/odisha-reporter/media/media_files/2025/11/09/police-station-2025-11-09-18-32-53.jpg)
ମୋବାଇଲ ଚୋରି ଅଭିଯୋଗରେ ଜଣେ ନାବାଳକକୁ ପୁଲିସ ଅମାନୁଷିକ ମାଡ଼ ମାରିଛି । ଏମିତିକି ପିଟି ସାରିବା ପରେ କଥା ପ୍ରଘଟ ଡରରେ ପୁଲିସ ସଂପୃକ୍ତ ନାବାଳକଙ୍କୁ ଲାଞ୍ଚ ଯାଚିଥିବା ବି ଅଭିଯୋଗ ହୋଇଛି। ଆଉ ଲାଞ୍ଚ ଟା କ’ଣ, ତାହା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ ନିଶ୍ଚୟ। ପିଟିସାରି ପୁଲିସ ତାଙ୍କ ହାତରେ ଦୁଇ ଶଡ ଟଙ୍କା ଧରାଇ ଦେଇ ବିରିୟାନି ଖାଇଦେବୁ ବୋଲି କହିଥିଲା। ତା’ସହିତ ଘଟଣା ବିଷୟରେ କାହାକୁ କିଛି ନ କହିବାକୁ କହିଥିଲା। ଭଦ୍ରକ ଜିଲ୍ଲା ପୀରହାଟ ଥାନା ପୁଲିସ ସଂପର୍କରେ ନାବାଳକ ଜଣଙ୍କ ଏଭଳି ଅଭିଯୋଗ ଆଣିଛନ୍ତି।
ସୂଚନା ଅନୁସାରେ ଉକ୍ତ ନାବାଳକଙ୍କ ପଡ଼ୋଶୀ ଘରର ଜଣଙ୍କ ମୋବାଇଲ ଚୋରି ହୋଇଥିଲା । ସଂପୃକ୍ତ ନାବାଳକ ଚୋରି କରିଥିବା ନେଇ ଥାନାରେ ଅଭିଯୋଗ କରାଯିବା ପରେ ପୁଲିସ ତାଙ୍କୁ ଥାନାକୁ ଡକାଇଥିଲା । ଗତ ୨ ତାରିଖ ଦିନ ବାପାଙ୍କ ସହ ନାବାଳକ ଜଣଙ୍କ ଥାନାରେ ପହଞ୍ଚିଥିଲେ । ବାପାଙ୍କୁ ଥାନାରେ ବସାଇ ପୁଲିସ ନାବାଳକଙ୍କୁ ଥାନା ପଛପଟକୁ ନେଇ ପିଟିଥିବା ଅଭିଯୋଗ ହୋଇଛି ।
ମାଡ଼ ଖାଇଥିବା ନାବାଳକଙ୍କ ଅଭିଯୋଗ ଅନୁଯାୟୀ ନିଜେ ଆଇଆଇସି ତାଙ୍କୁ ପିଟିଥିଲେ। ଏମିତିକି ତାଙ୍କ ଛାତିକୁ ଗୋଇଠା ମଧ୍ୟ ମାରିଥିଲେ। ତାଙ୍କ ସହ ଆଉ ଜଣେ ପୁଲିସ ତାଙ୍କୁ ପିଟି ଥିଲେ। ମାଡ଼ ଖାଇ ସେ ତଳେ ପଡ଼ିଯିବା ପରେ ତାଙ୍କୁ ଜଣେ ପୁଲିସ କର୍ମଚାରୀ ୨ ଶହ ଟଙ୍କା ଦେଇ କହିଲେ ନେ ବିରିୟାନୀ ଖାଇଦେବୁ, କାହାକୁ କିଛି କହିବୁନି । ଥାନା ଭିତରେ ସିସିଟିଭି ଲାଗିଥିବାରୁ ଥାନା ପଛପଟକୁ ନେଇ ତାଙ୍କୁ ମାଡ଼ ମରାଯାଇଥିଲା । ପୁଲିସ ମାଡ଼ରେ ଆହତ ହୋଇ ଭଦ୍ରକ ମେଡିକାଲରେ ଚିକିତ୍ସା ହେଲା ପରେ ଏବେ ମୁହଁ ଖୋଲିଛି ସଂପୃକ୍ତ ନାବାଳକ।
ମୋବାଇଲ ଚୋରି ଭଳି ମିଛ ଅଭିଯୋଗରେ ପୁଲିସ ଥାନାକୁ ନେଇ ମାଡ଼ ମାରିଥିବାରୁ ମାନସିକ ଭାବେ ଭାଙ୍ଗି ପଡ଼ିଛନ୍ତି ନାବାଳକ ଜଣଙ୍କ । ଅନ୍ୟପକ୍ଷରେ ଏଭଳି ଅମାନୁଷିକ କାର୍ଯ୍ୟ ପାଇଁ ଆଇଆଇସି ଏବଂ ଅନ୍ୟ ସମସ୍ତ ପୁଲିସ କର୍ମଚାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସଂପୃକ୍ତ ନାବାଳକଙ୍କ ବଡ଼ ଭାଇ ଓ ମା’ ।
ଅନ୍ୟପକ୍ଷରେ ଏହି ଅଭିଯୋଗକୁ ମିଛ ବୋଲି କହିଛନ୍ତି ପୀରହାଟ ଥାନା ଆଇଆଇସି ରୋଜାଲିନ ବେହେରା । ସେ କହିଛନ୍ତି, ଥାନାରେ ସବୁଆଡ଼େ କ୍ୟାମେରା ଲାଗିଛି । ଆମେ ସେଭଳି କିଛି କରିନୁ । ଆମେ ତାକୁ ଥାନାକୁ ଆଣିନଥିଲୁ, ତା’ ବାପା ତାକୁ ସାଥିରେ ଆଣି ଆସିଥିଲେ । ଯାହା ଅଭିଯୋଗ ଆସିଛି ସବୁ ମିଛ।
ଥାନାରେ ଥାର୍ଡ ଡିଗ୍ରୀ ନେଇ ପୋଲିସ ନାଁରେ ବାରମ୍ବାର ଅଭିଯୋଗ ଆସୁଛି । ଏସବୁ ଏଡାଇବା ପାଇଁ ସିସିଟିଭି ଲାଗିବା ବ୍ୟବସ୍ଥା ହୋଇଥିଲେ ବି ଏଭଳି ଏକ ଅଭିଯୋଗ ଚିନ୍ତାର ବିଷୟ ହୋଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
