କେନ୍ଦ୍ରୀୟ ଉଦ୍ୟୋଗ ସମ୍ମୁଖରେ ପ୍ରତିବାଦ ଆଳରେ ପାରାଦୀପରେ ବିଜେଡିର ଶକ୍ତି ପ୍ରଦର୍ଶନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ନିର୍ବାଚନମଣ୍ଡଳୀ ପାରାଦୀପରେ ଥିବା କେନ୍ଦ୍ରୀୟ ଉଦ୍ୟୋଗ ସମ୍ମୁଖରେ ପ୍ରତିବାଦ ଆଳରେ ବିଜେଡି ଆଜି ତା’ର ଶକ୍ତି ପ୍ରଦର୍ଶନ କରିଛି। ଡାକ୍ତର ରାଉତଙ୍କୁ ଦଳରୁ ବହିଷ୍କାର ପରେ ସେପ୍ଟେମ୍ବର ୩୦ତାରିଖରେ କୁଜଙ୍ଗରେ ମହିଳା ସମାବେଶ କରି ଶକ୍ତି ପ୍ରଦର୍ଶନ କରିଥିବା ବିଜେଡି ପାରାଦୀପରେ ଦାମଙ୍କ ବିନା ନିଜର ସାଂଗଠନିକ ଶକ୍ତି ଆକଳନ ପାଇଁ ଦୀର୍ଘଦିନ ଧରି ପ୍ରୟାସ କରି ଆସୁଥିଲା। ରାଜ୍ୟବ୍ୟାପୀ କେନ୍ଦ୍ରୀୟ ଉଦ୍ୟୋଗ ସମ୍ମୁଖରେ […]

bjd_paradip FINAL

bjd_paradip FINAL

Sampad Mahapatra
  • Published: Thursday, 08 November 2018
  • Updated: 08 November 2018, 05:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ନିର୍ବାଚନମଣ୍ଡଳୀ ପାରାଦୀପରେ ଥିବା କେନ୍ଦ୍ରୀୟ ଉଦ୍ୟୋଗ ସମ୍ମୁଖରେ ପ୍ରତିବାଦ ଆଳରେ ବିଜେଡି ଆଜି ତା’ର ଶକ୍ତି ପ୍ରଦର୍ଶନ କରିଛି। ଡାକ୍ତର ରାଉତଙ୍କୁ ଦଳରୁ ବହିଷ୍କାର ପରେ ସେପ୍ଟେମ୍ବର ୩୦ତାରିଖରେ କୁଜଙ୍ଗରେ ମହିଳା ସମାବେଶ କରି ଶକ୍ତି ପ୍ରଦର୍ଶନ କରିଥିବା ବିଜେଡି ପାରାଦୀପରେ ଦାମଙ୍କ ବିନା ନିଜର ସାଂଗଠନିକ ଶକ୍ତି ଆକଳନ ପାଇଁ ଦୀର୍ଘଦିନ ଧରି ପ୍ରୟାସ କରି ଆସୁଥିଲା। ରାଜ୍ୟବ୍ୟାପୀ କେନ୍ଦ୍ରୀୟ ଉଦ୍ୟୋଗ ସମ୍ମୁଖରେ ବିଜେଡି ୨ଘଣ୍ଟିଆ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରୁଥିବାବେଳେ ପାରାଦୀପରେ ଯେଉଁ ଢଙ୍ଗରେ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥିଲା ସେଥିରୁ ଦାମଙ୍କ ପ୍ରତି ଥିବା ଭୟ ସ୍ପଷ୍ଟ ବାରି ହୋଇପଡ଼ିଥିଲା।

କେନ୍ଦ୍ରୀୟ ଉଦ୍ୟୋଗ ନୁହେଁ, ଦାମ ହିଁ ଥିଲେ ଟାର୍ଗେଟ 

ମିଳିଥିବା ସୂଚନା ଅନୁସାରେ, ଆଜି ପାରାଦୀପସ୍ଥିତ ଆଇଓସିଏଲ ତୈଳ ରିଫାଇନାରୀ ସମ୍ମୁଖରେ ବିଜେଡି ପକ୍ଷରୁ ପ୍ରତିବାଦ ସଭା ଆଳରେ ଶକ୍ତି ପ୍ରଦର୍ଶନ କରାଯାଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ଦଳର ବିକ୍ଷୋଭ କାର୍ଯ୍ୟକ୍ରମଠୁ ପାରାଦୀପରେ ଦଳର କାର୍ଯ୍ୟକ୍ରମ ଭିନ୍ନ ଥିଲା। କାରଣ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ଆୟୋଜିତ ହୋଇଥିବା ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଦଳର କୌଣସି ଜଣେ ଯୁବ କିମ୍ବା ଛାତ୍ର ନେତାଙ୍କୁ ଆଗଧାଡ଼ିରେ ଦେଖିବାକୁ ମିଳିନଥିଲା। ତିର୍ତ୍ତୋଲ, ଏରସମା ଓ କୁଜଙ୍ଗ ଆଦି ଅଞ୍ଚଳରୁ କର୍ମୀଙ୍କୁ ଆଣି ଦାମଙ୍କ ଗଡ଼ରେ ଦଳ ନିଜର ଶକ୍ତି ପ୍ରଦର୍ଶନ କରିଥିବା ଜଣାପଡ଼ିଛି।

ବିଶେଷକରି ଏହି କାର୍ଯ୍ୟକ୍ରମରେ ରାଜ୍ୟର ଦୁଇଜଣ କ୍ୟାବିନେଟ୍ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ପ୍ରତାପ ଜେନା(ଜିଲ୍ଲା ପର୍ଯ୍ୟବେକ୍ଷକ ଓ ସହ ପର୍ଯ୍ୟବେକ୍ଷକ), ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି(ଜିଲ୍ଲା କାର୍ଯ୍ୟକାରୀ ସଭାପତି) ସ୍ଥାନୀୟ ସାଂସଦ କୁଳମଣି ସାମଲଙ୍କ ସହିତ ଦାମଙ୍କ ଅନୁଗତ କୁହାଯାଉଥିବା ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଓ ନଗର ବିଜେଡି ସଭାପତି ସୁମନ୍ତ ବିଶ୍ୱାଳ, ତିର୍ତ୍ତୋଲ ଓ ଏରସମାର ବିଭିନ୍ନ ନେତାଙ୍କୁ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ଶିକ୍ଷିତ ବେକାରଙ୍କୁ କେନ୍ଦ୍ରୀୟ ଉଦ୍ୟୋଗରେ ନିଯୁକ୍ତି ନମିଳିବାର ପ୍ରତିବାଦ କରାଯିବା ତୁଳନାରେ ନେତାମାନେ ଦାମଙ୍କୁ କଡ଼ା ଭାଷାରେ ଆକ୍ଷେପ କରିବାକୁ ଅଧିକ ଆଗଭର ହୋଇଥିଲେ।

ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ବାସଭବନରେ ୨ଥର ପ୍ରସ୍ତୁତି ବୈଠକ

ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଭୁବନେଶ୍ୱରରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ବାସଭବନରେ ୨ଥର ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି। ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା, ଜିଲ୍ଲାରେ ଏତେ ବଡ଼ ଦଳୀୟ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ଜିଲ୍ଲା ସଭାପତି ବିଷ୍ଣୁ ଦାସଙ୍କୁ ଏଥିରୁ ଦୂରେଇ ରଖାଯାଇଥିଲା। ଏପରିକି ତାଙ୍କୁ ମଧ୍ୟ ପ୍ରସ୍ତୁତି ବୈଠକକୁ ଡକାଯାଇନଥିଲା। ଅପରପକ୍ଷରେ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ପ୍ରଚ୍ଛଦପଟ୍ଟରେ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ କାର୍ଯ୍ୟ କରୁଥିବା ସୂଚନା ମିଳିଛି। ଆଗାମୀ ସାଧାରଣ ନିର୍ବାଚନରେ ଶ୍ରୀ ସାମନ୍ତରାୟ ପାରାଦୀପରୁ ଦଳୀୟ ପ୍ରାର୍ଥୀ ହେବାର ସମ୍ଭାବନା ଥିବାରୁ ଏବେ ସେ ପରୋକ୍ଷ ଭାବେ ଏଭଳି କାର୍ଯ୍ୟକ୍ରମରେ ସହଯୋଗ କରୁଥିବା ଜଣାପଡ଼ିଛି।

ତେବେ ପ୍ରଶ୍ନ ଉଠୁଛି, ଦାମଙ୍କ ଗଡ଼ରେ ବିଜେଡି ଯଦି ନିଜର ଶକ୍ତି ଆକଳନ କରିବାକୁ ଚାହୁଁଛି ତା’ହେଲେ ବନ୍ଦର ନଗରୀ ପାରାଦୀପରେ ଦଳ ଖୋଲାଖୋଲି ଭାବେ ବଡ଼ଧରଣର ସାଧାରଣ ସଭା କରି ଦାମଙ୍କୁ ଚ୍ୟାଲେଞ୍ଜ ଦେବାରେ ଅସୁବିଧା କେଉଁଠି? କାହିଁକି ଅନ୍ୟ ଏକ କାର୍ଯ୍ୟକ୍ରମକୁ ଆଳ କରିଛି ? ଦାମଙ୍କୁ ପାରାଦୀପରେ ଟକ୍କର ଦେବାର ସାହସ ଜୁଟାଇବାରେ ବିଜେଡି ଏପର୍ଯ୍ୟନ୍ତ ସକ୍ଷମ ହୋଇପାରୁନି କି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ରାଜ୍ୟର ଶିକ୍ଷିତ ବେକାର ଯୁବକଯୁବତୀଙ୍କୁ କେନ୍ଦ୍ରୀୟ ଉଦ୍ୟୋଗରେ ନିଯୁକ୍ତି ମିଳୁନଥିବା ପ୍ରତିବାଦରେ ବିଜେଡି ୫ତାରିଖରୁ ରାଜ୍ୟବ୍ୟାପୀ ବିଭିନ୍ନ କେନ୍ଦ୍ରୀୟ ଉଦ୍ୟୋଗ ସମ୍ମୁଖରେ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos