ସମ୍ବଲପୁର ସହରରେ ହନୁମାନ ଜୟନ୍ତୀ ପାଳନକୁ ନେଇ ହୋଇଥିବା ହିଂସାକାଣ୍ଡ ଘଟଣା ପ୍ରତିବାଦରେ ଆସନ୍ତାକାଲି ୧୨ଘଣ୍ଟିଆ ପଶ୍ଚିମଓଡ଼ିଶା ବନ୍ଦ ପାଇଁ ବିଶ୍ୱହିନ୍ଦୁ ପରିଷଦ ଡାକରା ଦେଇଛି । ବିଶ୍ୱ ହିନ୍ଦୁ ପରିଷଦର ଏହି ବନ୍ଦ ଡାକରାକୁ ବିଭିନ୍ନ ହିନ୍ଦୁ ସଂଗଠନ ସମର୍ଥନ କରିଥିବାବେଳେ ରାଜ୍ୟ ବିଜେପି ମଧ୍ୟ ଏହାକୁ ସମର୍ଥନ କରିବ ବୋଲି ଜଣାପଡ଼ିଛି ।
ବିଶ୍ୱ ହିନ୍ଦୁ ପରିଷଦର ପଶ୍ଚିମ ପ୍ରାନ୍ତ ଶାଖା ପକ୍ଷରୁ ଆଜି କୁହାଯାଇଛି ଯେ, ସମ୍ବଲପୁର ହିଂସାକାଣ୍ଡ ଘଟଣା ପ୍ରତିବାଦରେ ବୁଧବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ପଶ୍ଚିମଓଡ଼ିଶାର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନବଜାର, ସରକାରୀ ଓ ଘରୋଇ ଅଫିସ, ସ୍କୁଲ ଓ କଲେଜ ଆଦି ବନ୍ଦ ରହିବ । କେବଳ ଜରୁରୀକାଳୀନ ସେବାକୁ ବାଦ୍ ଦେଇ ଅନ୍ୟ ସମସ୍ତ ଯାନବାହନ ଚଳାଚଳ ମଧ୍ୟ ବନ୍ଦ ରହିବ । ଶାନ୍ତିପୂର୍ଣ୍ଣ ଭାବେ ଏହି ବନ୍ଦ ପାଳନ କରାଯିବ । ପଶ୍ଚିମଓଡ଼ିଶାର ଏହି ବନ୍ଦ ଡାକରାକୁ ବଜରଙ୍ଗ ଦଳ ଓ ଅନ୍ୟ ହିନ୍ଦୁ ସଂଗଠନଗୁଡ଼ିକ ସମର୍ଥନ ଦେଇଛନ୍ତି ।
ଏପଟେ ବିଜେପି ପକ୍ଷରୁ ଜାରି ପ୍ରେସ୍ ରିଲିଜରେ କୁହାଯାଇଛି ଯେ, ସମ୍ବଲପୁରରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗା ଓ ରାଜ୍ୟ ସରକାରଙ୍କର ପକ୍ଷପାତିତା ବିରୋଧରେ୧୯ତାରିଖରେ ବିଶ୍ୱ ହିନ୍ଦୁ ପରିଷଦ ଓ ଅନେକ ହିନ୍ଦୁ ସଙ୍ଗଠନ ପକ୍ଷରୁ ସମ୍ବଲପୁର, ଦେବଗଡ, ଝାରସୁଗୁଡା, ବରଗଡ଼, ସୁନ୍ଦରଗଡ, ବଲାଙ୍ଗୀର, ସୋନପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା ଆଦି ଜିଲ୍ଲାରେ ହରତାଳ ନିମନ୍ତେ ଡାକରା ଦିଆଯାଇଛି । ଏହି ୧୨ ଘଂଟିଆ ହରତାଳ ପାଳନକୁ ବିଜେପି ସମର୍ଥନ କରିବ ।
ତେବେ ବିଶ୍ୱହିନ୍ଦୁ ପରିଷଦର ପୂର୍ବ ପ୍ରାନ୍ତ ସମ୍ପାଦକ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ, ବିଶ୍ୱହିନ୍ଦୁ ପରିଷଦର ପଶ୍ଚିମପ୍ରାନ୍ତ ପକ୍ଷରୁ ଦିଆଯାଇଥିବା ଆସନ୍ତାକାଲି ପଶ୍ଚିମଓଡ଼ିଶା ବନ୍ଦ ଡାକରାକୁ ପୂର୍ବ ଓଡ଼ିଶା ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ପୂର୍ଣ୍ଣ ସମର୍ଥନ କରୁଛି । ସରକାରଙ୍କୁ ମଧ୍ୟ ଚେତାବନୀ ଦିଆଯାଉଛି କି ପ୍ରାଥମିକ ଭାବେ ପଶ୍ଚିମଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଯଦି ଏହାର ୪୮ଘଣ୍ଟା ମଧ୍ୟରେ ରାଜ୍ୟ ସରକାର ଠୋସ୍ ପଦକ୍ଷେପ ନନେବେ ତା’ହେଲେ ସମ୍ପୂର୍ଣ୍ଣ ଓଡ଼ିଶା ବନ୍ଦ ଡାକରା ନିଷ୍ପତ୍ତି ବିଶ୍ୱହିନ୍ଦୁ ପରିଷଦ ପରବର୍ତ୍ତୀ ସମୟରେ ନେବ ।