ବିଜେଡିରୁ ନିଲମ୍ବନ ପରେ ବିଧାନସଭାରେ ବଦଳିଛି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଆସନ।
ଆଜିଠାରୁ ବିଧାନସଭାର ବଜେଟ ଅଧିବେଶ ଆରମ୍ଭ ହୋଇଥିବା ବେଳେ ନୂଆ ଆସନରେ ବସିଛନ୍ତି ଚମ୍ପୁଆ ଓ ପାଟକୁରା ବିଧାୟକ।
ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ପୂର୍ବରୁ G19 ଆସନରେ ବସୁଥିଲେ। ଏବେ ତାଙ୍କୁ F19 ଆସନ ଦିଆଯାଇଛି। ସେହିପରି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ପୂର୍ବରୁ ବିଧାନସଭାରେ F14 ଆସନରେ ବସୁଥିଲେ। ଏବେ ତାଙ୍କୁ F21 ଆସନ ଦିଆଯାଇଛି। ଅରବିନ୍ଦ ମହାପାତ୍ରଙ୍କ ଆସନକୁ ସୁନୀଲ ମହାନ୍ତିଙ୍କ ସହ ପରିବର୍ତ୍ତନ କରାଯାଇଥିବା ବେଳେ ମାଧବ ଧଡାଙ୍କ ସିଟ ସହ ପରିବର୍ତ୍ତନ ହୋଇଛି ସନାତନ ମହାକୁଡ଼ଙ୍କ ସିଟ୍।
ରାଜ୍ୟପାଳଙ୍କ ଅଭିଭାଷଣ ସହ ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ। ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି ବିରୋଧୀ ବିଜେଡି ଓ କଂଗ୍ରେସର ବିଧାୟକମାନେ କକ୍ଷତ୍ୟାଗ କରିଥିଲେ। ତେବେ ବିଜେଡିରୁ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ ନିଜ ଆସନରେ ବସି ରହିଥିଲେ।
ନିଜ ଅଭିଭାଷଣରେ ରାଜ୍ୟପାଳ ହରିବାବୁ କମ୍ଭମପାଟି କହିଥିଲେ, ବିକଶିତ ଭାରତର ଓଡ଼ିଶା ହେବ ଗ୍ରୋଥ୍ ଇଞ୍ଜିନ୍। ଓଡ଼ିଶାରେ ବାର୍ଷିକ ପ୍ରାୟ ୪୫ ନିୟୁତ ଟନ୍ର ୫୫ ଇସ୍ପାତ କାରଖାନା ଅଛି, ଯାହାକି ଦେଶର ୨୩ ପ୍ରତିଶତ। ୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ୍ ଇସ୍ପାତ ଯୋଗାଇବାକୁ ଓଡ଼ିଶା ପ୍ରସ୍ତୁତ। ଦେଶରେ ଇସ୍ପାତ ଏବଂ ଷ୍ଟେନ୍ଲେସ୍ ଷ୍ଟିଲ୍ ଉତ୍ପାଦନରେ ଓଡ଼ିଶା ପ୍ରଥମ। ଲଘୁ ଖଣିଜରେ ସଂସ୍କାର ଆଣୁଛନ୍ତି ସରକାର। ୨୦୨୨-୨୩ରେ ୧୧୯୫ କୋଟି ଆୟ ହୋଇଛି। ୨୦୨୪-୨୫ରେ ୧୭୭୬ କୋଟି ଆୟ ହୋଇଛି। ଯାହାକି ବାର୍ଷିକ ୧୯%, ୨ ବର୍ଷରେ ୪୮%ରୁ ଅଧିକ ଅଭିବୃଦ୍ଧି ଦର୍ଶାଉଛି। ମେକ୍ ଇନ୍ ଓଡ଼ିଶାରେ ୮୫ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ହୋଇଛି। ୧୬ ଲକ୍ଷ ୪୨ ହଜାର ଲକ୍ଷପତି ଦିଦି ସୃଷ୍ଟି କରିଛନ୍ତି ସରକାର। ୯ଟି ସରକାରୀ ଉଦ୍ୟୋଗ ୮,୩୮୫ କୋଟି ଟଙ୍କାର ଲାଭ କରିଛନ୍ତି।
ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି, ରାଜ୍ୟରେ ବଢ଼ିଛି ଚାଷୀଙ୍କ ମୁଣ୍ଡ ପିଛା ଆୟ। ଧାନ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ଦିଆଯାଉଛି। ଏଥିପାଇଁ ସମୃଦ୍ଧ କୃଷକ ଯୋଜନାରେ ୬ ହଜାର କୋଟି ଟଙ୍କା ବ୍ୟୟ କରାଯାଇଛି। ସିଏମ୍ କିଷାନ ଯୋଜନାରେ ଆୟ ବୃଦ୍ଧି ପାଇଁ ୨୦୨୦ କୋଟି ବ୍ୟୟ କରାଯାଇଛି। ଫଳରେ ଚାଷୀ ପରିବାରର ମୁଣ୍ଡ ପିଛା ଆୟ ଯଥେଷ୍ଟ ବୃଦ୍ଧି ପାଇଛି। ରାଜ୍ୟରେ ତିନି ଗୁଣା ବଢ଼ିଛି ଫସଲ ଉତ୍ପାଦନ। ୨୦୦୦-୦୧ରେ ଥିଲା ୫୫.୩୫ ଲକ୍ଷ ମେଟ୍ରିକ ଟନ୍। ୨୦୨୪-୨୫ରେ ୧୫୦ ଲକ୍ଷ ମେଟ୍ରିକ ଟନ୍ ଫସଲ ଉତ୍ପାଦନ ହୋଇଛି। ୨୦୨୫-୨୬ରେ ୧ ଲକ୍ଷ ୮୮ ହଜାର ପକ୍କା ଘର ନିର୍ମାଣ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ୯୪% ଅଭିଯୋଗର ସମାଧାନ ହୋଇଛି।
ନକ୍ସଲଙ୍କ ମୂଳୋତ୍ପାଟନ ହେବା ନେଇ ରାଜ୍ୟପାଳ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ୫ ବର୍ଷରେ ୪୮ ଜଣ ମାଓବାଦୀ ନିହତ ହୋଇଛନ୍ତି। ୭୮ ଜଣ ଗିରଫ ହୋଇଛନ୍ତି ଓ ୮୨ ଜଣ ଆତ୍ମସମର୍ପଣ କରିଛନ୍ତି। ୨୦୨୫ରେ ୨୫ ଜଣ କ୍ୟାଡର ମାଓବାଦୀଙ୍କୁ ନିପାତ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/17/assembly-2026-02-17-13-19-28.jpg)