Advertisment

Sexual Harassment: ଭୁବନେଶ୍ୱରରେ ଘରୋଇ ହସ୍‌ପିଟାଲରେ ଯୌନ ନିର୍ଯାତନା; ଟେକ୍ନିସିଆନଙ୍କ ବିରୋଧରେ ଅଭିଯୋଗ ଆଣିଲେ ନର୍ସ

ଘଟଣାଟି ଗତ ୨୫ ତାରିଖର। ଏଯାଏ ମେଡିକାଲ କର୍ତ୍ତୃପକ୍ଷ ତଦନ୍ତ କଲେନି। ଓଲଟି ଇସ୍ତଫା ନଦେଲେ ପୀଡ଼ିତାଙ୍କୁ ଚାକିରିରୁ ବାହାର କରିଦେବାକୁ ଧମକ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।

author-image
Jitendra Garnayak
Sexual Harasment

ଭୁବନେଶ୍ୱରର ମୈତ୍ରୀ ବିହାର ଥାନା ଅଞ୍ଚଳରେ ଥିବା ଏକ ପ୍ରତିଷ୍ଠିତ ଘରୋଇ ହସ୍‌ପିଟାଲ୍‌ର ଜଣେ ଟେକ୍ନିସିଆନ (ନ୍ୟୁରୋ ଆସିଷ୍ଟାଣ୍ଟ)ଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ତାଙ୍କର ଜଣେ ମହିଳା ସହକର୍ମୀ (ସିଷ୍ଟର ଇନ୍‌ଚାର୍ଜ)। ଏନେଇ ସେ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଛନ୍ତି। ଏହା ସହିତ ସେ ହସ୍‌ପିଟାଲର ଅନେକ ବରିଷ୍ଠ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କାରଣ ସେମାନେ ନ୍ୟାୟ ଦେବା ବେଳେ ତାଙ୍କୁ ଧମକ ଦେବା ସହିତ ମାନସିକ ନିର୍ଯାତନା ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

Advertisment

ପୀଡ଼ିତା ଅଭିଯୋଗ କରିଛନ୍ତି, ଘଟଣାଟି ଗତ ୨୫ ତାରିଖର। ଏଯାଏ ମେଡିକାଲ କର୍ତ୍ତୃପକ୍ଷ ତଦନ୍ତ କଲେନି। ଘଟଣା ସଂପର୍କରେ ଅଭିଯୋଗ କରି ସଂଘ ପାଖକୁ ଯାଇଥିଲି। ସଂଘ ଶୁଣିଲାନି। ମାନବ ସମ୍ବଳ ମୁଖ୍ୟ (ଏଚ୍‌ଆର ହେଡ୍) ଓ ସିଇଓ ମଧ୍ୟ ଶୁଣିଲେନି। ସେ (ଅଭିଯୁକ୍ତ) ସମସ୍ତଙ୍କ ସହିତ ବ୍ୟବହାର ଖରାପ କରୁଛି। ମୋତେ ସ୍ପର୍ଶ କରିଛି। ତା’ ସତ୍ତ୍ୱେ କାହିଁକି ତାକୁ ସମର୍ଥନ କରାଯାଉଛି? ଅଭିଯୋଗ କଲା ପରେ ମୋତେ ଡାକି କହିଲେ, ‘ତୁମେ ରାତାରାତି ଇସ୍ତଫା ଦେଇ ଚାଲିଯାଅ। ନହେଲେ ଆମେ ତୁମକୁ ଟର୍ମିନେଟ୍ କରିଦେବୁ। ଟର୍ମିନେଟ୍ କରିବା ସହିତ ବ୍ଲାକ୍‌ଲିଷ୍ଟରେ ପକାଇ ଦେବୁ। ଫଳରେ ଅଲଗା ହସ୍‌ପିଟାଲରେ ତୁମକୁ ଚାକିରି ମିଳିବନି।’ ୧୧ ଦିନ ହେଲାଣି ମୋ କଥା ବୁଝାଯାଇନି। ଏଚ୍‌ଆର ସମ୍ମୁଖରେ ବସାଇ ଦେଉଛନ୍ତି। ତଦନ୍ତ ଚାଲିଛି କହି କାମ କରିବାକୁ ଅନୁମତି ଦେଉନାହାନ୍ତି। 

ପୀଡ଼ିତା ନର୍ସ ଜଣଙ୍କ ଅଭିଯୋଗ କରିଛନ୍ତି ଯେ ହସ୍‌ପିଟାଲରେ ଚାଲିଥିବା କିଛି ବେଆଇନ କାର୍ଯ୍ୟ ବିଷୟରେ ସେ ମ୍ୟାନେଜମେଣ୍ଟକୁ ଅଭିଯୋଗ କରିବା ପରେ ତାଙ୍କୁ ଟାର୍ଗେଟ କରାଯାଇଛି। 

Advertisment

ସେ କହିଛନ୍ତି, ଓଟି ଭିତରେ ଯାହା ବି ଦୁର୍ନୀତି ଚାଲିଥିଲା, ତାହାକୁ ମୁଁ ଆଗକୁ ଆଣିଥିଲି। ମ୍ୟାନେଜମେଣ୍ଟକୁ ଜଣାଇଥିଲି। ଏଠାରେ ସର୍ଜରୀ କରୁଛନ୍ତି ନର୍ସ। ଯେଉଁମାନେ ପାସ୍ କରି ୬ ମାସ କାମ କରିଛନ୍ତି, ସେମାନଙ୍କୁ ସୁପରଭାଇଜର ପୋଷ୍ଟରେ ନିଯୁକ୍ତ କରୁଛନ୍ତି। ସେମାନଙ୍କୁ ଓଟିରେ ଅପରେସନ କରିବା ପାଇଁ ପଠାଯାଉଛି। ସର୍ଜରୀ ଅଧାଅଧି ହେବା ପରେ ସର୍ଜନ ଆସୁଛନ୍ତି। ସେଇଟା କହିଲି ବୋଲି ମୁଁ ଖରାପ ହେଲି। ସେଥିପାଇଁ ମୋତେ ଟାର୍ଗେଟ କଲେ।

ସମାଜସେବୀ ସସ୍ମିତା ଦାସ କହିଛନ୍ତି, ଅଭିଯୁକ୍ତ ସମସ୍ତଙ୍କ ସାମ୍ନାରେ ଏହି ନର୍ସଙ୍କୁ ଶାରୀରିକ ନିର୍ଯାତନା ଦେବା ସହିତ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ। ତାଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିଥିଲେ। ପୀଡ଼ତା ଏନେଇ ହସ୍‌ପିଟାଲର ଏଚ୍‌ଆର୍ ହେଡ୍‌ ଓ ସିଇଓଙ୍କୁ ଜଣାଇଥିଲେ। ସେମାନେ ଓଲଟି ପୀଡ଼ିତାଙ୍କୁ ଧମକ ଦେଇଥିଲେ। ତାଙ୍କୁ ତୁରନ୍ତ ଇସ୍ତଫା ଦେବାକୁ କହିଥିଲେ। ନହେଲେ ତାଙ୍କୁ ଚାକିରିରୁ ବାହାର କରିଦିଆଯିବ ବୋଲି କହିଥିଲେ। ସେ ଅନ୍ୟ କୌଣସି ହସ୍‌ପିଟାଲରେ ମଧ୍ୟ ଚାକିରି ପାଇବେନି ବୋଲି ଧମକ ଦେଇଥିଲେ। ହସ୍‌ପିଟାଲ କର୍ତ୍ତୃପକ୍ଷ ତାଙ୍କ ଦୁଃଖ ବୁଝିବା ବଦଳରେ ତାଙ୍କୁ ବ୍ଲାକମେଲିଂ କରିଥିଲେ। ସେମାନେ ଚାହିଁଥିଲେ ସମାଧାନ କରିପାରିଥା’ନ୍ତେ। ତାହା ନକରି ଧମକ ଦେଇଥିଲେ। ଅଭିଯୁକ୍ତ ପୀଡ଼ିତାଙ୍କୁ ଫୋନ୍ କରି ଧମକ ଦେଇଥିଲେ। ତାଙ୍କ ଫଟୋ ନେଇ ଅଶ୍ଳୀଳ ଫିଲ୍ମ କରି ଭାଇରାଲ କରିଦେବେ ବୋଲି କହିଥିଲେ ଅଭିଯୁକ୍ତ। ସେ କହିଥିଲେ ଯେ ତାଙ୍କର ଗୁଣ୍ଡା ଅଛନ୍ତି। ପୀଡ଼ିତାଙ୍କୁ ଉଠାଇ ନେଇ ଦୁଷ୍କର୍ମ କରିବେ ବୋଲି ମଧ୍ୟ ସେ ଧମକ ଦେଇଥିଲେ। 

ସୂଚନାଯୋଗ୍ୟ, ପୀଡ଼ତା ଉକ୍ତ ଟେକ୍ନିସିଆନ (ନ୍ୟୁରୋ ଆସିଷ୍ଟାଣ୍ଟ)ଙ୍କ ସହିତ ଆଉ ଦୁଇ ଜଣ ବ୍ୟକ୍ତିଙ୍କ ନାଁରେ ଅଭିଯୋଗ ଆଣିଛନ୍ତି। ତେବେ ଟେକ୍ନିସିଆନ ଜଣଙ୍କ ମୁଖ୍ୟ ବୋଲି ସେ କହିଛନ୍ତି। ଏ ତିନି ଜଣଙ୍କ ସହିତ ସିଇଓ, ମେଡିକାଲ ଅଧୀକ୍ଷକ, ନର୍ସିଂ ନିର୍ଦ୍ଦେଶକ ଓ ଏଚ୍‌ଆର ହେଡ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି। 

ଏହି ଘଟଣା ନେଇ ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।