/odisha-reporter/media/post_attachments/uploads/2021/01/NAVEEN-PATNAIAK.jpg)
Naveen Patnaik
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ଆଶା କର୍ମୀମାନେ ଚଳିତମାସ ୨୪ରୁ ଘରକୁ ଘର ବୁଲି ସର୍ଭେ କରିବେ। ଗାଁରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରପଂଚମାନେ ଲକଡାଉନ୍ ଓ ଅସ୍ଥାୟୀ ମେଡିକାଲ କେନ୍ଦ୍ର(ଟିଏମସି) ବା କ୍ୱାରେଣ୍ଟାଇନ କେନ୍ଦ୍ର ଖୋଲିବା ଭଳି ନିଷ୍ପତ୍ତି ନେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
କରୋନା ପରିସ୍ଥିତି ଉପରେ ଆଲୋଚନା ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଜି ସର୍ବଦଳୀୟ ବୈଠକ ଡାକିଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଭିନ୍ନ ଦଳର ବିଧାୟକମାନେ ଭର୍ଚୁଆଲ ମୋଡରେ ସାମିଲ ହୋଇ କରୋନା ମୁକାବିଲା ନେଇ ସରକାରଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ।
ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ପ୍ରତି ଗାଁରେ ଥିବା ଗାଁ କଲ୍ୟାଣ ସମିତିକୁ କୋଭିଡ୍ ମୁକାବିଲା ଓ ନିୟନ୍ତ୍ରଣ କାର୍ଯ୍ୟରେ ସାମିଲ କରାଯିବ । ସେମାନଙ୍କୁ ଏଥିପାଇଁ ପ୍ରୋତ୍ସାହନ ମଧ୍ୟ ମିଳିବ। ଚଳିତମାସ ୨୪ରୁ ଆସନ୍ତା ୩ମାସ ପାଇଁ ରାଜ୍ୟବ୍ୟାପୀ ସର୍ଭେ କରାଯିବ । ଏଥିପାଇଁ ଆଶ ଓ ଏଏନଏମ୍ ଦିଦିମାନେ ଘରକୁ ଘର ବୁଲି କୋଭିଡ୍ ଲକ୍ଷଣ ଓ ଜଟିଳ ରୋଗ ସମ୍ପର୍କରେ ସର୍ଭେ କରିବେ। ଏଥିପାଇଁ ସେମାନଙ୍କୁ ୩ ମାସ ପାଇଁ ମାସିକ ୧ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦିଆଯିବ। ଏହାସହିତ ଗାଁ କଲ୍ୟାଣ ସମିତିଗୁଡ଼ିକୁ ମଧ୍ୟ କୋଭିଡ୍ ନିୟନ୍ତ୍ରଣ ପାଇଁ ୧୦ହଜାର ଟଙ୍କା ସହାୟତା ଦିଆଯିବ। ଏବେ ସମଗ୍ର ରାଜ୍ୟରେ ୪୬୧୦୬ଟି ଗାଁ କଲ୍ୟାଣ ସମିତି ରହିଛି।
କୋଭିଡ୍ ସଂକ୍ରମିତ ରୋଗୀମାନେ ଗୃହ ସଙ୍ଗରୋଧ ରହିଥିବାବେଳେ ଏହାର ତଦାରଖ ଦାୟିତ୍ୱରେ ଥିବା ଆଶାକର୍ମୀମାନଙ୍କୁ ସାଇକେଲ, ଚପଲ, ଛତା, ଟର୍ଚ୍ଚ ଓ କପବୋର୍ଡ ଆଦି ପାଇଁ ଏକକାଳୀନ ୧୦ହଜାର ଟଙ୍କା ସହାୟତା ଦିଆଯିବ। ଗାଁର ଆବଶ୍ୟକତାକୁ ଦେଖି ଟିଏମସି ଖୋଲିବା ଓ ଲକଡାଉନ୍ କାର୍ଯ୍ୟକାରୀ କରିବା ନିଷ୍ପତ୍ତି ସରପଂଚମାନେ ନେଇପାରିବେ। ଏଥିପାଇଁ ସରପଂଚମାନେ ସେମାନଙ୍କୁ ମିଳିଥିବା ଜିଲ୍ଲାପାଳ କ୍ଷମତାର ପ୍ରୟୋଗ କରିପାରିବେ।
ଚଳିତବର୍ଷ ରାଜ୍ୟକୁ ଫେରୁଥିବା ପ୍ରବାସୀଙ୍କ ସଂଖ୍ୟା କମ୍ ଥିଲେ ମଧ୍ୟ ସରକାର ଜୋନାଲ ଟିଏମସି କାର୍ଯ୍ୟକ୍ଷମ କରାଇଛନ୍ତି। କରୋନାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ବିଧବା ଓ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ ସହିତ ସେହି ପିଲାମାନଙ୍କର ମାଗଣା ଶିକ୍ଷା ବ୍ୟବସ୍ଥା କରାଯିବ। କୋଭିଡ୍ ମୁକାବିଲାରେ ହିଁ ସରକାର ଆରମ୍ଭରୁ ପଂଚାୟତ ଓ ଗାଁ କଲ୍ୟାଣ ସମିତିକୁ ସାମିଲ କରିଛନ୍ତି। ଲୋକଙ୍କୁ ସେବା ଯୋଗାଇବା ପାଇଁ ଏଏନଏମ, ଆଶା, ଅଙ୍ଗନବାଡ଼ି କର୍ମୀ ଓ ମିଶନ ଶକ୍ତି ଗୋଷ୍ଠୀ ଆଦି ସମସ୍ତଙ୍କୁ ସାଥିରେ ନେଇ କୋଭିଡ୍ ପରିଚାଳନା କାମ ଜାରି ରହିଛି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏବେ କୋଭିଡର ଦ୍ୱିତୀୟ ଲହର ଚାଲିଛି । ଆଗକୁ ଆଉ କେତେ ଲହର ଓ କେତେ ପ୍ରକାରର କରୋନା ଆସିବ ତଥା ମୁକାବିଲା କରିବାକୁ ପଡ଼ିବ ତାହା କେହି ଜାଣିନାହାନ୍ତି । ଦ୍ୱିତୀୟ ଲହରର ପ୍ରଭାବ ହ୍ରାସ ପାଇଁ ଏବେ ଲକଡାଉନ୍ କରାଯାଇଛି। କିନ୍ତୁ ଲକଡାଉନ୍ ଏହାର ସମାଧାନ ନୁହେଁ। ଅନେକ ଲୋକଙ୍କ ଜୀବିକା ଗଭୀର ଭାବେ ପ୍ରଭାବିତ ହେଉଛି। ଏହା ଏକ ଲମ୍ବା ଲଢ଼େଇ । ତେଣୁ ଲୋକଙ୍କୁ କୋଭିଡ୍ ଗାଇଡଲାଇନ୍ ପାଳନ ଉପରେ ଅଧିକ ସଚେତନ କରାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
କରୋନା ମୁକାବିଲା ପାଇଁ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ମାନବ ସମ୍ବଳ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ଏବେ ୭୮୬ଜଣ ଡାକ୍ତର ଓ ୫୧୩୭ଜଣ ପାରାମେଡିକାଲ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏହାସହିତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦେବା ପାଇଁ ପଦକ୍ଷେପ ନିଆଯାଇଛି।
ସେହିପରି ଅନ୍ୟ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ ଉପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିଜ ରାଜ୍ୟର ଚାହିଦା ପୂରଣ ସହିତ ଓଡ଼ିଶା ଅନ୍ୟରାଜ୍ୟକୁ ମଧ୍ୟ ଅକ୍ସିଜେନ୍ ଯୋଗାଇ ବହୁ ମୂଲ୍ୟ ଜୀବନକୁ ରକ୍ଷା କରିପାରୁଛି। ତ୍ରୁଟିଶୂନ୍ୟ ଅକ୍ସିଜେନ୍ ଯୋଗାଣ ପାଇଁ ଅଧିକ ଅକ୍ସିଜେନ୍ ସିଲିଣ୍ଡର, ରିଫିଲିଂ ଓ ପରିବହନ କାର୍ଯ୍ୟ ତଦାରଖ କରାଯାଉଛି। ଅକ୍ସିଜେନ୍ ଯୋଗାଣର ସୁପରିଚାଳନା ପାଇଁ ଟାସ୍କଫୋର୍ସ ଗଠନ ହେବ ଓ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏସବୁ ବ୍ୟତୀତ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଧାୟକମାନଙ୍କୁ ନିଜ ତଥା ନିଜ ପରିବାର ଯତ୍ନ ନେବାକୁ ପରାମର୍ଶ ଦେବା ସହ କୋଭିଡ୍ ପରିଚାଳନା କାର୍ଯ୍ୟ ବିଶେଷତଃ ଗରିବ ଲୋକଙ୍କୁ ମାସ୍କ ବାଣ୍ଟିବା ପାଇଁ ବିଧାୟକ ପାଣ୍ଠିରୁ ୫୦ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କଂଗ୍ରେସ ଓ ବିଜେପି ବିଧାୟକମାନେ ରାଜ୍ୟରେ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ୍ ଓ ଶଟଡାଉନ୍ ଅବଧି ବୃଦ୍ଧି, ଅଧିକ ସଂଖ୍ୟକ କୋଭିଡ୍-୧୯ ପରୀକ୍ଷା କେନ୍ଦ୍ର କରିବା, ଅକ୍ସିଜେନ ଯୋଗାଣକୁ ସୁବ୍ୟବସ୍ଥିତ କରିବା, ଗାଁରେ ଟିଏମସି କେନ୍ଦ୍ର ଖୋଲିବା ସହ ହସ୍ପିଟାଲଗୁଡ଼ିକରେ ଅଧିକ ସଂଖ୍ୟକ କୋଭିଡ୍ ବେଡ୍ ବୃଦ୍ଧି ପାଇଁ ପରାମର୍ଶ ଦେଇଥିଲେ।
ଏହି ବୈଠକରେ ବାଚସ୍ପତି ଶ୍ରୀ ପାତ୍ର କୋଭିଡ୍ ସଂକ୍ରମଣ ରୋକିବା ପାଇଁ କାର୍ଯ୍ୟ କରିବା ନିମନ୍ତେ ବିଧାୟକମାନଙ୍କୁ ଶପଥ ପାଠ କରାଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
