ସମ୍ବଲପୁର, ଝାରସୁଗୁଡ଼ା ଓ ବଲାଙ୍ଗିର ଜିଲ୍ଲାରେ ୨୨ ତାରିଖରୁ ଖୋଲିବ ସ୍କୁଲ। ଗ୍ରୀଷ୍ମପ୍ରବାହ ପାଇଁ ୨୧ ତାରିଖ ପରିବର୍ତ୍ତେ ୨୨ରେ ସ୍କୁଲ ଖୋଲିବା ନେଇ ଦୁଇ ଜିଲ୍ଲାର ଜିଲ୍ଲାପାଳଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି।
ସମ୍ବଲପୁରରେ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ଚାଲିବ। ସାଢ଼େ ୬ରୁ କ୍ଲାସ ଆରମ୍ଭ ହୋଇ ଦିନ ୧୦ଟା ପର୍ଯ୍ୟନ୍ତ ଚାଲିବ। ୯ଟା ୩୦ରୁ ୧୦ଟା ମଧ୍ୟରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ। ୨୬ତାରିଖଠାରୁ ନିୟମିତ ସମାୟାନୁସାରେ ସ୍କୁଲ ଚାଲିବ।
ସେହିପରି ଝାରସୁଗୁଡ଼ା ଜିଲ୍ଲାରେ ୨୨ରୁ ସ୍କୁଲ ଖୋଲିବା ନେଇ ଜିଲ୍ଲାପାଳଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି। ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ସ୍କୁଲ ସକାଳୁଆ ଚାଲିବ। ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ୧୦ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ।
ବଲାଙ୍ଗିର ଜିଲ୍ଲାରେ ମଧ୍ୟ ୨୨ରୁ ୨୪ ତାରିଖ ଯାଏ ସକାଳୁଆ ସ୍କୁଲ ହେବ। ସକାଳ ୬ଟା ୩୦ରୁ ୧୦ଟା ୩୦ ଯାଏ ଚାଲିବ ସବୁ ସ୍କୁଲ।
ଗ୍ରୀଷ୍ମ ଛୁଟିପରେ ଆସନ୍ତାକାଲି ସ୍କୁଲ ଖୋଲୁଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
ସୂଚନାଯୋଗ୍ୟ, ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ଗୁଡ଼ିକୁ ଜୁନ୍ ୧୯ତାରିଖ ପରିବର୍ତ୍ତେ ଜୁନ୍ ୨୧ ତାରିଖରେ ଖୋଲିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ। ତେବେ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ସୁବର୍ଣ୍ଣପୁର ଓ ବଲାଙ୍ଗିର ଜିଲ୍ଲାରେ ଗ୍ରୀଷ୍ମପ୍ରବାହର ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସକାଳୁଆ ସ୍କୁଲ କିମ୍ବା ସମ୍ପୂର୍ଣ୍ଣ ଛୁଟି ପାଇଁ ନିଷ୍ପତ୍ତି ନେଇପାରିବେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।