ସରକାରୀ ଡାକ୍ତରଖାନା ହେଉ କି ଯେକୌଣସି ସରକାରୀ ଅନୁଷ୍ଠାନ, ଏବେ ସେଠାରେ ଆପଣ ଶହ ଶହ ଠିକା ନିଯୁକ୍ତି ଦେଖିବେ। ବାଲେଶ୍ୱରର ଫକୀର ମୋହନ ମେଡିକାଲ କଲେଜ କଥା ଦେଖିପାରନ୍ତି। ଏହି ମେଡିକାଲ କଲେଜକୁ ୨୦୬ ଜଣ ନର୍ସ, ୧୩ ଜଣ ଫାର୍ମାସିଷ୍ଟ ଓ ୭ଜଣ ରେଡିଓଗ୍ରାଫରଙ୍କ ଭଳି କୁଶଳୀ କର୍ମଚାରୀ ଯୋଗାଇ ଦେଇଛନ୍ତି ୬ଟି ଆଉଟସୋର୍ସିଂ ଏଜେନସି। ଏହି ୬ଟି ଆଉଟସୋର୍ସିଂ ଏଜେନ୍ସି ଭିତରେ ୩ଟି ସିକ୍ୟୁରିଟି ସର୍ଭିସ ଯୋଗାଉଥିବା ସଂସ୍ଥା ରହିଛି।
ରାଜ୍ୟର ପ୍ରାୟ ୪ ଲକ୍ଷ ସରକାରୀ କର୍ମଚାରୀ ଥିବା ବେଳେ ଏବେ ରାଜ୍ୟ ଓ ଜିଲ୍ଲାସ୍ତରରେ ପ୍ରାୟ ୧ ଲକ୍ଷ କର୍ମଚାରୀ ଠିକାରେ ନିଯୁକ୍ତି ପାଇଛନ୍ତି। ଠିକାରେ ଅଣ-କୁଶଳୀ ସହ କୁଶଳୀ-କର୍ମଚାରୀ ଓ ପେସାଦାର କର୍ମଚାରୀ ବି ଯୋଗାଇ ଦେବା ଦାୟିତ୍ୱ ପାଉଛନ୍ତି ବିଭିନ୍ନ ସିକ୍ୟୁରିଟି ସଂସ୍ଥା ଓ ଆଉଟସୋର୍ସିଂ ଏଜେନସି। କେତେକ କ୍ଷେତ୍ରରେ ଟେଣ୍ଡର ବାଟେ ଆଉଟସୋର୍ସିଂ ଏଜେନସିକୁ ଦାୟିତ୍ୱ ଦେଉଛନ୍ତି ସରକାର। ପୂର୍ବରୁ ସରକାରୀ ଦପ୍ତରରେ ଜଗାରଖା, ହାଉସ କିପିଂ, ସ୍ୱଚ୍ଛତା ଓ ପରିମଳ ଭଳି ଦାୟିତ୍ୱ ନେବା ପାଇଁ ଅଣ-କୁଶଳୀ କର୍ମଚାରୀ ବାଛିବାକୁ ଆଉଟସୋର୍ସିଂ ଏଜେନସିଙ୍କୁ ଦାୟିତ୍ୱ ଦିଆଯାଉଥିଲା। କାରଣ ଏହାଦ୍ୱାରା ସରକାରଙ୍କ ବ୍ୟୟ ଭାର କମିବ। ହେଲେ ଏବେ ଦେଖାଯାଉଛି, ସିକ୍ୟୁରିଟି ଏଜେନସି ଭଳି ଆଉଟସୋର୍ସିଂ ଏଜେନସି ଗୁଡ଼ିକ କୁଶଳୀ ପଦବୀରେ ଅର୍ଥାତ୍ ରେଡିଓଗ୍ରାଫର, ନର୍ସ, ଫାର୍ମାସିଷ୍ଟ ବି ଯୋଗାଇ ଦେଉଛନ୍ତି। ଏମିତିକି କେତେକ ସ୍ଥାନରେ ବୈଜ୍ଞାନିକ ବି ଯୋଗାଇ ଦେଉଛନ୍ତି ଆଉଟସୋର୍ସିଂ କାମରେ ନିୟୋଜିତ ଥିବା ସିକ୍ୟୁରିଟି ଏଜେନସି।
ପୂର୍ବତନ ମୁଖ୍ୟସଚିବ ସହଦେବ ସାହୁ କହିଛନ୍ତି- ଡ୍ରାଇଭରମାନେ ବି କୁଶଳୀ ପଦରେ ଯାଉଛନ୍ତି। ଏମାନେ ଆଉ କିଛି ନିୟମ ମାନୁନାହାନ୍ତି। ଯଦି ୫ଟି ପଦ ପାଇଁ ୫୦୦ ପ୍ରାର୍ଥୀ ଆବେଦନ କରନ୍ତି, ଆଉଟସୋର୍ସିଂ ଏଜେନସି ନିଜ ଇଚ୍ଛାରେ ଅର୍ଥ କାରବାର କରି ନିଜ ଇଚ୍ଛାରେ ୪୯୫ ଲୋକଙ୍କ ନାଁ କାଟି ଦେଇପାରେ ବା ନିଜ ଇଚ୍ଛା ମୁତାବକ ଅଳ୍ପ କିଛି ନାଁ ସୁପାରିଶ କରିପାରେ।
