Advertisment

Police SI Scam: ପରୀକ୍ଷାର୍ଥୀଙ୍କୁ ଅଭିଯୁକ୍ତ ଦର୍ଶାଇଥିବା ଏସଡିପିଓ ଏବେ ନିଜେ ଅଭିଯୁକ୍ତ, ସଙ୍ଗୀନ ମାମଲା ରୁଜୁ କଲା HRPC

କ୍ଷମତାର ଅପବ୍ୟହବାର କରି ଜଣେ ବ୍ୟକ୍ତିଙ୍କୁ ଉଠାଇ ନେଇ ବେଆଇନ ଅଟକ ରଖିବା, ଶାରୀରିକ ନିର୍ଯାତନା ଦେବା ଭଳି ଅଭିଯୋଗରେ ବ୍ରହ୍ମପୁର ଟାଉନ୍ ଏସଡିପିଓ ପ୍ରିୟସ ରଞ୍ଜନ ଛୋଟରାୟ ଓ ବଡ଼ବଜାର ଥାନା ଆଇଆଇସି ବାବା ଶଙ୍କର ସରାଫଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

HRPC-Police
Advertisment

ସମୟ ବଡ଼ ବଳବାନ । ଚାକିରି ଆଶାୟୀ ପରୀକ୍ଷାର୍ଥୀଙ୍କୁ ରାତାରାତି ଅଭିଯୁକ୍ତ ଦର୍ଶାଇ ଜେଲ ପଠାଇଥିବା ପୁଲିସ ଅଫିସର ଏବେ ନିଜେ ଅଭିଯୁକ୍ତ । ହାଇକୋର୍ଟଙ୍କ କଡ଼ା ତାଗିଦ୍ ପରେ ଏଚଆରପିସି(ମାନବାଧିକାର ସୁରକ୍ଷା ସେଲ) ପକ୍ଷରୁ ଗତ ଦୁଇଦିନ ତଳେ ସଙ୍ଗୀନ ମାମଲା ରୁଜୁ ହୋଇଛି । କ୍ଷମତାର ଅପବ୍ୟହବାର କରି ଭୁବନେଶ୍ୱରରୁ ଜଣେ ବ୍ୟକ୍ତିଙ୍କୁ ଉଠାଇ ନେଇ ବେଆଇନ ଅଟକ ରଖିବା, ଶାରୀରିକ ନିର୍ଯାତନା ଦେବା ଭଳି ଅଭିଯୋଗରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଟାଉନ୍ ଏସଡିପିଓ ପ୍ରିୟସ ରଞ୍ଜନ ଛୋଟରାୟ ଓ ବଡ଼ବଜାର ଥାନା ଆଇଆଇସି ବାବା ଶଙ୍କର ସରାଫଙ୍କ ବିରୋଧରେ ସଙ୍ଗୀନ ଦଫାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ।

Advertisment

ମାତ୍ର ୩ମାସ ତଳେ ୧୧୪ଜଣ ଚାକିରି ଆଶାୟୀଙ୍କୁ ଜେଲ୍ ପଠାଇ ସେମାନଙ୍କର ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଥିବା ବ୍ରହ୍ମପୁର ଏସଡିପିଓ ଶ୍ରୀ ଛୋଟରାୟ ଏବେ ନିଜେ ଆଇନର ଜାଲରେ ଛନ୍ଦି ହୋଇପଡ଼ିଥିବା ଜଣାପଡ଼ିଛି ।


ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ, ପୁଲିସ ବିରୁଦ୍ଧରେ ମାମଲା ରୁଜୁ କଲା ପୁଲିସ

ସୂଚନା ଅନୁସାରେ, ମୁସ୍ତାକିମ ଖାନ ନାମକ ଜଣେ ଯୁବକଙ୍କୁ ବେଆଇନ ଭାବେ ଅଟକ ରଖିବା ବ୍ରହ୍ମପୁର ପୁଲିସ ଏସଡିପିଓ ପ୍ରିୟସ ରଞ୍ଜନ ଛୋଟରାୟ ଓ ବ୍ରହ୍ମପୁର ବଡ଼ବଜାର ଥାନା ଆଇଆଇସି ବାବାଶଙ୍କର ସରାଫଙ୍କୁ ମହଙ୍ଗା ପଡ଼ିଛି । ମୁସ୍ତାକିମଙ୍କୁ ୨୦୨୫ ଅଗଷ୍ଟ ୧୨ତାରିଖରେ ଭୁବନେଶ୍ୱରରୁ ଉଠାଇ ନିଆଯାଇ ଦୀର୍ଘ ୧୦ ଦିନ ପର୍ଯ୍ୟନ୍ତ କୌଣସି କୋର୍ଟରେ ହାଜର ନକରି ବେଆଇନ ଭାବେ ବ୍ରହ୍ମପୁର ବଡ଼ବଜାର ଥାନାରେ ଅଟକ ରଖାଯାଇଥିବାର ଅଭିଯୋଗ ହୋଇଥିଲା । ଅଟକ ରଖିବାବେଳେ  ତାଙ୍କୁ ଅତି ଅମାନୁଷିକ ଭାବେ ମାଡ଼ ମରାଯିବାର ଅଭିଯୋଗ ହୋଇଥିଲା । ଏହି ମାମଲାରେ ହାଇକୋର୍ଟ ପୁଲିସର କାର୍ଯ୍ୟଶୈଳୀ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ, ଯାହା ପରେ ଏଚଆରପିସି ଦ୍ୱାରା ମାମଲା ରୁଜୁ ହୋଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୁଲିସ ବିରୁଦ୍ଧରେ ଏଚଆରପିସି ହିଁ ମାମଲା ରୁଜୁ କରିଛି ।

Advertisment

ରାଜ୍ୟ ମାନବାଧିକାର ସେଲର ତଦନ୍ତରେ ଖୋଲିଲା ପୁଲିସର ଗୁମର

ଏହି ମାମଲାରେ ରାଜ୍ୟ ମାନବାଧିକାର ସୁରକ୍ଷା ସେଲ୍ (ଏଚଆରପିସି) ଡିଏସପି ଅଶୋକ କୁମାର ମହାପାତ୍ର ଏକ ବିସ୍ତୃତ ତଦନ୍ତ କରିଥିବା ଜଣାପଡ଼ିଛି । ତାଙ୍କ ତଦନ୍ତ ରିପୋର୍ଟ ଅନୁସାରେ, ମୁସ୍ତାକିମଙ୍କୁ ଅଗଷ୍ଟ ୧୨ରୁ ଅଗଷ୍ଟ ୨୩ ତାରିଖ ପର୍ଯ୍ୟନ୍ତ କୌଣସି ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର ନକରି ପ୍ରାୟ ୧୧ ଦିନ ଧରି ବେଆଇନ ଅଟକ ରଖାଯାଇଥିଲା, ଯାହା ସଂପୂର୍ଣ୍ଣ ବେଆଇନ ଓ ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ ଥିଲା ।

 ଏହି ଘଟଣାରେ ଏସଡିପିଓ ଓ ଆଇଆଇସିଙ୍କ ସମେତ ଅନ୍ୟ କିଛି ପୁଲିସ କର୍ମଚାରୀଙ୍କ ବିରୋଧରେ ବିଏନଏସର ଧାରା ୧୨୬, ୧୨୭(୪), ୧୧୫(୨) ଏବଂ ୩(୫) ଅନୁସାରେ ମାମଲା ରୁଜୁ କରାଯାଇଛି । ଏବେ ଏହି ସମ୍ବେଦନଶୀଳ ମାମଲାର ତଦନ୍ତ ଡିଏସପି ସାମ୍ପା ଲେଙ୍କାଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି ।

ଚାକିରି ଆଶାୟୀଙ୍କୁ ଅଭିଯୁକ୍ତ ସଜାଇଥିବା ଏସଡିପିଓ ଏବେ କାଠଗଡ଼ାରେ

ପୁଲିସ ଏସଆଇ ପରୀକ୍ଷା ପାଇଁ ବିଜୟନଗରମ ଯାଉଥିବା ପରୀକ୍ଷାର୍ଥୀଙ୍କୁ ଅଭିଯୁକ୍ତ ଦର୍ଶାଇ ଏଫଆଇଆର ଦେଇଥିଲେ ଏସଡିପିଓ ପ୍ରିୟସ ରଞ୍ଜନ ଛୋଟରାୟ । ସେପ୍ଟେମ୍ବର ୩୦ତାରିଖରେ ଗୋଳନ୍ଥରା ଥାନା ଓ ଅକ୍ଟୋବର ୧ତାରିଖରେ କ୍ରାଇମବ୍ରାଂଚରେ ମାମଲା ରୁଜୁ ଶ୍ରୀ ଛୋଟରାୟ ହିଁ କରିଥିଲେ । ଏସଆଇ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କୁ ଅଭିଯୁକ୍ତ ଦର୍ଶାଇବା ପୂର୍ବରୁ ପୁଲିସ ନିଜର ମାନବିକତା ଦେଖାଇବାକୁ ବି ଭୁଲିଯାଇଥିଲା ।

 ସେହି ଛାତ୍ରଛାତ୍ରୀମାନଙ୍କୁ ରାଜସାକ୍ଷୀ କରିବା ପରିବର୍ତ୍ତେ ଅଭିଯୁକ୍ତ କରି ଜେଲ୍ ପଠାଇବା ସହ ସେମାନଙ୍କ କ୍ୟାରିୟର ଓ ଭବିଷ୍ୟତକୁ ସଙ୍କଟରେ ପକାଇଥିବା ଏସଡିପିଓ ଶ୍ରୀ ଛୋଟରାୟ ଏବେ ଆଇନର କାଠଗଡ଼ାରେ ନିଜେ ଫସି ଯାଇଛନ୍ତି । ଏବେ ସେ ନିଜେ ମାନବାଧିକାର ଉଲ୍ଲଂଘନ ଏବଂ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ଜଣେ ମୁଖ୍ୟ ଅଭିଯୁକ୍ତ ପାଲଟିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe