
ବିଗତ ଦୁଇ ଦଶନ୍ଧି ଧରି ଓଡ଼ିଶାରେ କ୍ଷମତାସୀନ ଥିବା ନବୀନ ପଟ୍ଟନାୟକ ସରକାର ଜନସାଧାରଣଙ୍କ ସେବା କରିବା ପରିବର୍ତ୍ତେ ଜନାଦେଶକୁ ଲୋକଙ୍କ ‘ବାଧ୍ୟବାଧକତା’ ବୋଲି ଭାବୁଥିଲେ। ନା ସେମାନେ ସମବାୟ କ୍ଷେତ୍ର ପାଇଁ କିଛି ପଦକ୍ଷେପ ନେଲେ ନା ଦୁଗ୍ଧ ଚାଷୀ ଓ କୃଷକଙ୍କ ପାଇଁ କୌଣସି ଯୋଜନା କଲେ। ଯୋଜନାବଦ୍ଧ ଭାବେ ଓଡ଼ିଶାର ଗ୍ରାମାଂଚଳର ଅର୍ଥନୀତିକୁ ପଙ୍ଗୁ କରିଦିଆଯାଇଛି।
ଆଜି ଏଭଳି କିଛି ଢଙ୍ଗରେ କଡ଼ା ଭାଷାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ବିଜେପି ଚାଣକ୍ୟ ତଥା କେନ୍ଦ୍ର ଗୃହ ଓ ସହକାରିତା ମନ୍ତ୍ରୀ ଅମିତ୍ ଶାହ(Amit Shah)। ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ ୩୨୭୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବା ସହ ୬ଟି ପ୍ରକଳ୍ପ ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଛି।
ଏହାସହିତ ବିକଶିତ ଓଡ଼ିଶାର ବ୍ଲୁପ୍ରିଣ୍ଟ ଦେଇ ଶ୍ରୀ ଶାହ ରାଜ୍ୟରେ ବନ୍ଦ ପଡ଼ିଥିବା ସବୁ ବନ୍ଦ ପଡ଼ିଥିବା ଚିନି କଳ ଖୋଲିବା ଓ ଶ୍ୱେତ ବିପ୍ଲବ ପାଇଁ ସବୁ ପ୍ରକାରର ସହାୟତା ଯୋଗାଇ ଦେବା ନିମନ୍ତେ କେନ୍ଦ୍ର ସରକାର ପ୍ରସ୍ତୁତ ଓ ରାଜ୍ୟ ସରକାରଙ୍କ ସହାୟତାରେ ଏହାକୁ କାର୍ଯ୍ୟକାରୀ କରାଯିବ। ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ଏବେ ରାଜ୍ୟର ଅଟକି ଯାଇଥିବା ବିକାଶ ରଥ ଆଗକୁ ବଢ଼ିବ ବୋଲି ସେ କହିଛନ୍ତି।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶାହା ରାଜ୍ୟରେ ବନ୍ଦ ପଡ଼ିଥିବା ସମସ୍ତ ଚିନି କଳକୁ ପୁନରୁଦ୍ଧାର କରିବା ପାଇଁ କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ସହଯୋଗ ଯୋଗାଇ ଦେବ ବୋଲି କହିଛନ୍ତି। ନୟାଗଡ଼ ଚିନିକଳ ସମେତ ପୂର୍ବ ସରକାର ଅମଳରେ ରାଜ୍ୟରେ ଯେତେ ଚିନିକଳ ବନ୍ଦ ହୋଇଯାଇଥିଲା, ସେଗୁଡ଼ିକର ପ୍ରସ୍ତାବ ପଠାଇବା ପାଇଁ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କହିବା ସହ ଆଇପିଏଲ୍ ସହାୟତାରେ ଚିନି କଳର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି।
ଆଗାମୀ ଦିନରେ ଗୁଜୁରାଟ ଭଳି ଓଡ଼ିଶାରେ ‘ଶ୍ୱେତ ବିପ୍ଳବ' ଆଣି ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରାଯିବର ବ୍ଲୁପ୍ରିଣ୍ଟ ରଖିଛନ୍ତି ଶ୍ରୀ ଶାହ । ସେ କହିଛନ୍ତି ଯେ, ଗୁଜରାଟର ଅମୂଲ ମଡେଲ ଭଳି ଓଡ଼ିଶାର ପ୍ରତିଟି ଗାଁରେ ସମବାୟ ସମିତି ଗଠନ କରାଯିବ। ଗୁଜୁରାଟରେ ୩୬ ଲକ୍ଷରୁ ଅଧିକ ମହିଳା ଅମୂଲକୁ ଚଳାଉଛନ୍ତି, ସେହିଭଳି ଓଡ଼ିଶାର ମହିଳାମାନେ ମଧ୍ୟ ଦୁଗ୍ଧ ଉତ୍ପାଦନ ମାଧ୍ୟମରେ ଆତ୍ମନିର୍ଭରଶୀଳ ହେବେ। ପୂର୍ବ ସରକାର ଦୁଗ୍ଧ ଚାଷୀଙ୍କ ପାଇଁ କିଛି କଲେନି, ୨୦ବର୍ଷ ଧରି ଅନ୍ଧକାର ପରେ ଏବେ ଓଡ଼ିଶାରେ ସମୃଦ୍ଧିର ସୂର୍ଯ୍ୟ ଉଦୟ ହୋଇଛି ଓ ଡବଲ ଇଞ୍ଜିନ ସରକାର ଓଡ଼ିଶାକୁ ବିଶ୍ୱର ଏକ ପ୍ରମୁଖ ବିକଶିତ ରାଜ୍ୟରେ ପରିଣତ କରାଇବେ ବୋଲି ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି।
ରାଜ୍ୟରେ ମତ୍ସ୍ୟ ଚାଷକୁ ମଧ୍ୟ ସମବାୟ ଶକ୍ତି ମାଧ୍ୟମରେ ଅଧିକ ପ୍ରୋତ୍ସାହିତ କରାଯିବ , ଯାହାଫଳରେ ଖାଦ୍ୟ ରପ୍ତାନୀ କ୍ଷେତ୍ରରେ ଓଡ଼ିଶା ଏକ ଲାଭବାନ ରାଜ୍ୟ ହୋଇପାରିବ ବୋଲି ସେ କହିଥିଲେ । ରାଜ୍ୟର ଉପକୂଳର ସମତଳ ଅଂଚଳଠାରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶାର ପାହାଡ଼ିଆ ଅଂଚଳ ଓ ଜନଜାତି ଅଂଚଳ ପର୍ଯ୍ୟନ୍ତ ସବୁ ସ୍ଥାନର ହସ୍ତଶିଳ୍ପ ଓ ଶିଳ୍ପର ବିକାଶ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ ସରିଛି । ମହାନଦୀର ଉର୍ବର ଅବବାହିକା ଓ ଚିଲିକାର ବିଶାଳ ଜଳରାଶିର କିଭଳି ସଠିକ୍ ସମନ୍ୱୟ ରକ୍ଷା କରାଯାଇ ପାରିବ, ସେନେଇ ମଧ୍ୟ ପ୍ଲାନିଂ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି ।
ଏହି ଅବସରରେ ଶ୍ରୀ ଶାହା ପାରାଦୀପ ଇଫକୋ ୟୁନିଟରେ ସଲଫ୍ୟୁରିକ୍ ଏସିଡ୍ ପ୍ଲାଂଟର ତୃତୀୟ ଷ୍ଟ୍ରିମକୁ ଲୋକାର୍ପଣ କରି ଓଡ଼ିଶାକୁ ଏକ ଶିଳ୍ପ ସମୃଦ୍ଧ ରାଜ୍ୟ କରିବା ଦିଗରେ କେନ୍ଦ୍ର ସରକାରଙ୍କ ସଂକଳ୍ପକୁ ଦୋହରାଇଛନ୍ତି । ଓଡ଼ିଶାବାସୀଙ୍କ ଜନାଦେଶ ଏବେ ଆଶୀର୍ବାଦ ପାଲଟିଛି ଏବଂ ଆଗାମୀ ଦିନରେ ରାଜ୍ୟବାସୀ ଏହାର ପ୍ରକୃତ ସୁଫଳ ପାଇବେ ବୋଲି ସେ କହିଛନ୍ତି।
ଶ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାରେ ପ୍ରଚୁର ଜଳସମ୍ପଦ, ଉର୍ବର ଜମି ଓ ପରିଶ୍ରମୀ ଶ୍ରମଶକ୍ତି ଥିବା ସତ୍ତ୍ୱେ ପୂର୍ବ ସରକାରଙ୍କ ଦୂରଦୃଷ୍ଟି ଅଭାବରୁ ଓଡ଼ିଶା ଆଜି ବିକାଶ ଦୌଡ଼ରେ ପଛରେ ପଡ଼ିଛି। ବିଜେପି ଯାହା କହେ ତାହା କରି ଦେଖାଏ । ୩୧୦୦ ଟଙ୍କାରେ ଧାନ କ୍ରୟ ଓ ସୁଭଦ୍ରା ଯୋଜନାରେ ଏକ କୋଟିରୁ ଅଧିକ ମହିଳାଙ୍କୁ ସହାୟତା ପ୍ରଦାନ ଏହାର ଜ୍ୱଳନ୍ତ ଉଦାହରଣ। ଓଡ଼ିଶାବାସୀ ଏବେ ଜଣେ ଓଡ଼ିଆ ଭାଷା କହୁଥିବା ମୁଖ୍ୟମନ୍ତ୍ରୀଙ୍କୁ ପାଇଛନ୍ତି, ଯିଏ ଲୋକଙ୍କ କୋହ ଓ ମାଟିର ଭାଷାକୁ ବୁଝିପାରୁଛନ୍ତି। ମୋହନ ମାଝୀଙ୍କ ସରକାର ଦାୟିତ୍ୱ ନେବାର ଅଳ୍ପ ଦିନ ମଧ୍ୟରେ ୩୧୦୦ ଟଙ୍କାରେ ଧାନ କିଣିବା ଓ ଏକ କୋଟିରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବା ଭଳି ଐତିହାସିକ ନିଷ୍ପତ୍ତି ନେଇ ବିକାଶର ନୂଆ ପରିଚୟ ସୃଷ୍ଟି କରିଛନ୍ତି।
ଏହି ଅବସରରେ ଶ୍ରୀ ଶାହ କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କ ନକରାତ୍ମକ ରାଜନୀତିକୁ କଡ଼ା ସମାଲୋଚନା କରିଥିଲେ। କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ନକାରାତ୍ମକ ରାଜନୀତିକୁ କଡ଼ା ସମାଲୋଚନା କରି ଶାହା କହିଛନ୍ତି ଯେ ଦେଶ ବିରୋଧୀ ମାନସିକତା ରଖୁଥିବା ଲୋକଙ୍କୁ ଜନସାଧାରଣ ଉଚିତ୍ ଜବାବ ଦେବେ।
ସୂଚନାଯୋଗ୍ୟ, ଶ୍ରୀ ଶାହ ଆଜି ମୁଣ୍ଡୁଳିଠାରେ ସିଆଇଏସଏଫର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେବାପରେ ପାରାଦୀପ ଯାଇ ଇଫକୋରେ ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟର ଲୋକାର୍ପଣ ସହ ଭୁବନେଶ୍ୱରରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଦିଲ୍ଲୀ ଫେରିଯିବା ପୂର୍ବରୁ ଦଳୀୟ କାର୍ଯ୍ୟାଳୟକୁ ଯାଇ ବରିଷ୍ଠ ବିଜେପି ନେତାମାନଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
