ଆସନ୍ତାକାଲି ୧୮୬ଟି ଜିଲ୍ଲା ପରିଷଦ ଜୋନରେ ଭୋଟ, ହିଂସାମୁକ୍ତ ନିର୍ବାଚନର ଆଶ୍ୱାସନା ଦେଲେ ଡିଜିପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନରେ ବ୍ୟାପକ ହିଂସା ପରେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ରାଜ୍ୟର ୬୮ଟି ବ୍ଲକରେ ୭୪୭ଜଣ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀଙ୍କ ଭାଗ୍ୟ ଆସନ୍ତାକାଲି ୬୨.୧୦ଲକ୍ଷ ଭୋଟର ନିର୍ଦ୍ଧାରଣ କରିବେ । ୧୮୬ଟି ଜିଲ୍ଲା ପରିଷଦ ଜୋନ,୧୫୧୪ଟି ପଂଚାୟତରେ ଉଭୟ ସରପଂଚ ଓ ସମିତି ସଭ୍ୟ ପଦବୀ ସମେତ ୨୦୪୩୬ଟି ୱାର୍ଡମେମ୍ବର ନିମନ୍ତେ ଆସନ୍ତାକାଲି ଭୋଟଗ୍ରହଣ ହେବ । ତେବେ ଶାସକ ଦଳକୁ ସୁହାଇବା ଭଳି ପଦକ୍ଷେପ […]

Police

Ordigital Desk
  • Published: Thursday, 17 February 2022
  • , Updated: 17 February 2022, 08:39 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନରେ ବ୍ୟାପକ ହିଂସା ପରେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ରାଜ୍ୟର ୬୮ଟି ବ୍ଲକରେ ୭୪୭ଜଣ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀଙ୍କ ଭାଗ୍ୟ ଆସନ୍ତାକାଲି ୬୨.୧୦ଲକ୍ଷ ଭୋଟର ନିର୍ଦ୍ଧାରଣ କରିବେ । ୧୮୬ଟି ଜିଲ୍ଲା ପରିଷଦ ଜୋନ,୧୫୧୪ଟି ପଂଚାୟତରେ ଉଭୟ ସରପଂଚ ଓ ସମିତି ସଭ୍ୟ ପଦବୀ ସମେତ ୨୦୪୩୬ଟି ୱାର୍ଡମେମ୍ବର ନିମନ୍ତେ ଆସନ୍ତାକାଲି ଭୋଟଗ୍ରହଣ ହେବ ।

ତେବେ ଶାସକ ଦଳକୁ ସୁହାଇବା ଭଳି ପଦକ୍ଷେପ ନେବା ଯୋଗୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ହିଂସା ଓ ଭୟର ବାତାବରଣ ପାଇଁ ବିିଭିନ୍ନ ଆଡ଼ୁ ସମାଲୋଚନା ହେବାପରେ ଉଭୟ ରାଜ୍ୟ ନିର୍ବାଚନ କମିଶନର ଓ ପୁଲିସ ଡିଜି ପରବର୍ତ୍ତୀ ପର୍ଯ୍ୟାୟଗୁଡ଼ିକରେ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ହେବ ବୋଲି ଆଶ୍ୱାସନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନରେ ବ୍ୟାପକ ହିଂସାକାଣ୍ଡ ପରେ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପଦାରେ ପଡ଼ିବା ସହ ରାଜ୍ୟ ନିର୍ବାଚନ କମିଶନର ଓ ପୁଲିସ ପ୍ରଶାସନର ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅବଶ୍ୟ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ହିଂସା ଓ ଗଣ୍ଡଗୋଳ ପାଇଁ ମୋଟ ୩୬ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ ସୂଚନା ଦେଇଛି ।

ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବ୍ୟାପକ ହିଂସା ପରେ ଆଜି ରାଜ୍ୟ ନିର୍ବାଚନ କମିଶନର ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଥିଲେ । ଏହି ବୈଠକ ପରେ ପୁଲିସ ଡିଜି ସୁନୀଲ କୁମାର ବନସଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଗତକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କେତେକ ସ୍ଥାନରେ ଗଣ୍ଡଗୋଳ ଓ ହିଂସା ହୋଇଛି । ଗଣ୍ଡଗୋଳରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ଗିରଫ କରାଯାଉଛି । ସେମାନଙ୍କ ବିରୋଧରେ ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ତେବେ ପରବର୍ତ୍ତୀ ୪ଟି ପର୍ଯ୍ୟାୟ ନିର୍ବାଚନକୁ ବିନା ହିଂସାରେ କରିବାକୁ ପଦପେକ୍ଷ ନିଆଯାଉଛି । କୌଣସି ହିଂସା ଓ ଗଣ୍ଡଗୋଳକୁ ବରଦାସ୍ତ କରାଯିବ ନାହିଁ । ଭୋଟ ଗ୍ରହଣ ପ୍ରକ୍ରିୟାରେ ଯେଉଁମାନେ ବାଧାଦେବେ ସେମାନଙ୍କୁ ଛଡ଼ାଯିବ ନାହିଁ । ଗଣ୍ଡଗୋଳକାରୀଙ୍କୁ ବିଲକୁଲ ବରଦାସ୍ତ କରାଯିବ ନାହିଁ । ଭୋଟ ହେବାକୁ ଥିବା ସ୍ଥାନରେ ପୁଲିସ ମୁତୟନକୁ କଡ଼ାକଡ଼ି କରାଯାଇଛି ବୋଲି ପୁଲିସ ଡିଜି ଶ୍ରୀ ବନସଲ କହିଛନ୍ତି ।

ସେହିପରି ପୁଲିସ ମୁଖ୍ୟାଳୟରୁ ଜାରି ସୂଚନା ଅନୁସାରେ ରାଜ୍ୟରେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣକୁ ଅବାଧ ଓ ସ୍ୱଚ୍ଛ କରିବା ନିମନ୍ତେ ଯଥେଷ୍ଟ ପରିମାଣର ସୁରକ୍ଷାକର୍ମୀ ମୁତୟନ କରାଯାଇଛି । ୨୪୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିବାବେଳେ ୧୭୫୩ଟି ମୋବାଇଲ ପାଟ୍ରୋଲିଂ ଟିମ୍ ସମଗ୍ର ରାଜ୍ୟରେ ମୁତୟନ ହୋଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ୨୦୪୩୫ଟି ବୁଥରେ ଭୋଟଗ୍ରହଣ ହେବ ।  ପ୍ରଥମ ପର୍ଯ୍ୟାୟ ଭୋଟବେଳେ ହିଂସା ଓ ଗଣ୍ଡଗୋଳ କରିଥିବା ଅଭିଯୋଗରେ ପୁରୀ ଜିଲ୍ଲାରେ ସର୍ବାଧିକ ୧୬ଜଣ, ଯାଜପୁରରେ ୧୪ଜଣ ଓ ଢେଙ୍କାନାଳରେ ୬ଜଣଙ୍କୁ ଗିରଫ କରାଯାଇଛି ।

ସୂଚନାଯୋଗ୍ୟ, ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ଭୋଟରେ ୬୮ଟି ବ୍ଲକରେ ୧୮୬ଜଣ ଜିଲ୍ଲା ପରିଷଦ ସଭ୍ୟ, ୧୫୧୪ ସରପଂଚ, ୧୫୧୪ ସମିତି ସଭ୍ୟ ନିଜର ଭାଗ୍ୟ ପରୀକ୍ଷା କରିବେ । ମୋଟ ୨୦୪୩୬ଟି ବୁଥରେ ୬୨.୧୦ଲକ୍ଷ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ଏହି ବୁଥ ମଧ୍ୟରୁ ୩୦୬୫ଟି ବୁଥ ଉତ୍ତେଜନାପ୍ରବଣ ଚିହ୍ନଟ କରାଯାଇଛି ।

Related story