ବିଜେଡିକୁ ଫେରିବା ନେଇ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କର ଆଉ ଆଶା ନାହିଁ। ଦଳ ବିରୋଧୀ କାର୍ଯ୍ୟ ପାଇଁ ଗତ ମାସରେ ବିଜେଡିରୁ ନିଲମ୍ବିତ ହୋଇଥିବା ଶ୍ରୀ ମହାକୁଡ଼ ଆଜି ଏହି କଥା କହିଛନ୍ତି। ସନାତନ ମହାକୁଡ଼ ବିଜେପି ଆଡ଼କୁ ଢଳୁଥିବା ଆଲୋଚନା ହେଉଥିବା ବେଳେ ସେ କେଉଁ ଦଳକୁ ଯିବେ ବା ଆଗାମୀ ପଦକ୍ଷେପ କ’ଣ ହେବ, ସେ ନେଇ କିଛି କହି ନାହାନ୍ତି।
ଆଜି ବିଧାନସଭା ପରିସରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପ୍ରତିକ୍ରିୟା ଦେଇ ସନାତନ କହିଥିଲେ ଯେ ସେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସ୍ୱାଧୀନ ବିଧାୟକ ଥିଲେ। ଏବେ ପୁଣି ସ୍ୱାଧୀନ ହୋଇଛନ୍ତି। ଅସୁବିଧା କ’ଣ ହେବ? ଜିଲ୍ଲାର ବିକାଶ ପାଇଁ କହିବାରୁ ତାଙ୍କୁ ସସ୍ପେଣ୍ଡ କରାଯାଇଛି। ବିଜେଡିରୁ ସସ୍ପେଣ୍ଡ ହେବା ନେଇ ସେ ଦୁଃଖୀ ନାହାନ୍ତି କି ସୁଖୀ ନାହାନ୍ତି ବୋଲି କହିଛନ୍ତି।
ସନତାନ କହିଛନ୍ତି, ମୁଁ ତ ଜିଲ୍ଲାର ବିକାଶ ପାଇଁ ସଦାବେଳେ ଲାଗିଛି। ରାଜ୍ୟର ବିକାଶ ହେଉ କି ନ ହେଉ ଜିଲ୍ଲାର ବିକାଶ ହେଉ। ଜିଲ୍ଲା ଅଧିକ ରାଜସ୍ୱ ଦେଉଛି। କିନ୍ତୁ ଅଧିକ ରାଜସ୍ୱ ଦେଉଥିବା ଜିଲ୍ଲାର ଯେଉଁ ଅନୁସାରେ ବିକାଶ ହେବା କଥା ତାହା ହୋଇନାହିଁ। ମୁଁ ନବୀନ ପଟ୍ଟନାୟକ କି ପାଣ୍ଡିଆନଙ୍କ ବିରୋଧରେ କେବେ କିଛି କହିନାହିଁ। ମୋ ଉପରେ କାହିଁକି ରାଗ ରଖିଛନ୍ତି, କହିପାରିବି ନାହିଁ। ମୁଖ୍ୟମନ୍ତ୍ରୀ ଆମ ଜିଲ୍ଲାର। ସେ ମୋ ସାନ ଭାଇ। ଯେହେତୁ ମୁଖ୍ୟମନ୍ତ୍ରୀ ଆମ ଜିଲ୍ଲାର ତେଣୁ ବିଜେଡି ହେଉ କି କଂଗ୍ରେସ ଅବା ବିଜେପି ହେଉ ବିକାଶ ପାଇଁ ତାଙ୍କ ସହିତ ଆଲୋଚନା କରିବୁ ନା ନାହିଁ? ତେଣୁ ଜିଲ୍ଲାର ବିକାଶ ପାଇଁ ମୁଁ ତାଙ୍କ ସହିତ କଥାବାର୍ତ୍ତା ହେଲି। ଜିଲ୍ଲାରେ ବର୍ତ୍ତମାନ ବିକାଶ ଧାରା ବଢ଼ି ଚାଲିଛି। ମୋର ଆଉ ବିଜେଡିକୁ ଫେରିବା ଆଶା ନାହିଁ।
ବିଜେଡି ତାଙ୍କ ସହିତ ଅନ୍ୟାୟ କରିଛି କି ବୋଲି ପଚାରିବାରେ ସେ କହିଛନ୍ତି, ନ୍ୟାୟ-ଅନ୍ୟାୟ ମୋର ବୁଝିବାର ନାହିଁ। ମୁଁ ଲୋକଙ୍କ ପାଇଁ କାମ କରିବାକୁ ଅସିଛି। ଲୋକଙ୍କ ପାଇଁ କାମ କରିବି। ବିଧାନସଭାକୁ ଆସିବି।
ସୂଚନାଯୋଗ୍ୟ, ବିଜେଡିରୁ ନିଲମ୍ବିତ ହେବା ପରେ ବିଧାନସଭାରେ ସନାତନ ମହାକୁଡ଼ଙ୍କ ସହିତ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଆସନ ବଦଳି ଯାଇଛି। ସେହିପରି ଆଜିଠାରୁ ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି ବିଜେଡି ବିଧାୟକମାନେ କକ୍ଷତ୍ୟାଗ କରିଥିବା ବେଳେ ଉଭୟ ସନାତନ ଓ ଅରବିନ୍ଦ ନିଜ ନିଜ ଆସନରେ ବସି ରହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/17/sana-2026-02-17-16-44-16.jpg)