
Picture Taken Immediately After the Puri Rath Yatra Stampede (file pic)
ଚଳିତବର୍ଷ ପୁରୀ ରଥଯାତ୍ରାବେଳେ ଗୁଣ୍ଡିଚା ମନ୍ଦିର ନିକଟରେ ଦଳାଚକଟା ଘଟଣାରେ ଆଉ ୬ଜଣ ଅଫିସରଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ରଥଯାତ୍ରାବେଳେ ଦାୟିତ୍ୱରେ ଅବହେଳା ଅଭିଯୋଗରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ନହେବ ୩୦ଦିନ ମଧ୍ୟରେ ନିଜର ପକ୍ଷ ରଖିବାକୁ ପୁରୀ ସହକାରୀ ବନ ସଂରକ୍ଷକ(ଏସିଏଫ) ଅଶୋକ କୁମାର ବେହେରାଙ୍କୁ ନୋଟିସ୍ ଜାରି ହୋଇଛି ।
ସେହିପରି ପୁରୀର ଅତିରକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର ଓ ଅନ୍ୟ ୪ଜଣ ଅଫିସର୍ ପୁରୀର ଡିଏସଏସଓ ବିଭୂତିଭୂଷଣ ନାୟକ, ମୟୂରଭଞ୍ଜରେ କାର୍ଯ୍ୟରତ ଅତିରିକ୍ତ ତହସିଲଦାର ରାଜକିଶୋର ଜେନା, ଗଁଦିଆର ଅତିରିକ୍ତ ତହସିଲଦାର ସୌଭାଗ୍ୟ କୁମାର ମହାନ୍ତି ଓ ଢେଙ୍କାନାଳର ସହକାରୀ ଜିଲ୍ଲାପାଳ ଦୟାନିଧି ପାତ୍ରଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଅନୁ ଗର୍ଗ କମିଟି ସୁପାରିଶ କରିଛନ୍ତି ।
ଏସିଏଫ ଅଶୋକ ବେହେରାଙ୍କୁ ନୋଟିସ୍
ଅନୁ ଗର୍ଗ କମିଟି ସୁପାରିଶ ଓ ଗୃହ ବିଭାଗର ଚିଠି ପରାମର୍ଶ ଆଧାରରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନଭେମ୍ବର ୧୮ତାରିଖରେ ପୁରୀ ଏସିଏଫ ଅଶୋକ କୁମାର ବେହେରାଙ୍କୁ ଦାୟିତ୍ୱରେ ଅବହେଳା ଅଭିଯୋଗରେ ଓଡ଼ିଶା ସିଭିଲ୍ ସର୍ଭିସେସ୍ ରୁଲସ-୧୯୬୨ର ‘ନିୟମ-୧୬) ଅନ୍ତର୍ଗତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ନିମନ୍ତେ ନୋଟିସ୍ ଜାରି କରିଛନ୍ତି । ୩୦ଦିନ ମଧ୍ୟରେ ଶ୍ରୀ ବେହେରା ଯଦି ଉପଯୁକ୍ତ ଜବାବ ଦାଖଲରେ ବିଫଳ ରୁହନ୍ତି ତାଙ୍କ ବିରୁଦ୍ଧରେ ଏକପାଖିଆ ନିର୍ଦ୍ଦେଶ ଜାରି ହେବ ବୋଲି ବିଭାଗ ପକ୍ଷରୁ ଜାରି ନୋଟିସରେ ଉଲ୍ଲେଖ ରହିଛି ।
ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୨୫ ଜୁନ୍ ୨୯ ତାରିଖ ଭୋର ୩ଟା ସମୟରେ ଗୁଣ୍ଡିଚାର ମନ୍ଦିର ପାଖରେ ଭକ୍ତଙ୍କ ପ୍ରବଳ ଭିଡ଼ ଯୋଗୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ, ସେହି ସମୟରେ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ଜିଲ୍ଲା ନିୟନ୍ତ୍ରଣ କକ୍ଷରେ ଥିବା ଏସିଏଫ ଶ୍ରୀ ବେହେରା ଓ ଅନ୍ୟ ଅଫିସରମାନେ ଏଭଳି ଘଟଣା ଘଟିଥିବା ସଂପର୍କରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ । କେତେକ ଅଫିସର୍ ଆମ୍ବୁଲାନ୍ସର ସାଇରନ୍ ଶୁଣିବା ପରେ ଅବା ସକାଳ ୬ଟାରେ ଡ୍ୟୁଟି ସାରି ଘରକୁ ଫେରିବା ପରେ ହିଁ ଏହି ବଡ଼ଧରଣର ଦୁର୍ଘଟଣା ବିଷୟରେ ଜାଣିବାକୁ ପାଇଥିଲେ ବୋଲି ଅନୁଗର୍ଗଙ୍କ ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି ।
ନିୟନ୍ତ୍ରଣ କକ୍ଷରେ ଥିବା ଅଫିସରମାନେ ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ ସହ ଉପଯୁକ୍ତ ସମନ୍ୱୟ ରକ୍ଷା କରିବାରେ ବିଫଳ ହୋଇଥିଲେ । ଶ୍ରୀ ବେହେରାଙ୍କୁ ଜୁନ୍ ୨୭ରୁ ଜୁଲାଇ ୫ ପର୍ଯ୍ୟନ୍ତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଇନ ଶୃଙ୍ଖଳା ରକ୍ଷା ଏବଂ ଭିଡ଼ ପରିଚାଳନା ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ଯେତେବେଳେ ଭିଡ଼ ଅଣାୟତ୍ତ ହେବାକୁ ଲାଗିଲା, ସେମାନେ ଏସମ୍ପର୍କରେ ଜିଲ୍ଲାପାଳ କିମ୍ବା ଏସପିଙ୍କୁ ଜଣାଇ ନଥିଲେ ।
ଏପରିକି ରଥ ଉପରେ ଥିବା ସେବାୟତଙ୍କ ସହ ଆଲୋଚନା କରି ପରିସ୍ଥିତିକୁ ସମ୍ଭାଳିବା ପାଇଁ ମଧ୍ୟ କୌଣସି ଉଦ୍ୟମ କରାଯାଇନଥିଲା । ଯଦି ସେମାନେ ସତର୍କ ରହିଥାନ୍ତେ ଏବଂ ଠିକ୍ ସମୟରେ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥାନ୍ତେ, ତେବେ ହୁଏତ ଏଭଳି ଅଘଟଣକୁ ଏଡ଼ାଯାଇ ପାରିଥାନ୍ତା ବୋଲି ତଦନ୍ତ ରିର୍ପୋଟରେ ଉଲ୍ଲେଖ କରାଯାଇଛି।
ଏଡିଏମ୍ ଓ ଅନ୍ୟ ୪ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସୁପାରିଶ
ଅନୁ ଗର୍ଗ କମିଟିଙ୍କ ରିପୋର୍ଟରେ, ପୁରୀ ଏଡିଏମ (ଅତିରିକ୍ତ ଜିଲ୍ଲାପାଳ) ଶରତ ଚନ୍ଦ୍ର ମହାପାତ୍ର ଓ ଅନ୍ୟ ୪ଜଣ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଛି । ରଥଯାତ୍ରାବେଳେ ନିୟନ୍ତ୍ରଣ କକ୍ଷରେ ଶ୍ରୀ ମହାପାତ୍ର ସବୁଠାରୁ ବରିଷ୍ଠ ଅଧିକାରୀ ହୋଇଥିଲେ ମଧ୍ୟ ସେ ଘଟଣା ସମୟରେ (ଭୋର ୩ଟା) ପରିସ୍ଥିତିକୁ ସମ୍ଭାଳିବାରେ ବିଫଳ ହୋଇଥିଲେ । ଓଲଟା ସେ ଭୋର ୫ଟାରେ ଆମ୍ବୁଲାନ୍ସ ସାଇରନ୍ ଶୁଣିବା ପରେ ଏଭଳି ଅଘଟଣ ସଂପର୍କରେ ଜାଣିବାକୁ ପାଇଥିଲେ ବୋଲି ଅନୁ ଗର୍ଗ କମିଟିଙ୍କ ଆଗରେ ପକ୍ଷ ରଖିବା ହିଁ ତାଙ୍କର ଅବହେଳାକୁ ଦର୍ଶାଉଛି। ତେଣୁ ତାଙ୍କ ବିରୋଧରେ ଓଡ଼ିଶା ସିଭିଲ୍ ସର୍ଭିସେସ୍ ରୁଲସ-୧୯୬୨ର ‘ନିୟମ-୧୫) ଅନ୍ତର୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିଶ କରାଯାଇଛି ।
