
ରାଜ୍ୟରେ ଶିକ୍ଷା ଓ ସାମାଜିକ ନ୍ୟାୟ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି ମୋହନ ମାଝୀଙ୍କ ସରକାର। ଦୀର୍ଘବର୍ଷର ପ୍ରତୀକ୍ଷା ଓ ବିଭିନ୍ନ ମହଲରୁ ଦାବି ପରେ ଶେଷରେ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ(ଏସଇବିସି)ର ଛାତ୍ରଛାତ୍ରୀଙ୍କୁ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାରେ ସଂରକ୍ଷଣ ମିଳିବ।
୨୦୨୫ ମେ’ ୧୪ତାରିଖରେ ମୋହନ ମାଝୀଙ୍କ କ୍ୟାବିନେଟ୍ ରାଜ୍ୟରେ ଉଚ୍ଚଶିକ୍ଷା ପାଇଁ ଲାଗୁ କରିଥିବା ସଂରକ୍ଷଣ ପଦ୍ଧତିକୁ ମଧ୍ୟ ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଲାଗୁ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଯଦି ରାଜ୍ୟ ସରକାର ‘ନୀତି ନିର୍ଦ୍ଧାରଣ କମିଟି’ର ସୁପାରିଶକୁ ଗ୍ରହଣ କରନ୍ତି ତେବେ ୨୦୨୬-୨୭ ଶିକ୍ଷାବର୍ଷରୁ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାରେ ପ୍ରଥମଥର ପାଇଁ ଏସଇବିସିଙ୍କୁ ୧୧.୨୫% ପ୍ରତିଶତ ସଂରକ୍ଷଣ ମିଳିବା ସହ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପ୍ରଚଳିତ ସଂରକ୍ଷଣ ସୀମା ଦ୍ୱିଗୁଣିତ ହେବ।
ଏସବୁ ମଧ୍ୟରେ ନୀତି ନିର୍ଦ୍ଧାରଣ କମିଟି ଦ୍ୱାରା ପ୍ରସ୍ତୁତ ଓଜେଇଇ(ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା) ନିମନ୍ତେ କାର୍ଯ୍ୟସୂଚୀକୁ ରାଜ୍ୟ ସରକାର ଚୂଡ଼ାନ୍ତ ଅନୁମୋଦନ ଦେଇଛନ୍ତି।ଚଳିତମାସ ୨୭ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ସହ ନୂଆ ଶିକ୍ଷାବର୍ଷ ସଠିକ୍ ସମୟରେ ଆରମ୍ଭ କରିବାକୁ ସୁନିଶ୍ଚିତ ନିମନ୍ତେ ଓଜେଇଇ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରାଯାଇଛି ।
ରାଜ୍ୟରେ ପ୍ରାୟ ୫୪ ପ୍ରତିଶତ ପଛୁଆ ବର୍ଗ ଲୋକଙ୍କୁ ନ୍ୟାୟ ଦେବା ଓ ସେମାନଙ୍କର ଦାବିକୁ ପୂରଣ କରିବା ନିମନ୍ତେ ସରକାରଙ୍କୁ ଉଭୟ ଶାସକ ଓ ବିରୋଧୀ ଦଳର ଚାପର ସମ୍ମୁଖୀନ ହେବାକୁ ପଡ଼ୁଥିବା ଜଣାପଡ଼ିଛି ।
ମେଡିକାଲ ଓ ବୈଷୟିକ ଶିକ୍ଷାରେ ଏସଇବିସିଙ୍କୁ ମିଳିବ ୧୧.୨୫% ସଂରକ୍ଷଣ
ପ୍ରଚଳିତ ନିୟମ ଅନୁସାରେ ଓଡ଼ିଶାରେ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାରେ ଅନୁସୂଚିତ ଜାତି ପାଇଁ ୮% ଓ ଅନୁସୂଚିତ ଜନଜାତି ପାଇଁ ୧୨% ସଂରକ୍ଷଣ ବ୍ୟବସ୍ଥା ରହିଛି । ଏସଇବିସି ବର୍ଗର ପିଲାମାନଙ୍କ ନିମନ୍ତେ ସଂରକ୍ଷଣର ବ୍ୟବସ୍ଥା ନାହିଁ। ତେବେ ଡିସେମ୍ବର ୨୨ତାରିଖରେ ଅନୁଷ୍ଠିତ ଦକ୍ଷତା ବିକାଶ ଓ ବୈଷୟିକ ବିଭାଗର ‘ନୀତି ନିର୍ଦ୍ଧାରଣ କମିଟି ଏହି ସଂରକ୍ଷଣ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ପାଇଁ ସୁପାରିଶ କରିଛନ୍ତି ।
ନୂଆ ନୂତନ ସୁପାରିଶ ଅନୁଯାୟୀ, ଅନୁସୂଚିତ ଜାତି(ଏସସି) ସଂରକ୍ଷଣକୁ ୮%ରୁ ୧୬.୨୫%କୁ ଓ ଅନୁସୂଚିତ ଜନଜାତି(ଏସଟି) ସଂରକ୍ଷଣକୁ ୧୨% ରୁ ୨୨.୫୦% କୁ ବୃଦ୍ଧି କରାଯିବ । ଆଉ ଏହି ମେଡିକାଲ ଓ ବୈଷୟିକ ଶିକ୍ଷାରେ ଏସଇବିସିଙ୍କ ପାଇଁ ୧୧.୨୫% ସଂରକ୍ଷଣ ଲାଗୁ କରିବାକୁ ସୁପାରିଶ କରାଯାଇଛି । ଯାହାକି ପ୍ରଥମଥର ପାଇଁ ଲାଗୁ ହେବ। ଏହାବ୍ୟତୀତ ଅନ୍ୟ ସମସ୍ତ ସଂରକ୍ଷଣ ହାର ଅପରିବର୍ତ୍ତିତ ରହିଛି।ଅବଶ୍ୟ ଏହି ସଂରକ୍ଷଣ ଲାଗୁ ପୂର୍ବରୁ କ୍ୟାବିନେଟ୍ ଅନୁମୋଦନର ଆବଶ୍ୟକତା ରହିଛି ।
ନୀତି ଏହି ପରିବର୍ତ୍ତନ ଦ୍ୱାରା ମେଡିକାଲ, ଇଞ୍ଜିନିୟରିଂ, ଏମବିଏ ଓ ଏମସିଏ ଭଳି ପ୍ରଫେସନାଲ(ବୃତ୍ତିଗତ) ପାଠ୍ୟକ୍ରମରେ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ଭଳି ସମାନ ସଂରକ୍ଷଣ ସୁବିଧା ମିଳିବ । ଉଚ୍ଚଶିକ୍ଷା ବିଭାଗରେ ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ଯେଭଳି ସଂରକ୍ଷଣ ସୁବିଧା ରହିଛି ଅନୁରୂପ ସଂରକ୍ଷଣ ବ୍ୟବସ୍ଥା ମେଡିକାଲ,ଇଞ୍ଜିନିୟରିଂ ଭଳି ପ୍ରଫେସନାଲ ପାଠ୍ୟକ୍ରମରେ ଲାଗୁ ନିମନ୍ତେ ନୀତି ନିର୍ଦ୍ଧାରଣ କମିଟି ସୁପାରିଶ କରିଛନ୍ତି ।
ନର୍ସିଂ ଶିକ୍ଷା ଓ କାଉନସେଲିଂ କରିବ ଓଜେଇଇ
ନୀତି ନିର୍ଦ୍ଧାରଣ କମିଟି କେବଳ ସଂରକ୍ଷଣ ନୁହେଁ, ବରଂ ଓଜେଇଇ ପରୀକ୍ଷା ପରିଚାଳନା ପ୍ରକ୍ରିୟାକୁ ମଧ୍ୟ ଅଧିକ ସ୍ୱଚ୍ଛ ଓ ଆଧୁନିକ କରିବାକୁ ସୁପାରିଶ କରିଛନ୍ତି । ଓଜେଇଇ ପାଇଁ ରାଜ୍ୟର ପୁରୁଣା ଏବଂ ଭଙ୍ଗାଦଦରା ଭିତ୍ତିଭୂମି ଥିବା ପରୀକ୍ଷା କେନ୍ଦ୍ରଗୁଡ଼ିକୁ ହଟାଇ ସେହି ସ୍ଥାନରେ ଅତ୍ୟାଧୁନିକ ସୁବିଧା ଥିବା ନୂତନ କେନ୍ଦ୍ର ଚୟନ କରାଯିବ। ଏହାସହିତ ରାଜ୍ୟର ନର୍ସିଂ ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ଏକ ବଡ଼ ପରିବର୍ତ୍ତନ ନିମନ୍ତେ କମିଟି ସୁପାରିଶ କରିଛନ୍ତି। ଏଣିକି ସମସ୍ତ ନର୍ସିଂ ପାଠ୍ୟକ୍ରମ(ଏଏନଏମ ଓ ଜିଏନଏମ) ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଓ କାଉନସେଲିଂ ଦାୟିତ୍ୱ ଓଜେଇଇକୁ ହସ୍ତାନ୍ତର କରାଯିବ। ଏବେ ଏହି ପ୍ରକ୍ରିୟା ଡିଏମଇଟି ଦ୍ୱାରା ପରିଚାଳିତ ହେଉଛି। କିନ୍ତୁ ଏବେ ଓଜେଇଇ ସମ୍ପୂର୍ଣ୍ଣ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବ। ଏପରିକି ଏଏନଏମ ଓ ଜିଏନଏମ୍ ପରୀକ୍ଷା ମଧ୍ୟ ଓଜେଇଇ ମାଧ୍ୟମରେ ପରିଚାଳନା ନିମନ୍ତେ ପ୍ରସ୍ତାବ ଦିଆଯାଇଛି।
