Advertisment

ସମ୍ବଲପୁର ହିଂସା: ଆସନ୍ତାକାଲି ପଶ୍ଚିମଓଡ଼ିଶା ବନ୍ଦ, ବିଜେପି ଦେଲା ସମର୍ଥନ

ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହିଂସାକାଣ୍ଡ ଘଟଣା ପ୍ରତିବାଦରେ ରାଜ୍ୟର ୧୪ ଜିଲ୍ଲାରେ ଆସନ୍ତାକାଲି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଶ୍ୱହିନ୍ଦୁ ପରିଷଦ

author-image
Ordigital Desk
VHP calls for bandh

VHP calls for bandh

ସମ୍ବଲପୁର ସହରରେ ହନୁମାନ ଜୟନ୍ତୀ ପାଳନକୁ ନେଇ ହୋଇଥିବା ହିଂସାକାଣ୍ଡ ଘଟଣା ପ୍ରତିବାଦରେ ଆସନ୍ତାକାଲି ୧୨ଘଣ୍ଟିଆ ପଶ୍ଚିମଓଡ଼ିଶା ବନ୍ଦ ପାଇଁ ବିଶ୍ୱହିନ୍ଦୁ ପରିଷଦ ଡାକରା ଦେଇଛି । ବିଶ୍ୱ ହିନ୍ଦୁ ପରିଷଦର ଏହି ବନ୍ଦ ଡାକରାକୁ ବିଭିନ୍ନ ହିନ୍ଦୁ ସଂଗଠନ ସମର୍ଥନ କରିଥିବାବେଳେ ରାଜ୍ୟ ବିଜେପି ମଧ୍ୟ ଏହାକୁ ସମର୍ଥନ କରିବ ବୋଲି ଜଣାପଡ଼ିଛି ।

Advertisment

ବିଶ୍ୱ ହିନ୍ଦୁ ପରିଷଦର ପଶ୍ଚିମ ପ୍ରାନ୍ତ ଶାଖା ପକ୍ଷରୁ ଆଜି କୁହାଯାଇଛି ଯେ, ସମ୍ବଲପୁର ହିଂସାକାଣ୍ଡ ଘଟଣା ପ୍ରତିବାଦରେ ବୁଧବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅବିଭକ୍ତ କୋରାପୁଟ ଜିଲ୍ଲା  ସମେତ ପଶ୍ଚିମଓଡ଼ିଶାର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନବଜାର, ସରକାରୀ ଓ ଘରୋଇ ଅଫିସ, ସ୍କୁଲ ଓ କଲେଜ ଆଦି ବନ୍ଦ ରହିବ । କେବଳ ଜରୁରୀକାଳୀନ ସେବାକୁ ବାଦ୍ ଦେଇ ଅନ୍ୟ ସମସ୍ତ ଯାନବାହନ ଚଳାଚଳ ମଧ୍ୟ ବନ୍ଦ ରହିବ । ଶାନ୍ତିପୂର୍ଣ୍ଣ ଭାବେ ଏହି ବନ୍ଦ ପାଳନ କରାଯିବ । ପଶ୍ଚିମଓଡ଼ିଶାର ଏହି ବନ୍ଦ ଡାକରାକୁ ବଜରଙ୍ଗ ଦଳ ଓ ଅନ୍ୟ ହିନ୍ଦୁ ସଂଗଠନଗୁଡ଼ିକ ସମର୍ଥନ ଦେଇଛନ୍ତି ।

ଏପଟେ ବିଜେପି ପକ୍ଷରୁ ଜାରି ପ୍ରେସ୍ ରିଲିଜରେ କୁହାଯାଇଛି ଯେ, ସମ୍ବଲପୁରରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗା ଓ ରାଜ୍ୟ ସରକାରଙ୍କର ପକ୍ଷପାତିତା ବିରୋଧରେ୧୯ତାରିଖରେ ବିଶ୍ୱ ହିନ୍ଦୁ ପରିଷଦ ଓ ଅନେକ ହିନ୍ଦୁ ସଙ୍ଗଠନ ପକ୍ଷରୁ ସମ୍ବଲପୁର, ଦେବଗଡ, ଝାରସୁଗୁଡା, ବରଗଡ଼, ସୁନ୍ଦରଗଡ, ବଲାଙ୍ଗୀର, ସୋନପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା ଆଦି ଜିଲ୍ଲାରେ ହରତାଳ ନିମନ୍ତେ ଡାକରା ଦିଆଯାଇଛି । ଏହି ୧୨ ଘଂଟିଆ ହରତାଳ ପାଳନକୁ ବିଜେପି ସମର୍ଥନ କରିବ ।

Advertisment

ତେବେ ବିଶ୍ୱହିନ୍ଦୁ ପରିଷଦର ପୂର୍ବ ପ୍ରାନ୍ତ ସମ୍ପାଦକ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ, ବିଶ୍ୱହିନ୍ଦୁ ପରିଷଦର ପଶ୍ଚିମପ୍ରାନ୍ତ ପକ୍ଷରୁ ଦିଆଯାଇଥିବା ଆସନ୍ତାକାଲି ପଶ୍ଚିମଓଡ଼ିଶା ବନ୍ଦ ଡାକରାକୁ ପୂର୍ବ ଓଡ଼ିଶା ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ପୂର୍ଣ୍ଣ ସମର୍ଥନ କରୁଛି । ସରକାରଙ୍କୁ ମଧ୍ୟ ଚେତାବନୀ ଦିଆଯାଉଛି କି ପ୍ରାଥମିକ ଭାବେ ପଶ୍ଚିମଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଯଦି ଏହାର ୪୮ଘଣ୍ଟା ମଧ୍ୟରେ ରାଜ୍ୟ ସରକାର ଠୋସ୍ ପଦକ୍ଷେପ ନନେବେ ତା’ହେଲେ ସମ୍ପୂର୍ଣ୍ଣ ଓଡ଼ିଶା ବନ୍ଦ ଡାକରା ନିଷ୍ପତ୍ତି ବିଶ୍ୱହିନ୍ଦୁ ପରିଷଦ ପରବର୍ତ୍ତୀ ସମୟରେ ନେବ ।

Sambalpur Violence