VIMSAR
ବୁର୍ଲା ମେଡିକାଲ କଲେଜ କ୍ୟାମ୍ପସରେ ଡାକ୍ତରୀ ଛାତ୍ର ଗୋଷ୍ଠୀଙ୍କ ହଙ୍ଗାମା। ୱେଲକମ୍ ନାଁରେ ବ୍ରହ୍ମପୁର MKCG ଛାତ୍ର ଗୋଷ୍ଠୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି। ଏଥିରେ ୫ ଛାତ୍ର ଆହତ ହୋଇଛନ୍ତି। ଆହତଙ୍କୁ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି।
ବୁର୍ଲା ମେଡିକାଲ କଲେଜରେ ଆୟୋଜିତ ହେଉଛି ଆନ୍ତଃ ମେଡିକାଲ କଲେଜ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବ ‘ୟୁଫୋରିଆ’। ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ସମାରୋହ ଆୟୋଜିତ ହେବ। ‘ୟୁଫୋରିଆ’ ଆରମ୍ଭ ହେବା ପୂର୍ବରୁ ଆୟୋଜିତ ହେବ କ୍ରୀଡ଼ା ଉତ୍ସବ। ଏଥିରେ ଭାଗ ନେବା ପାଇଁ ବସ୍ରେ MKCG ମେଡିକାଲ କଲେଜରୁ ୭୦ରୁ ଅଧିକ ଛାତ୍ରଛାତ୍ରୀ ଆସିଥିଲେ। ବସ୍ଟି ବୁର୍ଲା ମେଡ଼ିକାଲ୍ କ୍ୟାମ୍ପସରେ ପହଞ୍ଚିବା ମାତ୍ରେ ସେଠାରେ ସୃଷ୍ଟି ହୋଇଥିଲା ଅଭାବନୀୟ ସ୍ଥିତି।
କୁହାଯାଉଛି, MKCGର ୟୁଜି ଓ ହାଉସ୍ ସର୍ଜନ ବିଭାଗର ୭୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ୱେଲକମ୍ କରିବାକୁ କ୍ୟାମ୍ପସରେ ଉପସ୍ଥିତ ଥିଲେ ଶହ ଶହ ଛାତ୍ରଛାତ୍ରୀ। ଆଉ ବସ୍ ପହଞ୍ଚିବା ମାତ୍ରେ ବସର ଡୋର୍ ବନ୍ଦ କରି ଭିତରେ ଥିବା ଛାତ୍ରଛାତ୍ରୀଙ୍କୁ ଅଗ୍ନି ନିର୍ବାପକ ଯନ୍ତ୍ରରୁ ସିଧା ସ୍ପ୍ରେ କରିଥିଲେ। ଫଳରେ କିଛି ଛାତ୍ର ଅସୁସ୍ଥ ହୋଇଥିବା କୁହାଯାଉଛି। ଭିମସାର ଛାତ୍ରଛାତ୍ରୀଙ୍କ ଏଭଳି ଆଚରଣ ଦେଖି ପ୍ରତିବାଦ କରିବାରୁ ଉଭୟ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଓ ଗଣ୍ଡଗୋଳ ହୋଇଥିଲା। କ୍ୟାମ୍ପସରେ ରୁଣ୍ଡ ହୋଇଥିବା ବହୁ ଛାତ୍ରଛାତ୍ରୀ ହାତରେ ବାଡ଼ି ଧରି ବସକୁ ପିଟୁଥିବା ଦେଖିବାକୁ ମିଳିଛି। ଗଣ୍ଡଗୋଳରେ MKCGର ୫ରୁ ଅଧିକ ଛାତ୍ର ଆହତ ହୋଇ ଏବେ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି।
କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ଏଭଳି କାଣ୍ଡ ନେଇ ଭିମସାର ଡିନଙ୍କ ନିକଟରେ କୌଣସି ଖବର ନଥିବା ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