ସେହିପରି ଅନ୍ୟ ୪ଜଣ ଅଫିସର୍ ବିଭୂତି ଭୂଷଣ ନାୟକ , ରାଜ କିଶୋର ଜେନା ଓ ସୌଭାଗ୍ୟ କୁମାର ମହାନ୍ତି ଓ ଦୟାନିଧି ପାତ୍ରଙ୍କ ବିରୁଦ୍ଧରେ ମଧ୍ୟ ଦାୟିତ୍ୱରେ ଅବହେଳା ପାଇଁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅନୁ ଗର୍ଗ କମିଟି ସୁପାରିଶ କରିଛନ୍ତି । ଏହି ଅଫିସରମାନେ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥାଇ ରଥ ନିକଟରେ ଓ ନିୟନ୍ତ୍ରଣ କକ୍ଷରେ ଥିଲେମଧ୍ୟ ପରିସ୍ଥିତି ବିଗିଡ଼ିବାବେଳେ ବରିଷ୍ଠ ଅଫିସରଙ୍କୁ ଅବଗତ କରାଇବା କିମ୍ବା ସେବାୟତମାନଙ୍କ ସହ ଆଲୋଚନା କରିବାରେ ବିଫଳ ହୋଇଥିଲେ ।
ରଥ ପାଖରେ ଥିବା ମାଜିଷ୍ଟ୍ରେଟମାନେ ବ୍ୟାରିକେଡ୍ ଭିତରେ ଥିବାରୁ ଭିଡ଼ର ସ୍ଥିତି ଦେଖିପାରି ନଥିବା ସଫେଇ ଦେଇଥିଲେ ମଧ୍ୟ, ସେମାନେ ନିୟନ୍ତ୍ରଣ କକ୍ଷରେ ଥିବା ଏଡିଏମଙ୍କୁ ଖବର ନଦେବା ଏକ ବଡ଼ ତ୍ରୁଟି ବୋଲି କମିଟି ରିପୋର୍ଟରେ ଦର୍ଶାଯାଇଛି ।
ଅଭିଜ୍ଞତାର ଅଭାବ ଓ ପ୍ରଶାସନିକ ବ୍ୟବସ୍ଥାରେ ତ୍ରୁଟି
ପୁରୀ ରଥଯାତ୍ରା ଦଳାଚକଟା ଘଟଣା କେବଳ ବ୍ୟକ୍ତିଗତ ଅବହେଳା ନୁହେଁ, ବରଂ ପ୍ରଶାସନିକ ନିଯୁକ୍ତି ପ୍ରକ୍ରିୟାରେ ଥିବା କିଛି ଗୁରୁତର ତ୍ରୁଟିକୁ ମଧ୍ୟ ପଦାରେ ପକାଇଛି । ତଦନ୍ତ ରିପୋର୍ଟ ଅନୁଯାୟୀ, ରଥଯାତ୍ରା (Puri Ratha Yatra) ଭଳି ଅତି ସମ୍ବେଦନଶୀଳ ଓ ବିଶାଳ କାର୍ଯ୍ୟକ୍ରମରେ ନିୟୋଜିତ ଥିବା ଅନେକ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଓ ଅଫିସରମାନେ ପୁରୀର ଭୌଗୋଳିକ ସ୍ଥିତି, ରଥଯାତ୍ରାର ନିତିକାନ୍ତି ଏବଂ ଭିଡ଼ ପରିଚାଳନାର ଜଟିଳତା ସଂପର୍କରେ ବିଶେଷ ଅବଗତ ନଥିଲେ ଓ ସଂପୂର୍ଣ୍ଣ ଅନଭିଜ୍ଞ ଥିଲେ । ତଥାପି ଦାୟିତ୍ୱ ପାଇବା ପରେ ଏହାକୁ ହାଲୁକା ଭାବେ ଗ୍ରହଣ କରିବା ଏବଂ ଉପରିସ୍ଥ ଅଫିସରଙ୍କୁ ସ୍ଥିତି ସଂପର୍କରେ ଅବଗତ ନକରାଇବା ସେମାନଙ୍କର ଏକ ବଡ଼ ତ୍ରୁଟି ବୋଲି ରିପୋର୍ଟରେ ଦର୍ଶାଯାଇଛି ।
ସୂଚନାଯୋଗ୍ୟ, ଅନୁ ଗର୍ଗ ରିପୋର୍ଟରେ ସୁପାରିଶ ଆଧାରରେ ରଥଯାତ୍ରାରେ ଦାୟିତ୍ୱରେ ଅବହେଳା ପାଇଁ ଗୃହ ବିଭାଗ ପକ୍ଷରୁ ଅକ୍ଟୋବର ୨୫ତାରିଖରେ ୭ଜଣ ପୁଲିସ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଚଳିତବର୍ଷ ରଥଯାତ୍ରାବେଳେ ଦଳାଚକଟାରେ ୩ଜଣଙ୍କ ମୃତ୍ୟୁ ଓ ପ୍ରାୟ ୭୫୦ରୁ ଅଧିକ ଶ୍ରଦ୍ଧାଳୁ ଆହତର ଅଭିଯୋଗ ହୋଇଥିଲା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
