Advertisment

Vigilance Trap: ଭିଜିଲାନ୍ସ ଜାଲରେ କଟକ ବଡ଼ ଡାକ୍ତରଖାନାର ଡାକ୍ତର; ରାସ୍ତା ଉପରେ ଧରିଲେ, ସ୍କୁଟରରୁ ମିଳିଲା ୨.୬୩ ଲକ୍ଷ

ହେପାଟୋଲୋଜି ବିଭାଗକୁ ମେଡିକାଲ ଉପକରଣ ଯୋଗାଣ ପାଇଁ ଅଂଶ ଗ୍ରହଣ କରିଥିବା ବିଡରମାନଙ୍କଠାରୁ ଡାକ୍ତର ସନାତନ ବେହେରା ଅନୈତିକ ଭାବେ ଟଙ୍କା ସଂଗ୍ରହ କରିଥିବା ନେଇ ଅଭିଯୋଗ ହୋଇଛି।

author-image
Jitendra Garnayak
dr sanatan behera

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲର ହେପାଟୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ସନାତନ ବେହେରା। ସେ ତାଙ୍କ ସ୍କୁଟରରେ ୨ ଲକ୍ଷ ୬୩ ହଜାର ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ହେପାଟୋଲୋଜି ବିଭାଗକୁ ବିଭିନ୍ନ ମେଡିକାଲ ସାମଗ୍ରୀ ଯୋଗାଣ ପାଇଁ ବିଡର୍‌ଙ୍କଠାରୁ ସେ ଏହି ଅର୍ଥ ଲାଞ୍ଚ ଆକାରରେ ନେଇଥିବା ଅଭିଯୋଗ ହୋଇଛି।

Advertisment

ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ହେପାଟୋଲୋଜି ବିଭାଗକୁ ମେଡିକାଲ ଉପକରଣ ଯୋଗାଣ ପାଇଁ ଅଂଶ ଗ୍ରହଣ କରିଥିବା ବିଡରମାନଙ୍କଠାରୁ ଡାକ୍ତର ସନାତନ ବେହେରା ଅନୈତିକ ଭାବେ ଟଙ୍କା ସଂଗ୍ରହ କରିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି ଖବର ପାଇବା ମାତ୍ରେ ଭିଜିଲାନ୍ସର ଏକ ଟିମ୍ ଡାକ୍ତର ସନାତନ ବେହେରାଙ୍କୁ ଧରିବା ପାଇଁ ବାହାରି ଯାଇଥିଲା।

ଡାକ୍ତର ବେହେରା ସ୍କୁଟରରେ ଏସ୍‌ସିବିରୁ ତାଙ୍କ ସରକାରୀ ବାସଭବନକୁ ଯାଉଥିବା ବେଳେ କାଠଗୋଲାସାହି-ମେଡିକାଲ ରୋଡ୍‌ରେ ତାଙ୍କୁ ଅଟକାଇ ଥିଲେ ଭିଜିଲାନ୍ସ ଅଧିକାରୀ। ଯାଞ୍ଚ ବେଳେ ତାଙ୍କ ସ୍କୁଟରରୁ ବିଡ଼ା ବିଡ଼ା ଟଙ୍କା ବାହାରିଥିଲା। ଗଣିବା ପରେ ସେ ୨ ଲକ୍ଷ ୬୩ ହଜାର ଟଙ୍କା ନେଇ ଯାଉଥିଲେ ବୋଲି ଜଣାପଡ଼ିଲା। ଡାକ୍ତର ବେହେରା ଏତେ ଟଙ୍କା କେଉଁଠାରୁ ଓ କେଉଁ ଉଦ୍ଦେଶ୍ୟରେ ଆଣିଥିଲେ, ସେ ନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। 

Advertisment

ଭିଜିଲାନ୍ସ ଉକ୍ତ ଟଙ୍କାକୁ ଜବତ କରିଥିବା ବେଳେ ଡାକ୍ତର ବେହେରାଙ୍କ ୩ଟି ଠିକଣାରେ ଚଢ଼ାଉ କରିଛି। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହ କରି ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ସେ କେଉଁଠାରୁ ଏତେ ଟଙ୍କା ଆଣିଲେ, ତାହା ସ୍ପଷ୍ଟ କରିବା ପାଇଁ ତାଙ୍କୁ ଭିଜିଲାନ୍ସର ଏକ ଟିମ୍ ପଚରାଉଚରା ଜାରି ରଖିଛି। 

ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ମାମଲାର ତଦନ୍ତ ଜାରି ରହିଛି।  

୬ ଦିନ ତଳେ ଏକ ନାମଜାରୀ ମାମଲାରେ ଅନୁକୂଳ ରିପୋର୍ଟ ଦେବା ସହିତ ପଟ୍ଟା ପ୍ରଦାନ କରିବା ପାଇଁ ଜଣେ ଆବେଦନକାରୀଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ କଟକ ସଦର ତହସିଲ କଖଡ଼ି ସର୍କଲର ରାଜସ୍ୱ ନିରୀକ୍ଷକ ଜାନକୀ ରଞ୍ଜନ ମଲ୍ଲିକ।