Advertisment

Similipal: କ୍ୟାମେରା ଗଣୁଛି ବାଘ

ଶିମିଳିପାଳର ଉଭୟ ଉତ୍ତର ଓ ଦକ୍ଷିଣରେ ମୋଟ ୧୩୫୦ ଗ୍ରୀଡ୍‌ରେ ଦୁଇଟି ଲେଖାଏ କ୍ୟାମେରା ଲଗାଯାଇଛି। ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା କିଛି ଗ୍ରାମାଞ୍ଚଳକୁ ଛାଡ଼ି ଦେଲେ ୯୦ ପ୍ରତିଶତ ଅଞ୍ଚଳରେ ଏହି କ୍ୟାମେରା ଟ୍ରାପିଂ ପଦ୍ଧତି କରାଯାଉଛି।

author-image
Jitendra Garnayak
Camera

ଶିମିଳିପାଳରେ ଚାଲିଛି ବାଘ ଗଣନା। ପାରମ୍ପରିକ ପଗ୍‌ମାର୍କ (ପାଦଚିହ୍ନ) ନୁହେଁ, କ୍ୟାମେରା ଟ୍ରାପିଂ ପଦ୍ଧତିରେ ଚାଲିଛି ବ୍ୟାଘ୍ର ଗଣନା। ସେଥିପାଇଁ ଶିମିଳିପାଳର କୋର ଏରିଆରୁ ବଫର ଜୋନ୍‌- ସବୁଆଡ଼େ ଲଗାଯାଇଛି ସ୍ୱତନ୍ତ୍ର କ୍ୟାମେରା। ବାଘ ଚଳପ୍ରଚଳ କରୁଥିବା ସମସ୍ତ ସ୍ଥାନକୁ ଚିହ୍ନଟ କରାଯାଇ ସେଠାରେ ଗଛରେ ଲଗାଯାଇଛି ଏହି କ୍ୟାମେରା। ଅଭୟାରଣ୍ୟର ୧୩୫୦ଟି ସ୍ଥାନରେ ଲାଗିଛି କ୍ୟାମେରା।  

Advertisment

ଏହି କ୍ୟାମେରାରେ ରହିଛି ଅଟୋମେଟିକ୍ ଫ୍ଲାସ, ୮ଟି ବ୍ୟାଟେରୀ, ସେନ୍‌ସର ଓ ଡାଟା କାର୍ଡ। କ୍ୟାମେରାଗୁଡ଼ିକୁ ସୁରକ୍ଷିତ ରଖିବାକୁ ସେଗୁଡ଼ିକୁ କ୍ୟାମେରା ଗାର୍ଡ ଭିତରେ ରଖାଯାଇ ଗଛରେ ବନ୍ଧା ଯାଉଛି। ଗୋଟିଏ ସ୍ଥାନରେ ଦୁଇଟି ଲେଖାଏଁ କ୍ୟାମେରାକୁ ଲଗାଯାଉଛି। ଏହି କ୍ୟାମେରା ସାମ୍ନା ଦେଇ ଯେକୌଣସି ବନ୍ୟଜନ୍ତୁ ଗଲେ, ତା’ର ଫଟୋ ଆପେ ଆପେ ଉଠିଯିବ। ଗୋଟିଏ ସ୍ଥାନରେ କ୍ୟାମେରାଗୁଡ଼ିକୁ ଏମିତି ଲଗାଯାଇଛି ଯେମିତି ବାଘର ଉଭୟ ବାମ ଓ ଡାହାଣ ପଟର ଫଟୋ ଉଠିପାରିବ। କ୍ୟାମେରାରେ ତାରିଖ ଓ ସମୟ ମଧ୍ୟ ରହିଛି। ଏହି କ୍ୟାମେରା ଖରା,ବର୍ଷା ଓ ଶୀତ- ସବୁ ପ୍ରକାର ସ୍ଥିତିରେ ଚାଲି ପାରିବ। ଶିମିଳିପାଳ ବନ କର୍ମଚାରୀମାନେ ପ୍ରତି ୧୫ ଦିନରେ ଏହି କ୍ୟାମେରାଗୁଡ଼ିକର ବ୍ୟାଟେରୀ ବଦଳାଇବେ ଓ ସେଥିରେ ଥିବା ଡାଟାକୁ ସଂଗ୍ରହ କରିବେ। 

