/odisha-reporter/media/post_attachments/uploads/2022/02/nota.jpg)
Nota
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନ ପରେ ହେବ ପୌର ନିର୍ବାଚନ। ଏଥର ପୌର ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରିବାକୁ ଇଭିଏମ୍ର ବ୍ୟବହାର କରାଯିବାକୁ ଥିବା ବେଳେ ସେଥିରେ NOTA ବିକଳ୍ପ ରଖାଯିବ ବୋଲି ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି।
ସମ୍ବିଧାନର ଧାରା ୨୪୩ ଜେଡ୍ଏରେ ଦିଆଯାଇଥିବା କ୍ଷମତାର ଉପଯୋଗ କରି ରାଜ୍ୟ ନିର୍ବାଚନ କମିଶନ ଏହି ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ବିଧାନସଭା ଓ ଲୋକସଭା ନିର୍ବାଚନରେ ‘NOTA’ର ବ୍ୟବହାର ହୋଇଆସୁଛି।
ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଇଭିଏମ୍ ପ୍ୟାନେଲ୍ରେ ଶେଷ ପ୍ରାର୍ଥୀଙ୍କ ନାଁ ପରେ ‘ଉପରୋକ୍ତ ପ୍ରାର୍ଥୀଙ୍କ ମଧ୍ୟରୁ କେହି ନୁହନ୍ତି’ ବୋଲି ଉଲ୍ଲେଖ ରହିବ ଓ ତା’ ସହିତ ପ୍ରାର୍ଥୀଙ୍କ ଚିହ୍ନ ଭଳି ‘NOTA’ ପାଇଁ ମଧ୍ୟ ଏକ ଚିହ୍ନ ରହିବ।
ସୂଚନାଯୋଗ୍ୟ, ପୌର ନିର୍ବାଚନ ପାଇଁ ଗତକାଲି ରାଜ୍ୟ ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡାକିଥିଲେ। ଏହି ବୈଠକରେ ଏଥର ପୌର ନିର୍ବାଚନରେ ଇଭିଏମ୍ର ବ୍ୟବହାର କରାଯିବ ବୋଲି କୁହାଯାଇଥିଲା। ଏହା ସହିତ ଏଥର ପୌର ନିର୍ବାଚନ ଲଢ଼ିବାକୁ ଥିବା ଆଶାୟୀଙ୍କୁ ପ୍ରାର୍ଥିପତ୍ର ଦାଖଲ ବେଳେ ସତ୍ୟପାଠ ମଧ୍ୟ ଦାଖଲ କରିବାକୁ ପଡ଼ିବ। ଏହା ସହିତ ପୌର ନିର୍ବାଚନରେ ପ୍ରାର୍ଥୀମାନେ କେତେ ଅର୍ଥ ଖର୍ଚ୍ଚ କରିପାରିବେ, ସେ ସଂପର୍କରେ ସମସ୍ତ ରାଜନୀତିକ ଦଳର ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ ରାଜ୍ୟ ନିର୍ବାଚନ କମିଶନର।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
