Advertisment

ସମ୍ବଲପୁର ହିଂସା: ଗିରଫ ସଂଖ୍ୟା ୮୫ରେ ପହଞ୍ଚିଲା, ଆହୁରି କୋହଳ ହେଲା କର୍ଫ୍ୟୁ

ସ୍ଥିତିକୁ ଦେଖି ସମ୍ବଲପୁରରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖାଯାଇଛି।

ଅଦ୍ୟତନ ହୋଇଛି
Curfew relaxation

Curfew relaxation

Advertisment

ହନୁମାନ ଜୟନ୍ତୀ ବାଇକ୍‌ ରାଲି ବେଳେ ଟେକାପଥର ମାଡ଼କୁ ନେଇ ସମ୍ବଲପୁର ସହରରେ ସଂଘର୍ଷ ଓ ପରେ ଏହାକୁ ନେଇ ଦେଖାଦେଇଥିବା ହିଂସା ଶାନ୍ତ ପଡ଼ୁଛି ସତ। ହେଲେ କେଉଁ ପକ୍ଷରୁ ଏହାର ପ୍ରଥମ ସୂତ୍ରପାତ ହେଲା ଓ ଏହାର ଅସଲ ଉଦ୍ଦେଶ୍ୟ କ’ଣ ଥିଲା ଏବେବି ଅସ୍ପଷ୍ଟ। ଅପରପକ୍ଷେ ସମ୍ବଲପୁର ହିଂସା ମାମଲାରେ ଗିରଫଦାରୀ ସଂଖ୍ୟା ୮୫ରେ ପହଞ୍ଚିଛି। ସ୍ଥିତିକୁ ଦେଖି ସମ୍ବଲପୁରରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖାଯାଇଛି।

Advertisment

ସମ୍ବଲପୁର ହିଂସାକାଣ୍ଡକୁ ୫ ଦିନ ବିତିଛି। ତା ମଧ୍ୟରୁ ୩ ଦିନ ପୂରିଲା ଲାଗୁ ହୋଇଥିବା କର୍ଫ୍ୟୁକୁ। ଦୈନିକ କିଛି ସମୟ ପାଇଁ କର୍ଫ୍ୟୁ କୋହଳ ହେଉଥିଲେ ବି ଗୃହବନ୍ଦୀ ଅବସ୍ଥାରେ ପଡ଼ିରହିଛନ୍ତି ଲୋକେ। ଏଭଳି ପରିସ୍ଥିତିକୁ ନେଇ ଜନତା ଅସନ୍ତୋଷ ଝାଡ଼ିଲେଣି। କର୍ଫ୍ୟୁ ଭିତରେ ଦରବୃଦ୍ଧିକୁ ନେଇ ଦହଗଞ୍ଜ ହେଉଛନ୍ତି ଲୋକେ।

ତେବେ ଆଜି ପୁଣି ସମ୍ବଲପୁର ସହରରେ ସ୍ଥିତିରେ ସୁଧାର ଆସୁଥିବା ଦର୍ଶାଇ କଫ୍ୟୁ ସମୟକୁ ହ୍ରାସ କରିଛି ସ୍ଥାନୀୟ ପ୍ରଶାସନ। କାଲି ଠାରୁ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଏବଂ ଅପରାହ୍ନରେ ସାଢେ ୩ଟାରୁ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁକୁ କୋହଳ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Advertisment

ଅନ୍ୟପଟେ ସମ୍ବଲପୁରରେ ଆଜି ବି ସ୍ଥିତି ସମୀକ୍ଷା କରିଛନ୍ତି ପୁଲିସ ଡିଜି। ସମ୍ବଲପୁର ହିଂସାର ଷଡ଼ଯନ୍ତ୍ରକାରୀଙ୍କୁ ଛଡ଼ାଯିବ ନାହଁ। ଯେତେ ଶୀଘ୍ର ସମ୍ଭବ ପ୍ରମାଣ ସଂଗ୍ରହ କରି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିଜିପି।

ସେପଟେ ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ରାଜ୍ୟ ସରକାର ଏବଂ ପୁଲିସ ଉପରକୁ ଦୋଷ ଲଦିଥିବାବେଳେ ଆଜି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ବିଜେଡିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ସମ୍ବଲପୁରରେ ଯେଉଁ ହିଂସାକାଣ୍ଡ ହେଲା, ତାକୁ ଚପାଇ ଦେବାକୁ ଶାସକ ଦଳ ବସିଛି। କଟକ, କେନ୍ଦ୍ରାପଡ଼ାରେ ଅତି ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ହନୁମାନ ଜୟନ୍ତୀ ପାଳନ ହେଲା। ଅଥଚ ସମ୍ବଲପୁରରେ କାହିଁକି ଅବହେଳା ହୋଇଛି, ତାର ସ୍ପଷ୍ଟତା ରହିବା ଦରକାର। ଓଡ଼ିଶା ଜନସାଧାରଣ ବି ସତ କ’ଣ ଜାଣିବା ଦରକାର।

ସେପଟେ ବିରୋଧୀଙ୍କ ପ୍ରଶ୍ନର ବଙ୍କା ପ୍ରତିକ୍ରିୟା ରଖି ବିଜେଡ଼ି ବିଧାୟକ ଶାରଦା ନାୟକ କହିଛନ୍ତି, ଅନ୍ୟ କାହାକୁ ଆକ୍ଷେପ କରିବା ଆଗରୁ ବିଜେପି ନିଜେ ଆତ୍ମ ସମୀକ୍ଷା କରୁ। ବିଭିନ୍ନ ରାଜ୍ୟରେ ବିଜେପିର ସରକାର ରହିଛି। ସମ୍ବଲପୁରରେ ଘଟିଥିବା ଅଘଟଣ ପରେ ପ୍ରଶାସନ ଏହାକୁ ସମାଧାନ କରିବାକୁ ସବୁ ପ୍ରକାର ପଦକ୍ଷେପ ନେଇଛି।

ସମ୍ବଲପୁର ଏସପି ବି.ଗଙ୍ଗାଧର କହିଛନ୍ତି, ଗତକାଲି ପର୍ଯ୍ୟନ୍ତ ୭୯ ଜଣଙ୍କୁ ଗିରଫ କରାଯାଇଥିଲା। ଆଜି ଆଉ ୬ ଜଣଙ୍କୁ ଗିରଫ କରାଯାଇଛି। ଯିଏ ଦୋଷୀ ବୋଲି ଜଣାପଡ଼ିବ ଗିରଫ କରାଯିବ।

ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି କହିଛନ୍ତି, ଦରଦାମ୍ ନେଇ ଅଭିଯୋଗ ପାଇବା ପରେ ଏହାର ସମାଧାନ ନିମନ୍ତେ ସିଏସ୍‌ଓଙ୍କ ସହ ଆଲୋଚନା କରାଯାଇଛି। ଯିଏ କଳାବଜାରି କରୁଥିବ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଦକ୍ଷେପ ନିଆଯାଇଛି।

ସେପଟେ ସମ୍ବଲପୁର ଘଟଣାକୁ ନେଇ ବିଭିନ୍ନ ଜିଲ୍ଲାରେ ପ୍ରତିବାଦ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦ ଏବଂ ବଜରଙ୍ଗଦଳ କର୍ମୀ। ହିଂସାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ପ୍ରଧାନମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ସୂଚନା ଥାଉକି, ସମ୍ବଲପୁର ଏସ୍‌ପି ବି.ଗଙ୍ଗାଧର ଗତକାଲି କହିଥିଲେ ଯେ, ସମ୍ବଲପୁର ହିଂସାକାଣ୍ଡ ଥିଲା ପ୍ରି ପ୍ଲାନ୍ଡ। ସମ୍ବଲପୁର ଏସ୍.ପିଙ୍କ ଏଭଳି ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଥିଲା ଚର୍ଚ୍ଚା। ଯଦି ହିଂସାକାଣ୍ଡର ପୂର୍ବ ଯୋଜନା ଥିଲା, ତେବେ ପୁଲିସର ପ୍ରସ୍ତୁତି କାହିଁକି ସେଭଳି ନଥିଲା ? ହିଂସାକାରୀଙ୍କୁ ଦମନ କରିବା ପାଇଁ କି ପଦକ୍ଷେପ ନେଇଥିଲା ସମ୍ବଲପୁର ପୁଲିସ ? ଗୁଇନ୍ଦା ବିଭାଗ ପାଖରେ ଖବର ଥିଲା ତ ? କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟକୁ ଆଲର୍ଟ କରିବା ପରେ ବି ସମ୍ବଲପୁର ପୁଲିସ ସେଦିଗରେ ସଜାଗ ନଥିଲା କାହିଁକି ? କାରଣ ବିଗତ ବର୍ଷମାନଙ୍କରେ ହନୁମାନ ଜୟନ୍ତୀବେଳେ ଉତ୍ତେଜନାମୂଳକ ସ୍ଥିତି ଉପୁଜେ ଏବଂ ନିର୍ଦ୍ଧିଷ୍ଟ ସମ୍ବେଦନଶୀଳ ଅଞ୍ଚଳରେ ହିଁ ହିଂସାର ଆଶଙ୍କା ଥାଏ। ଏକଥା ନିଜେ ପୁଲିସ ବି ଜାଣିଛି। ଅଥଚ ସୁରକ୍ଷାକୁ କାହିଁକି କଡ଼ାକଡ଼ି କରାଯାଇନଥିଲା ? ତାକୁ ନେଇ ଉଠିଛି ପ୍ରଶ୍ନ।

Sambalpur Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe