Advertisment

ଭୋଟ୍ ବାକ୍ସ ସୁରକ୍ଷା: ୪ ଦିନରେ ତୃତୀୟ ଥର ସବୁ ଜିଲ୍ଲାପାଳଙ୍କୁ ତାଗିଦ୍, ‘ପରିଣାମ’ରେ ମିଳିବ ରେଜଲ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟବ୍ୟାପୀ ବ୍ୟାପକ ହିଂସା ଓ ଗଣ୍ଡଗୋଳ ମଧ୍ୟରେ ପଂଚାୟତ ନିର୍ବାଚନ ପାଇଁ ମତଦାନ ଚାଲିଥିବାବେଳେ ଭୋଟ ବାକ୍ସଗୁଡ଼ିକର ସୁରକ୍ଷାକୁ ନେଇ ପ୍ରାର୍ଥୀଙ୍କଠୁ ଆରମ୍ଭ କରି ରାଜନୀତିକ ଦଳ ପର୍ଯ୍ୟନ୍ତ ସମସ୍ତଙ୍କ ଚିନ୍ତା ବଢ଼ିଯାଇଛି । ଆଉ ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନର ଗତ ୪ଦିନ ମଧ୍ୟରେ ୩ଥର ଚିଠି ଲେଖି ସମସ୍ତ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ଭୋଟ ବାକ୍ସ ସୁରକ୍ଷା, ଷ୍ଟ୍ରଙ୍ଗରୁମର ନିରାପତ୍ତା, ଭୋଟ୍ ଗଣତି କେନ୍ଦ୍ରର ସୁରକ୍ଷା […]

ଅଦ୍ୟତନ ହୋଇଛି
ଭୋଟ୍ ବାକ୍ସ ସୁରକ୍ଷା: ୪ ଦିନରେ ତୃତୀୟ ଥର ସବୁ ଜିଲ୍ଲାପାଳଙ୍କୁ ତାଗିଦ୍, ‘ପରିଣାମ’ରେ ମିଳିବ ରେଜଲ୍ଟ

Vote Box Sealed

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟବ୍ୟାପୀ ବ୍ୟାପକ ହିଂସା ଓ ଗଣ୍ଡଗୋଳ ମଧ୍ୟରେ ପଂଚାୟତ ନିର୍ବାଚନ ପାଇଁ ମତଦାନ ଚାଲିଥିବାବେଳେ ଭୋଟ ବାକ୍ସଗୁଡ଼ିକର ସୁରକ୍ଷାକୁ ନେଇ ପ୍ରାର୍ଥୀଙ୍କଠୁ ଆରମ୍ଭ କରି ରାଜନୀତିକ ଦଳ ପର୍ଯ୍ୟନ୍ତ ସମସ୍ତଙ୍କ ଚିନ୍ତା ବଢ଼ିଯାଇଛି । ଆଉ ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନର ଗତ ୪ଦିନ ମଧ୍ୟରେ ୩ଥର ଚିଠି ଲେଖି ସମସ୍ତ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ଭୋଟ ବାକ୍ସ ସୁରକ୍ଷା, ଷ୍ଟ୍ରଙ୍ଗରୁମର ନିରାପତ୍ତା, ଭୋଟ୍ ଗଣତି କେନ୍ଦ୍ରର ସୁରକ୍ଷା ଆଦିକୁ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହାସହିତ ପଂଚାୟତ ନିର୍ବାଚନ ଫଳାଫଳ ‘ପରିଣାମ’ ୱେବପୋର୍ଟାଲ ମାଧ୍ୟମରେ ଉପଲବ୍ଧ କରାଇବାକୁ ନିର୍ବାଚନ କମିଶନ ବ୍ୟବସ୍ଥା କରିଛନ୍ତି ।

Advertisment

ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଚଳିତ ପଂଚାୟତ ନିର୍ବାଚନ ପାଇଁ ଭୋଟଗ୍ରହଣ ୨୪ ତାରିଖରେ ଶେଷ ହେବା ପରେ ୨୬ରୁ ୨୮ତାରିଖ ୩ଦିନ ଧରି ରାଜ୍ୟବ୍ୟାପୀ ସମସ୍ତ ବ୍ଲକ ମୁଖ୍ୟାଳୟରେ ଏହି ଭୋଟ୍ ଗଣତି କରାଯିବ । ତେବେ ଏହି ଗଣତି ଫଳାଫଳକୁ ଅନଲାଇନ୍ ‘ପରିଣାମ’ ପୋର୍ଟାଲ ମାଧ୍ୟମରେ ଅପଡେଟ୍ କରାଇବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ଅଧିକାରୀ ବା ବିଡିଓମାନେ ୨୪ତାରିଖ ସୁଦ୍ଧା ଏହି ପୋର୍ଟାଲ ପାଇଁ ଆବଶ୍ୟକ ଡାଟା ଉପଲବ୍ଧ କରାଇବେ । ଯାହାଫଳରେ ଭୋଟଗଣତି ପରେ ପଂଚାୟତ ଓ ୱାର୍ଡ ୱାରି କେଉଁ ଜିଲ୍ଲା ପରିଷଦ ପ୍ରାର୍ଥୀ କେତେ ଭୋଟ୍ ପାଇଲେ ତାହା ଏହି ପୋର୍ଟାଲ ମାଧ୍ୟମରେ ସମସ୍ତେ ଜାଣପାରିବେ । ଏଥିପାଇଁ ପ୍ରତ୍ୟେକ ଭୋଟଗଣତି କେନ୍ଦ୍ରରେ ଇଣ୍ଟରନେଟ ସଂଯୋଗ ସହ ଆବଶ୍ୟକ ପରିମାଣର କମ୍ପ୍ୟୁଟର ଅବା ଲାପଟପ୍ ଉପଲବ୍ଧ ରଖିବାକୁ ମଧ୍ୟ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମଥର ପାଇଁ ପଂଚାୟତ ନିର୍ବାଚନ ଫଳାଫଳ ଅନଲାଇନରେ ଉପଲବ୍ଧ ହେବ ।

ସେହିପରି ରାଜ୍ୟରେ ବ୍ୟାପକ ହିଂସା ଓ ଗଣ୍ଡଗୋଳ ମଧ୍ୟରେ ପଂଚାୟତ ନିର୍ବାଚନ ପ୍ରକ୍ରିୟା ଚାଲିଥିବାରୁ ଭୋଟ ଗଣତି ପର୍ଯ୍ୟନ୍ତ ଭୋଟ ବାକ୍ସଗୁଡ଼ିକର ସୁରକ୍ଷାକୁ ନେଇ ବିଭିନ୍ନ ମହଲରେ ଆଶଙ୍କା ଦେଖାଦେଇଛି । ପ୍ରଥମଥର ପଂଚାୟତ ନିର୍ବାଚନ ପାଇଁ ଭୋଟଗଣତି ବ୍ଲକସ୍ତରରେ ହେଉଥିବାରୁ ଭୋଟ ବାକ୍ସ ରଖିବାକୁ ଉଦ୍ଦିଷ୍ଟ ‘ଷ୍ଟ୍ରଙ୍ଗରୁମ’ର ସୁରକ୍ଷା ଓ ଭୋଟ ବାକ୍ସ ଟ୍ୟାମ୍ପରିଂ ହେବାର ଆଶଙ୍କା ବିଭିନ୍ନ ରାଜନୀତିକ ଦଳ ଓ ପ୍ରାର୍ଥୀମାନେ କରୁଛନ୍ତି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନର ଫେବୃୟାରୀ ୧୯, ୨୦ ଓ ୨୨ତାରିଖରେ ୩ଟି ଚିଠି ଲେଖି ସମସ୍ତ ଜିଲ୍ଲାପାଳଙ୍କୁ ଷ୍ଟ୍ରଙ୍ଗରୁମ୍ ଓ ଭୋଟ ବାକ୍ସର ସୁରକ୍ଷା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ସିଲ୍ ହୋଇଥିବା ଷ୍ଟ୍ରଙ୍ଗରୁମ୍ ଯେଭଳି କୌଣସି ପରିସ୍ଥିତିରେ ବି ଖୋଲା ନଯାଏ ତାହା ସୁନିଶ୍ଚିତ କରିବାକୁ କହିଛନ୍ତି । ଯେଉଁ କିଛି ସ୍ଥାନରେ ସାନି ମତଦାନ ହେଉଛି ସେଠାରେ ବି ଷ୍ଟ୍ରଙ୍ଗରୁମକୁ ନଖୋଲି ଅନ୍ୟ ଏକ ଷ୍ଟ୍ରଙ୍ଗରୁମରେ ଏହି ଭୋଟ ବାକ୍ସଗୁଡ଼ିକୁ ରଖିବାକୁ କମିଶନ କହିଛନ୍ତି । ଏହାସହିତ ଭୋଟ ବାକ୍ସ ରହୁଥିବା ଷ୍ଟ୍ରଙ୍ଗରୁମର ସୁରକ୍ଷା ପ୍ରତ୍ୟେକ ପ୍ରାର୍ଥୀ ସେମାନଙ୍କର ପ୍ରତିନିଧିମାନେ ଯେଭଳି କରିପାରିବେ ସେଥିପାଇଁ ଆବଶ୍ୟକ ଅନୁମତି ପ୍ରତ୍ୟେକ ବିଡିଓ ବା ନିର୍ବାଚନ ଅଧିକାରୀ ଯେଭଳି ଦେବେ ସେଥିପାଇଁ ଜିଲ୍ଲାପାଳମାନେ ଅନୁରୂପ ନିର୍ଦ୍ଦେଶନାମା ଜାରି କରିବେ ।

Advertisment

ଭୋଟ ବାକ୍ସ ରହୁଥିବା ଷ୍ଟ୍ରଙ୍ଗରୁମରେ ୨୪ଘଣ୍ଟା ବିଦ୍ୟୁତ ସଂଯୋଗ ସହ ସିସିଟିଭି ବ୍ୟବସ୍ଥା କରିବାକୁ ନିର୍ବାଚନ ଅଧିକାରୀମାନଙ୍କୁ କୁହାଯାଇଛି । ଷ୍ଟଙ୍ଗରୁମ ସିଲ୍ ହେବା ପରେ ନିର୍ବାଚନ ଅଧିକାରୀ ଅବା ଅନ୍ୟ କୌଣସି ଅଧିକାରୀ ତାକୁ ଖୋଲି ପାରିବେ ନାହିଁ । କେବଳ ଏକ ନିର୍ଦ୍ଦିଷ୍ଟ ଦୂରତ୍ୱରୁ ଏହାର ସୁରକ୍ଷା ସୁନିଶ୍ଚିତ କରାଇବେ । ଭୋଟ ଗଣତି ଦିନ ପ୍ରାର୍ଥୀମାନଙ୍କ ଏଜେଂଟ, ଭୋଟ ଗଣନା କରୁଥିବା କର୍ମଚାରୀ, ଏପରିକି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ମଧ୍ୟ ଗଣତି କେନ୍ଦ୍ର ଭିତରକୁ ପାଣି ବୋତଲ ଓ ମୋବାଇଲ୍ ଫୋନ୍ ନେବାକୁ ଅନୁମତି ମିଳିବ ନାହିଁ । କୌଣସି ପ୍ରକାରର ଇଲେକ୍ଟ୍ରୋନିକ୍ସ ଡିଭାଇସ, ସିଲ୍ , ଷ୍ଟାମ୍ପ ପ୍ୟାଡ୍ , ସ୍ପାଏ ପେନ୍ ଓ ଅନ୍ୟ ସାମଗ୍ରୀ ଯେପରି ଭିତରକୁ ନଯିବ ତାହା ଭୋଟ ଗଣତି କେନ୍ଦ୍ରର ଗେଟ୍ ପାଖରେ କଡ଼ାକଡ଼ି ଭାବେ ଯାଂଚ କରାଯିବ । ତେବେ ପାନୀୟ ଜଳର ବ୍ୟବସ୍ଥା ଗଣତି ହଲ୍ ବାହାରେ ରହିବ ଓ ଗଣନା କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଓ ଏଜେଂଟ୍ ସେଠାରେ ଯାଇ ପାଣି ପିଇପାରିବେ ବୋଲି କମିଶନ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି।

ରାଜ୍ୟରେ ବ୍ୟାପକ ପୁଲିସ ମୁତୟନ ସତ୍ତ୍ୱେ ନିର୍ବାଚନୀ ହିଂସା ଓ ଗୋଷ୍ଠୀ ସଂଘର୍ଷ ବଢ଼ୁଥିବାବେଳେ ଭୋଟ ବାକ୍ସର ସୁରକ୍ଷା ଏକପ୍ରକାର ଚ୍ୟାଲେଞ୍ଜ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ସବୁ ବ୍ଲକ ମୁଖ୍ୟାଳୟରେ ହୋଇଥିବା ଷ୍ଟ୍ରଙ୍ଗରୁମ ଓ ଭୋଟବାକ୍ସର ସୁରକ୍ଷା ପାଇଁ ରାଜ୍ୟ ନିର୍ବାଚନ କମିଶନ କ୍ରମାଗତ ଏଭଳି ତାଗିଦ୍ କରୁଥିବା ଜଣାପଡ଼ିଛି।

Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe