Advertisment

Police SI Exam Scam: କେଳେଙ୍କାରୀ ମୁଖ୍ୟ ଗିରଫ ପରେ ବି ‘ସିଲିକନ୍‌’ ପ୍ରେମରେ ଓଡ଼ିଶା ପୁଲିସ, ପୁଣି ଗୋଟିଏ ପୁଲିସ୍ ପରୀକ୍ଷା ଦାୟିତ୍ୱ ଦେବାକୁ ମସୁଧା

ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ପଦାକୁ ଆସିବାର ମାସେ ପରେ ମଧ୍ୟ ‘ଆଇଆଇଟି ଲିମିଟେଡ’ ସହ ଚୁକ୍ତିକୁ ଓଡ଼ିଶା ପୁଲିସ ବାତିଲ କରିବାକୁ ମଧ୍ୟ ଆଗ୍ରହ ଦେଖାଇନାହିଁ କି ମୁଖ୍ୟମନ୍ତ୍ରୀଙ୍କ ଘୋଷଣାର ୧୫ଦିନ ପରେ ମଧ୍ୟ ସ୍ୱତନ୍ତ୍ର ନିଯୁକ୍ତି ଆୟୋଗ ଗଠନ ପ୍ରକ୍ରିୟା ଆରମ୍ଭ ହୋଇନି।

author-image
Odisha Reporter
Odisha-Police-Signal

Minutes of State Selection Board(Constable- signal) Technical committee (extract)

ଓଡ଼ିଶା ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତିର ମାଷ୍ଟରମାଇଣ୍ଡ ତଥା ସିଲିକନ୍ ଟେକଲାବ୍ ଲିମିଟେଡ୍ ମୁଖ୍ୟ ସୁରେଶ କୁମାର ନାୟକ ଗିରଫ ପରେ ମଧ୍ୟ ଏହି ଘରୋଇ ସଂସ୍ଥା ପ୍ରେମରୁ ଓଡ଼ିଶା ପୁଲିସ ମୁକୁଳି ପାରୁନାହିଁ । ‘ସିଲିକନ୍‌’ ପ୍ରେମରେ ଓଡ଼ିଶା ପୁଲିସର ଅଫିସରମାନେ ଏଭଳି ଅନ୍ଧ ହୋଇଯାଇଛନ୍ତି ଯେ, ଏହି ଦାଗୀ ତଥା ବିବାଦୀୟ ଘରୋଇ କମ୍ପାନୀ ହାତରେ ଓଡ଼ିଶା ପୁଲିସର ଆଉ ଗୋଟିଏ ନିଯୁକ୍ତି ପରୀକ୍ଷା ଟେକିଦେବାକୁ ମସୁଧା ଚାଲିଛି । ପ୍ରାୟ ୩୦୦ଟି କନେଷ୍ଟବଳ(ସିଗନାଲ) ପଦବୀରେ ନିଯୁକ୍ତି ପରୀକ୍ଷା ଦାୟିତ୍ୱ ‘ସିଲିକନ୍ ଟେକଲାବ’କୁ ଦେବା ନିମନ୍ତେ ଗତମାସ ୨୩ତାରିଖରେ ବୈଷୟିକ କମିଟି ମଞ୍ଜୁରୀ ଦେଇସାରିଛି । ଏପଟେ ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ପଦାକୁ ଆସିବାର ମାସେ ପରେ ମଧ୍ୟ ‘ଆଇଆଇଟି ଲିମିଟେଡ’ ସହ ହୋଇଥିବା ଚୁକ୍ତିକୁ ଓଡ଼ିଶା ପୁଲିସ ବାତିଲ କରିବାକୁ ମଧ୍ୟ ଆଗ୍ରହ ଦେଖାଇନାହିଁ । କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣାର ୧୫ଦିନ ପରେ ମଧ୍ୟ ପୁଲିସ ଓ ୟୁନିଫର୍ମ ସେବା ନିମନ୍ତେ ସ୍ୱତନ୍ତ୍ର ନିଯୁକ୍ତି ଆୟୋଗ ଗଠନ ନିମନ୍ତେ ରାଜ୍ୟ ସରକାର ସାମାନ୍ୟତମ ପ୍ରକ୍ରିୟା ଆରମ୍ଭ କରିନଥିବା ଜଣାପଡ଼ିଛି ।

Advertisment


‘ସିଲିକନ୍‌’କୁ ଯୋଗ୍ୟ ଦର୍ଶାଇଲା ରାଜ୍ୟ ପୁଲିସ ଚୟନ ବୋର୍ଡ


ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷାର ସମ୍ପୂର୍ଣ୍ଣ ଦାୟିତ୍ୱ ସିଲିକନ୍ ଟେକଲାବ ମୁଖ୍ୟ ସୁରେଶ କୁମାର ନାୟକ ଉପରେ ନ୍ୟସ୍ତ ଥିଲା ବୋଲି କ୍ରାଇମବ୍ରାଂଚ ଗତ ୩ତାରିଖରେ ଏକ ପ୍ରେସ୍ ରିଲିଜ୍ ଜାରି କରିଥିଲା । ପରୀକ୍ଷାର ପ୍ରଶ୍ନପତ୍ର ପ୍ରସ୍ତୁତି, ପ୍ରିଣ୍ଟି ଓ ପରିବହନ ଦାୟିତ୍ୱ ସୁରେଶଙ୍କର ରହିଥିବାବେଳେ ପଂଚସଫ୍ଟ ମାଲିକ ଶଙ୍କର ପୃଷ୍ଟିକୁ ସେ ଫେରାର ହେବା ପାଇଁ କିଭଳି ସହଯୋଗ କରୁଥିଲେ ତା’ର ମଧ୍ୟ ତଥ୍ୟ କ୍ରାଇମବ୍ରାଂଚ ଦେଇଛି । ଆଉ ସୁରେଶ ଓ ଶଙ୍କର ଗିରଫ ପରେ ସେମାନଙ୍କର ରାଜ୍ୟ ସରକାର ଓ ଓଡ଼ିଶା ପୁଲିସରେ କେଉଁମାନେ ‘ଗଡ଼ଫାଦର’ ରହିଛନ୍ତି ତାକୁ ନେଇ ଚର୍ଚ୍ଚା-ଆଲୋଚନା ମଧ୍ୟରେ ଏବେ ଏକ ନୂଆ ତଥ୍ୟ ପଦାକୁ ଆସିଛି ।


 ଓଡ଼ିଶା ପୁଲିସର ଚୟନ ବୋର୍ଡ ଅଧ୍ୟକ୍ଷ ତଥା ଏଡିଜି ସଞ୍ଜିବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗତ ସେପ୍ଟେମ୍ବର ୨୩ତାରିଖରେ ଅନୁଷ୍ଠିତ ବୈଷୟିକ କମିଟି ବୈଠକରେ କନେଷ୍ଟବଳ(ସିଗନାଲ) ନିଯୁକ୍ତି ପରୀକ୍ଷା ନିମନ୍ତେ ସିଷ୍ଟମ ଇମ୍ପ୍ଲିମେଣ୍ଟେସନ୍ ପାର୍ଟନର(ଏସଆଇପି) ଭାବେ ସିଲିକନ୍ ଟେକଲାବକୁ ଯୋଗ୍ୟ ବିବେଚିତ କରାଯାଇଛି । ଅଲଇଣ୍ଡିଆ ମ୍ୟାନେଜମେଂଟ ଆସୋସିଏସନ୍ (ଏଆଇଏମଏ)  ଓ ସିଲିକନ୍ ଟେକଲାବ୍ ଉଭୟ ପରବର୍ତ୍ତୀ ଆର୍ଥିକ ବିଡ୍ ପର୍ଯ୍ୟାୟ ନିମନ୍ତେ ଯୋଗ୍ୟତା ଅର୍ଜନ କରିଛନ୍ତି । ଏଡିଜି ଶ୍ରୀ ପଣ୍ଡା ମଧ୍ୟ ବିଧିବଦ୍ଧ ଭାବେ ସେପ୍ଟେମ୍ବର ୨୩ତାରିଖରେ  ଡିଆଇଜି(ପ୍ରୋଭିଜନିଂ)ଙ୍କୁ ଚିଠି ଲେଖି ଏହି ଦୁଇ ଫାର୍ମର ଫାଇନାନ୍ସିଆଲ ବିଡ୍ ଖୋଲି କ୍ୟୁସିବିସି ଆଧାରରେ ତା’ର ମୂଲ୍ୟାଙ୍କନ କରିବାକୁ ସୁପାରିଶ କରିଛନ୍ତି । ଏବେ ଏହି ଟେଣ୍ଡରର ଆର୍ଥିକ ବିଡ୍ ଖୋଲାଯିବା ପ୍ରକ୍ରିୟା ଜାରି ରହିଥିବା ଜଣାପଡ଼ିଛି । 

Advertisment


ଭାରତୀୟ ସମ୍ବିଧାନର ଧାରା ୧୪ ଅନୁଯାୟୀ, ଆଇନ ଆଗରେ ସମସ୍ତେ ସମାନ, କିନ୍ତୁ ଗୋଟିଏ ଦାଗୀ ସଂସ୍ଥାକୁ ଅନୁଗ୍ରହ ପ୍ରଦାନ କରି ଓଡ଼ିଶା ପୁଲିସ ଖୋଲାଖୋଲି ଭାବେ ସରକାରୀ ନିଯୁକ୍ତିରେ ସ୍ୱଚ୍ଛତା ଓ ସାର୍ବଜନୀନ ବିଶ୍ୱାସକୁ କ୍ଷୂଣ୍ଣ କରୁଛି । ଓଡ଼ିଶା ପ୍ରୋକ୍ୟୁରମେଂଟ ନିୟମର ଧାରା ୮ ଅନୁଯାୟୀ ଠକେଇ, ର୍ଦୁନୀତି କିମ୍ବା ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ଥିବା ଯେକୌଣସି ବିଡ଼ରକୁ ଅଯୋଗ୍ୟ ଘୋଷଣା କରାଯିବାର ଆବଶ୍ୟକତା ରହିଛି । ତେବେ ‘ସିଲିକନ ଟେକଲାବ’ର ମାଲିକ ଗିରଫ ହେବା ସତ୍ତ୍ୱେ ସମ୍ପୃକ୍ତ କଂପାନୀକୁ ନିଲମ୍ବନ ଅବା କଳା ତାଲିକାଭୁକ୍ତ କରାଯିବା ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଏବେ ଓଡ଼ିଶା ପୁଲିସର ବିଶ୍ୱସନୀୟତାକୁ ସଙ୍କଟ ମଧ୍ୟକୁ ଠେଲି ଦେଇଛି । 


ତେବେ ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି(  Odisha Police SI Exam Scam ରେ ‘ସିଲିକନ ଟେକଲାବ’ର ସମ୍ପୃକ୍ତି ଥିବା ନେଇ ଦୀର୍ଘ ଏକମାସରୁ ଅଧିକ ସମୟ ଧରି ଅଭିଯୋଗ ହେଉଥିବା ଓ ତା’ର ମାଲିକ ସୁରେଶ ନାୟକଙ୍କୁ ଗିରଫ ପରେ ମଧ୍ୟ କନେଷ୍ଟବଳ ପରୀକ୍ଷା ନିଯୁକ୍ତି ଟେଣ୍ଡର ପ୍ରକ୍ରିୟାରୁ ସିଲିକନକୁ ବାଦ୍ ନଦିଆଯିବା ଓଡ଼ିଶା ପୁଲିସର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।


ଆଇଟିଆଇ ସହ ଚୁକ୍ତି ରଦ୍ଦ ହେଉନି, କାହା ସୁରକ୍ଷାରେ କ୍ରାଇମବ୍ରାଂଚ ତଦନ୍ତ?


୯୩୩ଟି ପୁଲିସ ଏସଆଇ ପଦବୀ ନିମନ୍ତେ ନିଯୁକ୍ତି ପରୀକ୍ଷା ଦୁର୍ନୀତି ପଦାକୁ ଆସିବା ପରେ ମଧ୍ୟ ପରୀକ୍ଷା ପରିଚାଳନା ଦାୟିତ୍ୱ ନେଇଥିବା ଆଇଟିଆଇ ଲିମିଟେଡ୍ ସହ ଚୁକ୍ତିକୁ ବାତିଲ କରିବା ଦିଗରେ ଓଡ଼ିଶା ପୁଲିସ ଆଗ୍ରହ ଦେଖାଇନାହିଁ । ଏପଟେ ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣା ପରେ ଅପ୍ରତ୍ୟାଶିତ ଢଙ୍ଗରେ କ୍ରାଇମବ୍ରାଂଚ ଅଧିକ ସକ୍ରିୟ ହୋଇ ସିଲିକନ୍ ମୁଖ୍ୟ ସୁରେଶ ନାୟକ ଓ ପଂଚସଫ୍ଟ ମୁଖ୍ୟ ଶଙ୍କର ପୃଷ୍ଟିଙ୍କୁ ଗିରଫ କରିଛି । ଏହି ଦୁଇଜଣଙ୍କ ସହ ଓପିଆରବି ଅଧ୍ୟକ୍ଷ ଓ ଗୃହ ସଚିବଙ୍କ କ’ଣ ସମ୍ପର୍କ ରହିଛି ତଥା ବିରୋଧୀ ଦଳ ଯେଉଁ ଅଭିଯୋଗ କରୁଛନ୍ତି ସେଥିରେ ସତ୍ୟତା ରହିଛି କି ନାହିଁ ସେସମ୍ପର୍କରେ କ୍ରାଇମବ୍ରାଂଚ ମୁହଁ ଖୋଲୁନାହିଁ । ଏପରିକି ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରୁନାହିଁ କିମ୍ବା କ୍ଲିନଚିଟ୍ ମଧ୍ୟ ଦେଉନାହିଁ । ଯାହାକି ସାଧାରଣରେ ଉଭୟ ବରିଷ୍ଠ ଅଫିସରଙ୍କର ବିଶ୍ୱସନୀୟତା ଉପରେ ପ୍ରଶ୍ନଚିହ୍ନ ଉଠାଇଛି । ଯଦି ସେମାନଙ୍କର କୌଣସି ସଂପୃକ୍ତି ନାହିଁ, ତେବେ ସେମାନଙ୍କୁ କ୍ଲିନଚିଟ୍ ଘୋଷଣା କରିବାରେ କ୍ରାଇମବ୍ରାଂଚ କାହିଁକି ପଛଘୁଂଚା ଦେଉଛି ଓ ସେମାନଙ୍କୁ ମିଡିଆ ଟ୍ରାଏଲରେ ଅଭିଯୁକ୍ତ ସଜାଉଛି ବୋଲି ପ୍ରଶ୍ନ ଉଠିଛି? ସେହିପରି ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ପଦାକୁ ଆସିବା ପରେ ମଧ୍ୟ ‘ଆଇଟିଆଇ ଲିମିଟେଡ୍‌’ ସହ ‘ଓଡ଼ିଶା ପୁଲିସ’ କରିଥିବା ଚୁକ୍ତିକୁ କେଉଁ ଅଦୃଶ୍ୟ କାରଣରୁ ରଦ୍ଦ କରୁନାହିଁ ତାହା ଏବେ ସନ୍ଦେହଘେରରେ ।


ସିବିଆଇ ତଦନ୍ତ ଓ ୟୁନିଫର୍ମ ସେବା ପାଇଁ ସ୍ୱତନ୍ତ୍ର ଆୟୋଗ ଗଠନ କେବେ 


ଓଡ଼ିଶା ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ସ୍କାମର ତଦନ୍ତ ସିବିଆଇ ଦ୍ୱାରା କରାଯିବ ବୋଲି ଅକ୍ଟୋବର ୨୨ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କଲେ । ଅକ୍ଟୋବର ୨୭ତାରିଖରେ ମାମଲା ସିବିଆଇକୁ ହସ୍ତାନ୍ତରର ଅନୁମତି ସଂକ୍ରାନ୍ତ ବିଜ୍ଞପ୍ତି ସାଧାରଣ ପ୍ରଶାସନ ବିଭାଗ ଜାରି କଲା । ସେହିଦିନ ସିବିଆଇ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ରାଜ୍ୟ ସରକାର ମଧ୍ୟ ଜଣାଇଲେ । କିନ୍ତୁ ଏପର୍ଯ୍ୟନ୍ତ ସିବିଆଇ ତଦନ୍ତ ହେବକି ନାହିଁ ତାହା ଅସ୍ପଷ୍ଟ ହୋଇ ରହିଛି । ସେହିପରି ରାଜ୍ୟ ପୁଲିସ ଓ ୟୁନିଫର୍ମ ସେବା ନିଯୁକ୍ତି ପ୍ରକ୍ରିୟାକୁ ପାରଦର୍ଶୀ କରିବା ନିମନ୍ତେ ଏକ ସ୍ୱତନ୍ତ୍ର ନିଯୁକ୍ତି ଆୟୋଗ ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଘୋଷଣା କରିବାର ୧୫ଦିନ ପରେ ମଧ୍ୟ ଏ ଦିଗରେ ସାଧାରଣ ପ୍ରଶାସନ ବିଭାଗ ସାମାନ୍ୟତମ ପଦକ୍ଷେପ ନେଇନଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ଆଗ୍ରହ ସତ୍ୱେ ପ୍ରଶାସନର ଏଭଳି କାଳକ୍ଷେପଣ ନୀତି ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

Odisha Police SI Exam Scam