ପୂର୍ବତନ କେନ୍ଦ୍ର ସଚିବ ପ୍ରସନ୍ନ ମିଶ୍ର କହିଛନ୍ତି- ଦିନକୁ ଦିନ ଆଇନକୁ ଯେଭଳି ମୋଡି ମକଚି ଦିଆଯାଉଛି, ସେଥିରେ ଆଉଟସୋର୍ସିଂ ନାଁରେ କୁଶଳୀ ପଦରେ ନିଯୁକ୍ତି ଦେବା ଠିକ ହେଉ ନାହିଁ। ଲୋକଙ୍କର ସେଭଳି ପଦବି ଉପରେ ବିଶ୍ୱାସନୀୟତା କମିଯିବ। ଏ ନେଇ ସବୁସ୍ତରରେ ସଚେତନତା ପ୍ରକାଶ ପାଇବା ଉଚିତ।
କେବଳ ବାଲେଶ୍ୱରରେ ଖୋଲିଥିବା ମେଡିକାଲ କଲେଜ ନୁହେଁ, ବାରିପଦା, ମେଡିକାଲ କଲେଜରେ ବି ସମାନ ଅବସ୍ଥା। ବାରିପଦା ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ୩ଟି ଆଉଟସୋର୍ସିଂ ଏଜେନସି ୨୨୦ ନର୍ସ, ୭ ରେଡିଓଗ୍ରାଫର ଓ ୧୬ ଫାର୍ମାସିଷ୍ଟ ନିଯୁକ୍ତି ଦେଇଛନ୍ତି। କେନ୍ଦୁଝର ମେଡିକାଲ କଲେଜରେ ଦୁଇଟି ସିକ୍ୟୁରିଟି ଏଜେନସି ୬୦ ନର୍ସ ଓ ୧୯ ଫାର୍ମାସିଷ୍ଟଙ୍କ ସହ ଅନ୍ୟାନ୍ୟ ପଦବି ପାଇଁ କୁଶଳୀ କର୍ମଚାରୀ ଯୋଗାଇ ଦେଇଛନ୍ତି। ବଲାଙ୍ଗୀରର ଭୀମଭୋଇ ମେଡିକାଲ କଲେଜରେ ବି ୪ଟି ଆଉଟସୋର୍ସିଂ ଏଜେନସି ନର୍ସ ଓ ରେଡିଓଗ୍ରାଫର ଯୋଗାଇ ଦେଇଥିବା ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି। ଏମିତିକି ରାଜ୍ୟ ପରିବେଶ ଆକଳନ କର୍ତ୍ତୃପକ୍ଷ ବା `ସିଆ’ ଭଳି ଏକ ବୈଧାନିକ ସଂସ୍ଥାରେ ବି `ପରିବେଶ ବୈଜ୍ଞାନିକ’ଙ୍କୁ ଠିକାରେ ନିଯୁକ୍ତି ଦେଇଛି ଏକ ସିକ୍ୟୁରିଟି ସଂସ୍ଥା। ଏଭଳି ଭାବେ ଆଉଟସୋର୍ସିଂର ମୂଳ ଲକ୍ଷ୍ୟରୁ ରାଜ୍ୟ ସରକାର ବିଚ୍ୟୁତ ହୋଇଥିବା ବିଶେଷଜ୍ଞମାନେ କହୁଛନ୍ତି। ଏଭଳି ନିଯୁକ୍ତିରେ ସ୍ୱଚ୍ଛତା ଓ ସେବାର ମାନ ଉପରେ ବି ଅନେକ ପ୍ରଶ୍ନ ଉଠାଉଛନ୍ତି। ଏ ନେଇ ଆମେ ସିଆ କର୍ତ୍ତୃପକ୍ଷ ଓ ବାରିପଦା ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ସେମାନେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।
ରିପୋର୍ଟ-ଭୁବନେଶ୍ୱରୁ ଲକ୍ଷ୍ମୀନାରାୟଣ କାନୁନଗୋ