ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମାଜିକ କର୍ମୀ ତଥା ମୋଟିଭେସନାଲ ସ୍ପିକର ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ରହସ୍ୟ ଲାଗି ରହିଛି। ମାମଲାର ତଦନ୍ତ ଜିଆରପି କରୁଥିବା ବେଳେ ସୋଶାଲ ମିଡିଆରେ ଆଦିତ୍ୟଙ୍କ ମୃତ୍ୟୁର ସଠିକ୍ ତଦନ୍ତ କରାଯାଉ ବୋଲି ଦାବି ଉଠୁଛି। ଲୋକେ ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି। ଏସବୁ ଭିତରେ ଆଦିତ୍ୟଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଜିଆରପି ହସ୍ତଗତ ହୋଇଛି। ମୁଣ୍ଡରେ ଶକ୍ତ ଆଘାତ ଯୋଗୁ ଆଦିତ୍ୟଙ୍କ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ହୋଇଛି। କୌଣସି ଲୁହା ରଡ୍ […]

Aditya

Pragnya Choudhury
  • Published: Thursday, 09 July 2020
  • , Updated: 09 July 2020, 03:34 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମାଜିକ କର୍ମୀ ତଥା ମୋଟିଭେସନାଲ ସ୍ପିକର ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ରହସ୍ୟ ଲାଗି ରହିଛି। ମାମଲାର ତଦନ୍ତ ଜିଆରପି କରୁଥିବା ବେଳେ ସୋଶାଲ ମିଡିଆରେ ଆଦିତ୍ୟଙ୍କ ମୃତ୍ୟୁର ସଠିକ୍ ତଦନ୍ତ କରାଯାଉ ବୋଲି ଦାବି ଉଠୁଛି। ଲୋକେ ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି। ଏସବୁ ଭିତରେ ଆଦିତ୍ୟଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଜିଆରପି ହସ୍ତଗତ ହୋଇଛି।

ମୁଣ୍ଡରେ ଶକ୍ତ ଆଘାତ ଯୋଗୁ ଆଦିତ୍ୟଙ୍କ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ହୋଇଛି। କୌଣସି ଲୁହା ରଡ୍ କିମ୍ବା ବାଡ଼ିରେ ଆଘାତ ଭଳି ନୁହେଁ, ବରଂ ଏକ ଶକ୍ତ ଆଘାତ ଯୋଗୁ ଆଦିତ୍ୟଙ୍କ ମୁଣ୍ଡ ନଷ୍ଟ ହୋଇ ତାଙ୍କର ମୃତ୍ୟୁ ଘଟିଛି ବୋଲି ଜଣାପଡ଼ିଛି। ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ପରେ ଜିଆରପି ଅଧିକ ତଦନ୍ତ ଆରମ୍ଭ କରିଛି।

ଅନ୍ୟପଟେ ଆଦିତ୍ୟଙ୍କ ସଂଗଠନ ପିପୁଲ ଫର୍ ସେବାର କେତେଜଣ ସଦସ୍ୟ ଆଦିତ୍ୟଙ୍କ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ସଂଗଠନର ସମସ୍ତ କର୍ମୀ ନିଜ ଅଭିଯୋଗ ନେଇ ଗତକାଲି ସକାଳ 7ରୁ ରାତି ଯାଏ ଥାନା ସମ୍ମୁଖରେ ଧାରଣା ଦେବା ପରେ ଆଜି ପୁଲିସ ଏନେଇ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେପଟେ ଜବତ ଡାଏରୀରେ ଡୋନେସନ୍ ବାବଦରେ ମିଳିଥିବା ଅର୍ଥ ଖର୍ଚ୍ଚର ମଧ୍ୟ ଖୋଳତାଡ଼ କରୁଛି ପୁଲିସ।

ଏହି ପରିପ୍ରେକ୍ଷୀରେ ଆଦିତ୍ୟ ଓ ତାଙ୍କ ପତ୍ନୀଙ୍କ ମୋବାଇଲ ଜବତ କରି ପୁଲିସ ଅନୁସନ୍ଧାନ ଚଳାଇଛି। ଏହାସହ କଲ୍ ଡିଟେଲସ୍ ଯାଞ୍ଚ କରାଯାଉଛି।

ସୂଚନାଯୋଗ୍ୟ ଗତକାଲି ଆଦିତ୍ୟଙ୍କ ସୁଇସାଇଡ୍ ନୋଟ୍ ଭାଇରାଲ୍ ହୋଇଛି। ଏଥିରେ ଆଦିତ୍ୟ ଚକିତ କଲା ଭଳି କେତୋଟି ଧାଡ଼ି ଲେଖିଛନ୍ତି। ସେ ଲେଖିଛନ୍ତି, "ଏ ଦେଶର ଯୁବକ ସରକାର ସହ ପଙ୍ଗା ନେବା ପୂର୍ବରୁ ନିଜକୁ ସବୁ କ୍ଷେତ୍ରରେ ଶକ୍ତିଶାଳୀ କର ନ ହେଲେ ବଞ୍ଚିବା ମୁସ୍କିଲ କରିଦେବେ।" ଏହାସହ ଓଡ଼ିଶାରୁ ମଦ ହଟିଲେ ମୋ ଆତ୍ମାକୁ ଚିର ଶାନ୍ତି ମିଳିବ ବୋଲି ଲେଖିଛନ୍ତି ଆଦିତ୍ୟ। ଏହି ନୋଟକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।

ତେବେ ଏହି ସୁଇସାଇଡ୍ ନୋଟର ମଧ୍ୟ ତଦନ୍ତ କରିବାକୁ ସୋଶାଲ ମିଡିଆ ମାଧ୍ୟମରେ ଅନେକ ପ୍ରଶଂସକ ଦାବି କରୁଛନ୍ତି ଓ ଭିଡିଓ କରି ପୋଷ୍ଟ କରୁଛନ୍ତି। ଆଦିତ୍ୟଙ୍କ ମୃତ୍ୟୁ ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ ତାଙ୍କ ଆତ୍ମୀୟ, ପ୍ରଶଂସକମାନେ ସ୍ୱର ଉଠାଇଛନ୍ତି, ଯାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି ଉଠିଛି।

  • ଆଦିତ୍ୟ ଆତ୍ମହତ୍ୟା ପୂର୍ବରୁ ଫ୍ରିଜରେ ଚାବି ଓ ମୋବାଇଲ୍ କାହିଁକି ରଖିଲେ? ସେ ନା ଆଉ କିଏ ରଖିଥିଲେ?
  • ଆଦିତ୍ୟଙ୍କ ବାପା-ମାଆ ସାତ ଦିନ ପାଇଁ କୁଆଡ଼େ ଯାଇଥିଲେ?
  • ଚିଠିଟି ଷଡ଼ଯନ୍ତ୍ରମୂଳକ ଲେଖାଯାଇନି ତ?
  • ଆଦିତ୍ୟଙ୍କ ନାଁରେ କିଛି ଜାଗା ରହିଛି କି ବା କିଣାଯାଇଥିଲା କି?
  • ନିଜ ସ୍ତ୍ରୀ ଶ୍ରୀଙ୍କୁ ଖାଲି କଣ ଭଲ ପାଇବା କଥା ଲେଖିକି ଆତ୍ମହତ୍ୟା କରିଦେଲେ ଆଦିତ୍ୟ ତାଙ୍କ ସୁରକ୍ଷା କଥା, ଜୀବନ କଥା କିଛି ଲେଖିଲେନି?
  • ମାମଲାକୁ ଭିନ୍ନ ମୋଡ଼ ଦେବାକୁ ମଦ ବିରୋଧ ବିଷୟ ଲେଖାଯାଇଥିଲା କି?
  • କେବେଳ 4 ପୃଷ୍ଠା କାହିଁକି ସମ୍ପୂର୍ଣ୍ଣ ଡାଏରୀ ଲୋକଲୋଚନକୁ ଅଣାଯାଉ?
  • ଘଟଣା ଦିନ ଆଦିତ୍ୟଙ୍କ ପତ୍ନୀ ଥିଲେ କେଉଁଠି? କେଉଁ କେଉଁ ସ୍ଥାନରେ ତାଙ୍କୁ ଖୋଜିଛନ୍ତି?
  • ପତ୍ନୀ ଘରକୁ ନ ଜଣାଇ, ଭଉଣୀଙ୍କୁ କାହିଁକି ବାରମ୍ବାର ଫୋନ କରୁଥିଲେ?
  • ମୃତ୍ୟୁ ସମୟ ବେଳକୁ କେଉଁ କେଉଁ ଗାଡ଼ି ରେଳଲାଇନ ଦେଇ ଯାଇଛି?
  • ପତ୍ନୀଙ୍କ ଘର ଲୋକ, ଆଦିତ୍ୟଙ୍କ ଘର ଲୋକ ସାମ୍ନାକୁ ଆସୁନାହାନ୍ତି କାହିଁକି?
  • ଟ୍ରେନ ଆଘାତ ଦେଇଥିଲେ ମୃତଶରୀର ଖଣ୍ଡ ବିଖଣ୍ଡିତ ହୋଇନାହିଁ କେମିତି?
  • ଯଦି ମୃତ୍ୟୁ ପୂର୍ବରୁ କିଛି ଦିନ ତଳୁ ଖୁବ୍ ଡରୁଥିଲେ, ତେବେ ଆଦିତ୍ୟଙ୍କୁ ତାଙ୍କ ପତ୍ନୀ ଏକା ଛାଡ଼ିଦେଲେ କେମିତି?
  • ଯଦି ଆଦିତ୍ୟ ଘରକୁ ଫେରି ନଥିଲେ, ଅଧ ରାତିରେ ତାଙ୍କ ଫୋନରୁ ଡାଟା ଅଫ୍ କିଏ କରିଥିଲା?
  • ମୃତଦେହ ଉଦ୍ଧାର ପରେ ଫୋରେନସିକ୍ ଟିମ୍ କାହିଁକି ଆସିଲା ନାହିଁ?
  • ଆଦିତ୍ୟ ମାନସିକ ରଖିଥିଲେ, ସଫଳ ହେଲେ ଲଣ୍ଡା ହେବେ କହିଥିଲେ। ମୃତ୍ୟୁର ତିନି ଦିନ ପୂର୍ବରୁ ସେ ଲଣ୍ଡା ହୋଇଥିଲେ। କଣ ପାଇଁ ଆଦିତ୍ୟ ଲଣ୍ଡା ହେଲେ?
  • ଷ୍ଟେସନରେ ଆଦିତ୍ୟଙ୍କ ମର ଶରୀର ପଡ଼ିଛି ବୋଲି ତାଙ୍କ ପତ୍ନୀ କେମିତି ଜାଣିଲେ?
  • ଏଇ କିଛି ଦିନ ଭିତରେ ଆଦିତ୍ୟଙ୍କୁ କିଛି ହେଭି-ଆମାଉଣ୍ଡ ଡୋନେସନ ଆସିଥିଲା କି?

Related story