ନୂଆ ନିୟମ ଅନୁସାରେ ପ୍ରବେଶିକା ପରୀକ୍ଷାର ପ୍ରଦର୍ଶନ ହିଁ ର୍ୟାଙ୍କ ପାଇଁ ମୁଖ୍ୟ ଆଧାର ଭାବେ ଗ୍ରହଣ କରାଯିବ ଓ କ୍ୟାରିୟର ମାର୍କ କେବଳ ଯୋଗ୍ୟତା ନିମନ୍ତେ ବିଚାରକୁ ନିଆଯିବ। ସରକାରୀ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଇଞ୍ଜିନିୟରିଂ କଲେଜ ଆଦି ଶିକ୍ଷାନୁଷ୍ଠାନରେ ନାମଲେଖା ସଂଖ୍ୟା ବଢ଼ାଇବା ପାଇଁ ବିଗତ ୫ବର୍ଷର ଡାଟାକୁ ଆଧାର କରି ପାଠ୍ୟକ୍ରମରେ ପରିବର୍ତ୍ତନ କରିବା ନିମନ୍ତେ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।
୨୭ରୁ ଓଜେଇଇ ଆବେଦନ ପ୍ରକ୍ରିୟା, କାର୍ଯ୍ୟସୂଚୀକୁ ସରକାରଙ୍କ ମଞ୍ଜୁରୀ
ନୀତି ନିର୍ଦ୍ଧାରଣ କମିଟିର ସୁପାରିଶକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଓଜେଇଇ ଆବେଦନ ପ୍ରକ୍ରିୟା ଚଳିତମାସ ୨୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୬ତାରିଖ ପର୍ଯ୍ୟନ୍ତ ଚାଲିବ। ମେ’ ୧୧ରୁ ୧୭ତାରିଖ ମଧ୍ୟରେ ବିଭିନ୍ନ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ମେ’ ୩୧ତାରିଖ ସୁଦ୍ଧା ଫଳାଫଳ ପ୍ରକାଶ ପାଇବ। ଜୁନ୍ ମାସଠାରୁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହୋଇ ଜୁଲାଇ ୩୧ତାରିଖ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା (ସିବିଟି) ପାଇଁ ଟିସିଏସ ଆଇଓଏନ୍ ସହିତ ଚୁକ୍ତିନାମାକୁ ଆଉ ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଛି ।
ସମଗ୍ର ନାମଲେଖା ପ୍ରକ୍ରିୟା ଅଗଷ୍ଟ ୧୫ ତାରିଖ ସୁଦ୍ଧା ଶେଷ ହେବ, ଯାହାଫଳରେ ନୂତନ ଶିକ୍ଷା ବର୍ଷ ସଠିକ୍ ସମୟରେ ଆରମ୍ଭ ହୋଇପାରିବ । ନୀତି ନିର୍ଦ୍ଧାରଣ କମିଟିର ସୁପାରିଶ ଆଧାରରେ ଓଜେଇଇ ଆକ୍ଟିଭିଟି କ୍ୟାଲେଣ୍ଡରକୁ ରାଜ୍ୟ ସରକାର ଅନୁମୋଦନ କରିଥିବା ନେଇ ବିଭାଗର ଅନୁସଚିବ ରଚନା ସ୍ୱାଇଁ ଜାନୁୟାରୀ ୯ତାରିଖରେ ଓଜେଇଇ ଅଧ୍ୟକ୍ଷଙ୍କୁ ଅବଗତ କରାଇଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
