Advertisment

ଚିନ୍ମୟୀ ସାହୁ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁଙ୍କ ପାଖରେ ଅଟକିଛି ପୁଲିସ ତଦନ୍ତ, ମୁହଁ ଖୋଲିଲେ ବିଧାୟକ

ଗୋଟି ଗୋଟି କରି ଅଗ୍ନିପରୀକ୍ଷାକୁ ସାମ୍ନା କରୁଛନ୍ତି ଚିନ୍ମୟୀଙ୍କ ସହ ଶେଷ ସମୟ ଯାଏଁ ଏକାଠି ଥିବା ପୁରୁଷ ବନ୍ଧୁ ପ୍ରୀତିମାନ ଦେ।

author-image
Niranjan Mishra
vssut student death case

vssut student death case

ବୁର୍ଲା ପାୱାରଚାନେଲ ବ୍ରିଜରେ ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କର କେମିତି ହେଲା ମୃତ୍ୟୁ? ସମାବର୍ତ୍ତନ ଉତ୍ସବ ପରେ ହାଠାତ୍ କ’ଣ ଏପରି ଘଟିଲା। ସେ ରାତି ୯ଟା ବସ୍‌ରେ ବୁର୍ଲାରୁ ଭୁବନେଶ୍ୱର ଫେରିବାର ଥିଲା। ଚିନ୍ମୟୀଙ୍କ ଗଳାରେ କେମିତି ହେଲା କ୍ଷତଚିହ୍ନର ଦାଗ ? ଗୋଟି ଗୋଟି କରି ଅଗ୍ନିପରୀକ୍ଷାକୁ ସାମ୍ନା କରୁଛନ୍ତି ଚିନ୍ମୟୀଙ୍କ ସହ ଶେଷ ସମୟ ଯାଏଁ ଏକାଠି ଥିବା ପୁରୁଷ ବନ୍ଧୁ ପ୍ରୀତିମାନ ଦେ। ୪ ଦିନ ଧରି ବୁର୍ଲା ଥାନାରେ ଘନଘନ ଜେରା ପରେ ଆଜି ପ୍ରୀତିମାନଙ୍କ ଭୁବନେଶ୍ୱର ଷ୍ଟେଟ ଫରେନସିକ ଲ୍ୟାବରେ ଲାଇ ଡିଟେକ୍ସନ କରାଇଛି ପୁଲିସ। ତେବେ ଏହି ମାମଲାରେ ତାଙ୍କୁ କିମ୍ବା ଅନ୍ୟ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିନି ପୁଲିସ। ସନ୍ଦେହରେ ଅନ୍ଧାରଘରେ ବାଡ଼ି ବୁଲାଇବା ଭଳି କିମ୍ବା ଚାପରେ ପଡ଼ି ପ୍ରୀତିମାନଙ୍କୁ ଅଟକ ରଖି ତଦନ୍ତ କରୁଛି ପୁଲିସ।

Advertisment

ଲାଇ ଡିଟେକ୍ସନ ଟେଷ୍ଟ ବେଳେ ପ୍ରୀତିମାନଙ୍କୁ ପଚରାଯାଇଛି ଚିନ୍ମୟୀ ସହ କେଉଁ ସଂପର୍କ ଥିଲା ? ପିସି ବ୍ରିଜରେ ଚିନ୍ମୟୀ ସହ କୌଣସି ପାଟିତୁଣ୍ଡ ହୋଇଥିଲା କି ? ଯଦି ହଁ, ତେବେ କାରଣ କ’ଣ ? ସହଯୋଗୀ ମାନସ ଟୁଡୁ ସହ ଚିନ୍ମୟୀଙ୍କୁ ଧରି କାହିଁକି ଯାଇଥିଲେ ପିସି ବ୍ରିଜ ? ଏଭଳି ପ୍ରାୟ ୫୦ଟି ପ୍ରଶ୍ନ ପଚରାଯାଇଛି ଲାଇ ଡିଟେକ୍ସନ ଟେଷ୍ଟରେ।

ପ୍ରୀତିମାନଙ୍କ ସହ ସହଯୋଗୀ ମାନସଙ୍କର ବି ଲାଇ ଡିଟେକ୍ସନ ଟେଷ୍ଟ ହୋଇଛି। ପ୍ରଶ୍ନ ଉଠୁଛି, କାହିଁକି ଆବଶ୍ୟକ ପଡ଼ିଲା ମିଛଧରା ପରୀକ୍ଷା? ଚିନ୍ମୟୀଙ୍କ ବନ୍ଧୁ ପ୍ରୀତିମାନ ଓ ସାଥୀ ମାନସ ସତ ଲୁଚାଇବାକୁ ଚେଷ୍ଟା କରୁନାହାଁନ୍ତି ତ ? ନା ତଦନ୍ତକୁ ଆଗକୁ ନେବା ପାଇଁ ପୁଲିସ କରିଛି ଲାଇଡିଟେକ୍ସନ ଟେଷ୍ଟ ?

Advertisment

ଭିସୁଟର ସମାବର୍ତ୍ତନ ଉତ୍ସବକୁ ଯାଇଥିବା ଚିନ୍ମୟୀଙ୍କ ମୃତ୍ୟୁକୁ ପୂରିଲାଣି ୫ଦିନ। ପୁଲିସ ହତ୍ୟା ମାମଲା ରୁଜୁ କରିବା ସହ ତିନି ତିନିଟି ଟିମ୍ ଦ୍ୱାରା ତନାଘନା ଚଳାଇଥିଲେ ବି କେମିତି ଓ କାହିଁକି ଘଟିଲା ଅଘଟଣ ତାହାର ସତ୍ୟ ସ୍ପଷ୍ଟ କରୁନି। ଫଳରେ ଏହା ହତ୍ୟା ନା ଆତ୍ମହତ୍ୟା, ତାହାକୁ ନେଇ ସସ୍‌ପେନ୍ସ ଲାଗି ରହିଛି।

ଚିନ୍ମୟୀଙ୍କ ଭୁବନେଶ୍ୱର ସ୍ଥିତ ଭଡ଼ାଘରୁ ଜବତ ଲ୍ୟାପଟପରୁ କି ପ୍ରମାଣ ପାଇଲା ପୋଲିସ ? ତାକୁ ନେଇ ମଧ୍ୟ ସସପେନ୍ସ ଲାଗିରହିଛି। କିଛି ପଚାରିଲେ ହାତଯୋଡ଼ି ମିଡ଼ିଆଠୁ ଦୂରେଇ ଯାଉଛି ପୁଲିସ।

ବଲାଙ୍ଗିର ସହରର ବିକ୍ରମ ଛକରେ ଥିବା ଚିନ୍ମୟୀଙ୍କ ଘରକୁ ଯାଇ ପ୍ରାୟ ଘଣ୍ଟାଏ ଧରି ବଲାଙ୍ଗିର ପୁଲିସ ଚିନ୍ମୟୀଙ୍କ ମା’ ଏବଂ ତାଙ୍କ ଭଉଣୀଙ୍କୁ ପଚରାଉଚରା କରିଛି। ତା’ସହ ମା’ ଝିଅଙ୍କ ମଧ୍ୟରେ ହୋଇଥିବା ଶେଷ ହ୍ୱାଟସ୍ ଆପ ଚାଟ୍‌କୁ ପୁଲିସ ସଂଗ୍ରହ କରିଛି। ତେବେ ପ୍ରୀତିମାନଙ୍କ ବାପା ଗୃହ ବିଭାଗର ଜଣେ ବରିଷ୍ଠ ଅଧିକାରୀ ହୋଇଥିବାରୁ ତଦନ୍ତରେ ସ୍ୱଚ୍ଛତାକୁ ନେଇ ଆଶଙ୍କା କରିଛନ୍ତି ଚିନ୍ମୟୀଙ୍କ ମା’। ଏପରିକି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ବି ସ୍ୱଚ୍ଛ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ପୁଲିସ ମାମଲାର ତଦନ୍ତ ଠିକ୍ ଭାବେ କରିପାରିବ ନାହିଁ। କାରଣ ସମସ୍ତଙ୍କ ସନ୍ଦେହରେ ଥିବା ଯୁବକଙ୍କ ବାପା ଜଣେ ସଚିବ ପାହ୍ୟାର ଅଧିକାରୀ। ତେଣୁ ମାମଲାର ନିରପେକ୍ଷ ତଦନ୍ତ ହେବା ଉଚିତ।

ସେପଟେ ପ୍ରୀତିମାନଙ୍କ ବାପା ପ୍ରଣବ କୁମାର ଦେ କହିଛନ୍ତି, ତଦନ୍ତରେ ସେ କୌଣସି ଚାପ ପକାଉ ନାହାନ୍ତି। ପୁଲିସ ଯାହା ତଦନ୍ତ କରିବା କଥା କରୁ। ସତ କିନ୍ତୁ ସାମ୍ନାକୁ ଆସୁ।

Odisha Police Boyfriend Student Dead