Advertisment

SC Slams : ପୁଲିସ ଡିଜିଙ୍କୁ ସୁପ୍ରିମକୋର୍ଟଙ୍କ ଶୋ’କଜ୍ ନୋଟିସ୍‌ , ଅଡ଼ୁଆରେ କ୍ରାଇମବ୍ରାଂଚ ଡିଜି, ସରକାରଙ୍କୁ ରିପୋର୍ଟ

ଏଭଳି ଚରମ ଅବହେଳା ପାଇଁ କାହିଁକି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ପୁଲିସ ଡିଜିଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରି ଡିସେମ୍ବର ୧୫ତାରିଖରେ ସୁଦ୍ଧା ବ୍ୟକ୍ତିଗତ ସତ୍ୟପାଠ ଦାଖଲ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

SC-Odisha-Police

Supreme Court directions(pic)

Advertisment

ସଡ଼କ ଦୁର୍ଘଟଣା ବୀମା ଜାଲିଆତି ମାମଲାର ତଦନ୍ତରେ ‘ଅତ୍ୟନ୍ତ ଖାମଖିଆଲି ମନୋଭାବ’ ପ୍ରଦର୍ଶନ କରିବା ଓ କ୍ରାଇମବ୍ରାଂଚକୁ ତଦନ୍ତ ହସ୍ତାନ୍ତର କରିବା ପୁଲିସ ଡିଜି ୱାଇବି ଖୁରାନିଆଙ୍କୁ ମହଙ୍ଗା ପଡ଼ିଛି । ସୁପ୍ରିମକୋର୍ଟ କଡ଼ା ଭର୍ତ୍ସନା କରିବା ସହ କାହିଁକି କାର୍ଯ୍ୟାନୁଷ୍ଠାନ ନିଆ ନଯିବ ସେନେଇ ପୁଲିସ ଡିଜିଙ୍କୁ କୈଫୟିତ ତଲବ କରି ୧୫ତାରିଖ ସୁଦ୍ଧା ବ୍ୟକ୍ତିଗତ ସତ୍ୟପାଠ ଦାଖଲ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଆଉ ସୁପ୍ରିମକୋର୍ଟଙ୍କ ଏଭଳି କଡ଼ା ଆଭିମୁଖ୍ୟ ପରେ ରାଜ୍ୟ ପୁଲିସ ମୁଖ୍ୟାଳୟରେ କମ୍ପନ ସୃଷ୍ଟି ହୋଇଛି । ଡିଜିପି ଶ୍ରୀ ଖୁରାନିଆ ଏନେଇ କ୍ରାଇମବ୍ରାଂଚ ଡିଜି ବିନୟତୋଷ ମିଶ୍ରଙ୍କ ଉପରେ କ୍ଷୁବ୍ଧ ହେବା ସହ ତାଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରିଥିବା ଓ ରାଜ୍ୟ ସରକାରଙ୍କୁ ଏନେଇ ମଧ୍ୟ ଅବଗତ କରାଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି ।

Advertisment


ଡିଜିପିଙ୍କ ଦାୟିତ୍ୱହୀନତା, ସୁପ୍ରିମକୋର୍ଟ ବର୍ଷିଲେ, ଲଜ୍ଜିତ ହେଲା ପୁଲିସ


ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲା ଓ ଜଷ୍ଟିସ ପ୍ରସନ୍ନ ବି. ଭରାଲେଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ପୁଲିସ ଡିଜିଙ୍କ କାର୍ଯ୍ୟଶୈଳୀକୁ କଡ଼ା ଭର୍ତ୍ସନା କରିଛନ୍ତି । ଏକ ସଡ଼କ ଦୁର୍ଘଟଣା ମାମଲାରେ ବୀମାରାଶି ପ୍ରଦାନକୁ ନେଇ ଉପୁଜିଥିବା ବିବାଦ ଓ ଜାଲିଆତି ଆଶଙ୍କା କରି ଖଣ୍ଡପୀଠ ଗତ ମାର୍ଚ୍ଚ ୬ତାରିଖରେ ଏହାର ଏସଆଇଟି ତଦନ୍ତ ସହ ମାସକ ମଧ୍ୟରେ ରିପୋର୍ଟ ଦାଖଲ ନିମନ୍ତେ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ ।  ମାତ୍ର ପୁଲିସ ଡିଜି ଏହି ମାମଲାର ତଦନ୍ତର ତଦାରଖ ନିଜେ କରିବା ପରିବର୍ତ୍ତେ ଏହାକୁ କ୍ରାଇମବ୍ରାଂଚକୁ ହସ୍ତାନ୍ତର କରିଥିଲେ । ଆଉ କ୍ରାଇମବ୍ରାଂଚର ବରିଷ୍ଠ ଅଫିସରମାନେ ଏଥିପ୍ରତି ବିଶେଷ ଗୁରୁତ୍ୱ ନଦେଇ ଜଣେ ଡିଏସପି ପାହ୍ୟାର ଅଫିସରଙ୍କ ଉପରେ ଛାଡ଼ି ଦେଇ ଚୁପ୍ ବସିଯାଇଥିଲେ ।


ଖଣ୍ଡପୀଠ ନଭେମ୍ବର ୨୭ତାରିଖରେ ଶୁଣାଣିବେଳେ ପୁଲିସ ଡିଜିଙ୍କ ଏଭଳି ଦାୟିତ୍ୱହୀନତାକୁ ଖାମଖିଆଲି ମନୋଭାବ ବୋଲି ବିବେଚନା କରି ଡିସେମ୍ବର ୧୫ତାରିଖ ସୁଦ୍ଧା ତାଙ୍କୁ ‘ବ୍ୟକ୍ତିଗତ ସତ୍ୟପାଠ’ ଦାଖଲ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ।  ଖଣ୍ଡପୀଠ କହିଛନ୍ତି ଯେ, କୋର୍ଟ ସିଧାସଳଖ ପୁଲିସ ଡିଜିଙ୍କୁ ଏହି ତଦନ୍ତର ଦାୟିତ୍ୱ ଦେଇଥିଲେ । କିନ୍ତୁ ତଦନ୍ତକାରୀ ଡିଏସପି ଏନେଇ ବିଶେଷ ତଦନ୍ତ ନକରି ରିପୋର୍ଟ ଦାଖଲ କରିଦେଇଛନ୍ତି । ଏପରିକି ବୀମା କମ୍ପାନୀଠାରୁ ଆବଶ୍ୟକ ଦସ୍ତାବିଜ ମାଗିବାକୁ ଉଚିତ୍ ମଣିନଥିଲେ କିମ୍ବା ତାଙ୍କର ତଦନ୍ତ ରିପୋର୍ଟକୁ ମଧ୍ୟ ପୁଲିସ ଡିଜି ଯାଂଚ କରିନଥିଲେ ବୋଲି ଖଣ୍ଡପୀଠ ଜାଣିବାକୁ ପାଇଛନ୍ତି । 

Advertisment


 ଏଭଳି ଚରମ ଅବହେଳା ପାଇଁ କାହିଁକି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ପୁଲିସ ଡିଜିଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରି ଡିସେମ୍ବର ୧୫ତାରିଖରେ ପରବର୍ତ୍ତୀ ଶୁଣାଣି ସୁଦ୍ଧା ବ୍ୟକ୍ତିଗତ ସତ୍ୟପାଠ ଜରିଆରେ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଉ ଏହି ଅବଧି ସୁଦ୍ଧା ତଦନ୍ତ ସମ୍ପୂର୍ଣ୍ଣ ନକଲେ କୋର୍ଟ ଆହୁରି କଠୋର ଆଭିମୁଖ୍ୟ ଗ୍ରହଣ କରିବେ ବୋଲି ଖଣ୍ଡପୀଠ ଚେତାବନୀ ଦେଇଛନ୍ତି । ତଦନ୍ତ ପ୍ରକ୍ରିୟାରେ କ୍ରାଇମବ୍ରାଂଚର ଅବହେଳା ଓ ମାମଲାକୁ ହାଲୁକା ଭାବେ ଗ୍ରହଣ କରିବାର ମନୋଭାବ ଯୋଗୁଁ ସୁପ୍ରିମକୋର୍ଟରେ ମଧ୍ୟ ଓଡ଼ିଶା ପୁଲିସକୁ ଲଜ୍ଜିତ ହେବାକୁ ପଡ଼ିଛି ।


କ୍ରାଇମବ୍ରାଂଚ ଡିଜି ଅଡ଼ୁଆରେ, ପୁଲିସ କରିଡ଼ରରେ ଚର୍ଚ୍ଚା


ପୁଲିସ ମୁଖ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ଯେ, ସୁପ୍ରିମକୋର୍ଟଙ୍କ ଏଭଳି କଠୋର ଆଭିମୁଖ୍ୟ ପରେ ପୁଲିସ ଡିଜି ୱାଇବି ଖୁରାନିଆ କ୍ରାଇମବ୍ରାଂଚ ଉପରେ କ୍ଷୁବ୍ଧ ହୋଇଛନ୍ତି । ସୁପ୍ରିମକୋର୍ଟରେ ଡିଏସପିଙ୍କ ଦ୍ୱାରା ଯେଉଁ ଏସଆଇଟି(ସ୍ୱତନ୍ତ୍ର ତଦନ୍ତ କମିଟି) ରିପୋର୍ଟ ଦାଖଲ କରାଗଲା ତାକୁ କାହିଁକି କୌଣସି ବରିଷ୍ଠ ଅଫିସର ଯାଂଚ କରିଲେ ନାହିଁ ବୋଲି କ୍ରାଇମବ୍ରାଂଚ ଡିଜି ବିନୟତୋଷ ମିଶ୍ରଙ୍କୁ ପ୍ରଶ୍ନ କରିଥିବା ଜଣାପଡ଼ିଛି । ଏପରିକି ତଦନ୍ତ ଭାର କ୍ରାଇମବ୍ରାଂଚ ଦିଆଯାଇଥିବା କହି ପୁଲିସ ଡିଜି ନିଜ ଦୋଷ ଛଡ଼ାଇବାକୁ ପ୍ରୟାସ କରୁଥିବା ଏବଂ କ୍ରାଇମବ୍ରାଂଚ ଡିଜି ଶ୍ରୀ ମିଶ୍ରଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ଏହି ମାମଲାର ତଦନ୍ତ ପ୍ରକ୍ରିୟାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ଓ ରାଜ୍ୟ ସରକାରଙ୍କୁ ମଧ୍ୟ ପୁଲିସ ଡିଜି ଶ୍ରୀ ଖୁରାନିଆ ତାଙ୍କ ବିରୁଦ୍ଧରେ ପ୍ରତିକୂଳ ରିପୋର୍ଟ ପଠାଇଥିବା ପୁଲିସ ମୁଖ୍ୟାଳୟରେ ଚର୍ଚ୍ଚା ହେଉଛି । 


କେଉଁ ମାମଲା ପାଇଁ ସୁପ୍ରିମକୋର୍ଟ ହେଲେ କଠୋର ?


୨୦୧୭ ଅକ୍ଟୋବର ୧୯ତାରିଖରେ ଘଟିଥିବା ଏକ ରାସ୍ତା ଦୁର୍ଘଟଣାକୁ ନେଇ ‘ଦି ଓରିଏଂଟାଲ୍ ଇନସ୍ୟୁରାନ୍ସ କଂପାନୀ ଲିମିଟେଡ୍ ବନାମ ଟୁନି ପତି ଓ ଅନ୍ୟମାନେ' ମାମଲାରେ ରାଜ୍ୟ ପୁଲିସର ଖାମଖିଆଲି ମନୋଭାବକୁ ନେଇ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ଏହି ଦୁର୍ଘଟଣା ମାମଲାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । 

କିନ୍ତୁ ବୀମା କମ୍ପାନୀ ଅଭିଯୋଗ କରିଥିଲା ଯେ, ମାତ୍ର ବର୍ଷକ ମଧ୍ୟରେ ସେହି ସମାନ ଗାଡ଼ିକୁ ବ୍ୟବହାର କରି ୫ଟି ଅଲଗା ଅଲଗା ସଡ଼କ ଦୁର୍ଘଟଣା ମାମଲାରେ କ୍ଷତିପୂରଣ ଦାବି କରାଯାଇଛି । ଯାହାକି ଏକ ବଡ଼ଧରଣର ଜାଲିଆତି ବୋଲି ବୀମା କମ୍ପାନୀ ସନ୍ଦେହ କରି ସୁପ୍ରିମକୋର୍ଟ ଯାଇଛି । ଏହି ଜାଲିଆତିର ସତ୍ୟାସତ୍ୟ ଜାଣିବା ପାଇଁ ସୁପ୍ରିମକୋର୍ଟ ମାର୍ଚ୍ଚ ୬ତାରିଖରେ ଏସଆଇଟି  ତଦନ୍ତ ପାଇଁ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବୀମା କମ୍ପାନୀ ଦେଇଥିବା ଦସ୍ତାବିଜଗୁଡ଼ିକ ଅସ୍ପଷ୍ଟ ଥିବା ଦର୍ଶାଇ କ୍ରାଇମବ୍ରାଂଚର ତଦନ୍ତକାରୀ ଅଧିକାରୀ  ଚୁପ୍ ବସିଯାଇଥିଲେ ଓ ଅଧିକ ତଥ୍ୟ ମଧ୍ୟ ମାଗିନଥିଲେ , ଯାହାକୁ ନେଇ କୋର୍ଟ କ୍ଷୁବ୍ଧ ହୋଇଛନ୍ତି । ପୁଲିସ ଡିଜି ନିଜେ ତଦନ୍ତର ତଦାରଖ ନକରି ଡିଏସପି ପାହ୍ୟାର ଅଫିସରଙ୍କ ଉପରେ ଏହାକୁ ନ୍ୟସ୍ତ କଲେ ଓ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯିବ ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି ।


ଉଲ୍ଲେଖଯୋଗ୍ୟ, ଏହି ସଡ଼କ ଦୁର୍ଘଟଣା ମାମଲାରେ ହୋଇଥିବା ଏଫଆଇଆରରେ ପୁଲିସର ତ୍ରୁଟି ଥିବା ଓ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ସୁରକ୍ଷା ଦେବାକୁ ଜାଲ ଗାଡ଼ିର ନମ୍ବର ଦିଆଯାଇଥିବା ସନ୍ଦେହ କରାଯାଉଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe