/odisha-reporter/media/media_files/2025/11/02/shankar-prusty-2025-11-02-20-07-34.jpg)
ଗିରଫ ଶଙ୍କର ପୃଷ୍ଟି
‘ପୂର୍ବ ସରକାରରେ ହଜାରେ କୋଟିର ଡିଲ୍ ହୋଇଛି। ମୁଁ ଯଦି ସରେଣ୍ଡର କରି ନ ଥା’ନ୍ତି ହଜାରେ କୋଟିର ଡିଲ୍ କେମିତି ଆସିଥା’ନ୍ତା। ଷଡ଼ଯନ୍ତ୍ରକାରୀଙ୍କ ସବୁ ତଥ୍ୟ ସରକାରଙ୍କୁ ଦିଆଯିବ।’ ନେପାଳ-ଉତ୍ତରାଖଣ୍ଡ ସୀମାରୁ ଗିରଫ ହୋଇଥିବା ପୁଲିସ୍ ଏସ୍ଆଇ ନିଯୁକ୍ତି କେଳେଙ୍କାରୀର ମାଷ୍ଟରମାଇଣ୍ଡ କୁହାଯାଉଥିବା ଶଙ୍କର ପୃଷ୍ଟି ରବିବାର ଭୁବନେଶ୍ୱରରେ ପହଞ୍ଚିବା ପରେ ଗଣମାଧ୍ୟମକୁ ଏଭଳି ମନ୍ତବ୍ୟ ଦେଇଛନ୍ତି। କ୍ରାଇମବ୍ରାଞ୍ଚ ତାକୁ ଗିରଫ କରିଛି ବୋଲି କହିଥିବା ବେଳେ ସେ ଆତ୍ମସମର୍ପଣ କରିଥିବା ଦାବି କରିଛନ୍ତି।
ସେ କହିଛନ୍ତି, ମୁଁ ଲୁଚି ନଥିଲି। ଆଇନ ଅନୁଯାୟୀ ସମ୍ମୁଖୀନ ହେଉଥିଲି। ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରାଯାଇଥିଲା। ସୁପ୍ରିମକୋର୍ଟରେ ବି ଜାମିନ ଆବେଦନ କରିଥିଲି। ସମୟ ଦେଇଥିଲେ, ଗୋଟିଏ ମାସ ପରେ ଆସି ହାଜର ହୋଇଥା’ନ୍ତି। ମୋ ପତ୍ନୀ ଦୀପ୍ତିମୟୀ ସାହୁଙ୍କ ନାଁରେ କୌଣସି କେସ୍ ନାହିଁ। କୋର୍ଟଙ୍କ ଉପରେ ସଂପୂର୍ଣ୍ଣ ଭରସା ରହିଛି, ନ୍ୟାୟ ମିଳିବ।୧୨୪ ଲୋକ (ଏହି ମାମଲାରେ ଗିରଫ ଆଶାୟୀ ଓ ଦଲାଲ)ଙ୍କ ଜନ୍ମ କୁଣ୍ଡଳି ବାହାର କରନ୍ତୁ, କାହା ସହ ସଂପର୍କ ନାହିଁ।
ସେହିପରି ସେ ଏହି ଘଟଣାର ମୁଖ୍ୟ କାର୍ପଟଦାର ବୋଲି ଯାହା କୁହାଯାଉଛି, ତାହା ସଂପୂର୍ଣ୍ଣ ମିଛ କଥା ବୋଲି କହିଛନ୍ତି ଶଙ୍କର ପୃଷ୍ଟି।
ଶଙ୍କର ପୃଷ୍ଟିଙ୍କ ଏହି ସଂକ୍ଷିପ୍ତ ବୟାନ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ତତ୍କାଳୀନ ବିଜେଡି ସରକାର ବିରୋଧରେ ଶଙ୍କରଙ୍କ ପାଖରେ କି ତଥ୍ୟ ରହିଛି ? କାହାକୁ ଇଙ୍ଗିତ କରିବାକୁ ଚାହୁଁଛନ୍ତି ସେ ? କେଉଁଥିରେ ହୋଇଥିଲା ହଜାରେ କୋଟି ଟଙ୍କାର ଡିଲ୍?
