୭ରୁ ଖୋଲିବ ହାଇସ୍କୁଲ, ୧୪ରେ କେଜିରୁ ସପ୍ତମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଉଥିବାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶିକ୍ଷାନୁଷ୍ଠାନରେ ପାଠପଢ଼ା ସ୍ୱାଭାବିକ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ସୋମବାର ଅର୍ଥାତ୍ ୭ତାରିଖରୁ ଅଷ୍ଟମ ଶ୍ରେଣୀ ଓ ତଦୁର୍ଦ୍ଧ୍ୱ ଶ୍ରେଣୀର ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବ। ସେଥିରେ ଉଚ୍ଚଶିକ୍ଷା ବିଭାଗ ସମେତ ଟେକନିକାଲ,ମେଡିକାଲ ଓ ପ୍ରଫେସନାଲ ଆଦି ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ସାମିଲ ଅଛି । ଏହାସହିତ ୧୪ତାରିଖରୁ କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସ୍କୁଲରେ ପାଠପଢ଼ା ହେବ । […]

school

Manoranjan Sial
  • Published: Thursday, 03 February 2022
  • , Updated: 03 February 2022, 06:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଉଥିବାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶିକ୍ଷାନୁଷ୍ଠାନରେ ପାଠପଢ଼ା ସ୍ୱାଭାବିକ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ସୋମବାର ଅର୍ଥାତ୍ ୭ତାରିଖରୁ ଅଷ୍ଟମ ଶ୍ରେଣୀ ଓ ତଦୁର୍ଦ୍ଧ୍ୱ ଶ୍ରେଣୀର ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବ। ସେଥିରେ ଉଚ୍ଚଶିକ୍ଷା ବିଭାଗ ସମେତ ଟେକନିକାଲ,ମେଡିକାଲ ଓ ପ୍ରଫେସନାଲ ଆଦି ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ସାମିଲ ଅଛି । ଏହାସହିତ ୧୪ତାରିଖରୁ କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସ୍କୁଲରେ ପାଠପଢ଼ା ହେବ । ତେବେ ଏହି ପାଠପଢ଼ା ଅନଲାଇନ/ଅଫଲାଇନ୍‌ ମାଧ୍ୟମରେ ହୋଇପାରିବ। ଶିକ୍ଷାନୁଷ୍ଠାନ ସହ ଜଡ଼ିତ ଥିବା ବିଭାଗଗୁଡ଼ିକ ସ୍ୱତନ୍ତ୍ର ଭାବେ ନିଜ ନିଜର ଗାଇଡଲାଇନ୍ ଜାରି କରିବେ ।

ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ୨ବର୍ଷ ଧରି କୋଭିଡ୍ ପରିସ୍ଥିତି ଯୋଗୁ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି । କୋଭିଡର ୩ଟି ଲହରୀ ଯୋଗୁ ପିଲାମାନେ ଦୁଇବର୍ଷ ହେଲା ସ୍କୁଲ ଯାଇପାରୁନାହାନ୍ତି। ତୃତୀୟ ପର୍ଯ୍ୟାୟରେ ଓମିକ୍ରନ ଲହରୀ ଯୋଗୁ ଗତ ଏକମାସ ଧରି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ତେବେ ଏବେ ତୃତୀୟ ପର୍ଯ୍ୟାୟ ପିକରେ ପହଚିଂ ସାରିଥିବା ତଥା ଏହାର ସଂକ୍ରମଣ କମ୍ ଥିବାରୁ ସରକାର ଏବେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଖୋଲି ପାଠପଢ଼ା ସ୍ୱାଭାବିକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବା ପାଇଁ ବିଭିନ୍ନ ବର୍ଗରୁ ଚାପ ପଡ଼ୁଥିଲା । ତା’ସହିତ ୧୫ରୁ ୧୮ବର୍ଷ ବୟସର ପିଲାଙ୍କୁ ଟିକାକରଣ ମଧ୍ୟ ବ୍ୟାପକ ଭାବେ ହୋଇସାରିଛି। ପିଲାମାନଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଆସନ୍ତା ସୋମବାରରୁ ଅଷ୍ଟମ ଶ୍ରେଣୀ ଓ ତଦୁର୍ଦ୍ଧ୍ୱ ପିଲାଙ୍କ ପାଠପଢ଼ା ସ୍ୱାଭାବିକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉଚ୍ଚଶିକ୍ଷା ବିଭାଗ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗ, କୃଷି ବିଭାଗ, ସାମାଜିକ ସଶକ୍ତିକରଣ ବିଭାଗ, ଅନୁସୂଚିତ ଜାତି ଜନଜାତି ବିଭାଗ, ସ୍ୱାସ୍ଥ୍ୟ ବିଭାଗ ସମେତ ଅନ୍ୟାନ୍ୟ ବିଭାଗ ଅଧୀନରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ସ୍ୱାଭାବିକ ଭାବେ ଖୋଲିବ । ଏହାସହିତ ସମସ୍ତ ହଷ୍ଟେଲ ମଧ୍ୟ ଖୋଲିବ ।

ତେବେ କେଜିରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଆସନ୍ତା ଫେବୃୟାରୀ ୧୪ ତାରିଖରୁ ଖୋଲିବ। କେଜିରୁ ନବମ ଶ୍ରେଣୀ ପିଲାମାନଙ୍କ କ୍ଲାସ ପ୍ରମୋସନ ପରୀକ୍ଷା ସହ ଦଶମ ଓ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ମଧ୍ୟ ଯଥାବିଧି କରାଯିବ। ସ୍କୁଲଗୁଡ଼ିକ ଚାହିଁଲେ ପିଲାମାନଙ୍କ ପାଠ୍ୟକ୍ରମକୁ ଶେଷ କରିବା ପାଇଁ ଖରାଛୁଟିର ଅବଧି ହ୍ରାସ କରିପାରିବେ। କୋଭିଡ୍ ଗାଇଡଲାଇନ୍ ମଧ୍ୟରେ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ସମେତ ସବୁ ପ୍ରଫେସନାଲ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ ଖୋଲିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Related story