/odisha-reporter/media/media_files/2026/02/17/aravinda-and-sanatan-2026-02-17-15-31-31.jpg)
ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ। ଏହି ଅଧିବେଶନର ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି। ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି ଉଭୟ କଂଗ୍ରେସ ଓ ବିଜେଡି ବିଧାୟକମାନେ କକ୍ଷତ୍ୟାଗ କରିଥିଲେ।
ବିଜେଡି ବିଧାୟକମାନେ କକ୍ଷତ୍ୟାଗ କରିଥିଲେ ହେଁ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର କକ୍ଷତ୍ୟାଗ କରି ନଥିଲେ। ସେମାନେ ନିଜ ନିଜ ଆସନରେ ବସି ରହିଥିଲେ। ସୂଚନାଯୋଗ୍ୟ, ଗତ ମାସରେ ଏହି ଦୁଇ ବିଧାୟକଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିଲା।
କକ୍ଷତ୍ୟାଗ ନ କରିବା ନେଇ ପାଟକୁରା ଅରବିନ୍ଦ ମହାପାତ୍ର କହିଛନ୍ତି ଯେ ତାଙ୍କୁ ଯାହା ଠିକ୍ ଲାଗିବ, ସେ ତାହା କରିବେ। ତାଙ୍କର ରାଜ୍ୟପାଳଙ୍କ ଭାଷଣ ଶୁଣିବାକୁ ଇଚ୍ଛା ଥିଲା। ତେଣୁ ସେ ଶୁଣିଲେ।
ଏହା ସହିତ ସେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସହିତ ତାଙ୍କର ଦେଖା ହୋଇଥିବା କହିଛନ୍ତି। ସେ କହିଛନ୍ତି, ନବୀନ ବାବୁଙ୍କ ସହ ଦେଖା ହୋଇଛି। ତାଙ୍କୁ ସମ୍ମାନ ଜଣାଇଲି।
ବିଜେଡିରୁ ନିଲମ୍ବନର କାରଣ ନେଇ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରିବେ ବି କି ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରେ ସେମିତି କିଛି ଉଦ୍ଦେଶ୍ୟ ନାହିଁ ବୋଲି କହିଛନ୍ତି ଅରବିନ୍ଦ।
ବଦଳିଲା ଆସନ
ବିଜେଡିରୁ ନିଲମ୍ବନ ପରେ ବିଧାନସଭାରେ ଉଭୟ ଅରବିନ୍ଦ ଓ ସନାତନଙ୍କ ଆସନ ବଦଳି ଯାଇଛି। ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ପୂର୍ବରୁ G19 ଆସନରେ ବସୁଥିଲେ। ଏବେ ତାଙ୍କୁ F19 ଆସନ ଦିଆଯାଇଛି। ସେହିପରି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ପୂର୍ବରୁ ବିଧାନସଭାରେ F14 ଆସନରେ ବସୁଥିଲେ। ଏବେ ତାଙ୍କୁ F21 ଆସନ ଦିଆଯାଇଛି। ଅରବିନ୍ଦ ମହାପାତ୍ରଙ୍କ ଆସନକୁ ସୁନୀଲ ମହାନ୍ତିଙ୍କ ସହ ପରିବର୍ତ୍ତନ କରାଯାଇଥିବା ବେଳେ ମାଧବ ଧଡାଙ୍କ ସିଟ ସହ ପରିବର୍ତ୍ତନ ହୋଇଛି ସନାତନ ମହାକୁଡ଼ଙ୍କ ସିଟ୍।
ଅରବିନ୍ଦ ମହାପାତ୍ର କହିଛନ୍ତି ଯେ ଆସନ ବଦଳିଲେ କିଛି ଫରକ ପଡ଼ିବ ନାହିଁ। ପାଟକୁରାବାସୀଙ୍କ ପ୍ରସଙ୍ଗ ଉଠାଇ ଦୃଷ୍ଟି ଆକର୍ଷଣ କରିବେ ବୋଲି ସେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