ସେହିଭଳି ଷଡ଼ଯନ୍ତ୍ରକାରୀଙ୍କ ସଂପର୍କରେ ସବୁ ତଥ୍ୟ ଦିଆଯିବ ବୋଲି କହିଛି ଶଙ୍କର। ତା’ହେଲେ ଆଉ କେଉଁମାନେ ଅଛନ୍ତି ଏହି ଷଡ଼ଯନ୍ତ୍ର ପଛରେ? ଶଙ୍କରଙ୍କ ପରେ କ୍ରାଇମବ୍ରାଞ୍ଚ କାହାକୁ ଟାଣିବ ଆଇନର ପରିଧି ଭିତରକୁ।
ଅନ୍ୟପକ୍ଷରେ ଆଜି କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଶଙ୍କରଙ୍କୁ ଧରି ଘଣ୍ଟାଚକଟା କରୁଛି ତଦନ୍ତକାରୀ ଟିମ୍। ପୂର୍ବରୁ ଗିରଫ ହୋଇ ରିମାଣ୍ଡରେ ଆସିଥିବା ଦଲାଲ ଲୋକନାଥ ସାହୁ, ମୁନା ମହାନ୍ତି ଓ ପ୍ରିୟଦର୍ଶିନୀ ସାମଲ ଓରଫ୍ ସୌମ୍ୟା ସହ ଶଙ୍କର ପୃଷ୍ଟିକୁ ସାମ୍ନାସାମ୍ନି ବସାଇ କ୍ରାଇମବ୍ରାଞ୍ଚ କରିଛି ଜେରା।
ପୁଲିସ SI ନିଯୁକ୍ତି ପାଇଁ କିଏ ଓ କେମିତି ତିଆରି କରିଥିଲା କେଳେଙ୍କାରୀର ପ୍ଲଟ୍ ? ୯୩୩ରୁ କେତୋଟି ପୋଷ୍ଟ ପାଇଁ ହୋଇଥିଲା ଡିଲ୍ ? SI ପରୀକ୍ଷା ପରିଚାଳନା ଲାଗି ପ୍ରଥମେ OPRB ଠାରୁ ITI LTD ଓ ପରେ ସିଲିକନ୍ ଟେକ୍ ଟେଣ୍ଡର ନେଇଥିବାବେଳେ ଶଙ୍କର ପୃଷ୍ଟିଙ୍କ ପଞ୍ଚ୍ ସଫ୍ଟ ଏହି ଟେଣ୍ଡରକୁ ହାତେଇଥିଲା କେମିତି ? ଖାଲି ପୋଲିସ SI ନା ଅନ୍ୟ କୌଣସି ପଦବୀ ପାଇଁ ବି ଚାଲୁଥିଲା ବେପାର ? ପ୍ରାର୍ଥୀ ପିଛା ୨୫ ଲକ୍ଷରୁ କାହାର କେତେ ଭାଗ ଧାର୍ଯ୍ୟ ହୋଇଥିଲା ? କେଉଁ ସରକାରୀ ବାବୁଙ୍କ ସହ ହୋଇଥିଲା ଡିଲ୍ ? କାହା ଛତ୍ରଛାୟାରେ ଚାଲିଥିଲା ଶଙ୍କର ସିଣ୍ଡିକେଟ୍ ? ଏମିତି ଅନେକ ପ୍ରଶ୍ନ ଏବେ ପୁଲିସ ଏସ୍ଆଇ ଆଶାୟୀ ଓ ସାଧାରଣ ଲୋକଙ୍କ ମନରେ ଥିବା ବେଳେ କ୍ରାଇମବ୍ରାଞ୍ଚ ଏହାକୁ ଲୋକଲୋଚନକୁ ଆଣିବାକୁ ଆଣିବାକୁ ସଫଳ ହେବ କି ନାହିଁ, ତାକୁ ସମସ୍ତଙ୍କ ଅପେକ୍ଷା।
ଶଙ୍କରର ହଜାରେ ଟଙ୍କାର ଡିଲ୍ ବୟାନକୁ ନେଇ ରାଜନୀତିକ ବୟାନବାଜି ଆରମ୍ଭ ହୋଇଯାଇଛି। ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସିଧା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି। ଶଙ୍କର ନୁହେଁ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଷଡ଼ଯନ୍ତ୍ରକାରୀ ବୋଲି କହିଛି।
ଦଳ ଆହୁରି କହିଛି ଯେ ଶଙ୍କର ପୃଷ୍ଟିଙ୍କୁ ସରକାର ଲୁଚାଇ ରଖିଥିଲେ। ଯେତେବେଳେ ଦେଖିଲେ ନୂଆପଡ଼ାରେ ବିଜେପିର କୌଣସି ରଣନୀତି କାମ କରୁନି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦଳୀୟ ସଭାପତି ମନମୋହନ ସାମଲ ପ୍ରମୁଖ ଫେଲ ମାରିଛନ୍ତି, ତେଣୁ ୪୧ତମ ଷ୍ଟାର ପ୍ରଚାରକ ଶଙ୍କର ପୃଷ୍ଟିକୁ ବାହାରକୁ ଆଣିଛନ୍ତି। ସେହିପରି ଘଟଣାର ସିବିଆଇ ତଦନ୍ତ ନିଷ୍ପତ୍ତି ନେଇ ସରକାର କରିଥିବା ଘୋଷଣା ଏକ ଚଞ୍ଚକତା ବୋଲି ଦଳ କହିଛି।
ଅନ୍ୟପକ୍ଷରେ ବିଜେଡିକୁ ଟାର୍ଗେଟ କରି ବିଜେପି କହିଛି ଯେ ଚୋର ମଚାଏ ସୋର। ଶଙ୍କର ପୃଷ୍ଟିରଙ୍କ ସଂସ୍ଥାକୁ ବିଜେଡି ସରକାର ସମୟରୁ ଅନୁବନ୍ଧିତ କରାଯାଇଥିଲା। କାଳେ ନବୀନ ନିବାସ ଯାଏ ଲିଙ୍କ୍ ଥିବ, ସେହି ଭୟ ଏବେ ବିଜେଡିକୁ ଘାରିଛି ବୋଲି ବିଜେପି କହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
