
FILE PHOTO
ଅନୁଗୁଳ ଜିଲ୍ଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳରୁ ଗ୍ରାମବାସୀଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଓ ମାନବାଧିକାର କ୍ଷୂଣ୍ଣ ହୋଇଥିବା ଅଭିଯୋଗକୁ ଗୁରୁତ୍ୱର ସହ ନେଇଛନ୍ତି ଓଡ଼ିଶା ରାଜ୍ୟ ମାନବାଧିକାର ଆୟୋଗର୍ସ ଏହି ମାମଲାରେ ରାଜ୍ୟ ସରକାରଙ୍କୁ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ ଓ ରିପୋର୍ଟ ଦାଖଲ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।
ବିଶେଷକରି ଜଙ୍ଗଲ ଅଧିକାର ଆଇନ-୨୦୦୬ ଅନୁଯାୟୀ ଲୋକଙ୍କ ଅଧିକାର ସମ୍ପୂର୍ଣ୍ଣ ଭାବେ ସାବ୍ୟସ୍ତ ନହେବା ପର୍ଯ୍ୟନ୍ତ ଓ ବୈଧ ଗ୍ରାମସଭା ନିଷ୍ପତ୍ତିି ବିନା ସାତକୋଶିଆର ବଫର, ଫ୍ରିଞ୍ଜ୍ କିମ୍ବା ରିଙ୍ଗଆଉଟ୍ ଅଞ୍ଚଳରୁ କୌଣସି ସ୍ଥାନାନ୍ତର କାର୍ଯ୍ୟ ନକରିବାକୁ ଆୟୋଗ ସ୍ପଷ୍ଟ କରିଛନ୍ତି।
ସ୍ଥାନାନ୍ତର ପ୍ରକ୍ରିୟାକୁ ବିରୋଧ କରି ଆୟୋଗଙ୍କ ଦ୍ୱାରସ୍ଥ
ସାତକୋଶିଆ ଅଭୟାରଣ୍ୟ ଓ ପ୍ରଜା ସୁରକ୍ଷା ସମିତିର ସଭାପତି ନବକିଶୋର ବିଶୋୟୀ ଓ ଅନ୍ୟ ପ୍ରଭାବିତ ବ୍ୟକ୍ତିମାନେ ପ୍ରଶାସନର ଏହି ସ୍ଥାନାନ୍ତର ପ୍ରକ୍ରିୟାର ବୈଧତା ଓ ଉପରେ ପ୍ରଶ୍ନ ଉଠାଇ ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ ।
ସାତକୋଶିଆ(Satakosia) ବ୍ୟାଘ୍ର ଅଭୟାରଣ୍ୟ ଅଂଚଳ ଅନ୍ତର୍ଗତ ଭୁରୁକୁଣ୍ଡି, ଅସନବାହାଲ, କାତରଙ୍ଗା, ତୁଳୁକା, ଟିକରପଡ଼ା ଓ ଗୋପାଳପୁର ପରି ଗ୍ରାମରୁ ଲୋକଙ୍କୁ ସ୍ଥାନାନ୍ତର କରିବା ସମୟରେ ସେମାନଙ୍କ ଜଙ୍ଗଲ ଅଧିକାରକୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି । ଆୟୋଗ ଏହି ମାମଲାର ଶୁଣାଣି କରି ଉପଯୁକ୍ତ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ସମାଧାନ ନକରି ସ୍ଥାନାନ୍ତର କରାଯିବା ଆଇନଗତ ଭାବେ ଅସିଦ୍ଧ ବୋଲି କହିଥିବା ଜଣାପଡ଼ିଛି ।
ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ ଓ ୬ମାସ ସୁଦ୍ଧା ତଦନ୍ତ ରିପୋର୍ଟ
ଏହି ଗୁରୁତର ଅଭିଯୋଗର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । କମିଟିରେ ଜଙ୍ଗଲ ଓ ପରିବେଶ ବିଭାଗ, ରାଜସ୍ୱ ବିଭାଗ, ଆଇନ ବିଭାଗର ସଚିବ ଓ ଜଣେ ସ୍ୱାଧୀନ ବିଶେଷଜ୍ଞଙ୍କୁ ସଦସ୍ୟ ଭାବେ ରଖିବାକୁ କୁହାଯାଇଛି । ମୁଖ୍ୟ ସଚିବଙ୍କୁ ଆସନ୍ତା ୬ ସପ୍ତାହ ମଧ୍ୟରେ ଏହି କମିଟି ଗଠନ କରି ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଉ କମିଟିକୁ ଆସନ୍ତା ୬ ମାସ ମଧ୍ୟରେ ତଦନ୍ତ ଶେଷ କରି ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି । ଏଥିସହ ନିୟମ ଉଲ୍ଲଂଘନ କରିଥିବା ଅଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ବିଭାଗୀୟ ତଥା ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ନିମନ୍ତେ ମଧ୍ୟ ଆୟୋଗ ସୁପାରିଶ କରିଥିବା ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
