Advertisment

ଓଡ଼ିଶା ଟ୍ରେନ ଟ୍ରାଜେଡି: ସାଂପ୍ରଦାୟିକ ରଙ୍ଗ ଦେବାକୁ ଉଦ୍ୟମ, ସତର୍କ କଲା ପୁଲିସ୍‌

ଓଡ଼ିଶା ପୁଲିସ୍‌ ପକ୍ଷରୁ କୁହାଯାଇଛି ଯେ କିଛି ସୋଶାଲ ମିଡିଆ ଆକାଉଣ୍ଟରୁ ବାଲେଶ୍ୱର ଟ୍ରେନ ଦୁର୍ଘଟଣାକୁ ନେଇ ବିଭ୍ରାନ୍ତୀକର ପୋଷ୍ଟକୁ ଭାଇରାଲ କରାଯାଉଛି। ଏପରି କାମ କରୁଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।

author-image
Hemant Lenka
Train Accident

Train Accident

ଓଡ଼ିଶା ଇତିହାସର ସବୁଠାରୁ ବଡ଼ ଓ ଭୟଙ୍କର ଟ୍ରେନ ଦୁର୍ଘଟଣାକୁ କିଛି ଖଳ ପ୍ରକୃତିର ଲୋକ ସାଂପ୍ରଦାୟିକ ରଙ୍ଗ ଦେବାକୁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି। ଘଟଣା ପଛର ମୁଖ୍ୟ କାରଣରୁ ଧ୍ୟାନ ହଟାଇବା ପାଇଁ ସୋଶାଲ ମିଡିଆରେ ବିଭ୍ରାନ୍ତୀକର ତଥ୍ୟକୁ ଭାଇରାଲ କରାଯାଉଛି। ପୂରା ଘଟଣାକୁ ସାଂପ୍ରଦାୟିକ ରଙ୍ଗ ଓ ଷଡ଼ଯନ୍ତ୍ରର ଅଂଶବିଶେଷ ଭାବେ ଚିତ୍ରଣ କରାଯାଉଛି। ତେବେ ଘଟଣାକୁ ସାଂପ୍ରଦାୟିକ ରଙ୍ଗ ଦେବାକୁ ଉଦ୍ୟମ କରୁଥିବା ଲୋକଙ୍କୁ ସତର୍କ କରାଇଛି ଓଡ଼ିଶା ପୁଲିସ୍‌।

Advertisment

ଓଡ଼ିଶା ପୁଲିସ୍‌ ପକ୍ଷରୁ କୁହାଯାଇଛି ଯେ କିଛି ସୋଶାଲ ମିଡିଆ ଆକାଉଣ୍ଟରୁ ବାଲେଶ୍ୱର ଟ୍ରେନ ଦୁର୍ଘଟଣାକୁ ନେଇ ବିଭ୍ରାନ୍ତୀକର ପୋଷ୍ଟକୁ ଭାଇରାଲ କରାଯାଉଛି। ଏପରି କାମ କରୁଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।

ଓଡ଼ିଶା ପୁଲିସ୍‌ର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ କୁହାଯାଇଛି ଯେ ବାଲେଶ୍ୱରରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାକୁ କିଛି ଲୋକ ସୋଶାଲ ମିଡିଆରେ ସାଂପ୍ରଦାୟିକ ରଙ୍ଗ ଦେବାକୁ ନିୟମିତ ଉଦ୍ୟମ ଜାରି ରଖିଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଜିଆରପି ଠାରୁ ଆରମ୍ଭ କରି ବିଭିନ୍ନ ସୁରକ୍ଷା ଏଜେନ୍ସି ଦୁର୍ଘଟଣା ପଛର କାରଣ ଜାଣିବାକୁ ତଦନ୍ତ କରୁଛନ୍ତି।

Advertisment

ଏବେ ବି ତଦନ୍ତ ଜାରି ରହିଛି। ମିଛ ଓ ଖଳ ମାନସିକତା ରଖି ବିଭିନ୍ନ ପ୍ରକାରର ପୋଷ୍ଟ କରୁଥିବା ଲୋକଙ୍କୁ ଏହା ଠାରୁ ଦୂରରେ ରହିବାକୁ ନିବେଦନ କରାଯାଉଛି। ମିଛ କଥା ପ୍ରଚାର କରି ସାଂପ୍ରଦାୟିକ ବିଦ୍ୱେଷ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଲୋକଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଓଡ଼ିଶା ପୁଲିସ୍‌ ଟ୍ୱିଟ କରିଛି।


ଶୁକ୍ରବାର ବାଲେଶ୍ୱରର ବାହାନଗା ନିକଟରେ ୩ଟି ଟ୍ରେନ ଗୋଟିଏ ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ। କରମଣ୍ଡଳ ଏକ୍ସପ୍ରେସ ଗୋଟିଏ ମାଲବାହୀ ଟ୍ରେନକୁ ଧକ୍କା ଦେବା ପରେ ଲାଇନଚ୍ୟୁତ ହୋଇଥିଲା। ଏହାପରେ ବିପରୀତ ଦିଗରୁ ଆସୁଥିବା ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସର ଦୁଇଟି ବଗି ସହ କରମଣ୍ଡଳର ଗୋଟିଏ ବଗି ମଧ୍ୟ ଧକ୍କା ହୋଇଥିଲା।

ଏଥିରେ ୨୭୫ ଜଙ୍କ ମୃତ୍ୟୁ ହୋଇଛି। ସିଗ୍ନାଲ ବ୍ୟବସ୍ଥା ଫେଲ ଯୋଗୁ ଏପରି ହୋଇଥିବା ପ୍ରାଥମିକ ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଇଣ୍ଟରଲକିଂ ବ୍ୟବସ୍ଥାର ତ୍ରୁଟି ଯୋଗୁ ଦୁର୍ଘଟଣା ଘଟିଥିବା କହିଛନ୍ତି।

ତଥାପି କିଛି ଲୋକ ନିଜର ରାଜନୀତିକ ଫାଇଦା ଓ ସାଂପ୍ରଦାୟିକ ବିଦ୍ୱେଷ ସୃଷ୍ଟି କରିବା ପାଇଁ ମିଛ ଖବରକୁ ବିଭିନ୍ନ ସୋଶାଲ ମିଡିଆ ସାଇଟ୍‌ରେ ଭାଇରାଲ କରିବାରେ ଲାଗିଛନ୍ତି।

Odisha Odisha Police Train Accident Train Tragedy