Advertisment

BJD: ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ବିଜେଡିରୁ ନିଲମ୍ବିତ

ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ପାଟକୁରାରୁ ବିଧାୟକ ହୋଇଛନ୍ତି। ସେ ୨୦୨୪ରେ ପ୍ରଥମ ଥର ପାଇଁ ନିର୍ବାଚନ ରାଜନୀତିରେ ପାଦ ଥାପି ବିଜେଡି ଟିକେଟରେ ବିଜୟୀ ହୋଇଥିଲେ। ସେହିପରି ଚମ୍ପୁଆରୁ ପ୍ରତିନିଧିତ୍ବ କରୁଛନ୍ତି ସନାତନ ମହାକୁଡ଼।

author-image
Jitendra Garnayak
Sana and Arabinda

ବିଜେଡି ନେଇଛି ବଡ଼ କାର୍ଯ୍ୟାନୁଷ୍ଠାନ। ନିଜର ଦୁଇ ଜଣ ବିଧାୟକଙ୍କୁ କରିଛି ନିଲମ୍ବନ। ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ କରାଯାଇଛି ସସ୍‌ପେଣ୍ଡ। ଦଳ ବିରୋଧୀ କାର୍ଯ୍ୟ ପାଇଁ ସେମାନଙ୍କୁ ସସ୍‌ପେଣ୍ଡ କରିଛନ୍ତି ସଭାପତି ନବୀନ ପଟ୍ଟନାୟକ। ତେବେ ନିର୍ଦ୍ଦିଷ୍ଟ ଭାବେ ସେମାନେ କେଉଁ ପ୍ରକାରର ଦଳ ବିରୋଧୀ କାମ କରିଥିଲେ, ତାହା ନିଲମ୍ବନ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇନାହିଁ।  

Advertisment

ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ପାଟକୁରାରୁ ବିଧାୟକ ହୋଇଛନ୍ତି। ସେ ୨୦୨୪ରେ ପ୍ରଥମ ଥର ପାଇଁ ନିର୍ବାଚନ ରାଜନୀତିରେ ପାଦ ଥାପି ବିଜେଡି ଟିକେଟରେ ବିଜୟୀ ହୋଇଥିଲେ। ସେହିପରି ଚମ୍ପୁଆରୁ ପ୍ରତିନିଧିତ୍ବ କରୁଛନ୍ତି ସନାତନ ମହାକୁଡ଼।

ନିଲମ୍ବିତ ହେବା ପରେ ଅରବିନ୍ଦ ମହାପାତ୍ର କହିଛନ୍ତି, ମୋତେ କାହିଁକି ନିଲମ୍ବନ କରାଗଲା, ମୁଁ ଜାଣିନି। ମୁଁ କୌଣସି ଦଳବିରୋଧୀ କାମ କରିନି। ଦଳକୁ ଅସୁବିଧାରେ ପକାଇବା ଭଳି କୌଣସି କାମ କରିନି। ମୁଁ ମୋ ନିର୍ବାଚନ କ୍ଷେତ୍ରରେ ଲୋକଙ୍କ ପାଇଁ କାମ କରୁଛି। ମୁଁ କୌଣସି ମେଳିକୁ ଯାଇନି କି ଭୋଜି କରିନି।

Advertisment

ସେହିପରି ୫ଟି (ଭି.କେ ପାଣ୍ଡିଆନ) ବିରୋଧୀ ମନ୍ତବ୍ୟ ତାଙ୍କ ପାଇଁ ଭାରି ପଡ଼ିଲା କି ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରେ ସେ କହିଛନ୍ତି ଯେ ସେ ସେଭଳି କିଛି କହି ନଥିଲେ। ଅରବିନ୍ଦ କହିଛନ୍ତି, ମୁଁ ତାଙ୍କ ବିରୋଧରେ କହିନି। ସରକାରୀ ଦଳର ବିଧାୟକମାନେ କହୁଛନ୍ତି ଯେ ସେ ଦୁର୍ନୀତି କରିଛନ୍ତି। ତେଣୁ ମୁଁ କହିଥିଲି ଯେ ଏହାକୁ ନେଇ ବାରମ୍ବାର ବିଧାନସଭାର ସମୟ ନଷ୍ଟ କରିବାର ଆବଶ୍ୟକତା ନାହିଁ। ଆପଣମାନେ କେସ୍ କରି ତଦନ୍ତ କରନ୍ତୁ। ଦୋଷ କରିଥିଲେ ସେ ଦଣ୍ଡ ପାଇବେ ଓ ଦୋଷ କରି ନଥିଲେ ନିର୍ଦ୍ଦୋଷ ସାବ୍ୟସ୍ତ ହେବେ।   

ଅରବିନ୍ଦଙ୍କ ନିଲମ୍ବନକୁ ନେଇ ବାପା ବିଜୟ ମହାପାତ୍ର କହିଛନ୍ତି, ମୁଁ ହତବାକ୍। ଏଭଳି କଥା ଶୁଣି ଆଶ୍ଚର୍ଯ୍ୟ ହେଲି। କାହିଁକି ଏଭଳି ହେଲା ମୁଁ କିଛି ଜାଣିନି। ମୁଁ ଜାଣିବାରେ ପୁଅ ସେପରି କିଛି କରିନି। ମୁଁ କୌଣସି ଦଳରେ ନାହିଁ, ନିର୍ବାଚନମଣ୍ଡଳୀର ସ୍ବାର୍ଥ ପାଇଁ କାମ କରୁଛି।

ବିଜେଡି ନେତା ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ବହୁତ ଭାବିଚିନ୍ତି ତଥା ସମସ୍ତ ତଥ୍ୟ ସଂଗ୍ରହ କରି ଦଳର ନେତା ନିଷ୍ପତ୍ତି ନିଅନ୍ତି। ଯଦି ସେ ଏ ନିଷ୍ପତ୍ତି ନେଇଛନ୍ତି, ତା’ମାନେ ସେମାନେ ନିଶ୍ଚିତ ଦଳକୁ ଦୁର୍ବଳ କରିବା ପାଇଁ ପ୍ରୟାସ କରିଛନ୍ତି। ସେଥିପାଇଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଅନ୍ୟପକ୍ଷରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଅନେକ ସମୟରେ ବିଜେଡି ବିରୋଧୀ ମନ୍ତବ୍ୟ ଦେଇଥିବାର ନଜିର ରହିଛି। ତା’ସହିତ ସେ ବିଜେପି ଆଡ଼କୁ ଢଳୁଥିବା ତାଙ୍କ ହାବଭାବରୁ ଜଣାପଡ଼ୁଛି। କେନ୍ଦୁଝରରେ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ କାର୍ଯ୍ୟକ୍ରମରେ ସେ ଉପସ୍ଥିତ ରହୁଛନ୍ତି। ଏମିତିକି ଥରେ ବିଧାନସଭା ପରିସରରେ ନବୀନ ତାଙ୍କୁ ସମସ୍ତଙ୍କ ସମ୍ମୁଖରେ ପଚାରିଥିଲେ ଯେ ଆପଣ ବିଜେପିକୁ ଯାଉଛନ୍ତି କି? ଏଣୁ ତାଙ୍କ ନିଲମ୍ବନ ଆଦୌ ଅପ୍ରତ୍ୟାଶିତ ନଥିଲା। ତାଙ୍କ ଉପରେ ବିଜେଡି ଯେକୌଣସି ସମୟରେ କାର୍ଯ୍ୟାନୁଷ୍ଠାନ ନେଇପାରେ ବୋଲି ଆଶଙ୍କା କରାଯାଉଥିଲା।