ଶିମିଳିପାଳ ଏସିଏଫ ପ୍ରଶାନ୍ତ ସାହୁ କହିଛନ୍ତି, ଗୋଟିଏ ଜାଗାରେ କ୍ୟାମେରାଗୁଡ଼ିକୁ ୨୫ରୁ ୩୦ ଦିନ ରଖାଯାଉଛି। ତା’ପରେ ସେଗୁଡ଼ିକୁ ସେଠାରୁ ବାହାର କରି ଦିଆଯାଉଛି । ତା’ପରେ ଡାଟାଗୁଡ଼ିକୁ ସମୀକ୍ଷା କରାଯାଉଛି। 

Advertisment

ଶିମିଳିପାଳ ଅଭୟାରଣ୍ୟ ଏସିଆ ମହାଦେଶର ଏକ ବୃହତ ଜୈବ ମଣ୍ଡଳ। ୨୭୫୦ ବର୍ଗ କିମିର ଏହି ଅଞ୍ଚଳକୁ ଭାଗ ଭାଗ କରି ପ୍ରତି ଦୁଇ କିଲୋମିଟର ଅଞ୍ଚଳକୁ ଗୋଟିଏ ଗୋଟିଏ ଗ୍ରୀଡ୍‌ ଘୋଷଣା କରାଯାଇଛି। ଏହିପରି ଶିମିଳିପାଳର ଉଭୟ ଉତ୍ତର ଓ ଦକ୍ଷିଣରେ ମୋଟ ୧୩୫୦ ଗ୍ରୀଡ୍‌ରେ ଦୁଇଟି ଲେଖାଏ କ୍ୟାମେରା ଲଗାଯାଇଛି। ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା କିଛି ଗ୍ରାମାଞ୍ଚଳକୁ ଛାଡ଼ି ଦେଲେ ୯୦ ପ୍ରତିଶତ ଅଞ୍ଚଳରେ ଏହି କ୍ୟାମେରା ଟ୍ରାପିଂ ପଦ୍ଧତି କରାଯାଉଛି। ଗତ ଡିସେମ୍ବରରୁ ଏହି କ୍ୟାମେରା ଟ୍ରାପିଂ ବ୍ୟାଘ୍ର ଗଣନା ଆରମ୍ଭ ହୋଇଥିବା ବେଳେ ଚଳିତ ଫେବ୍ରୁଆରୀ ମାସରେ ଡାଟା ସଂଗ୍ରହ କାର୍ଯ୍ୟ ଶେଷ କରି   ଫେବୃଆରୀ ରେ ଏହି ଡାଟା ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (NTCA)କୁ ଦିଆଯିବ। ସଂଗ୍ରହ କରାଯାଇଥିବା ସମସ୍ତ ବାଘଙ୍କ ଫୋଟକୁ ବିଶ୍ଳେଷଣ କରାଯିବା ପରେ NTCA ବାଘଙ୍କ ସଂଖ୍ୟା ଘୋଷଣା କରିବ। 

ଗତ ୨୦୨୨ରେ ବାଘ ଗଣନା କରାଯାଇଥିଲା। ଚଳିତ ବର୍ଷ ବାଘ ଗଣନାରେ କିଭଳି ନିର୍ଭୁଲ ତଥ୍ୟ ଆସି ପାରିବ ସେ ନେଇ ତତ୍ପର ହୋଇଛି ବିଭାଗ। ଅନ୍ୟପଟେ ଅନେକ ନୂଆ ବାଘଙ୍କ ଫୋଟ ଆସିଥିବାରୁ ବାଘ ସଂଖ୍ୟା ବୃଦ୍ଧି ନେଇ ଆଶାବାଦୀ ଅଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ।