/odisha-reporter/media/post_attachments/uploads/2018/10/plastic-ban-1.jpg)
plastic-ban
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସବୁ ସହରାଞ୍ଚଳରେ ନିଷେଧ ହୋଇଛି ପ୍ଲାଷ୍ଟିକର ପ୍ରଚଳନ। ମହାତ୍ମା ଗାନ୍ଧିଙ୍କ ଜୟନ୍ତୀରୁ ସହରାଞ୍ଚଳ ପ୍ଲାଷ୍ଟିକ ମୁକ୍ତ କରିବାକୁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ କୌଣସି ବ୍ୟକ୍ତି ନିଜେ କିମ୍ବା ଅନ୍ୟ କାହାଦ୍ୱାରା ପ୍ଲାଷ୍ଟିକ ପ୍ରଚଳନ କରିବା ବେଆଇନ୍। କୌଣିସି ବ୍ୟକ୍ତି ପ୍ଲାଷ୍ଟିକ ବିକ୍ରି, ବ୍ୟବସାୟ, ଉତ୍ପାଦନ, ଆମଦାନୀ, ସଂରକ୍ଷଣ, ପରିବହନ କିମ୍ବା ବଣ୍ଟନ କରିପାରିବେ ନାହିଁ। ବାୟୋ ଡିଗ୍ରେଡେବଲ୍ (ମାଟିରେ ମିଶି ପାରୁଥିବା କ୍ୟାରିବ୍ୟାଗ୍) ବ୍ୟତୀତ ଅନ୍ୟ କୌଣସି ପ୍ରକାର କ୍ୟାରିବ୍ୟାଗ୍ ବ୍ୟବହାର ହୋଇପାରିବ ନାହିଁ।
ସେହିପରି ୨୦୦ ମିଲିଲିଟରଠୁ କମ୍ ପରିମାଣର ପାଣି ବୋତଲ ଉପରେ ମଧ୍ୟ ଲାଗିଛି କଟକଣା। ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ (ଥାଳି, କପ୍, ପ୍ଲେଟ୍, ବାଉଲ୍, ଗ୍ଲାସ୍, ଚାମଚ, ପାଉଚ୍ ସହ ଥର୍ମୋକୁଲ ସାମଗ୍ରୀ) ବ୍ୟବହାର କରାଯାଇପାରିବ ନାହିଁ। ତେବେ କ୍ଷୀର ଓ ଏଥିରୁ ପ୍ରସ୍ତୁତ ସାମଗ୍ରୀ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟବହୃତ ସିରିଞ୍ଜ, ମେଡିକାଲ ଇନଷ୍ଟ୍ରୁମେଣ୍ଟ ଓ ଅନ୍ୟ ସାମଗ୍ରୀ ପାଇଁ ଏହି କଟକଣା ଲାଗୁ ହେବନାହିଁ ବୋଲି ପରିବେଶ ବିଭାଗ ନିର୍ଦ୍ଦେଶକ କେ. ମୁରୁଗେସନ।
ମାଟିରେ ମିଶୁଥିବା ମାନର ପ୍ଲାଷ୍ଟିକ୍ ଉତ୍ପାଦନ କିମ୍ବା ବିକ୍ରି କରିବାକୁ ଚାହିଁଲେ, ଏଥିପାଇଁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଠାରୁ ଅନୁମତି ହାସଲ କରିବାକୁ ପଡ଼ିବ। ୫୦ ମାଇକ୍ରନରୁ କମ୍ ମୋଟେଇର ପଲିଥିନ୍ ଲାଗି ବ୍ୟବସାୟୀଙ୍କୁ ଅନୁମତି ମିଳିବ ନାହିଁ। ଗତ ବର୍ଷ ଗାନ୍ଧି ଜୟନ୍ତୀରେ ରାଜ୍ୟର ୫ ମହାନଗର ଓ ପୁରୀ ମ୍ୟୁନିସିପାଲଟିରେ ପ୍ଲାଷ୍ଟିକ ବ୍ୟବହାରକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି। ଉଲ୍ଲଂଘନକାରୀଙ୍କୁ ଫାଇନ୍ ଓ ଜେଲ୍ ଦଣ୍ଡ ବ୍ୟବସ୍ଥା ଥାଇ ମଧ୍ୟ ଏସବୁ ସହରରେ ଏବେବି ଖୁଲମଖୁଲ୍ଲା ପ୍ଲାଷ୍ଟିକ ବ୍ୟବହାର ହେଉଛି।
ସେପଟେ ଆଜି କଟକ ମାଲଗୋଦାମରେ ସିଏମ୍ସି (କଟକ ମ୍ୟୁନିସିପାଲ୍ଟି କର୍ପୋରେସନ୍) ଏନ୍ଫୋର୍ସମେଣ୍ଟ୍ ସ୍କ୍ୱାର୍ଡ ଚଢ଼ଉ କରିଛି। ଏହି ସମୟରେ ମହଜୁଦ୍ ଥିବା ଏକ ଟ୍ରକ୍ ପଲିଥିନ୍ ଜବତ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
