ଜିଦ୍ ଓ ପତିଆରା ପ୍ରଦର୍ଶନର ଚକ୍ରବ୍ୟୁହରେ ‘ଶ୍ରୀମନ୍ଦିର ପରିକ୍ରମା’ ପ୍ରକଳ୍ପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହଜାରେ ବର୍ଷ ପୁରୁଣା ବିଶ୍ୱପ୍ରସିଦ୍ଧ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ଚତୁଃପାଶ୍ୱର୍ରେ ସୌନ୍ଦର୍ଯ୍ୟକରଣ ଆଳରେ ଚାଲିଥିବା ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’କୁ ନେଇ ବିଭିନ୍ନ ମହଲରୁ ଉଦବେଗ ସତ୍ତ୍ୱେ ରାଜ୍ୟ ସରକାର ନିଜ ଜିଦରେ ଅଟଳ ରହି ନିର୍ମାଣ ଓ ଖନନ କାର୍ଯ୍ୟ ଜାରି ରଖିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ନିଷେଧାଂଚଳ ପରିସରରେ ଖନନ ଓ ନିର୍ମାଣ କାର୍ଯ୍ୟକୁ ନେଇ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଉଦବେଗ ବ୍ୟକ୍ତ କରୁଥିବାବେଳେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସଆଇ) , ଜାତୀୟ କୀର୍ତ୍ତିରାଜି […]

Temple

Temple

Ordigital Desk
  • Published: Monday, 16 May 2022
  • Updated: 17 May 2022, 01:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହଜାରେ ବର୍ଷ ପୁରୁଣା ବିଶ୍ୱପ୍ରସିଦ୍ଧ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ଚତୁଃପାଶ୍ୱର୍ରେ ସୌନ୍ଦର୍ଯ୍ୟକରଣ ଆଳରେ ଚାଲିଥିବା ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’କୁ ନେଇ ବିଭିନ୍ନ ମହଲରୁ ଉଦବେଗ ସତ୍ତ୍ୱେ ରାଜ୍ୟ ସରକାର ନିଜ ଜିଦରେ ଅଟଳ ରହି ନିର୍ମାଣ ଓ ଖନନ କାର୍ଯ୍ୟ ଜାରି ରଖିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ନିଷେଧାଂଚଳ ପରିସରରେ ଖନନ ଓ ନିର୍ମାଣ କାର୍ଯ୍ୟକୁ ନେଇ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଉଦବେଗ ବ୍ୟକ୍ତ କରୁଥିବାବେଳେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସଆଇ) , ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ(ଏନଏମଏ) ଐତିହ୍ୟ ସୁରକ୍ଷା ସଂସ୍ଥା ‘ଇନଟାକ୍ ’ ଓ ଅନ୍ୟ ସଂସ୍ଥାଗୁଡ଼ିକ ମଧ୍ୟ ଏହି ନିର୍ମାଣ କାର୍ଯ୍ୟକୁ ସାମୟିକ ବନ୍ଦ ରଖିବାକୁ ଅପିଲ୍ କରୁଛନ୍ତି । ତଥାପି ଜିଦ୍ , ଅହଙ୍କାର ଓ ପତିଆରା ପ୍ରଦର୍ଶନ ଆଳରେ ରାଜ୍ୟ ସରକାର ଏସବୁ ପ୍ରତି ଆଖି ବୁଜି ଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ଚାରିପଟେ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି । କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରତି ବିପଦକୁ ନେଇ ଭକ୍ତ ଓ ବିଭିନ୍ନ ସଂସ୍ଥାଙ୍କ ମନରେ ଆଶଙ୍କା ଲାଗି ରହିଥିବାବେଳେ ସେସବୁ ଦୂର ନକରି ରାଜ୍ୟ ସରକାର ସେଠାରେ କାହିଁକି ନିର୍ମାଣ ଓ ଖନନ କାର୍ଯ୍ୟକୁ ଜୋରସୋରରେ ଜାରିି ରଖିଛନ୍ତି ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ପାଲଟିଛି ।

ସୂଚନା ଅନୁସାରେ, ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ଚାରିପଟେ ଚାଲିଥିବା ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଚଳିତ ରଥଯାତ୍ରା ପୂର୍ବରୁ ଶେଷ କରିବା ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ କାମ ଜାରି ରହିଛି । କେବଳ ଅଭ୍ୟର୍ଥନା ପ୍ରକୋଷ୍ଠକୁ ଛାଡ଼ି ବାକି ପ୍ରୋଜେକ୍ଟ ରିପୋର୍ଟ ମୁତାବକ ସବୁ ନିର୍ମାଣ କାର୍ଯ୍ୟ ସାରିବା ନିମନ୍ତେ ଏବେ ଟାଟା ପ୍ରୋଜେକ୍ଟ ଉପରେ ଚାପ ପଡ଼ୁଥିବା ଜଣାପଡ଼ିଛି । ଶ୍ରୀମନ୍ଦିରର ଦକ୍ଷିଣପୂର୍ବ ଦିଗରେ ପ୍ରାୟ ଅଧ ଏକର ଜମିରେ ୩ ମହଲା ବିଶିଷ୍ଟ ଅଭ୍ୟର୍ଥନା ପ୍ରକୋଷ୍ଠ ନିର୍ମାଣ କରାଯିବ । ମାତ୍ର ରଥଯାତ୍ରା ପୂର୍ବରୁ ଅଭ୍ୟର୍ଥନା ପ୍ରକୋଷ୍ଠ ନିର୍ମାଣ କାର୍ଯ୍ୟ ଶେଷ ହେବାର ସମ୍ଭାବନା କମ୍ ଥିବାରୁ ଏବେ ଶ୍ରୀମନ୍ଦିରର ୧୦୦ମିଟର ନିଷେଧାଂଚଳ ଭିତରେ ଚାଲିଥିବା ସମସ୍ତ ନିର୍ମାଣ କାର୍ଯ୍ୟକୁ ଜୁନ୍ ୨୦ ତାରିଖ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ଜଣାପଡ଼ିଛି । ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ କୌଣସି ବୈଧ ଅନୁମତି ନଥାଇ ରାଜ୍ୟ ସରକାର କାହିଁକି ଖନନ ଓ ନିର୍ମାଣ କାର୍ଯ୍ୟ କରୁଛନ୍ତି ତଥା କାହା ନିର୍ଦ୍ଦେଶରେ ଏସବୁ ଚାଲିଛି ସେ ନେଇ ସରକାରୀସ୍ତରରେ କେହି ମୁହଁ ଖୋଲୁନାହାନ୍ତି ।

ଆଶ୍ଚର୍ଯ୍ୟର କଥା, ୨୦୨୧ ନଭେମ୍ବର ୨୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପରିକ୍ରମା ପ୍ରକଳ୍ପ ପାଇଁ ଭୂମିପୂଜନ କରାଯିବା ପରେ ଟାଟା ପ୍ରୋଜେକ୍ଟ ସେଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ଏଏସଆଇ ଓ ଏଏନଏମ୍ ଭଳି ସଂସ୍ଥାର ବୈଧ ଅନୁମତି ଅଛି କି ନାହିଁ ତାହା କିଭଳି ଯାଂଚ କଲାନି ତାହା ବି ବୁଝାପଡ଼ୁନି । ଟାଟା ପ୍ରୋଜେକ୍ଟ ଭଳି ବିଶ୍ୱସନୀୟ ସଂସ୍ଥା ଯେକୌଣସି ନିର୍ମାଣ କାର୍ଯ୍ୟ କରେ ସେଠାରେ ସମସ୍ତ ପ୍ରକାରର ବୈଧ ଅନୁମତି ରହିଛି କି ନାହିଁ ତାହା ଯାଂଚ କରେ । କିନ୍ତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କ୍ଷେତ୍ରରେ ଟାଟା ପ୍ରୋଜେକ୍ଟ କିଭଳି ଏସବୁକୁ ଉଲ୍ଲଘଂନ କଲା?

ଦ୍ୱିତୀୟତଃ, ସାଂସଦ ଅପରାଜିତା ଷଡ଼ଙ୍ଗୀ ପୂର୍ତ୍ତ ସଚିବ ଦାୟିତ୍ୱରେ ରହୁଥିବା ଅଧିକାରୀଙ୍କ ‘କନଫିଲକ୍ଟ ଅଫ ଇଣ୍ଟରେଷ୍ଟ’ ପ୍ରସଙ୍ଗ ଉଠାଇଛନ୍ତି । ସୁଚିନ୍ତିତ ଷଡ଼ଯନ୍ତ୍ର କରି ଜଣେ ଅଧିକାରୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଓଡ଼ିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକ୍ସନ କର୍ପୋରେସନ( ରାଜ୍ୟ ସରକାରୀ ଉଦ୍ୟୋଗ)ର ଅଧ୍ୟକ୍ଷ ଓ ପୂର୍ତ୍ତ ବିଭାଗର ସଚିବ ଦାୟିତ୍ୱ ନ୍ୟସ୍ତ ହୋଇଛି । ଅର୍ଥାତ ଠିକା କାମ ଦେଉଥିବା ଲୋକ ହିଁ ନିଜେ ଠିକାଦାର ଓ ନିଜେ ବିଲ୍ ମଞ୍ଜୁର କରିବ । ଏହା ଖୋଲାଖୋଲି ଆର୍ଥିକ ଅନିୟମିତତା । ଜଣେ ଅଧିକାରୀଙ୍କୁ ଏକକାଳୀନ ୩ଟି ଦାୟିତ୍ୱ ଦେଇ ସରକାର ନିଜକୁ ସନ୍ଦେହଘେରକୁ ଠେଲି ଦେଇଛନ୍ତି । ଏବେ ଆଇଏଏସ୍ ବୀରବିକ୍ରମ ଯାଦବ ଏହି ପଦରେ ଥିବାବେଳେ ପୂର୍ବରୁ କ୍ରିଷନ କୁମାର ସମାନ ଦାୟିତ୍ୱରେ ଥିଲେ । କିନ୍ତୁ ତୃତୀୟ ମହଲା ସହ ତାଙ୍କର ଶୀତଳଯୁଦ୍ଧ ଲାଗି ରହିବାରୁ ସେ ଏସବୁ ଦାୟିତ୍ୱରୁ ଅବ୍ୟାହତି ନେଇ ଦିଲ୍ଲୀ ପଳାଇଲେ । ତେବେ ତୃତୀୟ ମହଲା ସହ କେଉଁ କାରଣ ପାଇଁ କ୍ରିଷନ କୁମାରଙ୍କ ମତାନ୍ତର ହେଲା, ତାହା ଏବେ ବି ରହସ୍ୟ ହୋଇ ରହିଛି । ସମ୍ଭବତଃ ବୈଧ ଅନୁମତି ନଥାଇ ମହାପ୍ରଭୁ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସାରିବା ପାଇଁ ସରକାରୀ ଜିଦ୍ , ଅହଙ୍କାର ଓ ପତିଆରା ପ୍ରଦର୍ଶନକୁ ବିରୋଧ କରିବା କ୍ରିଷନ କୁମାରଙ୍କୁ ମହଙ୍ଗା ପଡ଼ିଲା ବୋଲି ସଚିବାଳୟ କରିଡରରେ ଚର୍ଚ୍ଚା ହେଉଛି ।

କେବଳ ସେତିକି ନୁହେଁ, ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପକୁ ୨୦୨୧ ଫେବୃୟାରୀ ୨୭ରେ ବିଧାନସଭାରେ ସଂକଳ୍ପ ପାରିତ କରି ସମସ୍ତଙ୍କୁ ମତକୁ ସମ୍ମାନ ଜଣାଇ ଶ୍ରୀଜଗନ୍ନାଥ ମନ୍ଦିର ଚାରିପଟେ ଭିତ୍ତିଭୂମି ବିକାଶ କରିବେ ବୋଲି ସଙ୍କେତ ଦେଇଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ଏଭଳି କାର୍ଯ୍ୟକୁ ମଧ୍ୟ ସବୁ ମହଲରୁ ସ୍ୱାଗତ ହୋଇଥିଲା । କିନ୍ତୁ ସମୟ ଗଡ଼ିବା ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଳରେ ସରକାରଙ୍କ ଅସଲ ଉଦ୍ଦେଶ୍ୟ ପଦାକୁ ଆସିଥିଲା ।

ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ଚାରିପଟେ ଖନନ ଓ ନିର୍ମାଣକୁ ନେଇ ବିଧାନସଭାରେ ଉଦବେଗ ପରେ ମାର୍ଚ୍ଚ ୩୧ରେ ଗୃହ କମିଟି ଗଠନ ସତ୍ତ୍ୱେ ଆଜିପର୍ଯ୍ୟନ୍ତ ଏହି କମିଟି ପୁରୀ ଗସ୍ତରେ ଯିବାର ନାଁ ଧରୁନାହାନ୍ତି । ଶ୍ରୀମନ୍ଦିର ଚାରିପଟେ ଖନନ ଓ ନିର୍ମାଣ କାର୍ଯ୍ୟକୁ ବୈଧ ଅନୁମତି ନଥାଇ କରାଯାଉଥିବା ଓ ବିଭିନ୍ନ ସଂଗଠନର ବିରୋଧ ଓ ଶ୍ରଦ୍ଧାଳୁଙ୍କ ଆଶଙ୍କା ଭିତରେ ଏହି ମାମଲା ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଥିବାବେଳେ ଗଜପତି ମହାରାଜା ଓ ସ୍ଥାନୀୟ ବିଜେପି ବିଧାୟକ ଗଣମାଧ୍ୟମକୁ ଆସି କାହା ଇଙ୍ଗିତରେ ବୟାନ ଦେଉଛନ୍ତି ତାହା ବି ବୁଝାପଡ଼ୁନି ।

ହଜାରେ ବର୍ଷ ପୁରୁଣା ଶ୍ରୀମନ୍ଦିର ଚାରିପଟେ ଖନନ ଓ ନିର୍ମାଣ ପୂର୍ବରୁ ଏହାର ପ୍ରଭାବ ଆକଳନ ରିପୋର୍ଟ ପ୍ରସ୍ତୁତ ନହେବା, ଏଏସଆଇର ଅନୁମତି ନନେଇ ନିର୍ମାଣ କରି ଖୋଲାଖୋଲି ଆଇନକୁ ଉଲ୍ଲଘଂନ କରୁଥିବା ରାଜ୍ୟ ସରକାର ନିଜର ଜିଦ୍ ଓ ଅହଙ୍କାର ପାଇଁ ଏବେ କିଛି ଲୋକଙ୍କୁ ମୋହରା ସଜାଇ ସେମାନଙ୍କ ମାଧ୍ୟମରେ ବୟାନବାଜି କରାଇ ନିଜର ଭାବମୂର୍ତ୍ତିକୁ ସଜାଡ଼ିବାକୁ ଉଦ୍ୟମ କରୁଛନ୍ତି । କିନ୍ତୁ ନିର୍ମାଣ କାର୍ଯ୍ୟକୁ ସାମୟିକ ସ୍ଥଗିତ ରଖିବାକୁ ଆନ୍ତରିକତା ଦେଖାଉନାହାନ୍ତି, ଯାହାକି ପରିତାପର ବିଷୟ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos