ୍ଟ ରହିଥିବାବେଳେ ଏଭଳି ଏକାଧିକ ଅପ୍ରୀତିକର ସ୍ଥିତିକୁ ନେଇ ରାତିରେ ସହରରେ ଲାଗି ରହିଥିଲା ଅଶାନ୍ତ ପରିସ୍ଥିତି।
 
ତେବେ ସମ୍ବଲପୁର ଏସ୍.ପି ବି. ଗଙ୍ଗାଧରଙ୍କ କହିବା କଥା, ବ୍ୟକ୍ତିଗତ କାରଣ ପାଇଁ ଏହି ହତ୍ୟାକାଣ୍ଡ ହୋଇଛି ଏବଂ ପୂରା ଘଟଣା ଉପରେ ତଦନ୍ତ ଚାଲିଛି। ଏଥିରେ ଜଣଙ୍କୁ ପୁଲିସ ଅଟକ ରଖିଛି। ତା’ସହ ପୋଡ଼ାଜଳା ଘଟଣାରେ ପ୍ରାୟ ୭ ଜଣଙ୍କୁ ଗିରଫ କରାଯାଇଛି।
 
ତେବେ କାହିଁକି ଅଶାନ୍ତ ହେଲା ସମ୍ବଲପୁର ସହର ? କେଉଁଠି ରହିଥିଲା ତ୍ରୁଟି ? କେମିତି ସ୍ୱାଭାବିକ ଅବସ୍ଥାକୁ ଫେରିବ ସମ୍ବଲପୁରର ଜନଜୀବନ? ଏସବୁ ଦିଗକୁ ଧରି ଆଇନଶୃଙ୍ଖଳା ଏଡିଜି ରାଧାକୃଷ୍ଣ ଶର୍ମା, ଗୁଇନ୍ଦା ଏଡିଜି ସଂଜୀବ ପଣ୍ଡାଙ୍କ ଉପସ୍ଥିତିରେ ଉତ୍ତରାଞ୍ଚଳ ଆଇଜି ଏବଂ ସମ୍ବଲପୁର ଏସପିଙ୍କ ସହ ସମୀକ୍ଷା କରିଛନ୍ତି ପୁଲିସ ଡିଜି ସୁନୀଲ ବଂଶଲ। ସମୀକ୍ଷା ପରେ କହିଛନ୍ତି, ଅତିରିକ୍ତ ଫୋର୍ସ ମୁତୟନ କରାଯାଇଛି। ହିଂସାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। କର୍ଫ୍ୟୁ ସମୟରେ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ପଦକ୍ଷେପ ନିଆଯାଉଛି। ଦିନେ ଦୁଇ ଦିନ ମଧ୍ୟରେ ସହରରେ ସ୍ୱଭାବିକ ଅବସ୍ଥା ଫେରିଆସିବ। ପୁଲିସକୁ ସମସ୍ତେ ସାହାଯ୍ୟ କରନ୍ତୁ ବୋଲି ଅପିଲ କରିଛନ୍ତି ପୁଲିସ ଡିଜି।
Sambalpur Sambalpur Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe