Advertisment

ଓଡ଼ିଶାର ଦୁଇ ସହିଦଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନ

ନୂଆଦିଲ୍ଲୀ: ଓଡ଼ିଶାର ଦୁଇ ବୀରଙ୍କୁ ମିଳିଛି ଶୌର୍ଯ୍ୟଚକ୍ର ସମ୍ମାନ। ସେମାନେ ହେଲେ ସହିଦ ଦେବାଶିଷ ସେଠୀ ଓ ସୁଧିର କୁମାର ଟୁଡୁ। ଦୁହିଁଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ ହୋଇଛି। ସହିଦ ଦେବାଶିଷଙ୍କ ବାପା ସନାତନ ସେଠୀ ଓ ମା’ ଛାଇ ସେଠୀ ଏହି ସମ୍ମାନ ଗ୍ରହଣ କରିଛନ୍ତି। ସହିଦ ସୁଧିରଙ୍କ ପକ୍ଷରୁ ତାଙ୍କ ମା’ ଜଉନା ଟୁଡ଼ୁ ଏହି ସମ୍ମାନ ଗ୍ରହଣ କରିଥିଲେ। ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ […]

author-image
Niranjan Mishra
ଅଦ୍ୟତନ ହୋଇଛି
ଓଡ଼ିଶାର ଦୁଇ ସହିଦଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନ

TWO-SOG

ନୂଆଦିଲ୍ଲୀ: ଓଡ଼ିଶାର ଦୁଇ ବୀରଙ୍କୁ ମିଳିଛି ଶୌର୍ଯ୍ୟଚକ୍ର ସମ୍ମାନ। ସେମାନେ ହେଲେ ସହିଦ ଦେବାଶିଷ ସେଠୀ ଓ ସୁଧିର କୁମାର ଟୁଡୁ। ଦୁହିଁଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ ହୋଇଛି। ସହିଦ ଦେବାଶିଷଙ୍କ ବାପା ସନାତନ ସେଠୀ ଓ ମା’ ଛାଇ ସେଠୀ ଏହି ସମ୍ମାନ ଗ୍ରହଣ କରିଛନ୍ତି। ସହିଦ ସୁଧିରଙ୍କ ପକ୍ଷରୁ ତାଙ୍କ ମା’ ଜଉନା ଟୁଡ଼ୁ ଏହି ସମ୍ମାନ ଗ୍ରହଣ କରିଥିଲେ। ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସମ୍ମାନ ପ୍ରଦାନ କରିଥିଲେ। ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ଦୁଇ ଜଣ ବୀର ଓଡ଼ିଆଙ୍କୁ ଏହି ସମ୍ମାନ ମିଳିଛି। କଳାହାଣ୍ଡିରେ ନକ୍ସଲ ବିରୋଧୀ ଅପରେସନରେ ଅସୀମ ବୀରତ୍ୱ, ନିଷ୍ଠା ଓ ସାହାସିକତା ଦେଖାଇ ଦେଶ ପାଇଁ ପ୍ରାଣ ଉତ୍ସର୍ଗ କରିଥିଲେ ଏହି ଦୁଇ ଏସ୍‌ଓଜି ଯବାନ।

Advertisment

ଏହି ସମ୍ମାନ ମିଳିବା ନେଇ ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସେମାନଙ୍କ ନାଁ ଘୋଷଣା ହୋଇଥିଲା। ଶୌର୍ଯ୍ୟଚକ୍ର ପୁରସ୍କାର ଭାରତୀୟ ସାମରିକ ଶୃଙ୍ଖଳାର ଅତି ଉଚ୍ଚ ସମ୍ମାନ। ଯାହା ପାଇବାକୁ ସେମାନେ ହକଦାର ହୋଇଛନ୍ତି।

ସୂଚନା ମୁତାବକ, ଏହି ୨ ଯୋଦ୍ଧାଙ୍କ ସାହସିକତାର କାହାଣୀ ଖୁବ୍ ହୃଦୟସ୍ପର୍ଶୀ। ୨୦୨୦ ସେପ୍ଟେମ୍ବର ୯। କଳାହାଣ୍ଡି ଜିଲ୍ଲା ଏମ୍. ରାମପୁର ଥାନା ସିକ୍ରି ଗାଁ ନିକଟରୁ ଦୁଇ ଜଣ ଗ୍ରାମବାସୀଙ୍କୁ ମାଓବାଦୀ ଅପହରଣ କରିଥିବା ଖବର ଆସିଥିଲା। ଜିଲ୍ଲା ପୁଲିସ ଏ ସୂଚନା ପାଇବା ମାତ୍ରେ ତୁରନ୍ତ ଅପରେସନରେ ବାହାରିଥିଲା। ଯେଉଁଥିରେ ୧୭ ଜଣିଆ ଏସ୍ଓଜି ଟିମ୍ ରହିଥିଲେ। ଘଞ୍ଚ ଜଙ୍ଗଲ ଭିତରେ ପହଞ୍ଚିବା ବେଳକୁ ଟିମକୁ ଘେରିସାରିଥିଲେ ମାଓବାଦୀ କମାଣ୍ଡୋମାନେ। କିଛି ବୁଝିବା ପୂର୍ବରୁ ଆରମ୍ଭ ହୋଇଥିଲା ଆକ୍ରମଣ। ଏସଓଜି ଟିମ୍ ପଛଘୁଞ୍ଚା ନ ଦେଇ ପ୍ରଚଣ୍ଡ ପ୍ରତି ଆକ୍ରମଣ କରିଥିଲା। ଗୁଳି ବିନିମୟ ବେଳେ ଦେବାଶିଷଙ୍କ ଦେହରେ ବାଜିଥିଲା ୩ଟି ଗୁଳି। ତଥାପି ଶରୀର ନିସ୍ତେଜ ହେବା ଯାଏଁ ତାଙ୍କ ବନ୍ଧୁକରୁ ଗର୍ଜି ଚାଲିଥିଲା ଗୁଳି। ଏପଟେ ସୁଧୀର ବି ଅସୀମ ସାହସ ଦେଖାଇ ମାଓ କ୍ୟାମ୍ପ୍ ପର୍ଯ୍ୟନ୍ତ ପହଞ୍ଚିବାରେ ସଫଳ ହୋଇଥିଲେ। ଯେଉଁଥି ପାଇଁ ଛତ୍ରଭଙ୍ଗ ଦେଇଥିଲା ନକ୍ସଲ ଦଳ। ଏହି ୨ ଯବାନଙ୍କ ଦୁଃସାହସିକ ଲଢ଼େଇ ଅନ୍ୟ ଯବାନଙ୍କୁ ସୁରକ୍ଷିତ ରଖିବାରେ ସହାୟକ ହୋଇଥିଲା। ଏମାନଙ୍କ ସାହସିକତା ପାଇଁ ୫ ମାଓବାଦୀ ବି ନିହତ ହୋଇଥିଲେ। ଏମାନଙ୍କ ବୀରତ୍ୱ କେବଳ ଓଡ଼ିଶା ନୁହେଁ ବରଂ ପୂରା ଦେଶରେ ବିରଳ ବୋଲି କହିଥିଲେ ସେତେବେଳର କଳାହାଣ୍ଡି ଜିଲ୍ଲାର ପୁଲିସ ଏସପି ବି. ଗଙ୍ଗାଧର।

Advertisment

ଅନୁଗୋଳଜିଲ୍ଲା ଅଙ୍ଗପଡ଼ା ଗାଁର ଦେବାଶିଷ ସେଠୀ ୨୦୧୩ ମସିହାରେ ଓଡ଼ିଶା ପୁଲିସ୍‌ରେ କନଷ୍ଟେବଲ ଭାବେ ଯୋଗ ଦେଇଥିଲେ। ୨୦୧୬ରେ ତାଙ୍କୁ ସ୍ପେଶାଲ୍ ଅପରେସନ୍ ଗ୍ରୁପ୍‌ (ଏସ୍‌ଓଜି)ରେ ନିଯୁକ୍ତି ମିଳିଥିଲା। ସେହିପରି ମୟୂରଭଞ୍ଜଜିଲ୍ଲା ଶୁଳିଆପଦାର ସୁଧୀର କୁମାର ଟୁଡ଼ୁ ମଧ୍ୟ ୨୦୧୩ରେ ଓଡ଼ିଶା ପୁଲିସ୍‌ରେ କନଷ୍ଟେବଲ ଭାବେ ଯୋଗ ଦେଇଥିଲେ। ୨୦୧୮ରେ ତାଙ୍କୁ ଏସ୍‌ଓଜିରେ ସାମିଲ କରାଯାଇଥିଲା।

ଏମିତି ଅଦିନରେ ରୋଜଗାରିଆ ପୁଅ ଦେବାଶିଷକୁ ହରାଇ ଆଜି ବି ତାଙ୍କ ଗରିବ ବାପା, ମା’ ଓ ଭଉଣୀଙ୍କ ଆଖିରୁ ଲୁହ ଶୁଖିନି। କିନ୍ତୁ ଦେଶ ପାଇଁ ପ୍ରାଣବଳି ଦେବା ପରେ ସରକାରଙ୍କ ଦ୍ୱାରା ପୁଅର ସାହାସିକତା ନିମନ୍ତେ ମିଳିଥିବା ଏହି ସର୍ବୋଚ୍ଚ ସମ୍ମାନ ସେମାନଙ୍କୁ ସାମାନ୍ୟ ଶାନ୍ତ୍ୱନା ସହ ଗୌରବ ଦେଇପାରିଛି। ଆଜି ସହିଦ ଦେବାଶିଷଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ଭେଟି ଜାଗା ପଟ୍ଟା ପ୍ରଦାନ କରିଛନ୍ତି। ସେହିଭଳି ସୁଧିରଙ୍କୁ ଆଜି ବି ଝୁରୁଛନ୍ତି ପରିବାର, ସମ୍ପର୍କୀୟ ଓ ପାଖ ପଡ଼ୋଶୀ। ସେମାନଙ୍କ ମତରେ ପୁଅ ସିନା ଫେରିବନି। ହେଲେ ଗାଁ ଓ ମାଟି ମା’ ପାଇଁ ସେ ଏହି ସମ୍ମାନ ଆଣି ଚିର ଅମର ହୋଇଯାଇଛି।

Odisha Inspiration Story