Cold
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଳ୍ପ କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟର ବିଭିନ୍ନ ସ୍ଥାନରେ ବଢ଼ିଛି ଶୀତ। କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ଶନିବାର ରାତିରେ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହୋଇଥିଲା। ସେଠାରେ ଗତକାଲି ରାତିରେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ରହିଥିଲା।
ସେହିଭଳି କିରେଇରେ ସର୍ବନିମ୍ନ ତାପମାତ୍ରା ୪.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଜି. ଉଦୟଗିରିରେ ୪.୬, ଫୁଲବାଣୀରେ ୫, ରାଉରକେଲାରେ ୬.୪, ସୁନ୍ଦରଗଡ଼ରେ ୬.୫, କୋରାପୁଟରେ ୬.୫, ଝାରସୁଗୁଡ଼ାରେ ୬.୬, ଦାରିଙ୍ଗବାଡ଼ିରେ ୬.୭, କେନ୍ଦୁଝରରେ ୭.୨, ଭବାନୀପାଟଣାରେ ୭.୨, ଢେଙ୍କାନାଳରେ ୮, ସୋନପୁରରେ ୮.୫, ଅନୁଗୋଳରେ ୮.୬, ବାରିପଦାରେ ୯, ନବରଂଗପୁରରେ ୯, ସମ୍ବଲପୁରରେ ୯.୩, ରାଣୀତାଲରେ ୯.୪, ଭଦ୍ରକରେ ୯.୫, ମହିଷାପାଟରେ ୯.୫ ଓ ହୀରାକୁଦରେ ୯.୬ ଡିଗ୍ରୀ ରେକର୍ଡ କରାଯାଇଛି।
ପାଣିପାଗ ବିଭାଗ ପକ୍ଷରୁ ଆଜି ଜାରି କରାଯାଇଥିବା ବୁଲେଟିନ୍ରେ କୁହାଯାଇଛି ଯେ ଆସନ୍ତା ଦୁଇ ଦୁଇ ଦିନ ଧରି ଓଡ଼ିଶାର କିଛି ସ୍ଥାନରେ ଶୀତର ପ୍ରକୋପ ଜାରି ରହିବ। ବର୍ତ୍ତମାନ ରାତିରେ ଯେଉଁ ତାପମାତ୍ରା ରହୁଛି, ସେଥିରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ଏହା ଧୀରେ ଧୀରେ ୨/୩ ଡିଗ୍ରୀ ହୋଇ ବୃଦ୍ଧି ପାଇବ।
ଶୀତକୁ ନେଇ ଆଜି ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ଅନୁଗୋଳ ଜିଲ୍ଲା ପାଇଁ ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଆସନ୍ତାକାଲି ସକାଳ ସାଢ଼େ୮ଟାରୁ ୧୦ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ତିନିଟି ଜିଲ୍ଲା- ଝାରସୁଗୁଡ଼ା, ଦେବଗଡ଼ ଓ ଅନୁଗୋଳକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାର ଲୋକଙ୍କୁ ରାତିରେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ସେହିପରି ସକାଳୁ ସକାଳୁ ଘରୁ ନ ବାହାରିବାକୁ କୁହାଯାଇଛି। ରାତିରେ ବାଇକ୍ ବା ଖୋଲା କାର୍ରେ ନବୁଲିବାକୁ ପରାମର୍ଶ ଦେଇଛି ପାଣିପାଭ ବିଭାଗ। ସେହିପରି ଗୃହପାଳିତ ପ୍ରାଣୀଙ୍କ ପାଇଁ ରାତିରେ ଆବଶ୍ୟକ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2023/01/cold.jpg)