ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷ ବର୍ଷ ଧରି ଜଳୁଥିବା ଅଖଣ୍ଡ ଦୀପ ଲିଭି ଯାଇଛି। ମା’ଙ୍କ ମଥାରୁ ସିନ୍ଦୂର ଝରି ପଡ଼ୁଛି। ମାଆଙ୍କ ଶାଢ଼ି ବି ଜଳି ଯାଇଛି। ଗତକାଲି ସନ୍ଧ୍ୟା ବେଳକୁ କେନ୍ଦୁଝରର ଘଟଗାଁ ତାରିଣୀଙ୍କୁ ନେଇ ଏମିତି କିଛି ଗୁଜବ ଶୁଣିବାକୁ ମିଳିଥିଲା। ଦେଖୁଦେଖି ଏହା ନିଆଁ ପରି ବ୍ୟାପି ଯାଇଥିଲା ରାଜ୍ୟର ଏ କୋଣରୁ ସେ କୋଣ। କିଏ ଏ ଗୁଜବ ଆରମ୍ଭ କଲା, ତାହା ଜଣାନାହିଁ। ହେଲେ କଥାଟିକୁ ବନେଇ ଚୁନେଇ ବିଭିନ୍ନ ଜାଗାରେ ଭିନ୍ନଭିନ୍ନ ଢଙ୍ଗରେ ଉପସ୍ଥାପନ କରାଗଲା। ଏହା ଅଶୁଭ ସଙ୍କେତ ବୋଲି କୁହାଗଲା। ଆଉ ଏହା ବି କୁହାଗଲା ଯେ, ସଧବା ମହିଳାମାନେ ଅଳତା ଓ ସିନ୍ଦୂର ଲଗାଇ ଦୀପ ଜଳାଇବେ। ଆମ ପାଖରେ ଯାହା ସୂଚନା ଅଛି, କିଛି କିଛି ଜାଗାରେ ସଧବାମାନେ ଏହାକୁ ପାଳନ ମଧ୍ୟ କରିଛନ୍ତି।
ଅବଶ୍ୟ ଏ ଖବର ସ୍ଥାନୀୟ ଅଞ୍ଚଳରେ ତଡ଼ିତ୍ ବେଗରେ ବ୍ୟାପିଯିବା ପରେ ମନ୍ଦିର ଟ୍ରଷ୍ଟିଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା ଓ ଖବରକୁ ଖଣ୍ଡନ କରାଯାଇଥିଲା। ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ରାଜେନ୍ଦ୍ର ପଟ୍ଟନାୟକ କହିଥିଲେ ଯେ, ମା’ ତାରିଣୀଙ୍କ ପୀଠରେ ଅଖଣ୍ଡ ଦୀପ ଜଳିବାର ପରମ୍ପରା ହିଁ ନାହିଁ। ଏଠାରେ କେବଳ ଭକ୍ତମାନେ ହିଁ ଦୀପ ଜାଳନ୍ତି। ସେହିପରି ସିନ୍ଦୂର ଝଡ଼ିବା ଓ ଶାଢ଼ି ଜଳିବା କଥା ବି ମିଛ। ଏ ଖବର ପାଇବାରେ ଗୁଜବ ଶୁଣି ଭୟଭୀତ ହୋଇଯାଇଥିବା ଲୋକେ ଆଶ୍ୱସ୍ତ ହୋଇଥିଲେ।
ତେବେ ଏହାକୁ ନେଇ ସୋଶାଲ୍ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କଥାଟି କେବଳ ଏକ ଗୁଜବ ବୋଲି ‘ଓଡ଼ିଶା ରିପୋର୍ଟର’ ପ୍ରଥମେ ଖବର ପ୍ରକାଶ କରିଥିଲା। ଏ ଖବର ପଢ଼ିବା ପରେ ‘ଫେସ୍ବୁକ୍’ରେ ଆମର ପାଠକମାନେ ସେମାନଙ୍କର ପ୍ରତିକ୍ରିୟା ଦେଇଛନ୍ତି। ଏଥିରେ ଅଧିକାଂଶ ଲୋକ ଏ ଗୁଜବ ଆରମ୍ଭ କରିଥିବା ବ୍ୟକ୍ତିଙ୍କୁ ଖୋଜି କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି।
ସ୍ୱୟଂପ୍ରଭା ନାୟକ ଲେଖିଛନ୍ତି, ଏଭଳି ଗୁଜବ ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍।