ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅସହ୍ୟ ତାତି ଯୋଗୁ ୫ ଦିନ ହେଲା ବନ୍ଦ ରହିଥିବା ସ୍କୁଲ ଆଜିଠୁ ପୁଣି ଖୋଲିଛି। ଆଜି ସକାଳ ୬ଟାରୁ ୯ ଟା ଯାଏଁ ଖୋଲିବ ସ୍କୁଲ । ପିଲାମାନେ ସକାଳ ୬ଟାରେ ସ୍କୁଲରେ ପହଞ୍ଚିବେ, ଏହାପରେ ମଧ୍ୟାହ୍ନ ଭୋଜନ ସହିତ ୯ଟାରେ ଛୁଟି ହେବ। ଏଥର ଜୁନ ୬ରୁ ୧୬ ତାରିଖ ଯାଏ ଖରାଛୁଟି ହେବ ବୋଲି ଆଗରୁ ଘୋଷଣା କରିଛନ୍ତି ରାଜ୍ୟ ସରକାର ।
କରୋନା ଯୋଗୁ ୨ ବର୍ଷ ହେବ ସ୍କୁଲ ବନ୍ଦ ଯୋଗୁ ପିଲାଙ୍କ ପାଠପଢ଼ା ବହୁ ମାତ୍ରାରେ ବାଧାପ୍ରାପ୍ତ ହୋଇଛି। ଏହାର ଭରଣା ପାଇଁ ଚଳିତ ବର୍ଷ ଖରା ଛୁଟି ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ହେଲେ ଅସହ୍ୟ ତାତିରେ ରାଜ୍ୟବାସୀ କଲବଲ ହେଉଥିବା ବେଳେ ଜୁନ ବଦଳରେ ମେ’ ମାସରେ ଖରାଛୁଟି କରାଯାଉ ବୋଲି ମତପୋଷଣ କରିଥିଲା ଅଭିଭାବକ ସଂଘ ।
ସ୍କୁଲ ଓ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ସ୍ପଷ୍ଟ କରିଛନ୍ତି, ଏବେ ଗ୍ରୀଷ୍ମ ଛୁଟିର ଆବଶ୍ୟକତା ନାହିଁ । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ମେ’ ମାସରେ ତାପମାତ୍ରା ୩୫ ଡିଗ୍ରୀ ଟପିବନି । ତେଣୁ ପୁଣି ଥରେ ସ୍କୁଲ ଖୋଲି ପାଠପଢ଼ା ଚାଲୁ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ।