Advertisment

Pandian Under Scanner: ମୋହନ ସରକାରଙ୍କ ବଡ଼ ଆକ୍ସନ, ପାଣ୍ଡିଆନଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଂଚ

ମୋହନ ସରକାର ଏହି କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଇ ପରୋକ୍ଷରେ ତତକାଳୀନ ସୁପର ସିଏମ୍ ପାଣ୍ଡିଆନଙ୍କୁ ଏଭଳି ବେଆଇନ କାର୍ଯ୍ୟରେ କେଉଁମାନେ ସହଯୋଗ କରୁଥିଲେ ତାକୁ ତଦନ୍ତ ପରିସରଭୁକ୍ତ କରିବାକୁ ଚାହୁଁଥିବା ଜଣାପଡ଼ିଛି ।

author-image
Prakaash Sethi
Pandian-Crime-Branch-notice

ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ନିଜ ଦଳରେ ତୀବ୍ର ବିରୋଧର ସମ୍ମୁଖୀନ ହେଉଥିବା ପାଣ୍ଡିଆନଙ୍କ ବିରୁଦ୍ଧରେ ଏବେ ମୋହନ ସରକାର କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି । ବିଜେଡି ସରକାର ସମୟରେ ପାଣ୍ଡିଆନଙ୍କ କାର୍ଯ୍ୟକଳାପର ଖୋଳତାଡ଼ ଆରମ୍ଭ କରିଛି ରାଜ୍ୟ କ୍ରାଇମବ୍ରାଂଚ । ବିଶେଷକରି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପାଣ୍ଡିଆନଙ୍କ ପାଇଁ ସରକାରୀ ପାଣ୍ଠିରେ କିଭଳି ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲା ତା’ର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି । ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ଅଭିଯୋଗ ଆଧାରରେ ଗୃହ ବିଭାଗର ନିର୍ଦ୍ଦେଶକ୍ରମେ ଏହି କ୍ରାଇମବ୍ରାଂଚ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି ।

Advertisment


ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଂଚର ନୋଟିସ୍


ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ଦ୍ୱାରା ୨୦୨୪ ଫେବୃୟାରୀ ୮ତାରିଖରେ ରାଜ୍ୟ ଗୃହ ସଚିବଙ୍କ ନିକଟରେ ଦାଖଲ କରାଯାଇଥିବା ଅଭିଯୋଗର ତଦନ୍ତ ପାଇଁ କ୍ରାଇମବ୍ରାଂଚ ପକ୍ଷରୁ ତାଙ୍କୁ ନୋଟିସ୍ ଜାରି ହୋଇଛି । କ୍ରାଇମବ୍ରାଂଚର ତଦନ୍ତକାରୀ ଅଧିକାରୀ ଡିଏସପି ସନ୍ତୋଷ କୁମାର ଗୌଡ଼ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏସଏସ)ର ଧାରା ୯୪ ଅନ୍ତର୍ଗତ  ଡିସେମ୍ବର ୧୫ତାରିଖରେ ଏହି ନୋଟିସ୍ ଜାରି କରିଛନ୍ତି । ପୂର୍ବତନ ଫାଇଭ-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନଙ୍କ ବିରୋଧରେ ରହିଥିବା ଅଭିଯୋଗର ସତ୍ୟତା ପରଖିବା ପାଇଁ ଆସନ୍ତା ୬ ତାରିଖ ସୁଦ୍ଧା ସମସ୍ତ ଦସ୍ତାବିଜ, ଇଲେକ୍ଟ୍ରୋନିକ୍ସ ରେକର୍ଡ ଏବଂ ଅନ୍ୟାନ୍ୟ ପ୍ରମାଣ ଦାଖଲ କରିବାକୁ ଶ୍ରୀ ପାଣିଗ୍ରାହୀଙ୍କୁ ଅନୁରୋଧ କରାଯାଇଛି। କ୍ରାଇମବ୍ରାଂଚ ୨୦୨୫ ମେ’ ୨୯ତାରିଖରେ ମଧ୍ୟ ଏନେଇ ପ୍ରାରମ୍ଭିକ ଖୋଳତାଡ଼ ଆରମ୍ଭ କରିଥିବା ଜଣାପଡ଼ିଛି ।


‘ଓଡ଼ିଶା ରୁଲ୍ସ ଅଫ୍ ବିଜନେସ- ୧୯୫୬' ର ଉଲ୍ଲଂଘନ ଅଭିଯୋଗ


ଶ୍ରୀ ପାଣିଗ୍ରାହୀ ତାଙ୍କ ଅଭିଯୋଗରେ ପାଣ୍ଡିଆନଙ୍କ ଦ୍ୱାରା ଓଡ଼ିଶା ରୁଲସ ଅଫ ବିଜିନେସ-୧୯୫୬ର ଉଲ୍ଲଘଂନ ସହ ଅନ୍ୟାନ୍ୟ ଅଭିଯୋଗ ମଧ୍ୟ ଆଣିଥିବା ଜଣାପଡ଼ିଛି । ଅଭିଯୋଗ ଅନୁଯାୟୀ, ଫାଇଭ-ଟି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ସମୟରେ ପାଣ୍ଡିଆନ ବିଭିନ୍ନ ସଭା ଓ କାର୍ଯ୍ୟକ୍ରମରେ ବେଆଇନ ଭାବେ ସରକାରୀ କ୍ଷମତାର ଅପବ୍ୟବହାର କରିଥିଲେ। ପାଣ୍ଡିଆନ ସରକାରୀ ତହବିଲରୁ ବିପୁଳ ପରିମାଣର ଅର୍ଥ ବ୍ୟୟ କରି ହେଲିକପ୍ଟର ଗସ୍ତ ସହ କାର୍ଯ୍ୟକ୍ରମ ଆୟୋଜନ କରିଥିବା ନେଇ ହୋଇଥିବା ଅଭିଯୋଗ ସଂକ୍ରାନ୍ତରେ କ୍ରାଇମବ୍ରାଂଚ ତଦନ୍ତ କରୁଛି ।

Advertisment


ଏହି ନୋଟିସ୍ ସମ୍ପର୍କରେ ଶ୍ରୀ ପାଣିଗ୍ରାହୀଙ୍କୁ ପଚରାଯିବାରୁ କ୍ରାଇମବ୍ରାଂଚ ତାଙ୍କୁ ନୋଟିସ୍ ଜାରି କରିଛି ଓ ଏହି ଅଭିଯୋଗ ସେ ସାଧାରଣ ନିର୍ବାଚନ ପୂର୍ବରୁ ଦେଇଥିଲେ ବୋଲି ସ୍ୱୀକାର କରିଛନ୍ତି ।
 
ମୋହନ ସରକାର ଏହି କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଇ ପରୋକ୍ଷରେ ତତକାଳୀନ ସୁପର ସିଏମ୍ ପାଣ୍ଡିଆନଙ୍କୁ ଏଭଳି ବେଆଇନ କାର୍ଯ୍ୟରେ କେଉଁମାନେ ସହଯୋଗ କରୁଥିଲେ ତାକୁ ତଦନ୍ତ ପରିସରଭୁକ୍ତ କରିବାକୁ ଚାହୁଁଥିବା ଜଣାପଡ଼ିଛି । ମୋହନ ସରକାର ୨୦୨୪ ଜୁନ ମାସରେ କ୍ଷମତାସୀନ ହେବାପରେ ପାଣ୍ଡିଆନଙ୍କ ବିରୁଦ୍ଧରେ ଏହା ପ୍ରଥମ ଆକ୍ସନ । ତେବେ ଏହା କେବଳ ତଦନ୍ତ ଭିତରେ ସୀମିତ ରହୁଛି ନା ବାସ୍ତବରେ କିଛି କାର୍ଯ୍ୟାନୁଷ୍ଠାନ ହେବ ତାହା ଉପରେ ସମସ୍ତଙ୍କ ନଜର ।